ଅବଦୁଲ ମାଜିଦ୍ ୱାନି ଖୁବ୍ ଖୁସି ଯେ ଚଳିତ ଋତୁରେ ଶୀତ ଖୁବ୍ ନିର୍ଦ୍ଦୟ। ସେ ଆଶା କରୁଛନ୍ତି ଯେ, ସେ ତିଆରି କରୁଥିବା କଂଗ୍ରିଗୁଡ଼ିକର ଚାହିଦା ଜାରି ରହିବ। ଯେମିତି ଗତବର୍ଷ ଡିସେମ୍ବର ମାସରେ କାଶ୍ମୀରର କିଛି ଅଂଶରେ ତାପମାତ୍ରା -୧୦ ଡିଗ୍ରୀ ପରି କମ୍ ହୋଇଯାଇଥିଲା।
ବାଣୀ, ୫୫ ବର୍ଷ ବୟସ୍କ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲ୍ଲାରେ ଚରାର-ଇ-ସରିଫ ରେ ରୁହନ୍ତି ଏବଂ କାମ କରନ୍ତି। ଏହି ସହର, ଶ୍ରୀନଗରଠାରୁ ପ୍ରାୟ ୩୨ କିଲୋମିଟର ଦୂର । ଏହା କଂଗ୍ରି ତିଆରି କରୁଥିବା କାରିଗରମାନଙ୍କର ସ୍ଥାନ। କଂଗ୍ରି ହେଉଛି ଏକ ଅଗ୍ନିପାତ୍ର। ଯେଉଁଥିରେ ଗୋଟିଏ ମାଟିପାତ୍ରକୁ କାଠ କୋଇଲା ନିଆଁରେ ଭରି ଦିଆଯାଏ ଏବଂ ଏହା ହାତ ତିଆରି ବେତ ପାତ୍ର ମଧ୍ୟରେ ରଖାଯାଏ। କାଶ୍ମୀରରେ ଥିବା ଅନେକ ଲୋକ ଏହି ପୋଟେବଲ ହିଟରକୁ ଏହାର ହ୍ୟାଣ୍ଡେଲରୁ ଧରି ସେମାନଙ୍କର ଫେରାନ (ଶୀତ ଦିନେ ପିନ୍ଧା ଯାଉଥିବା ଏକ ପାରମ୍ପରିକ ଆଣ୍ଠୁ ପର୍ଯ୍ୟନ୍ତ ପୋଷାକ) ଭିତରେ ରଖି କାଶ୍ମୀରର ଦୀର୍ଘ ଶୀତ ଦିନେ ଉଷୁମ ରହିବାକୁ ଚେଷ୍ଟା କରନ୍ତି ଓ ରୁହନ୍ତି। (କେତେକ ଅଧ୍ୟୟନ କାଶ୍ମୀରରେ ବିଶେଷ କରି ହେଉଥିବା କାଗ୍ରିଂ କ୍ୟାନସର ବିଷୟରେ କହିଥାଏ ଯାହାକି ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳନ୍ତା କୋଇଲାଗୁଡ଼ିକୁ ନିଜ ଶରୀର ପାଖରେ ଧରି ରଖିବା କାରଣରୁ ହୋଇଥାଏ); କିନ୍ତୁ ତାହା ଅନ୍ୟ ଏକ କାହାଣୀ।)
ଚରାର-ଇ-ସରିଫରେ କନିଲ ମୋହଲାର ଜଣେ ବାସିନ୍ଦା ୩୦ବର୍ଷ ବୟସ୍କ ଉମର ହାସନ୍ ଦର କୁହନ୍ତି, ‘‘ଆମ ଅଞ୍ଚଳ ସୁନ୍ଦର କଂଗ୍ରି ପାଇଁ ଜଣାଶୁଣା, ଯାହାକି ଆମେ ସୂକ୍ଷ୍ମ ବେତରେ ତିଆରି କରିଥାଉ’’। କାରିଗର ଏବଂ ଶ୍ରମିକମାନେ ଏଠାରେ କଂଗ୍ରି ତିଆରିରେ ସମ୍ପୃକ୍ତ। ବେତ ଝୁଡ଼ି ପାଇଁ ଉଇଲୋ କାଠ ନିକଟସ୍ଥ ଜଙ୍ଗଲରୁ ସଂଗ୍ରହ କରାଯାଏ। କିମ୍ବା କୃଷକମାନଙ୍କଠାରୁ କିଣାଯାଏ, ଏଗୁଡ଼ିକୁ ନରମ କରିବା ପାଇଁ ଶିଝାଯାଏ ଏକ ଧାରୁଆ ହାତ ତିଆରି ଉପକରଣ (ସ୍ଥାନୀୟ ଭାବରେ ଚାପ୍ପୁନ ଭାବରେ ଜଣାଶୁଣା; ଦୁଇଟି ମୋଟା କାଠବାଡ଼ି, ଛକ ହୋଇ ମାଟିରେ ପୋତାଯାଇଥାଏ)ରେ ରମ୍ପା ଯାଏ, ଚଞ୍ଛାଯାଏ ଏବଂ ଏହା ପରେ ଭିଜେଇବା, ଶୁଖେଇବା ଏବଂ ରଙ୍ଗଦେବା ଆଦି ହୋଇଥାଏ। ଏହା ପରେ ଏହି ପ୍ରସ୍ତୁତ ହୋଇଥିବା ପାତିଆ ମାଟିପାତ୍ର ଚାରିପଟେ ବୁଣାଯାଏ।
ଏହି ପ୍ରକ୍ରିୟା ପ୍ରାୟ ସପ୍ତାହେ ନେଇଥାଏ, ଏହି ସମୟ ମଧ୍ୟରେ ପାତିଆଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଶୁଖିବା ଦରକାର। କଂଗ୍ରିଗୁଡ଼ିକ ସାଧାରଣତଃ ଅଗଷ୍ଟ ମାସରେ ଶୀତ ଆରମ୍ଭ ହେବା ପୂର୍ବରୁ ତିଆରି କରାଯାଏ ଏବଂ ବେଳେ ବେଳେ ଏହାର ଚାହିଦା ଉପରେ ନିର୍ଭର କରି ଶୀତ ଋତୁରେ ମଧ୍ୟ ତିଆରି ହୁଏ। ଯାହାକି ଫେବୃଆରୀମାସ ଶେଷ ସୁଦ୍ଧା ବନ୍ଦ ହୋଇଯାଏ।
ଅତୀତରେ କାଶ୍ମୀରର କଂଗ୍ରିଗୁଡ଼ିକ କେବଳ ଏକ ମାଟିପାତ୍ର ଥିଲା- ସ୍ଥାନୀୟ କୁମ୍ଭାରଙ୍କଠାରୁ କିଣାଯାଉଥିଲା- ଏହା ବାହାରେ ପାତିଆର ଆବରଣ ନଥିଲା। ସମୟକ୍ରମେ କେତେଜଣ କାରିଗର ଏହି ଦେଶୀ ହିଟରକୁ ବିଭିନ୍ନ ପ୍ରକାର ପାତିଆ ଡିଜାଇନରେ ତିଆରି କରିବା ଆରମ୍ଭ କଲେ। ଯାହାକି ପୁରୁଣା କଂଗ୍ରି ତୁଳନାରେ ଅଧିକ ଦାମି ଥିଲା। ଗୋଟିଏ କମ୍ ଦାମର କଂଗ୍ରି ବର୍ତ୍ତମାନ ପ୍ରାୟ ଟ. ୧୫୦ ନିଏ ଏବଂ ତିଆରି କରିବା ପାଇଁ ୩-୪ ଘଣ୍ଟା ସମୟ ଲାଗେ; ଅଧିକ ନିଖୁଣ ଭାବରେ ଡିଜାଇନ କରାଯାଇଥିବା ବହୁରଙ୍ଗୀ କଂଗ୍ରି ବୁଣିବା ପାଇଁ – ୩-୪ ଦିନ ସମୟ ନିଏ- ଏବଂ ଏହାର ଦାମ୍ ପ୍ରାୟ ଟ. ୧୮୦୦ ହୋଇପାରେ। ଦର ମୋତେ କୁହନ୍ତି, ଏହା ସେମାନଙ୍କୁ ଟ. ୧,୦୦୦ରୁ ୧,୨୦୦ ପର୍ଯ୍ୟନ୍ତ ଲାଭ ଦେଇଥାଏ।














