ଆପଣମାନେ ଏହା ଭାବୁଥିବେ ଯେ ସଚ୍ଚିନ୍ ତେନ୍ଦୁଲ୍କର୍ଙ୍କ ଅନ୍ତିମ ଟେଷ୍ଟ ଦେଖିବା ପାଇଁ ଏଠାରେ ଏତେ ସଂଖ୍ୟକ ଲୋକ ଜମା ହୋଇଛନ୍ତି । ନିରନ୍ତର ଝିପିଝିପି ବର୍ଷା ହେଉଥିବା ସତ୍ତ୍ୱେ ଖେଳ ଆରମ୍ଭ ହେବାର ପ୍ରାୟ ପାଞ୍ଚ ଘଣ୍ଟା ପୂର୍ବରୁ ପାଖାପାଖି ଦୁଇଲକ୍ଷ ଲୋକ ଦେଖାଗଲେ ଯେକେହି ଏପରି ଭାବିବ । କିନ୍ତୁ ଏହା କୁନ୍ଦଲ ଟାଉନ୍ ପାଇଁ “ସ୍ୱାଭାବିକ ଠାରୁ କମ୍”ଥିଲା , ଯେଉଁଠି ପ୍ରତିବର୍ଷ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଥିବା ମହାରାଷ୍ଟ୍ରର ଏହି କ୍ରୀଡାରେ ସର୍ବୋତ୍କୃଷ୍ଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତେବେ ଏହା କ୍ରିକେଟ୍ ନୁହେଁ, ଏହା ହେଉଛି ମଲ୍ଲକୁସ୍ତି ଖେଳ । କେତେକ ଖେଳ ଗ୍ରାମୀଣ ଅର୍ଥନୀତି ସହିତ ସୁଦୃଢ ଭାବେ ଯୋଡି ହୋଇରହିଥାଏ, ବିଶେଷକରି ପଶ୍ଚିମ ମହାରାଷ୍ଟ୍ରରେ ଚାଷକାମ ସହିତ । ପରିସ୍ଥିତି ଏପରି ହେଲା ଯେ ଜଳ ସଂକଟ ଯୋଗୁଁ କୁନ୍ଦଳ କାର୍ଯ୍ୟକ୍ରମକୁ ରଦ୍ଦ କରିବାକୁ ପଡିଲା ।
“ମରୁଡି ପରିସ୍ଥିତିରେ ତିନିଲକ୍ଷ ଲୋକଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ବିଷୟରେ ଭାବନ୍ତୁ,” ବୋଲି ଜଣେ କାର୍ଯ୍ୟକ୍ରମ ଆୟୋଜକ କୁହନ୍ତି ।
ଏହି ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଖେଳ, ରାଜନୀତି, ସଂସ୍କୃତି ଓ ଅର୍ଥନୀତିର ଚାରିଛକରେ କୁସ୍ତି ଅବସ୍ଥାପିତ । ସହରାଞ୍ଚଳରେ ମଧ୍ୟ ମଲ୍ଲକୁସ୍ତି ଖେଳାଯାଏ କିନ୍ତୁ ମଲ୍ଲମାନେ ବିଭିନ୍ନ ଗ୍ରାମରୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗରିବ ଚାଷୀ ପରିବାରର ବୋଲି ଦ ହିନ୍ଦୁ ଏହି ଅଞ୍ଚଳରେ କରିଥିବା ବିଭିନ୍ନ ଅନୁଷ୍ଠାନ ପରିଦର୍ଶନରୁ ଜଣାପଡିଛି ।
ସ୍ଥଗିତାବସ୍ଥା
ମହାରାଷ୍ଟ୍ରରେ ବର୍ତ୍ତମାନ ଲାଗି ରହିଥିବା କୃଷି ସଙ୍କଟ ଯୋଗୁଁ ଗତ କିଛି ବର୍ଷ ହେବ ଏହି ଖେଳ ବାଧାପ୍ରାପ୍ତ ହୋଇଛି । ଗତ ବର୍ଷର ମରୁଡ଼ି ଓ ଚଳିତ ବର୍ଷ ଦେଖାଦେଇଥିବା ଜଳ ସଂକଟ ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । “ମରୁଡ଼ି ଯୋଗୁଁ ଆମେ ଛାରଖାର ହୋଇଗଲୁଣି,” ବୋଲି କୋହ୍ଲାପୁର ଟାଉନ୍ରେ ଥିବା ତାଲିମ୍ ବା ମଲ୍ଲକୁସ୍ତି ଅନୁଷ୍ଠାନର ପରିଚାଳକ ତଥା ରାଜ୍ୟର ଜଣେ ଜଣାଶୁଣା ଖେଳାଳି ଆପ୍ପାସାହେବ କଦମ କହିଛନ୍ତି । “ଅଧିକାଂଶ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରିଦିଆଯାଇଥିଲା । “ବାକି କ୍ଷେତ୍ରରେ ପୁରସ୍କାର ରାଶିର ପରିମାଣ ହ୍ରାସ କରାଯାଇଥିଲା । “ବହୁ ଛାତ୍ର ଅଧାରୁ ଆସିବା ବନ୍ଦ କରିଦେଇଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପରିବାର କରୁଥିବା ନିବେଶ ବିଷୟରେ ଚିନ୍ତା କରିନାହାନ୍ତି । “ଚଳିତ ଋତୁରେ ମଧ୍ୟ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ଯୋଗୁଁ ସମାନ ପ୍ରକ୍ରିୟାର ପୁନରାବୃତ୍ତି ହୋଇଛି ।
ଏଠାରେ ଅନୁଷ୍ଠିତ ହେଉଥିବା ଛୋଟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପୁରସ୍କାର ଭାବେ ଟ୍ରାକ୍ଟର ପ୍ରଦାନ କରାଯାଇଥାଏ । ଏହା ନିଶ୍ଚିତ ଯେ, ଘରୋଇ କମ୍ପାନିଗୁଡିକ ଏଥିପାଇଁ ବହୁପରିମାଣର ଅର୍ଥ ପ୍ରଦାନ କରିପାରିବେ ବୋଲି ସାଙ୍ଗଲି ଜିଲ୍ଲାରେ କୁନ୍ଦଳର ବିଶାଳ-କାର୍ଯ୍ୟକ୍ରମର ଆୟୋଜକ ବାଲାସାହେବ ଲାଦ୍ ଓ ଅରୁଣା ଲାଦ୍ କହନ୍ତି । “କିନ୍ତୁ ଏଥିପାଇଁ ଆବଶ୍ୟକ ୨୫ଲକ୍ଷ ଟଙ୍କାରୁ ପ୍ରାୟ ୧୫ଲକ୍ଷ ଟଙ୍କା ସାଧାରଣ ଚାଷୀ ଦେଇଥାନ୍ତି । ଯଦି ସେମାନଙ୍କ ପରିସ୍ଥିତି ଖରାପ ହୋଇଯାଉଛି, ତେବେ ମଲ୍ଲକୁସ୍ତିର ସ୍ଥିତି ମଧ୍ୟ ସମାନ ମାତ୍ରାରେ ପ୍ରଭାବିତ ହେଉଛି ।
ଏକ ଉନ୍ନତ ଜୀବନ ପାଇଁ ଟିକେଟ
କୁସ୍ତି ହେଉଛି ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ଦାରିଦ୍ର୍ୟରୁ ମୁକୁଳିବାର ମାର୍ଗ । “ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ପ୍ରତିଶତ ଲୋକ ଗରିବ ଚାଷୀ ପରିବାରରୁ ଆସିଛନ୍ତି,” ବୋଲି କୋହ୍ଲାପୁରର କଦମ କହନ୍ତି । “ବାକି ସମସ୍ତେ ହେଉଛନ୍ତି ଭୂମିହୀନ ଶ୍ରମିକ, ବଢେଇ ଓ ଏହିପରି ଲୋକଙ୍କ ସନ୍ତାନ । ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଶିଷିତ ବର୍ଗର ନୁହନ୍ତି । ମଲ୍ଲକୁସ୍ତି ହେଉଛି ଏକ ସୌକ୍ । ସମସ୍ତ ମଲ୍ଲଯୋଦ୍ଧା ବା ପହିଲ୍ମାନ୍ଙ୍କ ମଧ୍ୟରୁ ମାତ୍ର ପାଞ୍ଚ ପ୍ରତିଶତ ଉଚ୍ଚସ୍ତରକୁ ଉନ୍ନୀତ ହୋଇପାରନ୍ତି ।
ସେହି ସୌକ୍ ତାଙ୍କ ତାଲିମ୍ କେନ୍ଦ୍ରରେ ଦୁଇ ବା ତିନ ଜଣ ହୋଇ ଗୋଟିଏ ବଖରାରେ ରହୁଥିବା ଓ ଦଳଗତ ଭାବେ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରୁଥିବା ସେହି ଛୋଟ ଛୋଟ ବାଳକମାନଙ୍କଠାରେ ମଧ୍ୟ ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ଅନେକ ପୂର୍ବାହ୍ନ ୫ଟାରେ ଆରମ୍ଭ ହୋଇ ୮.୩୦ ପର୍ଯ୍ୟନ୍ତ ଚାଲୁଥିବା ତାଲିମ୍ ଆରମ୍ଭ ହେବା ପୂର୍ବରୁ ପ୍ରାୟ ୪ଟା ବେଳକୁ ଦଉଡ଼ିବାକୁ ଯାଆନ୍ତି । ଛୋଟ ପିଲାମାନେ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୫ଟା ମଧ୍ୟରେ ବିଦ୍ୟାଳୟରେ ଉପସ୍ଥିତ ରୁହନ୍ତି । ଅଧାଘଣ୍ଟା ପରେ ପ୍ରଶିକ୍ଷଣ ଆରମ୍ଭ ହୋଇଥାଏ ଓ ଏହା ରାତି ୮.୩୦ ପର୍ଯ୍ୟନ୍ତ ଚାଲିଥାଏ । କଡ଼ା ଶୃଙ୍ଖଳା ପାଳନ କରାଯାଏ । “ଉଦୀୟମାନ କ୍ରିକେଟର୍ମାନେ ବୋଧହୁଏ ବର୍ଷରେ ଚାରିମାସ ପ୍ରଶିକ୍ଷଣ ଗ୍ରହଣ କରନ୍ତି । ମଲ୍ଲକୁସ୍ତି ଶିଖିବା ପାଇଁ ଦଶ ବର୍ଷର ପ୍ରଶିକ୍ଷଣ ମଧ୍ୟ ପର୍ଯ୍ୟାପ୍ତ ନୁହେଁ ।’’
ତାଲିମ୍ଗୁଡିକରେ ଚାଷୀ ଓ ଶ୍ରମିକମାନେ ସେମାନଙ୍କ ପୁଅମାନଙ୍କୁ ପହିଲ୍ମାନ୍ ହେବା ପାଇଁ ପ୍ରଶିକ୍ଷିତ କରିବା ପାଇଁ ନିବେଦନ କରିଥାନ୍ତି । ସେତେବେଳେ ସମୟ ପୂର୍ବାହ୍ନ ୬ଟା ବୋଧେ ହୋଇଥାଏ, ୮୩ ବର୍ଷ ବୟସ୍କ ଗନ୍ପତ୍ରାଓ ଅନ୍ଧାଲ୍କର୍ ଅନ୍ୟମାନଙ୍କ ସହିତ ଆଠ-ବର୍ଷ-ବୟସ୍କ ପିଲାଙ୍କୁ କୋହ୍ଲାପୁରଠାରେ ଥିବା ତାଙ୍କ ଶିକ୍ଷା ଅନୁଷ୍ଠାନରେ ଶିକ୍ଷାଦାନ କରିବାରେ ବ୍ୟସ୍ତ ଅଛନ୍ତି । ଏହି ପୂର୍ବତନ ଏସିଆଡ୍ ଗୋଲ୍ଡ ମେଡାଲିଷ୍ଟ ଓ ଅଲିମ୍ପିଆନ୍ ଗୋଟିଏ ପାଖରେ ପୁରୁଣା ଛାତ୍ରଙ୍କ ଅଭ୍ୟାସ ଉପରେ ସତର୍କ ଦୃଷ୍ଟି ରଖିଥିବା ବେଳେ ନୂଆ ପିଲାମାନଙ୍କୁ ଖେଳର ବିଭିନ୍ନ କୌଶଳ ବିଷୟରେ ବର୍ଣ୍ଣନା କରୁଛନ୍ତି। ବେଳେବେଳେ ସେ ଚିତ୍କାର କରି କିଛି ନିର୍ଦ୍ଦେଶ ଦେଉଛନ୍ତି ବା ମଲ୍ଲମାନଙ୍କୁ ଗାଳି ଦେଉଛନ୍ତି । ପ୍ରାୟତଃ, ସେ ସର୍ବକନିଷ୍ଠ ସହିତ ନିଜ ବିଶ୍ରାମ ସ୍ଥାନରୁ ଉଠି ପଡୁଛନ୍ତି ଓ ଯୋଦ୍ଧାଙ୍କ ଉପରେ ଠିଆ ହୋଇ ସେମାନଙ୍କ ଗତି ଓ ତ୍ରୁଟି ଆଦି ଦେଖାଉଛନ୍ତି ।
“ମଲ୍ଲକୁସ୍ତି ଚାଷ ଅର୍ଥନୀତି ସହିତ ଦୃଢ ଭାବେ ଯୋଡ଼ି ହୋଇରହିଛି। କିନ୍ତୁ ବର୍ତ୍ତମାନ ସେହି ଅର୍ଥନୀତି ଦୁର୍ବଳ ହୋଇଯାଇଛି,” ବୋଲି ଅନ୍ଧଲ୍କର୍ କହନ୍ତି । “ତାଲିମ ଦେୟ ବାବଦକୁ ସ୍ୱଳ୍ପ ଟଙ୍କା ଗ୍ରହଣ କରାଯାଏ – ବୋଧହୁଏ ମାସକୁ ୧୦୦ ରୁ ୨୦୦ ଟଙ୍କା।’’ ଅନ୍ଧଲ୍କର୍ ନିଜେ ଦେୟ ବାବଦରେ ଯାହା ଉପାର୍ଜନ କରନ୍ତି, ତାହାଠାରୁ ଯଥେଷ୍ଟ ଅଧିକ ଟଙ୍କା ସେ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ “ସମ୍ମାନନୀୟ ଅତିଥି” ହୋଇ ପାଇଥାନ୍ତି । ଗରିବ ଛାତ୍ରମାନଙ୍କଠାରୁ ସେ କିଛି ଶୁଳ୍କ ନିଅନ୍ତି ନାହଁ । “ତେବେ ନିଜ ଆହାର ବାବଦକୁ ସେମାନଙ୍କୁ ବହୁତ ବ୍ୟୟ କରିବାକୁ ପଡିଥାଏ’’।
ନଗଣ୍ୟ ସରକାରୀ ସହାୟତା
ଅନେକ ଚାମ୍ପିଅନ୍ ସେମାନେ ସୃଷ୍ଟି କରିଥିଲେ ସୁଦ୍ଧା – ଓ ଅନେକ ରାଜନୈତିକ ନେତା ସେମାନଙ୍କ ଫେଡେରେସନ୍ର ନେତୃତ୍ୱ ନେଇଥିଲେ ମଧ୍ୟ – କୁସ୍ତି ଗୁରୁମାନଙ୍କୁ ଅତିକମ୍ ପରିମାଣର ସରକାରୀ ସହାୟତା ପ୍ରାପ୍ତ ହୋଇଛି । ସମଗ୍ର ପଶ୍ଚିମ ମହାରାଷ୍ଟ୍ରରେ ଏଭଳି ଅଭିଯୋଗ ଶୁଣିବାକୁ ମିଳେ ଯେ ପଞ୍ଜାବ ଓ ହରିୟାଣା ସେମାନଙ୍କ ମଲ୍ଲମାନଙ୍କୁ ଏହାଠାରୁ ଯଥେଷ୍ଟ ଅଧିକ ଭଲ ସୁବିଧା ଯୋଗାଉଛନ୍ତି ।



