ଉମା ପାଟିଲ୍ଙ୍କ ଦୁଇ ବଖୁରିଆ ଘରର ଗୋଟିଏ କୋଣରେ ଥିବା ଗୋଟିଏ ଲୁହା ଆଲମିରାରେ ଗୋଟିଏ ଦଶକର ହାତଲେଖା ରେକର୍ଡ ଅଛି- ବଡ଼ ରେଜିଷ୍ଟରରେ, ନୋଟ୍ ବୁକ୍ରେ, ଡାଏରୀରେ ଏବଂ ସର୍ଭେ ଫର୍ମଗୁଡ଼ିକର ଫଟୋ କପି ମଧ୍ୟ ରଖାଯାଇଛି। ସବୁଗୁଡ଼ିକ ଗୋଟିକ ପରେ ଗୋଟିଏ ମୋଟା ପଲିଥିନ ବ୍ୟାଗରେ ରଖାଯାଇଛି। ଏହି କ୍ରମାଗତ ବର୍ଦ୍ଧିଷ୍ଣୁ ଥାକରେ ଗ୍ରାମୀଣ ମହାରାଷ୍ଟ୍ରର ସ୍ୱାସ୍ଥ୍ୟର ହିସାବ ଅଧିସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟକର୍ମୀ (ଆଶା)ମାନଙ୍କ ଦ୍ୱାରା ରଖାଯାଇଛି- ଶିଶୁ ଜନ୍ମ, ଟିକାକରଣ, କୈଶୋରାବସ୍ଥା ପୋଷକ ଖାଦ୍ୟ, ଗର୍ଭନିରୋଧ, ଯକ୍ଷ୍ମା ଏବଂ ଆହୁରି ଅନେକ ବିଷୟରେ ରେକର୍ଡ ରଖାଯାଇଛି। ମହାରାଷ୍ଟ୍ରର ସାଙ୍ଗ୍ଲି ଜିଲ୍ଲାର ମିରାଜ୍ ତାଲୁକାର ଅରଗ୍ ଗାଁର ଲୋକମାନଙ୍କ ପାଇଁ ଉମା ୨୦୦୯ ମସିହାରୁ ଏହି ମୋଟା ମୋଟା ଖାତା ସାଇତି ରଖିଛନ୍ତି। ସେ ସ୍ୱାସ୍ଥ୍ୟ ପ୍ରସଙ୍ଗ ନେଇ ତାଙ୍କ ଗାଁର ଲୋକମାନଙ୍କୁ ସୂଚିତ କରାଇବା ସହ ମାର୍ଗଦର୍ଶନ ମଧ୍ୟ କରାଇବାକୁ ଚେଷ୍ଟା କରୁଛନ୍ତି।
୪୫ବର୍ଷୀୟ ଉମାଙ୍କ ପରି ସମୁଦାୟ ଗ୍ରାମୀଣ ମହାରାଷ୍ଟ୍ରରେ ୫୫,୦୦୦ ଆଶାକର୍ମୀ ସେମାନଙ୍କ ଗ୍ରାମମାନଙ୍କରେ ମୌଳିକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଇବା ପାଇଁ ପ୍ରତିଦିନ ଦୀର୍ଘ ଘଣ୍ଟା ବ୍ୟୟ କରନ୍ତି। ୨୦୦୫ ମସିହାରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ(ଏନ୍ଆର୍ଏଚ୍ଏମ୍)ର ଅଂଶ ଭାବରେ ଏହି କର୍ମବାହିନୀ ସୃଷ୍ଟି କରାଯାଇଥିଲା। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀମାନେ ୨୩ ଦିନର ତାଲିମ ପରେ ନିଯୁକ୍ତି ପାଆନ୍ତି। ଏମାନେ ସମସ୍ତେ ମହିଳା। ଏନ୍ଆର୍ଏଚ୍ଏମ୍ର ନୀତି ଅନୁଯାୟୀ ଆଦିବାସୀ ଗ୍ରାମଗୁଡ଼ିକରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଆଶା କର୍ମୀ (ଅତି କମ୍ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା) ଏବଂ ଅଣ ଆଦିବାସୀ ଗ୍ରାମମାନଙ୍କରେ ୧୫୦୦ ଜନସଂଖ୍ୟା ପାଇଁ ଜଣେ ଆଶା କର୍ମୀ (ଅତି କମ୍ରେ ୧୦ମ ଶ୍ରେଣୀ ପାସ୍ କରିଥିବା) ନିଯୁକ୍ତ ହୁଅନ୍ତି।
ଅରଗ୍ ଏକ ବଡ଼ ଗ୍ରାମ, ଜନସଂଖ୍ୟା ପ୍ରାୟ ୧୫,୬୦୦। ଏଠାରେ ଉମାଙ୍କ ସହ ଅନ୍ୟ ୧୫ଜଣ ଆଶା କର୍ମୀ ସକାଳ ୧୦ଟାରୁ ଘୁରି ବୁଲନ୍ତି। ମିରାଜ୍ ତାଲୁକାର ବେଦାଗ, ଲିଙ୍ଗନୁର୍, ଖତାବ, ସିନ୍ଦେୱାଡ଼ି ଏବଂ ଲକ୍ଷ୍ମୀୱାଡ଼ି ଗ୍ରାମଗୁଡ଼ିକ ପାଇଁ ଅରଗ୍ ମୁଖ୍ୟ ପିଏଚ୍ସି (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)-ଏଠାରେ ପ୍ରାୟ ୪୭୦୦୦ ଜନସଂଖ୍ୟା ପାଇଁ ୪୧ଜଣ ଆଶାକର୍ମୀ ଅଛନ୍ତି। ପ୍ରତ୍ୟେକ ଆଶା କର୍ମୀ ସମୟ ମଧ୍ୟରେ ସେମାନଙ୍କୁ ଆବଣ୍ଟିତ ହୋଇଥିବା ସମସ୍ତ ଘରକୁ ଯାଆନ୍ତି। ସେମାନଙ୍କ କର୍ମନିର୍ଘଣ୍ଟ ଦିନକୁ ୫ଘଣ୍ଟା ହୋଇଥିଲେ ବି ସେମାନେ ଏହାଠାରୁ ଅଧିକ ସମୟ କାମ କରନ୍ତି। ଉମା କୁହନ୍ତି, ‘‘ଯଦି ଘରଗୁଡ଼ିକ ଗାଁ ଭିତରେ ହୋଇଥାଏ, ତେବେ ୨ଘଣ୍ଟାରେ ୧୦-୧୫ଟି ଘରକୁ ଯାଇହୁଏ। କିନ୍ତୁ କେତେଜଣ ଗାଁ ବାହାରେ କିମ୍ବା ଚାଷ ଜମିରେ ରୁହନ୍ତି, ତେଣୁ ଏହା ବେଳେବେଳେ ୪ଟି ଘରକୁ ଯିବା ପାଇଁ ୫ଘଣ୍ଟାରୁ ଅଧିକ ସମୟ ନେଇଯାଏ ଏବଂ ଆମକୁ କେଇ କିଲୋମିଟର ପର୍ଯ୍ୟନ୍ତ କାଦୁଅ ରାସ୍ତା, ଗଛ ବୁଦା ଏବଂ ଜମି ଦେଇ ଚାଲିକରି ଯିବାକୁ ହୁଏ। ମୌସୁମୀ ଋତୁରେ ଏହା ଆହୁରି କଦର୍ଯ୍ୟ ହୋଇଯାଏ।














