ପ୍ରତିଦିନ ବଡି ସକାଳୁ, ମେସିନ୍ ଲାଗିଥିବା ଏକ ଦେଶୀ ଡଙ୍ଗା ବ୍ରହ୍ମପୁତ୍ର ନଦୀର ଚଲାକୁଡ଼ା ଚର ଛାଡ଼େ। କ୍ଷୀର ଭର୍ତ୍ତି ପ୍ଲାଷ୍ଟିକ ଓ ଆଲୁମିନିୟମ ପାତ୍ରରେ ଡଙ୍ଗା ପୂରା ବୋଝେଇ ହୋଇଥାଏ। ଏହି ଡଙ୍ଗା କ୍ଷୀର ନେଇ ଧୁବ୍ରୀ ସହରକୁ ଯାଏ, ଏଠାରୁ ପ୍ରାୟ ଏକ ଘଣ୍ଟାର ବାଟ।
ଚାଲାକୁଡ଼ା ଚର ହେଉଛି ଆସାମରେ ବ୍ରହ୍ମପୁତ୍ର ନଦୀରେ ସୃଷ୍ଟି ହୋଇଥିବା ଅନେକ ଅସ୍ଥାୟୀ ବାଲି ଦ୍ୱୀପ ଭିତରୁ ଗୋଟିଏ। (ଚର ରୁ ପରି କାହାଣୀ ଦେଖନ୍ତୁ, ନଈ ମୁହଁରେ ଥିବା ଲୋକଙ୍କ ସଂଘର୍ଷ ରେ ଆରମ୍ଭ ହୋଇଛି)। ଡଙ୍ଗାଟି ମଧ୍ୟାହ୍ନରେ ଫେରି ଆସେ, ଏବଂ ପୁଣି ଉପରବେଳା ଅଧିକ କ୍ଷୀର ନେଇ ଧୁବ୍ରୀ ସହରକୁ ଯାଏ।
ଚରରେ ଥିବା ମଣ୍ଡଳ ପରିବାରର ଡାଏରୀ ଫାର୍ମରୁ ଏହି କ୍ଷୀର ଯାଏ। ତଳ ଆସାମର ଧୁବ୍ରୀ ଜିଲ୍ଲାରେ ଥିବା ତାଙ୍କର ଏହି ଫାର୍ମରେ ୫୦ଟି ଦୁଧିଆଳୀ ପଶୁ ଅଛନ୍ତି। ଏହି ଫାର୍ମରୁ ପ୍ରତିଦିନ ୧୦୦-୧୨୦ ଲିଟର କ୍ଷୀର ଉତ୍ପାଦନ ହୁଏ। ତିନିଟି ପିଲାର ବାପା ୪୩ ବର୍ଷୀୟ ତାମେଜୁଦ୍ଦିନ ମଣ୍ଡଳ କହନ୍ତି, ‘‘ଯେତେବେଳେ ଆମ ଗାଈ ଆଉ ମଇଁଷିଗୁଡ଼ିକ ସବୁଠୁ ଅଧିକ କ୍ଷୀର ଦିଅନ୍ତି, ସେତେବେଳେ ଉତ୍ପାଦନ ୧୮୦-୨୦୦ ଲିଟର ପର୍ଯ୍ୟନ୍ତ ଯାଏ।’’ ଗୋଟିଏ ଲିଟର କ୍ଷୀରକୁ ସେମାନେ ଧୁବ୍ରୀ ସହରରେ ୪୦ ଟଙ୍କାରେ ବିକନ୍ତି।





