ଚାରୁବାଲା କାଳିନ୍ଦୀଙ୍କ ହାତରେ ରଂଗୀନ କପଡ଼ା ଖଣ୍ଡକ ଉଜ୍ଜ୍ୱଳ ଦିଶୁଥିଲା, ମୁହୂର୍ତ୍ତଟିଏ ପାଇଁ ବିଜୁଳି ଝଟକିବା ଭଳି। ଲାଲ୍ ଏବଂ ବ୍ଲୁ ରଂଗର ଘାଗରା ଝୁମର ଗୀତର ତାଳରେ ଘୁରୁଥିଲା। ନୃତ୍ୟ ସଂଗୀତର ପ୍ରଦର୍ଶନ ଆରମ୍ଭ ପାଇଁ ବାଦ୍ୟକାରମାନେ ଏକାଠି ହୋଇଥିଲେ।
ପଶ୍ଚିମବଙ୍ଗ ଆର୍ଶା ତାଲୁକର ସେନାବଣ ଗାଁରେ ଚାଲିଛି ପ୍ରଦର୍ଶନ - ଦେଖଣାହାରି ୮୦-୯୦ ଜଣ ଲୋକ - ବୃଦ୍ଧ ଓ ଯୁବକ, ପୁରୁଷ, ମହିଳା ଏବଂ ଛୋଟପିଲା। ଯଦିଓ ଚାରୁବାଲାଙ୍କ ବୟସ ୬୫, ତଥାପି ତାଙ୍କ ନୃତ୍ୟରେ ବେଶ୍ ଚମକ ଥିଲା।
କୁହାଯାଏ ନୃତ୍ୟ ଶିଳ୍ପୀ ପିନ୍ଧିଥିବା ଘୁଙ୍ଗୁର ସ୍ୱରରୁ ‘ଝୁମର’ ଶବ୍ଦ ଆସିଛି। ଏ ପ୍ରକାର ନୃତ୍ୟ ବିଶେଷକରି ପଶ୍ଚିମବଙ୍ଗର ଦକ୍ଷିଣ-ପଶ୍ଚିମ ଭାଗରେ ଏବଂ ଏହି ଅଞ୍ଚଳକୁ ଲାଗି ରହିଥିବା ଝାଡ଼ଖଣ୍ଡର କିଛି ଅଞ୍ଚଳରେ ବେଶ ଲୋକପ୍ରିୟ (ଆସାମରେ ଏହାର ଅନ୍ୟ ଏକ ସଂସ୍କରଣ ଦେଖିବାକୁ ମିଳେ)। ପାରମ୍ପରିକ ଝୁମର ଗୀତ ଲେଖିଥିବା ଅନେକ କବି ଦଳିତ ଜାତିର, ସେମାନଙ୍କର କିଛି ସଂଗୀତରେ ସାମାଜିକ ପ୍ରସଙ୍ଗ ଏବଂ ମରୁଡ଼ି, ବନ୍ୟା, ରାଜନୀତି ସହ ଅନ୍ୟାନ୍ୟ ସାମାଜିକ ବ୍ୟାଧି ସ୍ଥାନ ପାଇଥାଏ। ରାଧା-କୃଷ୍ଣଙ୍କ ପ୍ରେମ ଓ ପ୍ରତୀକ୍ଷା ଝୁମର ସଂଗୀତର ଆଉ ଏକ ପ୍ରଚଳିତ ବିଷୟବସ୍ତୁ।
ଏଥିରୁ ଅନେକ ବିଷୟ ଚାରୁବାଲାଙ୍କ ନିଜ ଜୀବନରେ ପ୍ରତିଫଳିତ ହୋଇଛି। ଏକଦା ସେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ପୁରୁଲିଆ (ଜନଗଣନାରେ ପୁରୁଲିୟା) ଦ୍ୱିତୀୟ ତାଲୁକର ବେଲମା ଗାଁରେ ରହୁଥିଲେ। ତାଙ୍କୁ ଯେତେବେଳେ ୧୬-୧୭ ବର୍ଷ ହୋଇଥିଲା, ତାଙ୍କ ବାପା ମୋହନ କାଳିନ୍ଦୀ ତାଙ୍କୁ ପାଖ ଦୁମଦୁମି ଗାଁର ଶଙ୍କର କାଳିନ୍ଦୀଙ୍କ ସହ ବିବାହ କରାଇ ଦେଇଥିଲେ। ତାଙ୍କ ପରିବାର କାଳିନ୍ଦୀ ସଂପ୍ରଦାୟର। ପଶ୍ଚିମବଙ୍ଗରେ ଏହି ସଂପ୍ରଦାୟ ଅନୁସୂଚିତ ଜାତି ବର୍ଗରେ ତାଲିକାଭୁକ୍ତ ହୋଇଛି। ଏମାନେ ସାଧାରଣତଃ କୃଷି ଶ୍ରମିକ ଏବଂ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି।
ଶଙ୍କରଙ୍କୁ ସେତେବେଳେ ୨୦ ବର୍ଷ, ସେ ମଧ୍ୟ ଯେତେବେଳେ ଯାହା ମିଳୁଥିଲା ମୂଲ ମଜୁରୀ କରୁଥିଲେ। ତେବେ ସେ ତାଙ୍କୁ ଶାରୀରିକ ନିର୍ଯାତନା ଦେଲେ। ମାଡ଼ ସହି ନପାରି ଚାରୁବାଲା ତାଙ୍କୁ ଛାଡ଼ି ବାପ ଘରକୁ ଚାଲି ଆସିଲେ। କିନ୍ତୁ ମୋହନ ତାଙ୍କୁ ଘରେ ରଖିବାକୁ ମନା କରିଦେଲେ। ସେ ଏତେ ଗରିବ ଯେ, ତାଙ୍କୁ ରଖିବା ପାଇଁ ସମ୍ବଳ ନଥିବା କହିଲେ। ଫଳରେ ଚାରୁବାଲା କିଛି ଦିନ ପାଇଁ ବେଘର ହୋଇ ରାସ୍ତା ଉପରେ ଜୀବନ କାଟିଲେ।

















