ସାମାଜିକ ଆନ୍ଦୋଳନ ରୂପରେ ସାଇକେଲ ଚାଳନା ? ବୋଧହୁଏ, ଅବିଶ୍ୱସନୀୟ ଲାଗୁଛି । କିନ୍ତୁ ଠିକ୍ ତାହା ନୁହେଁ- ତାମିଲନାଡୁ ପୁଡୁକୋଟ୍ଟାଇ ଜିଲ୍ଲାର ହଜାର ହଜାର ନବ-ସାକ୍ଷର ଗ୍ରାମୀଣ ମହିଳାଙ୍କ କ୍ଷେତ୍ରରେ ତ ଆଦୌ ନୁହେଁ । ଅନୁନ୍ନତ ସ୍ଥିତିକୁ ସୁଧାରିବା ଲାଗି, ପ୍ରତିରୋଧାତ୍ମକ ଭାବନାର ପରିପ୍ରକାଶ ଲାଗି ଏବଂ ସାମାଜିକ ବନ୍ଧନରୁ ମୁକୁଳିବା ଲାଗି ଲୋକେ ବିଭିନ୍ନ ଉପାୟ ଖୋଜି ନିଅନ୍ତି । ବେଳେବେଳେ, ବିଚିତ୍ର ଉପାୟ ।
ଏ କ୍ଷେତ୍ରରେ, ଭାରତର ଦରିଦ୍ରତମ ଜିଲ୍ଲାରୁ ଗୋଟିକରେ, ଗ୍ରାମୀଣ ମହିଳାମାନେ ସାଇକେଲ ଚାଳନାକୁ ମାଧ୍ୟମ ରୂପେ ବାଛି ନେଇଥିବା ଭଳି ମନେହୁଏ । ଗତ ୧୮ ବର୍ଷ ଭିତରେ, ୧୦୦,୦୦୦ରୁ ଅଧିକ ଗ୍ରାମୀଣ ମହିଳା ସାଇକେଲ ଚାଳନାକୁ ଆତ୍ମନିର୍ଭରଶୀଳତା, ସ୍ୱାଧୀନତା ଏବଂ ଗତିଶୀଳତାର ପ୍ରତୀକ ରୂପେ ଧରିନେଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନବ-ସାକ୍ଷର। ଯଦି ଆମେ ୧୦ ବର୍ଷରୁ କମ୍ ବୟସର ଝିଅମାନଙ୍କୁ ବାଦ୍ ଦେବା, ତେବେ ଏହାର ଅର୍ଥ ହେବ ଯେ, ଜିଲ୍ଲାର ମୋଟ ଗ୍ରାମୀଣ ମହିଳାଙ୍କ ସଂଖ୍ୟାର ଏକ ଚତୁର୍ଥାଂଶରୁ ଅଧିକ ସାଇକେଲ ଚଲେଇ ଶିଖିଛନ୍ତି । ଏବଂ ଏମାନଙ୍କ ମଧ୍ୟରୁ ୭୦,୦୦୦ରୁ ଅଧିକ ମହିଳା ସାର୍ବଜନୀନ ‘ପ୍ରଦର୍ଶନୀ ତଥା ପ୍ରତିଯୋଗିତା’ରେ ସଗର୍ବେ ଭାଗ ନେଇ ସେମାନଙ୍କର ନୂତନ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏବଂ ଏ ପର୍ଯ୍ୟନ୍ତ ଅବିରତ ରହିଛି ପ୍ରଶିକ୍ଷଣ ଶିବିର ଏବଂ ଶିଖିବାର ଇଚ୍ଛା ।
ଗ୍ରାମୀଣ ପୁଡୁକୋଟ୍ଟାଇର କେନ୍ଦ୍ରସ୍ଥଳରେ, ଅତ୍ୟନ୍ତ ରକ୍ଷଣଶୀଳ ପରିବାରରୁ ଆସିଥିବା ମୁସଲିମ୍ ମହିଳାମାନେ ରାସ୍ତାରେ ନିଜ ନିଜର ସାଇକେଲ ଚଳାଇ ଯା’ଆସ କରନ୍ତି । କେତେଜଣ ତ ସାଇକେଲ ପାଇଁ ଅବଗୁଣ୍ଠନକୁ ପରିତ୍ୟାଗ କରିବା ଭଳି ଲାଗେ। ସାଇକେଲ ଚାଳନାକୁ ଆପଣେଇ ନେଇ ଥିବା ଜଣେ ମୁସଲିମ୍ ଯୁବତୀ ଜାମିଲା ବିବି ମୋତେ କହିଲେ, “ଏହା ମୋର ଅଧିକାର । ଆମେ ଯେଉଁଠିକି ଇଚ୍ଛା ଯାଇପାରିବୁ । ଏବେ ମୋତେ ବସ୍କୁ ଅପେକ୍ଷା କରିବାକୁ ପଡୁନି । ମୁଁ ଜାଣେ ଯେ ମୁଁ ଯେତେବେଳେ ସାଇକେଲ ଚଲେଇବା ଆରମ୍ଭ କଲି ଲୋକେ ଖରାପ ମନ୍ତବ୍ୟ ଦେବାରେ ଲାଗିଲେ, କିନ୍ତୁ ମୁଁ ସେଥି ପ୍ରତି ଧ୍ୟାନ ଦେଲି ନାହିଁ ।”
ଫାତିମା ଜଣେ ମାଧ୍ୟମିକ ସ୍କୁଲ୍ର ଶିକ୍ଷୟିତ୍ରୀ ଏବଂ ପ୍ରତି ସନ୍ଧ୍ୟାରେ ଅଧା ଘଣ୍ଟା ପାଇଁ ଭଡ଼ାରେ ନେଇଥିବା (ସାଇକେଲ୍ଟିଏ କିଣିବାରେ ସେ ଏଯାଏଁ ଅସମର୍ଥ- ଗୋଟିକର ମୂଲ୍ୟ ୧,୨୦୦ ଟଙ୍କାରୁ ଅଧିକ) ସାଇକେଲ୍ ଚଲାଇବାରେ ଅଭ୍ୟସ୍ତ । ସେ କହନ୍ତି, “ସାଇକେଲ ଚଲାଇବାରେ ସ୍ୱାଧୀନତା ଅଛି । ଏବେ ଆମେ କାହାରି ଉପରେ ନିର୍ଭର କରୁନାହୁଁ । ମୁଁ ଏହାକୁ କେବେ ବି ଛାଡ଼ି ପାରିବି ନାହିଁ ।” ଜାମିଲା, ଫାତିମା ଏବଂ ସେମାନଙ୍କ ସାଙ୍ଗ ଆଭାକାନ୍ନି, ସମସ୍ତଙ୍କ ବୟସ ୨୦ରୁ କିଛିଟା ଅଧିକ। ସେମାନଙ୍କ ସଂପ୍ରଦାୟର ଅନ୍ୟ ଅନେକ ଯୁବତୀଙ୍କୁ ସେମାନେ ସାଇକେଲ ଚାଳନାର କଳା ଶିଖାଇଛନ୍ତି ।





