ତାଙ୍କ ଘର ବାହାରେ ବାସନ ମାଜୁଥିବା ଜଣେ ମହିଳାଙ୍କୁ ମୁଁ ପଚାରିଲି ଏହା କଣ ଗୁଣଧର ନାୟକଙ୍କ ଘର।
ଜବାବରେ ସେ କହିଲେ, “ତୁମେ କେଉଁଠାରୁ ଆସିଛ, ଏଠି ତୁମର କଣ ଦରକାର?”
ମୁଁ ବୁଝାଇବାକୁ ଚେଷ୍ଟା କଲି ଯେ ମୁଁ ଖରିଆରର ଜଣେ ସାମ୍ବାଦିକ, ଯିଏ କି ଅତୀତରେ ଗୁଣଧରଙ୍କ ସମ୍ପର୍କରେ ଆଲେଖ୍ୟ ଲେଖିଥିଲି। ସେ କିପରି ଅଛନ୍ତି ତାହା ଜାଣିବାକୁ ଆସିଛି।
ମହିଳା ଜଣକ ମୋତେ ଖୁବ୍ ନିରେଖି ଚାହିଁଲେ, ଏବଂ ପଚାରିଲେ “ଆପଣ କ’ଣ ଠାକୁରଜୀ,” ମୁଁ ହଁ କହିଲି। ଏବେ ସେ ମୋତେ ଚିହ୍ନିପାରିଥିବାରୁ ଖୁସି ହେଲି।
୧୯୯୬-୯୭ରେ ମୁଁ ଓଡିଶାର ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍ରେ ଥିବା ବାର୍ଲାବାହାଳି ଗାଁକୁ ବହୁଥର ଯାଇଥିଲି। ପ୍ରାୟ ଦୁଇ ଦଶନ୍ଧିର ବ୍ୟବଧାନ ପରେ ମୁଁ ପୁଣି ଥରେ ସେଠାକୁ ଆସିଥିଲି।
୧୯୯୬ରେ ବଲାଙ୍ଗୀର, ନୂଆପଡା ଓ ପଶ୍ଚିମ ଓଡିଶାର ଅନ୍ୟ ଜିଲ୍ଲା ଗୁଡିକରେ ଭୟଙ୍କର ମରୁଡି ପଡିଥିଲା। ଏଥିଯୋଗୁଁ ଲୋକମାନେ ଅନାହାରରେ ପ୍ରାଣ ହରାଇଲେ, ଅନେକ ଆନ୍ଧ୍ରପ୍ରଦେଶର ଇଟ୍ଟାଭାଟିରେ କାମ କରିବାକୁ ସ୍ଥାନାନ୍ତରିତ ହୋଇଗଲେ, ଦୁଃଖର କଥା ହେଲା ଏହା ସେହି ଅଞ୍ଚଳ ପାଇଁ କିଛି ନୂଆ କଥା ନ ଥିଲା। ସେ ସମୟରେ ପ୍ରତି ୨-୩ ବର୍ଷରେ ମରୁଡି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲା।
୩୨ ବର୍ଷୀୟା ଆଦିବାସୀ ମହିଳା ବେଲମତି ନାୟକ ଓରଫ ଘାମେଲା ବାର୍ଲାବାହାଳିର ପ୍ରାୟ ୩୦୦ ବାସିନ୍ଦାଙ୍କ ମଧ୍ୟରୁ ଜଣେ। ତାଙ୍କ ସ୍ୱାମୀ ଜଣେ କୃଷି ଶ୍ରମିକ ଥିଲେ, ଦୁଇ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଘାମେଲା ଗୋଟିଏ ଋଣ ସୁଝିବା ପାଇଁ ତାଙ୍କର ଥିବା ଛୋଟିଆ ଜଣି ଖଣ୍ଡିଏକୁ ଦେଇ ଦେବାକୁ ବାଧ୍ୟ ହେଲେ। ସେ ଦିନ ମଜୁରିଆ ଭାବେ କାମ କଲେ। କିନ୍ତୁ ମରୁଡି ପରେ ଗାଁରେ କିଛି କାମ ମିଳୁ ନ ଥିଲା। ତାଙ୍କର ୬ ବର୍ଷର ପୁଅ ଗୁଣଧର ଓ ସେ ଅନାହାରରେ ରହୁଥିଲେ। ସ୍ଥାନୀୟ ଲୋକମାନେ କହନ୍ତି, ସେମାନେ ଘାମେଲାଙ୍କ ପରିସ୍ଥିତି ନେଇ ତାଙ୍କର ମୃତ୍ୟୁ ପୂର୍ବରୁ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ଜଣାଇଥିଲେ। କିନ୍ତୁ ସରକାରୀ ଅଧିକାରୀମାନେ କିଛି କଲେ ନାହିଁ।
୧୫ ଦିନ ଧରି ଅନାହାରରେ ରହିବା ପରେ ସେପ୍ଟେମ୍ବର ୬, ୧୯୯୬ରେ ଘାମେଲାଙ୍କର ମୃତ୍ୟୁ ହେଲା। ତାଙ୍କ ପୁଅ ଘାମେଲାଙ୍କ ଶବ ନିକଟରେ ବସି କାନ୍ଦୁଥିବା ପଡୋଶୀମାନେ ବହୁ ସମୟ ପରେ ଦେଖିଥିଲେ।
ଏହି ଅନାହାର ଜନିତ ମୃତ୍ୟୁ ଓ ତା ପର ଘଟଣା ସମ୍ପର୍କରେ ମୋର ଆଲେଖ୍ୟ ୧୯୯୬ ଅକ୍ଟୋବରରେ ଦୈନିକ ଭାସ୍କରରେ ପ୍ରକାଶିତ ହୋଇଥିଲା। ଏହା ପରେ ସ୍ଥାନୀୟ ସାମାଜିକ କର୍ମୀ ଓ କେତେକ ବିରୋଧୀ ଦଳର ନେତା ସେହି ଗାଁକୁ ଗସ୍ତ କଲେ ଏବଂ ପ୍ରସଙ୍ଗ ଉଠାଇଲେ। ମାନବାଧିକାର କମିସନଙ୍କ ସଦସ୍ୟମାନେ ମଧ୍ୟ ଗାଁକୁ ଯାଇଥିଲେ ଏବଂ ଏହା ଅନାହାର ଜନିତ ମୃତ୍ୟୁ ବୋଲି ରିପୋର୍ଟ ଦେଇଥିଲେ। ରାଜନେତା, ବ୍ଲକ୍ ଉନ୍ନୟନ ଅଧିକାରୀ, ଜିଲ୍ଲାପାଳ ଓ ଜିଲ୍ଲା ମାଜଷ୍ଟେ୍ରଟ୍ ମଧ୍ୟ ସେହି ଗାଁକୁ ଯାଇଥିଲେ। ଏମିତିକି ତକ୍ରାଳୀନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡାଙ୍କ ମରୁଡି ପ୍ରବଣ ଅଞ୍ଚଳ ଗସ୍ତ ସୂଚୀରେ ଏହି ଗାଁକୁ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ତାହା ହୋଇନଥିଲା।






