“ଫେଙ୍କ ଦେବେ, ଖାଦାନ ମେ ଗାଡ୍‌ ଦେବେ [ଆମେ ତୁମମାନଙ୍କୁ ଫିଙ୍ଗି ଦେବୁ, ତୁମମାନଙ୍କୁ ବାଲି ଖଣିରେ ପୋତି ଦେବୁ]” ।

ଏହିପରି କିଛି ଜଣେ ଖଣି ଠିକାଦାର ଖପ୍ତିହା କଲାନ୍‌ ଗ୍ରାମ ନିବାସୀ ମଥୁରିୟା ଦେବୀଙ୍କୁ କହିଥିଲେ । ସେ ତାଙ୍କ ସହିତ କ୍ରୋଧପୂର୍ଣ୍ଣ ବ୍ୟବହାର କରୁଥିଲେ, ବୋଲି ସେ ଓ ବୁନ୍ଦେଲଖଣ୍ଡର ଅନ୍ୟତମ ପ୍ରମୁଖ ନଦୀ – କେନ୍‌ର ପ୍ରଭୂତ କ୍ଷତି ସାଧନ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଏକତ୍ରିତ ହୋଇଥିବା ଅନ୍ୟ ୨୦ ଜଣ କୃଷକ କୁହନ୍ତି ।

ସେ ଦିନ, ଗ୍ରାମବାସୀ ଦ୍ୱିପହର ସମୟରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଠିଆ ହୋଇ ରହିଥିଲେ, କେନ୍‌ରେ ହୋଇଥିବା ଜଳ  ସତ୍ୟାଗ୍ରହରେ । ନଦୀଟି ମଧ୍ୟ ପ୍ରଦେଶର ଜବଲପୁରରୁ ବାହାରିଛି ଓ ଏମ୍‌ପି ଓ ଉତ୍ତର ପ୍ରଦେଶ ଦେଇ ୪୫୦ କିଲୋମିଟର ପ୍ରବାହିତ ହେବା ପରେ ବାନ୍ଦା ଜିଲ୍ଲାର ଚିଲ୍ଲା ଗ୍ରାମଠାରେ ଯମୁନା ସହିତ ମିଶିଛି । ମଥୁରିୟା ଦେବୀଙ୍କ ଗ୍ରାମ – ଯେଉଁଠାରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି – ଏହି ଜିଲ୍ଲାର ତିଣ୍ଡୱାରି ଗ୍ରାମରେ ଅବସ୍ଥିତ ।

ହେଲେ, ଅଳ୍ପ କେତେକ ଗ୍ରାମ ଦେଇ ପ୍ରବାହିତ ହେଉଥିବା କେନ୍‌ର ଧାର ଏଠାରେ କ୍ରମଶଃ ଶୁଖିବାରେ ଲାଗିଛି-  କିଛି ସ୍ଥାନୀୟ ଲୋକ ଏହାର ଉଭୟ କୂଳରେ ଖାଦାନ କରୁଛନ୍ତି । ଏହି ମାଫିଆମାନେ ଦୁଇଟି ବାଲି ଖନନ କମ୍ପାନି ଆନୁକୂଲ୍ୟରେ କାମ କରୁଥିବା କୃଷକମାନେ ଅଭିଯୋଗ କରିଛନ୍ତି । ଏହି ଖନନ ଅନୈତିକ ଅଟେ ବୋଲି ୬୩ ବର୍ଷ ବୟସ୍କ ମଥୁରିୟା ଦେବୀ କୁହନ୍ତି  – ଯାହାର କେନ୍‌ ପାଖରେ ୧ବିଘା  ବା ପାଖାପାଖି ଅଧା ଏକର୍‌ ଜମି ଅଛି । ଏହା ସେମାନଙ୍କ ଚାଷ ଜମି ଓ ଜୀବିକା ବିପନ୍ନ କରୁଥିବା ମଧ୍ୟ ସେ କୁହନ୍ତି ।

“ସେମାନେ ଆମ ଭୂମିରେ ଅତ୍ୟଧିକ ଗଭୀରତା ପର୍ଯ୍ୟନ୍ତ ଖୋଳୁଛନ୍ତି – ପ୍ରାୟ ୧୦୦ଫୁଟ୍‌ ଗଭୀରତା ପର୍ଯ୍ୟନ୍ତ – ବୁଲ୍‌ଡୋଜର୍ସ ବ୍ୟବହାର କରି,” ବୋଲି ସେ କୁହନ୍ତି । ଜୁନ୍‌ ୨ରେ ସେ ମୋ ସହିତ ନଦୀ ପାଖରେ କଥା ହେଉଥିବା ବେଳେ ଦୁଇ ଜଣ ଯୁବକ, ଯେଉଁମାନଙ୍କୁ ସେ ଜାଣନ୍ତି ନାହିଁ,  ତାଙ୍କର ଭିଡିଓ ସୁଟିଂ କରୁଥିଲେ । “ସେମାନେ ଆମର ଗଛଗୁଡିକୁ ମାରି ସାରିଲେଣି, ଆଉ ବର୍ତ୍ତମାନ ସେମାନେ ଆମର ନଦୀକୁ ମାରିଦେବାକୁ ବସିଛନ୍ତି, ଏକଦା ଆମେ ଯେଉଁଥିରୁ ଆମ ବ୍ୟବହାର ପାଇଁ ପାଣି ଆଣୁଥିଲୁ । ଆମେ ପୋଲିସ୍‌ ପାଖକୁ ମଧ୍ୟ ଯାଇଥିଲୁ, ହେଲେ କେହି ମଧ୍ୟ ଆମ କଥା ଶୁଣିଲେ ନାହିଁ । ଆମକୁ ଭୟ ଲାଗୁଛି…’’

ଖାଦାନ ପ୍ରକ୍ରିୟା ବିରୋଧରେ ଚାଲିଥିବା ଏହି ପ୍ରତିରୋଧରେ ମଥୁରିୟା ଓ କ୍ଷୁଦ୍ର ଠାକୁର କୃଷକ ଯେପରିକି ସୁମନ ସିଂ ଗୌତମ ନାମକ ଜଣେ ୩୮ ବର୍ଷୀୟ ବିଧବାଙ୍କ ମଧ୍ୟରେ ସାଧାରଣତଃ ଅସମ୍ଭବ ମନେ ହେଉଥିବା ବନ୍ଧୁତ୍ୱ ସ୍ଥାପନ ହୋଇପାରିଛି । ଖନକମାନେ ତାଙ୍କର ଏକ ଏକର ଜମିର ଗୋଟିଏ ଅଂଶରୁ ବାଲି ବାହାର କରିଛନ୍ତି। “ଏପରିକି ସେମାନଙ୍କୁ ଭୟଭୀତ କରିବା ପାଇଁ ପବନରେ ଗୁଳି ମଧ୍ୟ ଫୁଟାଇଥିଲେ,’’ ବୋଲି ସେ କୁହନ୍ତି ।

ଖପ୍ତିହା କଲାନ୍‌ ଗ୍ରାମର କୃଷକମାନେ ମୂଖ୍ୟତଃ ଗହମ, ମୁଗ, ସୋରିଷ ଓ ଡାଲି ଉତ୍ପାଦନ  କରନ୍ତି । “ମୋର ନିଜସ୍ୱ ୧୫  ବିଶ୍ୱା  ଜମିରେ ମୁଁ ସୋର୍‌ସୋଁ [ ସୋରିଷ] ଫସଲ କରିଥିଲି, ହେଲେ ମାର୍ଚ୍ଚରେ ସେମାନେ ସେ ସବୁକୁ ଖୋଳି ଦେଲେ,” ବୋଲି ସୁମନ କୁହନ୍ତି ।

PHOTO • Jigyasa Mishra

ଜୁନ୍ ୧ ରେ ବାନ୍ଦା ଜିଲ୍ଲାର କେନ୍ ନଦୀରେ ଏହି ଜଳ ସତ୍ୟଗ୍ରହ, ଗ୍ରାମବାସୀଙ୍କ ପାଇଁ ବହୁ କ୍ଷତି ଘଟାଇଥିବା ଅଞ୍ଚଳରେ ବାଲି ଖନନକୁ ବିରୋଧ କରିଥିଲେ। ନଦୀ କିଭଳି ଭାବେ କ୍ରମଶଃ ଶୁଖିବାରେ ଲାଗିଛି ଓ ବର୍ଷା ଦିନରେ ଯେତେବେଳେ ଖନନ ପ୍ରକ୍ରିୟାରେ ବାହାରିଥିବା କାଦୁଅର ଗଦାରୁ କାଦୁଅ ଭାସି ଆସେ, ସେହି କାଦୁଅ ପାଣିରେ ଗାଇଗୋରୁ ଫସିବା ସହିତ  ବୁଡି ଯାଆନ୍ତି ମଧ୍ୟ ବୋଲି ମହିଳାମାନେ କହିଲେ ।

ସମୟକ୍ରମେ ସେମାନେ ସେମାନଙ୍କ ଫସଲର କିଭଳି ସୁରକ୍ଷା କରିବେ ତାହା ଶିଖି ପାରିଛନ୍ତି ବୋଲି ଗ୍ରାମବାସୀମାନେ କୁହନ୍ତି । “ବେଳେବେଳେ, ଆମେ ଅମଳ ସମୟ ପର୍ଯ୍ୟନ୍ତ ଆମ ଫସଲକୁ ସୁରକ୍ଷିତ ରଖିବାରେ ସମର୍ଥ ହୋଇଥାଉ,” ବୋଲି ମଥୁରିଆ ଦେବୀ କୁହନ୍ତି, “ଆଉ କେତେକ ଅଶୁଭ ବର୍ଷଗୁଡିକରେ ଖାଦାନ ପ୍ରକ୍ରିୟା ଯୋଗୁଁ ଆମକୁ ଆମର ଫସଲ ହରାଇବାକୁ ପଡେ’’ । ଆରତି ସିଂ, ଏହି ଗ୍ରାମର ଅନ୍ୟ ଜଣେ କୃଷକ କୁହନ୍ତି ଯେ, “ଖନନ କାର୍ଯ୍ୟ ହେଉଥିବା ସେହି ଭୂମିରେ ହେଉଥିବା ଚାଷ ଉପରେ ନିର୍ଭର କରି ରହିଲେ ଚଳିବ ନାହିଁ । ଅନ୍ୟ ଅବସ୍ଥିତିରେ ଥିବା ଆମର ଅନ୍ୟ ଛୋଟ ଛୋଟ ପ୍ଲଟ୍‌ଗୁଡିକରେ ମଧ୍ୟ ଆମେ ଚାଷ କାମ କରି ଆସୁଛୁ’’।

୭୬ ବର୍ଷର ଶୀଲା ଦେବୀ ହେଉଛନ୍ତି ଏହି ଜଳ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିବା ସବୁଠାରୁ ବୟସ୍କ କୃଷକ । ଏକଦା ତାଙ୍କ ଜମିରେ ବବୁଲ ଗଛ ଭର୍ତ୍ତି ହୋଇ ରହିଥିଲା । “ଆମେ ସମସ୍ତେ ମିଶି ସେଗୁଡିକୁ ଲଗାଇଥିଲୁ, ମୁଁ ଓ ମୋର ପରିବାର । ଏବେ ଆଉ କିଛି ନାହିଁ,” ବୋଲି ସେ କୁହନ୍ତି । “ସେମାନେ ସବୁକିଛି ଖୋଳି ଦେଇଛନ୍ତି, ଆଉ ଆମେ ଯେତେବେଳେ ସେମାନଙ୍କ ବିରୋଧରେ ସ୍ୱର ଉଠାଇଲୁ ଓ ଆମର ନିଜ ଜମି ପାଇଁ ଅନୁକମ୍ପା ରାଶି ଦାବି କଲୁ, ସେତେବେଳେ ସେମାନେ ଆମକୁ ଏ ଭିତରେ ପୋତି ଦେବେ ବୋଲି ଧମକ ଦେଲେ’’ ।

କେନ୍‌ କୂଳରେ ବାଲି  ଖନନ ପ୍ରକ୍ରିୟା ହାର ୧୯୯୨ରେ ଆସିଥିବା ପ୍ରବଳ ବନ୍ୟା ପରେ ବୃଦ୍ଧି ପାଇବାକୁ ଲାଗିଲା । “ଯାହା ଫଳରେ ନଦୀ କୂଳରେ ମୋରମ୍‌ [ଏହି ଅଞ୍ଚଳରେ ମିଳୁଥିବା ଲାଲ୍‌ ବାଲି] ଜମିବାକୁ ଲାଗିଲା,” ବୋଲି ଆଶିଷ ଦିକ୍ଷିତ, ବାନ୍ଦାର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା କୁହନ୍ତି । ଗତ ଦଶନ୍ଧିରେ ଖାଦାନ ଗତିବିଧି ବୃଦ୍ଧି ପାଇଛି ବୋଲି ସେ କୁହନ୍ତି । “ମୁଁ ଫାଇଲ୍‌ କରିଥିବା ଆର୍‌ଟିଆଇ [ସୂଚନା ଅଧିକାର ଆବେଦନ] ମାଧ୍ୟମରେ ହସ୍ତଗତ ହୋଇଥିବା ସୂଚନା ମୁତାବକ ସେହି ସବୁ ମେସିନ୍‌ ଯାହା ମୁଁ ସେଠାରେ ବର୍ଷ ବର୍ଷ ଧରି ବ୍ୟବହାର କରାଯାଉଥିବା ଦେଖି ଆସିଛି ବର୍ତ୍ତମାନ ତାହାର ବ୍ୟବହାର ନିଷେଧ କରାଯାଇଛି । ଲୋକମାନେ ପୂର୍ବରୁ ମଧ୍ୟ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।’’

“ଅଧିକାଂଶ ବାଲି ଖନନ ପ୍ରକଳ୍ପଗୁଡିକ ଜିଲ୍ଲା ଖନନ ଯୋଜନା ଆଧାରରେ ଦିଆଯାଇଥାଏ । ହେଲେ, ବିଡମ୍ବନା ଏହା ଯେ ଏହି ଯୋଜନା ଗୁଡିକ ବିସ୍ତୃତ ଜଳଗ୍ରହ ଅଞ୍ଚଳରେ ଲାଭଜନକ ପ୍ରମାଣିତ ହୋଇପାରୁନାହିଁ,” ବୋଲି ଲକ୍ଷ୍ନୌ ସ୍ଥିତ ବାବାସାହେବ ଭିମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଭେଙ୍କଟେଶ ଦତ୍ତ କୁହନ୍ତି । "ଖଣି ଶ୍ରମିକମାନେ ସାଧାରଣତଃ ଚାନେଲ୍‌ ମାଇନିଂ ପ୍ରକ୍ରିୟାରେ କାମ କରିଥାନ୍ତି, ଯାହା ନଦୀକୂଳର ପ୍ରାକୃତିକ ନକ୍‌ସାକୁ ଧ୍ୱଂସ କରିଦିଏ । ସେମାନେ ଜଳଜାତ ଉଦ୍ଭିଦ, ପ୍ରାଣୀମାନଙ୍କ ପ୍ରାକୃତିକ ଆବାସକୁ ନଷ୍ଟ କରିଦେଉଛନ୍ତି । ପରିବେଶ ଉପରେ ପଡୁଥିବା ପ୍ରଭାବର ଆକଳନ ଦୀର୍ଘ ସମୟ ଧରି ଚାଲୁଥିବା ଖନନ କାର୍ଯ୍ୟର କ୍ରମ ବର୍ଦ୍ଧିଷ୍ଣୁ ପ୍ରଭାବ କଥା ବିଚାରକୁ ନିଏନାହିଁ । ଯମୁନାରେ ହୋଇଥିବା ଏପରି ଅନେକ ଖନନ ପ୍ରକଳ୍ପ ବିଷୟରେ ମୁଁ ଜାଣିଛି ଯାହା ଏହି ନଦୀର ଗତିପଥ ବଦଳାଇ ଦେଇଛି’’ ।

ଜୁନ୍‌ ୧ର ଜଳ ସତ୍ୟାଗ୍ରହ ପରେ, ବାନ୍ଦାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌, ସନ୍ତୋଷ କୁମାର ଓ ସବ୍‌-ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ ରାମ କୁମାର ଖନନ ସ୍ଥଳକୁ ଆସିଥିଲେ । ଏସ୍‌ଡିଏମ୍‌ ପରେ ମତେ ଫୋନ୍‌ରେ କହିଲେ ଯେ  “ଯେଉଁମାନଙ୍କ ବିନା ସହମତିରେ ଜମି ଖୋଳା ଯାଇଛି ସେମାନେ ଅନୁକମ୍ପା ରାଶି ପାଇବା ପାଇଁ ଯୋଗ୍ୟ ଅଟନ୍ତି । ହେଲେ, ଯଦି ସେମାନେ ପଇସା ପାଇଁ ସେମାନଙ୍କ ଜମି ବିକ୍ରି କରିଦେଇଥିବେ, ତାହାହେଲେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଏହି ବିଷୟର ସରକାରୀ ତଦନ୍ତ ଆରମ୍ଭ ହୋଇଛି” । ଖଣି ଓ ଖଣିଜ ଆକ୍ଟ, ୧୯୫୭, (୨୦୦୯ରେ ସଂଶୋଧିତ) ଅଧିନରେ ଅନୁକମ୍ପା ରାଶି ବିଷୟରେ ଉଲ୍ଲେଖ କରାଯାଇଛି ।

“ଚଳିତ ବର୍ଷ ଆରମ୍ଭରେ, ଏହି ଗ୍ରାମ ସଭା ଭୂମିରେ ଜନୈକ କମ୍ପାନି ଦ୍ୱାରା ଅନୈତିକ ଖନନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ପାଇଥିଲୁ ଯାହା ସେହି ଭୂମିକୁ ଲିଜ୍‌ରେ ନେଇଥିଲା ଓ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ,” ବୋଲି ରାମ କୁମାର କହିଲେ । “ଏହାପରେ , ଡିଏମ୍‌ଙ୍କୁ( ଜିଲ୍ଲା ମାଜିଷ୍ଟ୍ରେଟ୍‌) ଏକ ରିପୋର୍ଟ ପଠା ଯାଇଥିଲା ଓ ଉକ୍ତ କମ୍ପାନିକୁ ମଧ୍ୟ ନୋଟିସ୍‌ ଦିଆଯାଇଥିଲା । ବାନ୍ଦାରେ ଦୀର୍ଘ ସମୟ ଧରି ଅନୈତିକ ଖନନ କାର୍ଯ୍ୟ ଚାଲିଛି, ତାହା ମୁଁ ଅସ୍ୱୀକାର କରୁନି’’।

PHOTO • Jigyasa Mishra

ଶୀଲା ଦେବୀ, ୭୬, ହେଉଛନ୍ତି ଜଳ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିବା ସବୁଠାରୁ ବୟସ୍କ ମହିଳା । ତାଙ୍କ ଜମିରେ ଏକ ସମୟରେ ବବୁଲ ଗଛରେ ଭରି ରହିଥିବା ବୋଲି ସେ କୁହନ୍ତି । “ ଏଥିରେ ବହୁତ ବହୁତ ଗଛ ଥିଲା । ଆମେ ସମସ୍ତେ ମିଳିମିଶି ଏ ସବୁ ଲଗାଇଥିଲୁ; ମୁଁ ଓ ମୋର ପରିବାର ।“

PHOTO • Jigyasa Mishra

ମଥୁରିଆ ଦେବୀ ନଅ ବର୍ଷ ବୟସରେ ବାହା ହୋଇ ଏହି ଗ୍ରାମକୁ ଆସିଥିଲେ । “ଗ୍ରାମ କ’ଣ, ଜମି କ’ଣ – ଏ ବିଷୟରେ ମୋର ଧାରଣା ହେବା ଦିନ ଠାରୁ ମୁଁ ଏହି ଗ୍ରାମରେ ରହିଆସୁଛି । ହେଲେ, ବର୍ତ୍ତମାନ ଆମର ଜମି ଓ ଗ୍ରାମ ବନ୍ୟା ଜଳରେ ବୁଡିଯିବ ବୋଲି ସେମାନେ କହୁଛନ୍ତି [ ବର୍ଷା ଋତୁରେ, ବହୁ ସଂଖ୍ୟାରେ ଗଛ ସବୁ ବୁଲ୍‌ଡୋଜର୍‌ ଦ୍ୱାରା ଧରାଶାୟୀ କରାଯାଉଥିବା କାରଣରୁ] ଆମର ଗଛଗୁଡିକ ତ ଆଗରୁ ଚାଲିଗଲାଣି ।

PHOTO • Jigyasa Mishra

“ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଆମେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଠିଆ ହୋଇ ରହିଥିଲୁ,’’ ବୋଲି ଚନ୍ଦା ଦେବି କୁହନ୍ତି । ଜୁନ୍‌ ୧, ୨୦୨୦ରେ ଖପ୍ତିହା କଲାନ୍‌ ଗ୍ରାମର କୃଷକମାନେ କେନ୍‌ ନଦୀ କୂଳରେ ହେଉଥିବା ବେଆଇନ୍‌ ବାଲି ଉତ୍ତୋଳନକୁ ବିରୋଧ କରି କେନ୍‌ ନଦୀରେ ଠିଆ ହୋଇ ଜଳ ସତ୍ୟାଗ୍ରହ କରିଥିଲେ ।

PHOTO • Jigyasa Mishra

ରମେଶ ପ୍ରଜାପତି ଓ ତାଙ୍କ ପରିବାର ତାଙ୍କ ଭୂମି ଯାଞ୍ଚ କରିବାକୁ ବାହାରୁଛନ୍ତି – ଏଠାରେ ବାଲି ଉତ୍ତୋଳନ କରିବା ପାଇଁ ପ୍ରାୟ ୮୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଖୋଳା ଯାଇଛି ।

PHOTO • Jigyasa Mishra

ଖପ୍ତିହା କଲାନ୍‌ ଗ୍ରାମ ନିବାସୀ ତାଲାବନ୍ଦ ସମୟରେ ସେମାନଙ୍କ ଜମି ଯାଞ୍ଚ କରିବାକୁ ଯାଇ ପାରିନଥିଲେ । ସ୍ଥାନୀୟ ଯୁବକମାନେ ଯେଉଁମାନେ ଖୋଳିବା ପାଇଁ ବୁଲ୍‌ଡୋଜର୍‌ ପରିଚାଳନା କରୁଥିଲେ ସେମାନେ ତାଙ୍କୁ କହିଲେ ଯେ ସେମାନଙ୍କ ଜମି ସବୁ ଖୋଳି ଦିଆଯାଇଛି, କେତେକ ସ୍ଥାନରେ ୧୦୦ ଫୁଟ ଗଭୀରତା ପର୍ଯ୍ୟନ୍ତ । ଜଳ ସତ୍ୟାଗ୍ରହର ଏକ ଦିନ ପରେ, କିଛି ମହିଳା ସେମାନଙ୍କ ଜମିର ଅବସ୍ଥା ଦେଖିବା ପାଇଁ ଅଗଭୀର ନଦୀରେ ଚାଲି ଚାଲି ଆର ପାଖକୁ ଯାଇଥିଲେ ।

PHOTO • Jigyasa Mishra

ବାଲି ଭର୍ତ୍ତି ହେବା ପାଇଁ ଓ ଏହାର ପରିବହନ ପାଇଁ ଟ୍ରକ୍‌ଗୁଡିକ ଧାଡିରେ ଠିଆ ହୋଇଛନ୍ତି ।

PHOTO • Jigyasa Mishra

ରାଜୁ ପ୍ରସାଦ, ଜଣେ କୃଷକ, ଜଣେ ଠିକାଦାରଙ୍କୁ ଦେଖାଇ କୁହନ୍ତି ଯେ (ଫଟୋରେ ନାହାନ୍ତି), “ସେ ମୋର ଜମି ଖୋଳୁଛନ୍ତି । ମୁଁ ପ୍ରତିବାଦ କରିବା ପରେ ମଧ୍ୟ ସେ ତାହା ବନ୍ଦ କରୁନାହାନ୍ତି । ମୋର ଲଡ୍‌କେ-ବଚ୍ଚେ [ ପିଲାମାନ] ବର୍ତ୍ତମାନ ସେଠାରେ ବସିଛନ୍ତି । ସେ ସେମାନଙ୍କୁ ସେଠାରୁ ଘଉଡାଇ ଦେଲେ । ସେମାନେ ସେଠାରେ ବଞ୍ଚି ରହିଥିବା ବାଉଁଶଗଛଗୁଡିକ ମଧ୍ୟ କାଟି ଦେଉଛନ୍ତି । ମୋ ସହିତ ଆସନ୍ତୁ ଓ ନିଜେ ଦେଖନ୍ତୁ ।

PHOTO • Jigyasa Mishra

ଜଳ ସତ୍ୟାଗ୍ରହକୁ ଦେଖି ଜୁନ୍‌ ୧ରେ କିଛି ସମୟ ପାଇଁ ଖାଦାନ ପ୍ରକ୍ରିୟା ମେସିନ୍‌ଗୁଡିକ ବନ୍ଦ କରିଦିଆ ଯାଇଥିଲା । ଏହା ପୂର୍ବରୁ ଉତ୍ତୋଳନ କରାଯାଇଥିବା ଟନ୍‌ ଟନ୍‌ ବାଲି ବଡ ବଡ ଗଦାରେ ଗଦେଇ ରଖାଯାଇଛି ।

PHOTO • Jigyasa Mishra

ଏହି ଦଳର ଦୁଇଜଣ ମହିଳା ଟ୍ରକ୍‌ ଓ ବୁଲ୍‌ଡୋଜର୍‌ ପରିଚାଳକମାନଙ୍କୁ ସେମାନଙ୍କ ପାଖରେ ସେମାନଙ୍କ ଜମିରୁ ବାଲି ନେବା ପାଇଁ ଅନୁମତି ଅଛି କି ବୋଲି ପଚାରୁଛନ୍ତି ।

PHOTO • Jigyasa Mishra

ମଥୁରିଆ ଦେବୀ, ଆରତି ଓ ମହେନ୍ଦ୍ର ସିଂ ( ବାମ ରୁ ଡାହାଣ) ବାଲି ଖନନ କରୁଥିବା ଏଜେନ୍ସିର ନାମ ଲେଖା ଯାଇଥିବା ଫଳକ ସମ୍ମୁଖରେ ଠିଆ ହୋଇଛନ୍ତି । ସେମାନେ ଖପ୍ତିହା କଲାନ୍‌ ପୋଲିସ୍‌ ଚୌକିରେ ଏହି ଏଜେନ୍ସି ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ।

PHOTO • Jigyasa Mishra

ମୁଁ ଯେତେବେଳେ ଖନନ ଏଜେନ୍ସିର ଅଧିକାରୀମାନଙ୍କ ସହିତ କଥା ହେବାକୁ ଚେଷ୍ଟା କଲି, ସେତେବେଳେ ଏହାର କବାଟ ବନ୍ଦ ଥିଲା ।

PHOTO • Jigyasa Mishra

ଜଳ ସତ୍ୟାଗ୍ରହରୁ ସୁମନ ସିଂ ଗୌତମ ତାଙ୍କ ଘରକୁ ଫେରିବା ପରେ, ତାଙ୍କୁ ଭୟଭୀତ କରିବା ପାଇଁ ଗୁଳି ଚାଳନା କରାଯାଇଥିବା ଅଭିଯୋଗ କରିଥିଲେ । “ ମୁଁ ଏ ବିଷୟରେ ପୋଲିସ୍‌କୁ ଜଣାଇଥିଲି ହେଲେ କେହି ମଧ୍ୟ ଏ ପର୍ଯ୍ୟନ୍ତ ତଦନ୍ତ ପାଇଁ ଆସିନାହାନ୍ତି,” ବୋଲି ସେ କୁହନ୍ତି ।

PHOTO • Jigyasa Mishra

ସୁମନ ସିଂ ଗୌତମଙ୍କ ଘରେ ଉଷା ନିସଦ – ଉଭୟ ଜଳ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ ଓ ଚାଲି ଚାଲି ଯାଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯୋଜନା କରିଥିଲେ ।

PHOTO • Jigyasa Mishra

ଏକ ଶଗଡ ଗାଡି ବାଲି ସେତୁକୁ ଅତିକ୍ରମ କରୁଛି ଯାହା ଏବେ କେନ୍‌ ନଦୀ ପ୍ରବାହର ପ୍ରତିରୋଧ କରୁଛି । ଏହି ସେତୁ ଖନନ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ବୋଲି ଖପ୍ତିହା କଲାନ୍‌ ଗ୍ରାମବାସୀ କୁହନ୍ତି ।

PHOTO • Jigyasa Mishra

ତାହା ହେଉଛି ସେହି ବାଲି ସେତୁ ଯାହା ସେଠାର ଉଦ୍ଭିଦସମୂହ, ଫସଲ, ଭୂମି, ଜଳ, ଜୀବିକା ଓ ଆହୁରି ଅନେକ କିଛି ନଷ୍ଟ କରି  ନଦୀ ଜଳର ପ୍ରବାହକୁ ରୋକିବା ପାଇଁ ଓ ଅଧିକରୁ ଅଧିକ ବାଲି ଉତ୍ତୋଳନ କରିବାରେ ସହାୟକ ହେବା ପାଇଁ ଖନନ କରୁଥିବା ଏଜେନ୍ସିଗୁଡିକ ନିର୍ମାଣ କରିଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

यांचे इतर लिखाण Jigyasa Mishra
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE