ତପନ ମଣ୍ଡଳଙ୍କୁ ଅନେକ ଆନ୍ନା ବୋଲି ଡାକନ୍ତି, କାରଣ, କିଛି ଲୋକ କୁହନ୍ତି ଯେ ଚଳଚ୍ଚିତ୍ର ତାରକା ରଜନୀକାନ୍ତଙ୍କ ସହିତ ସାମଞ୍ଜସ୍ୟ ରହିଛି (ଯାହାକୁ ବଡ ଭାଇ ବୋଲି ସମ୍ବୋଧନ କରିବା ପାଇଁ ଲୋକମାନେ ଜନପ୍ରିୟ ଭାବେ ଏହି ଶବ୍ଦର ବ୍ୟବହାର କରନ୍ତି) । କିନ୍ତୁ ମଣ୍ଡଳ ଭିନ୍ନ ଶୈଳୀର ମୂର୍ତ୍ତି ନିର୍ମାଣ କରି ଭଦୋଦରାରେ ଲୋକପ୍ରିୟ ହୋଇ ପାରିଛନ୍ତି – ଏପରିକି ସେ ହେଉଛନ୍ତି ଏକମାତ୍ର ମୂର୍ତ୍ତିକାର ଯିଏକି ସାଧାରଣତଃ ମୂର୍ତ୍ତି ନର୍ମାଣ କରିବା ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ବଦଳରେ ମାଟି ବ୍ୟବହାର କରି ୫-୯ ଫୁଟ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରି କରିପାରନ୍ତି ।
ଓ ସେ ଯେତେବେଳେ ଗଣେଶ ଓ ଅନ୍ୟ ଦେବାଦେବୀମାନଙ୍କ ମୂର୍ତ୍ତି ନିର୍ମାଣ କରନ୍ତି, ସେତେବେଳେ ପଶ୍ଚିମବଙ୍ଗର ମୂର୍ତ୍ତି ନିର୍ମାଣ କୌଶଳକୁ ମଧ୍ୟ ମିଶେଇଥାନ୍ତି । “ମାଟିର ମୂର୍ତ୍ତିଗୁଡିକ ହେଉଛି କୁମାର୍ତୁଲିର ମୋହର ଯାହା ମୁଁ ଏଠାରେ କିଣିଛି – ବଙ୍ଗଳାଠାରୁ ୨,୦୦୦ କିଲୋମିଟର୍ ଦୂରରେ, ବୋଲି ସେ କୁହନ୍ତି ।
ତପନଙ୍କ କର୍ମଶାଳା – ସହରର ୩୦ଟି କର୍ମଶାଳା ମଧ୍ୟରୁ ଗୋଟିଏ – ଯାହାର ନାମ ରାମ କୃଷ୍ଣ ପ୍ରତିମାଳୟ, ତାହା କେନ୍ଦ୍ରୀୟ ଭଦୋଦାରର ପଞ୍ଚବଟି ଅଞ୍ଚଳରେ ଅବସ୍ଥିତ । ଏଠାରେ, ଏକ ଗଡାଣିଆ ଆଜ୍ବେଷ୍ଟସ୍ର ଛାତ ତଳେ ଏକ ସଂକୀର୍ଣ୍ଣ ପଥରେ ଥାକକରି ଛାଞ୍ଚ, ରଙ୍ଗ, ମାଟି ଓ ଆବଶ୍ୟକ ଉପକରଣ ସବୁ ରଖାଯାଇଛି । ସବୁଠାରୁ ଅଧିକ ବ୍ୟବସାୟ ହେଉଥିବା ସମୟରେ ରାସ୍ତାର ଆରପାଖରେ ବାଉଁଶ ସହାୟତାରେ ଏକ ସଂପ୍ରସାରିତ ପ୍ଲାଷ୍ଟିକ୍ ଛାତ ନିର୍ମାଣ କରାଯାଏ, ଯେଉଁଠାରେ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିମାନ ଗଢାଯାଏ ।
ବର୍ଷସାରା କର୍ମଶାଳାରେ କାମ ଚାଲିଥାଏ – ଋତୁ ଓ ଚାହିଦା ମୁତାବକ ଗଣେଶ, ଦୁର୍ଗା, ବିଶ୍ୱକର୍ମା, ସରସ୍ୱତୀ ଓ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କାମ ଚାଲିଥାଏ । ପ୍ରତିବର୍ଷ, ତପନ ଓ ତାଙ୍କର ସାଥି-କର୍ମଚାରୀମାନେ ମିଳିତଭାବେ ୫-୯ ଫୁଟ୍ ଉଚ୍ଚର ୧୦ଟି ଗଣେଶ ମୂର୍ତ୍ତି ନିର୍ମାଣ କରିଥାନ୍ତି, ଯାହାର ସଂଖ୍ୟା ଅଗ୍ରୀମ ଭାବେ ଗ୍ରହଣ କରାଯାଇଥିବା ଅର୍ଡର ଉପରେ ନିର୍ଭର କରିଥାଏ – ପ୍ରତ୍ୟେକର ମୂଲ୍ୟ ୨୦,୦୦୦ ଟଙ୍କା ଠାରୁ ୧,୦୦,୦୦୦ ଟଙ୍କା ମଧ୍ୟରେ ହୋଇଥାଏ ବୋଲି ସେ କୁହନ୍ତି । ସେମାନେ ୨୦-୩୦ଟି ୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଓ ୪୦-୫୦ ଛୋଟ ଆକାରର ମୂର୍ତ୍ତି ମଧ୍ୟ ନିର୍ମାଣ କରିଥାନ୍ତି – ସେଗୁଡିକର ମୂଲ୍ୟ ୨,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ହୋଇଥାଏ ।











