ଘୁଷୁରିମାନଙ୍କୁ ଘଉଡ଼ାଇବାରେ ଯଶୋଦାବାଇ ଜୋରୱରଙ୍କର ସନ୍ଧ୍ୟା ସମୟ ଅତିବାହିତ ହୋଇଥାଏ। ସେ କହନ୍ତି, “ଘୁଷୁରିମାନେ ଚାଷଜମି ଭିତରକୁ ପଶି ଆସି ଦୌଡ଼ିଥାନ୍ତି। ଏହି ଜମି ଆମର ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ। କିନ୍ତୁ ନିଜକୁ ବ୍ୟସ୍ତ ରଖିବା ପାଇଁ ମୋତେ କିଛି କରିବାକୁ ପଡ଼ିବ।”
୭୦ରୁ ଅଧିକ ବର୍ଷରେ ଉପନୀତ ଜୋରୱର ମହାରାଷ୍ଟ୍ରର ବିଡ୍ ଜିଳ୍ଲାର ହଟକରୱାଡ଼ି ଗାଁରେ ଥିବା ନିଜ ଘରେ ଗତ କିଛି ମାସ ହେଲା ଏକୁଟିଆ ରହୁଛନ୍ତି। ସେ କହନ୍ତି, “ମୋର ଦୁଇ ପୁଅ ଏବଂ ସେମାନଙ୍କର ପତ୍ନୀ ବାରମତୀ (ପ୍ରାୟ ୧୫୦ କିମି ଦୂର ପଶ୍ଚିମ ମହାରାଷ୍ଟ୍ର)ରେ ସେମାନଙ୍କର ପାଞ୍ଚ ଜଣ ପିଲାଙ୍କ ସହିତ ରହୁଛନ୍ତି। ସେମାନେ ଆଖୁ କାଟିବା ପାଇଁ ଅକ୍ଟୋବର ମାସର ଶେଷରେ ଯାଇଛନ୍ତି ଏବଂ ମାର୍ଚ୍ଚ ଶେଷ ସୁଦ୍ଧା ପଳାଇ ଆସିବେ।”
ପ୍ରତିବର୍ଷ ମରାଠାୱାଡ଼ା ବିଶେଷ କରି ବିଡ୍ ଜିଲ୍ଲାର ଚାଷୀମାନେ ଋତୁ ଅନୁସାରେ ଆଖୁକ୍ଷେତରେ ଶ୍ରମିକ ଭାବେ କାମ କରିବାକୁ ପଳାଇ ଯାଆନ୍ତି। କାରଣ ଚାଷରୁ ରୋଜଗାର ହେଉଥିବା ଟଙ୍କା ଘରଖର୍ଚ୍ଚ ତୁଲାଇବାକୁ ଯଥେଷ୍ଟ ହୁଏନାହିଁ। ଶ୍ରମିକ ଭାବେ କାମ କଲେ ଏକ ଦମ୍ପତ୍ତି ଆଖୁ କାଟିବା ପାଇଁ ଟନ୍ ପିଛା ୨୨୮ ଟଙ୍କା ବା ପାଞ୍ଚ ମାସରେ ୬୦,୦୦୦ ଟଙ୍କା ପାଇଥାନ୍ତି।। ପ୍ରତିବର୍ଷ ଅନେକଗୁଡ଼ିଏ ପରିବାର ପାଇଁ ଏହାହିଁ ରୋଜଗାରର ନିର୍ଦ୍ଧିଷ୍ଟ ସ୍ରୋତ।
ଚଷମା ପିନ୍ଧିଥିବା ଜୋରୱର କହନ୍ତି, ‘ ଆମର ଦୁଇ ଏକର ଜମିରୁ ବର୍ଷକୁ ୧୦,୦୦୦ ଟଙ୍କା ବି ମିଳେନାହିଁ। ଏପରିକି କୃଷିଋତୁ ସମୟରେ ମଧ୍ୟ ଆମେ ଶ୍ରମିକ ଭାବେ କାମ କରିବା ଉପରେ ନିର୍ଭର କରୁ। ’ ଏହି ପାହାଡ଼ିଆ ଅଞ୍ଚଳରେ ପାଣି ମଧ୍ୟ ସହଜରେ ମିଳେନାହିଁ। ବର୍ଷର ଯେଉଁ ୬-୭ ମାସ ତାଙ୍କର ପୁଅ ଏବଂ ପରିବାର ଲୋକେ ହଟକରୱାଡ଼ିରେ ରହିଥାନ୍ତି ସେମାନେ ଘରେ ଖାଇବା ପାଇଁ ଯଅ, ବାଜରା, ଚଣାଡାଲି ପ୍ରଭୃତି ଚାଷ କରନ୍ତି। ଏକୁଟିଆ ଥିବାବେଳେ ଜୋରୱର ସେହି ଖାଦ୍ୟ ଉପରେ ନିର୍ଭର କରନ୍ତି।








