ଚିତ୍ତରଞ୍ଜନ ରାୟ, ୨୮ ବର୍ଷ ବୟସରେ ପଶ୍ଚିମବଙ୍ଗର ଗଦାଙ୍ଗ ଗ୍ରାମରୁ ୨୦୧୫ ରେ ଏଠାରୁ ବହୁ-ଦୂରରେ ଅବସ୍ଥିତ କେରଳକୁ ଯିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ, ଭଲ ମଜୁରି ପାଇବା ଆଶାରେ । ସେ ରାଜ୍ୟର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ ଭାବେ କାମ କଲେ, ସେଥିରୁ କିଛି ଅର୍ଥ ସଞ୍ଚୟ କଲେ ଓ ଲିଜ୍ରେ ନେଇଥିବା ଆଠ ବିଘା ଜମି ଚାଷ କରିବା ପାଇଁ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ସେ ଏହା ପୂର୍ବରୁ ପରିବାର ନିଜସ୍ୱ ଚାଷଜମିରେ କାମ କରିଥିଲେ ଓ ନିଜେ ଆଳୁ ଚାଷରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହିଁଥିଲେ ।
“ଏହି ଜମିରେ ପ୍ରଥମଥର ପାଇଁ ଚାଷ କାମ କରାଯାଉଥିବାରୁ ଏଥିରେ ଅତ୍ୟନ୍ତ କଠିନ ପରିଶ୍ରମ କରିବା ଓ ଅଧିକ ନିବେଶ କରିବା ଆବଶ୍ୟକ ଥିଲା,’’ ବୋଲି ତାଙ୍କ କକା ଉତ୍ତମ ରେ କୁହନ୍ତି, ଯିଏ ହେଉଛନ୍ତି ଜଣେ ୫୦ବର୍ଷ ବୟସ୍କ ଚାଷୀ । ଆଦାୟ ଭଲ ହେଲେ ଲାଭ ମଧ୍ୟ ଭଲ ହେବ, ଏହି ଆଶାରେ ଚିତ୍ତରଞ୍ଜନ ବ୍ୟାଙ୍କ ଓ ସ୍ଥାନୀୟ ଘରୋଇ ଋଣଦାତାଙ୍କଠାରୁ ଋଣରେ ଟଙ୍କା ଆଣିଥିଲେ- ସମୟକ୍ରମେ ଯାହାର ପରିମାଣ ମୋଟ ୫ଲକ୍ଷରେ ପହଞ୍ଚିଗଲା- “ଅତି ଉଚ୍ଚ ସୁଧ ହାରରେ” ବୋଲି ଉତ୍ତମ କୁହନ୍ତି । କିନ୍ତୁ ତାପରେ, ୨୦୧୭ ରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ସେହି ସ୍ଥାନରେ ସବୁବେଳେ ପାଣି ଜମି ରହିଲା । ଫସଲ ନଷ୍ଟ ହୋଇଗଲା । ଏହି କ୍ଷତିର ସାମନା କରିନପାରି, ୩୦ -ବର୍ଷ-ବୟସ୍କ ଚିତ୍ତରଞ୍ଜନ ଜୁଲାଇ ୩୧ରେ ତାଙ୍କ ଘରେ ବେକରେ ଫାଶ ଲଗାଇ ଆତ୍ମହତ୍ୟା କଲେ ।
“ତାଙ୍କର ବାପାମା ତାଙ୍କ ବିବାହ କରିଦେବା ପାଇଁ ବ୍ୟସ୍ତ ହେଉଥିଲେ,” ବୋଲି ଚିନ୍ତାମୋହନ ରାୟ, ଜଲପାଇଗୁରୀ ଜିଲ୍ଲା ଅନ୍ତର୍ଗତ ଧୁପ୍ଗୁରୀ ବ୍ଲକ୍ର ସେହି ଗ୍ରାମର ଅନ୍ୟ ଜଣେ ଚାଷୀ, ଯିଏ ତାଙ୍କ ପାଞ୍ଚ ଭିଗା (୧ଭିଗା ହେଉଛି ୦.୩୩ଏକର) ଜମିରେ ଆଳୁ, ଧାନ ଓ ଝୋଟ ଆଦି ଚାଷ କରନ୍ତି, କୁହନ୍ତି । ‘‘ଯେହେତୁ ବ୍ୟାଙ୍କରୁ ଋଣ କରିବା ପାଇଁ ତାଙ୍କର ଯୋଗ୍ୟତା ନଥିଲା, ତେଣୁ ତାଙ୍କ ବାପା ନିଜ ନାମରେ ଋଣ ନେଇଥିଲେ । “ପୁଅ ଚାଲିଯିବା ପରେ,ଏବେ ତାଙ୍କର ୬୦ -ବର୍ଷ-ବୟସ୍କ ପିତାଙ୍କୁ ଋଣ ବୋଝ ସହିତ ସଂଘର୍ଷ କରିବାକୁ ପଡୁଛି, ମୃତକଙ୍କ ମା’ ଅସୁସ୍ଥ ଅଛନ୍ତି ।
ଚିନ୍ତାମୋହନ ମଧ୍ୟ ଏବେ ଏବେ ତାଙ୍କ ପରିବାରରେ ଜଣଙ୍କୁ ଆତ୍ମହତ୍ୟା କରିଥିବା ଦେଖିଛନ୍ତି । “ମୋର ଭାଇ ଜଣେ ସରଳ ଲୋକ ଥିଲେ, ସେ ଚାପ ସହ୍ୟ କରିପାରିଲେ ନାହିଁ ଓ ଜୁନ୍ ୨୩,୨୦୧୯ ରେ କୀଟନାଷକ ଖାଇ ଆତ୍ମହତ୍ୟା କଲେ,” ବୋଲି ସେ କୁହନ୍ତି। ତାଙ୍କ ଭାଇ ଗଙ୍ଗାଧରଙ୍କ ବୟସ ହେଉଛି ୫୧ ବର୍ଷ ।
“ସେ ନିଜର ପାଞ୍ଚ ଭିଗା ରେ ଆଳୁ ଚାଷ କରୁଥିଲେ’’ ବୋଲି ୫୪ ବର୍ଷୀୟ ଚିନ୍ତାମୋହନ କୁହନ୍ତି । “ସେ ଏଥିପାଇଁ ଋଣ ନେଇଥିଲେ [ବ୍ୟାଙ୍କ, ଘରୋଇ ଋଣଦାତା ଏପରିକି ଇନ୍ପୁଟ୍ ଡିଲର୍ମାନଙ୍କଠାରୁ ମଧ୍ୟ] । ବିଗତ କିଛି ଋତୁରେ ବାରମ୍ବାର କ୍ଷତି ହେଉଥିବାରୁ, ପରିସ୍ଥିତି ଏପରି ହେଲା ଯେ ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ…”
ଗଙ୍ଗାଧରଙ୍କ ଜମିର ଏକ ବଡ ଅଂଶକୁ ସେ ଜଣେ ଋଣଦାତାଙ୍କ ପାଖରେ ବନ୍ଧା ପକେଇଛନ୍ତି । ତାଙ୍କର ସମୁଦାୟ ଋଣବୋଝ ପ୍ରାୟ ୫ଲକ୍ଷ ଟଙ୍କା ହେବ । ତାଙ୍କର ବିଧବା ଜଣେ ଗୃହିଣୀ, ତାଙ୍କର ତିନୋଟି ଝିଅ ଅଛନ୍ତି, ସବୁଠାରୁ ବଡ କଲେଜରେ ପଢେ । "“ଆମେ ଭାଇମାନେ ଓ ଗଙ୍ଗାଧରଙ୍କ ଶ୍ୱଶୁର ଘର ଲୋକମାନେ ମିଳିତ ଭାବେ ସେମାନଙ୍କୁ କୌଣସି ପ୍ରକାରେ ଏହି ପରିସ୍ଥିତିରୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛୁ” ବୋଲି ଚିନ୍ତାମୋହନ କୁହନ୍ତି ।







