‘‘ସ୍ୱାଧୀନତା’’ ସୁନ୍ଦର ବାଗାରିଆ କୁହନ୍ତି ‘‘ ଏହା ଧନୀ ଏବଂ କ୍ଷମତାଶାଳୀଙ୍କ ପାଇଁ ।’’ ସୁନ୍ଦର ଗୁଜରାଟର ବଦୋଦରାରେ ମହାରାଜା ସୟାଜିରାଓ ବିଶ୍ୱବିଦ୍ୟାଳୟର ମୁଖ୍ୟ ଅଟ୍ଟାଳିକା ସାମ୍ନାରେ ଥିବା କାଲା ଘୋଡ଼ା ଗୋଲେଇ ରାସ୍ତାରେ ତିନି ଦଶକ ହେବ ଛୋଟ ଭାରତୀୟ ପତାକା ବିକ୍ରି କରୁଛନ୍ତି । ସେ ଏଥିସହ କୁହନ୍ତି, ‘‘କେତେ ଦିନ ଆମେ ଅଧିକ ଖାଉ, କେତେ ଦିନ କମ୍ ଖାଉ ଏବଂ ଅନେକ ଦିନ ଆମେ ଖାଲି ପେଟରେ ଶୋଉ…’’ ।
ତାଙ୍କ ପରି ବାଗାରିଆ ସମୂହର ଆଉ ପ୍ରାୟ ୨୦ ଜଣ ଆଖପାଖରେ ଷ୍ଟଲ୍ କରିଛନ୍ତି । ସକାଳ ପ୍ରାୟ ୯ ଟା ବେଳକୁ ସେମାନେ ଦିନର କାମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି : ତଳେ ପ୍ଲାଷ୍ଟିକ୍ ସିଟ୍ ଉପରେ ରଖାଯାଇଥିବା ଷ୍ଟିରୋଫୋମ୍ ସିଟ୍ ଉପରେ ପତାକାଗୁଡ଼ିକୁ ଲଗାଇବା, ପିନ୍ ଥିବା ତ୍ରିରଙ୍ଗା ବ୍ୟାଜ୍, ଷ୍ଟିକର୍ ଏବଂ ହାତ ବ୍ୟାଣ୍ଡଗୁଡ଼ିକ ଷ୍ଟିରୋଫୋମ୍ ସିଟ୍ ଉପରେ ସିଧା କରି ରଖିବା । କେତେକ ପତାକା ଖୁଣ୍ଟ କିମ୍ବା ଫୁଟ୍ପାଥ୍ରେ ଲଗାଯାଇଥାଏ ।
ସେମାନେ ରାତି ୧୧ ଟାରେ ଦୋକାନ ବନ୍ଦ କରନ୍ତି, ୧୪ ଘଣ୍ଟାରେ ପ୍ରାୟ ଟ. ୨୦୦ ରୋଜଗାର କରନ୍ତି । କେତେଜଣ ଗ୍ରାହକ ସନ୍ଧାନରେ ଫତେଗଞ୍ଜ ଫ୍ଲାଏ ଓଭର୍, ସୟାଜିଗଞ୍ଜ ଅଞ୍ଚଳରେ ଥିବା ରେଳ ଷ୍ଟେସନ୍ କିମ୍ବା ଅନ୍ୟ ଗହଳିପୂର୍ଣ୍ଣ ଛକକୁ ଯାଆନ୍ତି ।
ସେମାନେ ସମସ୍ତେ ଋତୁ ଅନୁଯାୟୀ ଉପକରଣ ବଦଳାନ୍ତି – ପତାକା, ରାକ୍ଷି, ମହମବତୀ, ସାନ୍ତା କ୍ୟାପ୍ ।
ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ ବର୍ଷ ବୟସ୍କା ଲକ୍ଷ୍ମୀ ବାଗାରିଆ (ଉପରେ ପ୍ରଚ୍ଛଦ ଫଟୋରେ) ଯିଏକି ଛଅ ବର୍ଷ ବୟସରୁ ପତାକା ବିକୁଛନ୍ତି । ସେ ରାଜସ୍ଥାନର ଟୋଙ୍କ୍ ଜିଲ୍ଲାର ଉନିଆରା ତହସିଲରେ ଥିବା କାକୋଡ଼ ଗ୍ରାମରୁ ତାଙ୍କ ସମ୍ପର୍କୀୟମାନଙ୍କ ସହ ବର୍ଷରେ ତିନିଥର ଏଠାକୁ ଆସନ୍ତି- ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଏବଂ ବଡ଼ଦିନ ସମୟରେ। ସେ କୁହନ୍ତି, ‘‘ନଗରପାଳିକାର ଲୋକମାନେ ଆସନ୍ତି ଏବଂ ଆମକୁ ଚାଲିଯିବାକୁ କୁହନ୍ତି। କିନ୍ତୁ ଆମେ କୌଣସି ମତେ ରହୁ ଏବଂ ପୁଣି ଫେରୁ।’’









