“ଗୀତାକୁ କଷ୍ଟ ହେଉଥିଲା, ତାକୁ ଜ୍ଵର ଆସିବା ଭଳି ଲାଗୁଥିଲା ଏବଂ ସେ ଅଚେତ ହୋଇଯାଉଥିଲା । ପରଦିନ ସକାଳକୁ ସେ ଖୁବ୍ ବାନ୍ତି କରୁଥିଲା-ମୁଁ ଡରି ଯାଇଥିଲି,”କହନ୍ତି ସତେନ୍ଦର ସିଂହ ।
ପରଦିନ, ରବିବାର, ମେ ୧୭ ତାରିଖ ସୁଦ୍ଧା, ସତେନ୍ଦର ଜାଣି ନଥିଲେ ଯେ କ’ଣ କରିବାକୁ ହେବ । ଗୋଟିଏ ଦାତବ୍ୟ ଟ୍ରଷ୍ଟରେ କାର୍ଯ୍ୟରତ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସେ ଫୋନ୍ କଲେ ଏବଂ ସେମାନଙ୍କୁ ଟାଟା ମେମୋରିଆଲ ହସ୍ପିଟାଲରେ ପହଞ୍ଚାଇବାରେ ସାହାଯ୍ୟ କରିବାକୁ କହିଲେ । ସେମାନେ ସେଠାରେ ପହଞ୍ଚିବା ମାତ୍ରେ ଗୀତାଙ୍କୁ ଆଶୁ ଚିକିତ୍ସା ୱାର୍ଡକୁ ନିଆଗଲା ଏବଂ ଡାକ୍ତରମାନେ ତାଙ୍କର କୋଭିଡ୍-୧୯ ସଂକ୍ରମଣ ପରୀକ୍ଷା କଲେ । ସୋମବାର ଦିନ ଆସିଥିବା ତାଙ୍କ ପରୀକ୍ଷଣ ରିପୋର୍ଟରେ ପଜିଟିଭ୍ ବୋଲି ଜଣାପଡ଼ିଲା ।
ଗୀତାଙ୍କର ପାକସ୍ଥଳୀରେ କ୍ୟାନ୍ସର ହୋଇଥିଲା । ପ୍ରାୟ ଦୁଇ ସପ୍ତାହ ତଳେ ସେ ଓ ସତେନ୍ଦର, କେନ୍ଦ୍ରୀୟ ମୁମ୍ବାଇର ପାରେଲ ଅଞ୍ଚଳରେ ଥିବା ଟାଟା ଦାତବ୍ୟ ହାସପାତାଳ ନିକଟ ଫୁଟ୍ପାଥରେ ରହିବାକୁ ଆସିଥିଲେ। କିଛି ସପ୍ତାହ ପୂର୍ବରୁ ସେମାନେ ହାସପାତାଳଠାରୁ ପ୍ରାୟ ୫୦ କିଲୋମିଟର ଦୂର ଡୋମ୍ବିବାଲିରେ ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ। ଅନେକ କାକୁତିମିନତି ହେବା ପରେ ଏବଂ ଖାଦ୍ୟ ଓ ଘରଭଡ଼ା ବାବଦରେଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ହିଁ ସଂପର୍କୀୟଙ୍କ ଘରେ ରହିବା ବନ୍ଦୋବସ୍ତ ହୋଇପାରିଥିଲା ।
ନଭେମ୍ବର ମାସରେ ମହାରାଷ୍ଟ୍ରର କୋଲ୍ହାପୁର ଜିଲ୍ଲା ଅନ୍ତର୍ଗତ ଇଚଲକରଞ୍ଜି ସହରରୁ ମୁମ୍ବାଇକୁ ଆସିଥିଲେ ୪୦ ବର୍ଷୀୟା ଗୀତା ଓ ୪୨ ବର୍ଷୀୟ ସତେନ୍ଦର ସିଂହ । ଇଚଲକରଞ୍ଜିରେ ତାଙ୍କ ବଡ଼ଭାଇ ସୁରେନ୍ଦ୍ରଙ୍କ ସହିତ ରହୁଛନ୍ତି ସେମାନଙ୍କ ୧୬ ବର୍ଷର ପୁଅ ବାଦଲ ଏବଂ ୧୨ ବର୍ଷର ଝିଅ ଖୁସି । ପ୍ରାୟ ଏକ ଦଶନ୍ଧି ତଳେ, ଏହି ପରିବାର ବିହାରର ରୋହତାସ ଜିଲ୍ଲା ଅନ୍ତର୍ଗତ ଦିନାରା ବ୍ଲକ୍ର କନିୟାରି ଗାଁରୁ ମହାରାଷ୍ଟ୍ରରେ ରହିବାକୁ ଆସିଥିଲେ । ଗୀତାଙ୍କ ସହ ମୁମ୍ବାଇକୁ ଯିବା ପୂର୍ବରୁ ସତେନ୍ଦର ମାସକୁ ୭,୦୦୦ ଟଙ୍କା ଦରମାରେ ଏକ କଳତନ୍ତ କାରଖାନାରେ କାମ କରୁଥିଲେ ।
ମାର୍ଚ୍ଚରେ ଗୀତା ମୋତେ କହିଥିଲେ, “ଜଲ୍ଦି ଫେରିଆସିବୁ ବୋଲି ଆମେ ଆମ ପିଲାମାନଙ୍କୁ କହି ଆସିଥିଲୁ, କିନ୍ତୁ ଏବେ ଆମେ ଜାଣିନୁ ଯେ କେବେ ସେମାନଙ୍କ ମୁହଁ ଦେଖିବୁ ।”
ନଭେମ୍ବରରେ ଯେତେବେଳେ ସେମାନେ ମୁମ୍ବାଇ ଆସିଲେ, ଉତ୍ତର ମୁମ୍ବାଇର ଗୋରେଗାଓଁ ସହରତଳି ଅଞ୍ଚଳରେ ସତେନ୍ଦରଙ୍କ ଜଣେ ସଂପର୍କୀୟ ଭାଇଙ୍କ ଘରେ ରହିଲେ । କିନ୍ତୁ କୋଭିଡ୍-୧୯ ସଂକ୍ରମଣ ଭୟରେ ସଂପର୍କୀୟ ଜଣକ ସେମାନଙ୍କୁ ଚାଲିଯିବା ପାଇଁ କହିଲେ । ମାର୍ଚ୍ଚ ୨୦ରେ ମୁଁ ସେମାନଙ୍କୁ ଭେଟିବା ସମୟରେ ଗୀତା ମୋତେ କହିଥିଲେ, “ଆମେ ବିଭିନ୍ନ ଷ୍ଟେସନରେ ଏବଂ (ତା’ ପରେ) ଫୁଟ୍ପାଥରେ ରହୁଥିଲୁ।” ତା’ପରେ ସେମାନେ ଡୋମ୍ବିବାଲିକୁ ଚାଲିଯାଇଥିଲେ । (ମୁମ୍ବାଇ ଫୁଟ୍ପାଥରେ କର୍କଟ ଆକ୍ରାନ୍ତ ଲକ୍ଡାଉନ୍ ଦେଖନ୍ତୁ)




