ଚଳିତ ବର୍ଷ ମେ ମାସର ଗୋଟିଏ ପ୍ରଚଣ୍ଡ ଖରାରେ ଗୌତମ ହାନିମି ରେଡ୍ଡୀ ନୁଜେନ୍ଦଲା ମଣ୍ଡଳ ଅନ୍ତର୍ଗତ ତ୍ରିପୁରାପୁରମ ଗାଁରୁ ଗୁଣ୍ଟୁରକୁ ୧୦୫ କିଲୋମିଟର ରାସ୍ତା ଟ୍ରକ୍ରେ ଗଲେ, ତାଙ୍କର ୫ ଏକର ଫାର୍ମରେ ଉତ୍ପାଦିତ କରିଥିବା ଆଠ କ୍ଵିଣ୍ଟାଲ ଲଙ୍କା ବିକ୍ରି କରିବାକୁ ସେ ଆଶା ରଖିଥିଲେ। ଏହା ଥିଲା ତାଙ୍କର ଶେଷ ଫସଲ, ସେ ଏପ୍ରିଲ ମାସରେ ତିନି ଥର ବଜାରକୁ ଆସିଥିଲେ, ସେତେବେଳେ ସେ କ୍ଵିଣ୍ଟାଲ୍ ପିଛା ୬,୦୦୦ ଟଙ୍କାରୁ ୮,୦୦୦ ଟଙ୍କା ଦର ଯାଏଁ ଲଙ୍କା ବିକ୍ରି କରିଥିଲେ। ଲଙ୍କାର ମୂଲ୍ୟ LCA334 ବା ଗୁଣ୍ଟୁର ସନମ ଅନୁସାରେ ମୂଲ୍ୟ ନିର୍ଦ୍ଧାରିତ ହୋଇଥିଲା।
ଏବେ ସେ ପୁଣି ଥରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରର ଏନ୍ଟିଆର୍ ଏଗ୍ରିକଲଚୁରାଲ୍ ମାର୍କେଟ୍ ୟାର୍ଡରେ ପହଞ୍ଚିଥିଲେ, ତିନି ଦିନ ଧରି ଅପେକ୍ଷା କଲେ, ଲଙ୍କା ମୂଲ୍ୟ ବଢ଼ିଲେ ଫସଲ ବିକ୍ରି କରିବେ ବୋଲି ଆଶା ରଖିଥିଲେ। ୨୦୧୭-୧୮ କୃଷି ଋତୁର ଲଙ୍କା ବିକ୍ରି ସରିଆସୁଥିବାବେଳେ ଦିନେ ମଣ୍ଡିରେ କୃଷକମାନଙ୍କ ପାଇଁ ଥିବା ମେସ୍ ବାହାରେ ବସିଥିବାବେଳେ ସେ କହିଲେ, "ଆଜି ମୂଲ୍ୟ ଆହୁରି କମିଯାଇଛି ଏବଂ କମିସନ୍ ଏଜେଣ୍ଟ ମାନେ କ୍ଵିଣ୍ଟାଲ୍ ପିଛା ମାତ୍ର ୪,୨୦୦ ଟଙ୍କା ଦେଉଛନ୍ତି। ସେମାନେ ସମସ୍ତେ ଗୋଟିଏ ବ୍ୟାବସାୟିକ ଗୋଷ୍ଠୀର ଏବଂ ସେମାନଙ୍କ ମନ ଇଚ୍ଛା ଦର ନିର୍ଦ୍ଧାରଣ କରିବାକୁ ସ୍ଥିର କରିଛନ୍ତି।"
ଗୋଟିଏ କଣକୁ ଯାଇ, ରେଡ୍ଡୀଙ୍କୁ ଏକଥା ନିଷ୍ପତ୍ତି କରିବାକୁ ଥିଲା, ଯେ ସେ ତାଙ୍କର ଫସଲକୁ ଘରକୁ ଫେରାଇ ନେଇ ଶୀତଳ ଭଣ୍ଡାରରେ ରଖିବେ ବା କମ୍ ଦରରେ ବିକ୍ରି କରିଦେବେ। କମ୍ ମୂଲ୍ୟରେ ଲଙ୍କା ବିକ୍ରି କରିଦେବାର ତାଙ୍କର ବିକଳ୍ପ ବାବଦରେ ରେଡ୍ଡୀ କହିଲେ, "ମୁଁ ଏସି (ଶୀତତାପ ନିୟନ୍ତ୍ରିତ) ଖର୍ଚ୍ଚ ଦେଇପାରିବି ନାହିଁ, ପୁଣି ଏକ କ୍ଵିଣ୍ଟାଲ - ଦୁଇ ଟିକ୍କି (ବ୍ୟାଗ୍) ପ୍ରତ୍ୟକ ୫୦କିଲୋକୁ ଗୋଟିଏ ପଟ ପରିବହନ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ ହେଉଛି।" ସେ ଟିକିଏ ରହିଲେ, ଏବଂ ଧୀର ସ୍ଵରରେ କହିଲେ, "ଦଲାଲମାନଙ୍କର ଏସି ଲୋକ (ଶୀତଳ ଭଣ୍ଡାର ଯୋଗାଣକାରୀ) ଙ୍କ ସହ ଥିବା ସମ୍ପର୍କ ସମସ୍ତଙ୍କୁ ଜଣା। ଏହା ଉଭୟଙ୍କ ପାଇଁ ଲାଭକାରୀ ବ୍ୟବସାୟ।"
ମଞ୍ଜି, ସାର, କୀଟନାଶକ ଏବଂ ଶ୍ରମିକ ମଜୁରୀ ଖର୍ଚ୍ଚ ବାବଦକୁ ଏକର ପିଛା ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ, ଏବଂ ସେ ଓ ତାଙ୍କ ସ୍ତ୍ରୀ ମଧ୍ୟ ପରିଶ୍ରମ କରିଥିଲେ। ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୨୦୧୭-୧୮ ଲଙ୍କା ଋତୁରେ ତାଙ୍କୁ ଏକର ପିଛା ୨୦ କ୍ଵିଣ୍ଟାଲ୍ ଉତ୍ପାଦନ ମିଳିଥିଲା। ମୋଟ ଉପରେ ୧୦୦ କ୍ଵିଣ୍ଟାଲ୍, ହାରାହାରି ଦେଖିବାକୁ ଗଲେ ୧୦ ଲକ୍ଷ ଟଙ୍କା ମୂଲ୍ୟ ହେବ। ଗତ ବର୍ଷଗୁଡ଼ିକରେ ଏହା କେତେକାଂଶରେ ଲାଭଜନକ ଥିଲା-୨୦୧୫-୧୬ରେ ଦର ଅଧିକ ଥିଲା, କ୍ଵିଣ୍ଟାଲ୍ ପିଛା ୧୨,୦୦୦-୧୫,୦୦୦ ଟଙ୍କା (ଅନ୍ତର୍ଜାତୀୟ ବଜାରରେ ଚାହିଦା ଯୋଗୁଁ ଦର ବଢ଼ିଥିବା କୁହାଯାଇଛି), ଏବଂ ଅତି କମ୍ରେ ଅନ୍ୟ ବର୍ଷଗୁଡ଼ିକରେ ଦର ଅତି କମ୍ରେ ୧୦,୦୦୦ ଟଙ୍କା ରହୁଥିଲା, ଯାହା ଫଳରେ ଚାଷୀଙ୍କର ଖର୍ଚ୍ଚ ଉଠିଯାଉଥିଲା।








