୬୦ବର୍ଷ ବୟସ୍କା କେବଲବାଈ ରାଠୋଡ ଗୋଟିଏ ଭାରି ହ୍ୟାଣ୍ଡପମ୍ପ ଚଳାଉଛନ୍ତି । ପ୍ରତ୍ୟେକ ଥର ବଳ ଦେଇ ଟାଣିବା ସମୟରେ ସେ ଗୋଟିଏ ହୁଙ୍କାର ଦିଅନ୍ତି। ତାଙ୍କ ବାହୁର ଶିରାଗୁଡ଼ିକ ବାହାରକୁ ଟାଣି ହୋଇଯାଏ, ଚେହେରାର କୁଞ୍ଚନ ଅଧିକ ଗାଢ ହୋଇଯାଏ। ତାଙ୍କର ଏତେସବୁ ଉଦ୍ୟମ ସତ୍ତ୍ୱେ ପାଣି କଦବା କ୍ୱଚିତ ମାଠିଆରେ ପଡ଼େ । ଅନେକ ଗ୍ରାମବାସୀ ସେମାନଙ୍କ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି ଏବଂ ପମ୍ପରୁ ଯେ କୌଣସି ସମୟରେ ପାଣି ସରିଯାଇପାରେ।
ଗୋଟିଏ ଘଣ୍ଟା ପରେ ପ୍ରାୟ ଅପରାହ୍ନ ୫ଟା ବେଳକୁ କେବଲବାଈ ମାତ୍ର ଦୁଇଟି ପାତ୍ରରେ ପାଣି ଭରିବାକୁ ସମର୍ଥ ହୋଇଥାନ୍ତି। ତାଙ୍କ ସ୍ୱାମୀ ୬୫ବର୍ଷ ବୟସ୍କ ରାମୁ ପାଖରେ ଥିବା ଗୋଟିଏ ପଥର ଉପରେ ବସି ଆକାଶକୁ ଚାହିଁଥାନ୍ତି। କେବଲବାଈ ମରାଠୀରେ କୁହନ୍ତି ‘‘ଜଲା ରେ (ଏହା ହୋଇଗଲା)’’ ଏବଂ ରାମୁ ଉଠି ଛିଡ଼ା ହୁଅନ୍ତି କିନ୍ତୁ ଆଗକୁ ବଢ଼ନ୍ତିନି। କେବଲବାଈ ଗୋଟିଏ ହାଣ୍ଡି ଉଠାନ୍ତି ଏବଂ ତାଙ୍କ ପାଖକୁ ଆସି ତାହା ଦିଅନ୍ତି। ସେ ଏହାକୁ ନିରାପଦରେ ନିଜ କାନ୍ଧ ଉପରେ ରଖନ୍ତି, କେବଲବାଈ ଅନ୍ୟଟିକୁ ଧରନ୍ତି। ଏହା ପରେ ସେ ରାମୁଙ୍କ ହାତ ନେଇ ନିଜ କାନ୍ଧ ଉପରେ ରଖନ୍ତି ଏବଂ ଦୁହେଁ ସେମାନଙ୍କ ଘର ଆଡ଼କୁ ଚାଲିବା ଆରମ୍ଭ କରନ୍ତି। ମୋର ବିସ୍ମିତ ହୋଇଯାଇଥିବା ମୁହଁକୁ ଅନାଇ କେବଲବାଈ ବୁଝାଇ କୁହନ୍ତି, ‘‘ସେ ଦୃଷ୍ଟିହୀନ’’।







