ଯଶବନ୍ତ ଗୋବିନ୍ଦ ଖୁସି ଏତିକିରେ ଖୁସି ଯେ, ତାଙ୍କର ୧୦ ବର୍ଷୀୟା ଝିଅ ସତିକା ସ୍କୁଲ୍ ଯାଏ। ଜଣେ ଗ୍ରାହକଙ୍କ ଆସବାବପତ୍ର ପାଇଁ କାଠ କାମରେ ବ୍ୟସ୍ତ ଥାଇ ସେ କହନ୍ତି ଯେ, “ସେ ସେଠାରେ ପାଠ ପଢ଼େ ଏବଂ ତାକୁ ମଧ୍ୟାହ୍ନ ଭୋଜନ ବି ଦିଆଯାଏ”। ସେ ଆହୁରି କହନ୍ତି ଯେ, କେବଳ ଗୋଟିଏ କପ୍ ଚା’ ପିଇ ସତିକା ସ୍କୁଲ୍କୁ ଯାଏ। ସ୍କୁଲ୍ର ମଧ୍ୟାହ୍ନ ଭୋଜନ ପରେ ରାତିରେ ହିଁ ସେ ଯାହା ଖାଇଥାଏ। ତାହା ବି ପ୍ରାୟତଃ ରାସନ୍ ବଣ୍ଟନ କେନ୍ଦ୍ରରୁ ତାଙ୍କ ପରିବାରକୁ ମିଳିଥିବା ସାମଗ୍ରୀରୁ ପ୍ରସ୍ତୁତ ଖାଦ୍ୟ। ମଝିରେ ସେ ଆଉ କିଛି ଖାଏ ନାହିଁ ।
“ରାସନ ଦୋକାନରୁ ଆମକୁ ୨୫ କିଲୋଗ୍ରାମ ଚାଉଳ, ୧୦ କିଲୋଗ୍ରାମ ଗହମ ଏବଂ ୨ କିଲୋଗ୍ରାମ ଚିନି ମିଳେ,” ନିଜ କାମରୁ ନଜର ନ ହଟାଇ ଏହା କହନ୍ତି ଘୋସାଲି ଗାଁର ୪୭ ବର୍ଷୀୟ ଗୋବିନ୍ଦ । ବିଭିନ୍ନ ନିର୍ମାଣସ୍ଥଳୀରେ ସାମୟିକ ଭାବେ ବଢ଼େଇ କାମ କରୁଥିବା ଗୋବିନ୍ଦ କହି ଚାଲନ୍ତି,“ଆମର ସାତଜଣିଆ ପରିବାର। ୧୫ ଦିନରେ ହିଁ ଖାଦ୍ୟସାମଗ୍ରୀ ସରିଯାଏ”।ଗୋବିନ୍ଦ, ଏବଂ ମହାରାଷ୍ଟ୍ର ପାଲଘର ଜିଲ୍ଲା ମୋଖଡ଼ା ତାଲୁକାରେ ଥିବା ତାଙ୍କ ଗାଁର ଅଧିକାଂଶ ଲୋକ ଠକର ଆଦିବାସୀ ସଂପ୍ରଦାୟର ।
ଗୋବିନ୍ଦଙ୍କ ଭଳି ପାଲଘର ଜିଲ୍ଲାର ସଂଖ୍ୟାଧିକ ପିତାମାତାଙ୍କ ପାଇଁ ସେମାନଙ୍କ ପିଲାମାନଙ୍କୁ ସ୍କୁଲ୍ ପଠାଇବା ଦିଗରେ ଅପରାହ୍ଣରେ ମିଳୁଥିବା ଏହି ଭୋଜନ ହିଁ ଏକ ପ୍ରୋତ୍ସାହନ। ଜିଲ୍ଲାର ୩୦ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୧୧ ଲକ୍ଷ ଆଦିବାସୀ ସଂପ୍ରଦାୟର (ଜନଗଣନା-୨୦୧୧)। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ମିଳୁଥିବା ସବ୍ସିଡିଯୁକ୍ତ ଖାଦ୍ୟସାମଗ୍ରୀ ଉପରେ ନିର୍ଭର କରନ୍ତି ଏଠାକାର ଅନେକ ପରିବାର । ଗୋବିନ୍ଦ କହନ୍ତି, “ଅନ୍ତତଃ ଥରେ ହେଲେ ମୋ ଝିଅକୁ ପେଟପୂରା ଖାଇବାକୁ ତ ମିଳୁଛି ।”







