ବିଜ୍ଞାନ ଶବ୍ଦରେ ବିଦ୍ୟାପତିଙ୍କ ରୋଗର ନାଁ ଭିସେରାଲ ଲେସମାନିଆସିସ୍ (ଭିଏଲ)। ଏହା ଏକ ଭୂତାଣୁ ଜନିତ ରୋଗ ଯାହା ଧୂଳିମାଛି କାମୁଡିବା ଦ୍ୱାରା ହୋଇଥାଏ। ଧୂଳିମାଛିର ଆକାର ଗୋଟିଏ ମଶାର ଏକ ତୃତୀୟାଂଶ। ଘରର ଅସ୍ୱାସ୍ଥ୍ୟକର ପରିବେଶ, ସନ୍ତସନ୍ତିଆ, ଥଣ୍ଡା ଜଳବାୟୁ ଏବଂ ଅନାବନା ଗଛ ଥିବା ପରିବେଶରେ ଏହାର ବଂଶବୃଦ୍ଧି ହୋଇଥାଏ। ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଅସ୍ଥିମଜ୍ଜା, ପ୍ଳୀହା ଏବଂ ଯକୃତ ଉପରେ ପ୍ରଭାବ ପକାଇଥାଏ। କିଛି ମାସ ବା କିଛି ବର୍ଷ ପରେ ଚର୍ମ ଉପରେ ଘା ଆକାରରେ ଏହାର ପରିପ୍ରକାଶ ହୋଇଥାଏ। ଏକ ବିଶ୍ୱ ସ୍ତରୀରେ ସଂଗଠନ ଡ୍ରଗ୍ସ୍ ଫର ନେଗଲେକ୍ଟେଡ୍ ଡିଜିଜ୍ ଇନିସିଏଟିଭ୍ (ଡିଏନଡିଆଇ) ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଏସିଆରେ ଭିଏଲ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ରୁ ୧୦ ପ୍ରତିଶତଙ୍କ ଦେହରେ ଏଭଳି ଘା ହୋଇଥାଏ।
ବିଶ୍ୱବ୍ୟାପୀ ମାନବୀୟ କାର୍ଯ୍ୟ କରୁଥିବା ଏନଜିଓର ଡାକ୍ତରମାନେ କହନ୍ତି, “କାଲା-ଆଜର ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ହତ୍ୟାକାରୀ ... କେବଳ ମ୍ୟାଲେରିଆ ଏହାଠାରୁ ଅଧିକ ଘାତକ।’’ ଯଦିଓ କିଛି ଦଶନ୍ଧି ଧରି ଏହା ହ୍ରାସ ପାଇଛି, ତେବେ ଏହାର ‘ମୂଳୋତ୍ପାଟନ’ ଦିଗରେ ଦେଶର ଅନେକ ଡେଡଲାଇନ - ୨୦୧୦, ୨୦୧୫ ଏବଂ ୨୦୧୭ ‘ଫେଲମାରିଛି’ ।
ଅଧିକାଂଶ ସମୟରେ ଚିକିତ୍ସା କରାନଗଲେ ଭିଏଲ ଘାତକ ହୋଇଥାଏ। ଚର୍ମ ଉପରେ ଏହାର ପ୍ରଭାବ (ପୋଷ୍ଟ କଲା-ଆଜର ଡର୍ମାଲ ଲେସମାନିଆସିସ୍, ବା ପିକେଡିଏଲ୍) ମୃତ୍ୟୁର କାରଣ ନହୋଇ ଚେହେରାକୁ ସାଂଘାତିକ ଭାବେ ବିକୃତ କରିଦିଏ। ପରିଣାମସ୍ୱରୂପ ଏହା ମଣିଷକୁ କଳଙ୍କ, ଲଜ୍ଜା ଏବଂ ନିସଙ୍ଗତା ଦେଇଥାଏ - ଯାହା ବିଦ୍ୟାପତିଙ୍କ କ୍ଷେତ୍ରରେ ହୋଇଛି।
ଶରନ ସ୍ଥିତ ତାଙ୍କ ବାପ ଘରେ ରହୁଥିବା ବିଦ୍ୟାପତି କହିଲେ, ‘‘ପ୍ରଥମେ ମୋ ମୁହଁ କଳା ପଡ଼ିଗଲା, ତା ପରେ ଓଠ ତଳ, ଏବଂ ପରେ ବେକ। ’’ - ଏ ହେଉଛି ବିହାରର ସବୁଠୁ ଅଧିକ କାଲା-ଆଜର ଚିହ୍ନଟ ହୋଇଥିବା ଜିଲ୍ଲା।
ତାଙ୍କ ସ୍ୱାମୀ ରାଜୁ ଭଗତ ଜଣେ ରାଜମିସ୍ତ୍ରୀ। ସେ ବର୍ଷରେ କିଛି ସମୟ କାମ ପାଇଁ ବେଙ୍ଗଲୁରୁ ଯାଆନ୍ତି। ତାଙ୍କ ବାପା ମାଆ ପ୍ରବର୍ତ୍ତାଇବା ପରେ ବି ସେ ତାଙ୍କୁ ଛାଡିବେନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ନା ତାଙ୍କୁ ବେଙ୍ଗାଲୁରୁ ନେଉଛନ୍ତି ନା ବିହାର ସ୍ଥିତ ତାଙ୍କ ନିଜ ଘରକୁ। ତାର କାରଣ ଦର୍ଶାନ୍ତି ଯେ, ‘‘ଏଠି ତମର ଦେଖାଶୁଣା କିଏ କରିବ ? ବରଂ ସୁସ୍ଥ ହେବା ପର୍ଯ୍ୟନ୍ତ ମା’ଙ୍କ ପାଖରେ ରହିଥାଅ।’’ ତଥାପି ସେ ସବୁବେଳେ ଫୁରୁସତ ପାଇଲେ ଆସନ୍ତି। ଆଉ ତାଙ୍କ ସହ ମିଶିବାକୁ କୁହନ୍ତି। ଏହାର ପରିଣାମ ସ୍ୱରୂପ ସେ ଦୁଇଥର ଗର୍ଭବତୀ ହୋଇଛନ୍ତି। ପ୍ରଥମେ ମୃତ ପୁତ୍ର ସନ୍ତାନଟିଏ ଜନ୍ମ କରିଥିଲେ। ଦ୍ୱିତୀୟ ଥର ସେ ଝିଅଟିଏ ଜନ୍ମ ଦେଇଥିଲେ। କିନ୍ତୁ ସେ ମାତ୍ର କେଇଘଣ୍ଟା ବଞ୍ଚିଥିଲା। ବିଦ୍ୟାପତି ରୋଗ ପାଇଁ ଯେଉଁ ଚିକିତ୍ସା ଗ୍ରହଣ କରୁଥିଲେ ଏହା ତାର ପ୍ରତିକ୍ରିୟା ଯୋଗୁଁ ହୋଇଥାଇପାରେ।