“ହେଇ ଦେଖ! ବିସ୍ମୟ ବାଇକ୍ ଯାଉଛି, ତାକୁ ପରିବା ବସ୍ତା ଚଳାଉଛି !” ପ୍ରତି ଥର ଚନ୍ଦ୍ରା ତାଙ୍କ ମେଲାକାଡୁ ଗାଁ କ୍ଷେତରୁ ପରିବାପତ୍ର ନେଇ୧୫ କିଲୋମିଟର ଦୂର ଶିବଗଙ୍ଗାଇ ବଜାରକୁ ମୋପେଡ୍ରେ ଯିବା ବେଳେ, ପିଲାମାନେ ଏମିତି ପାଟି କରି ଉଠନ୍ତି। “କାହିଁକି ନା, ମୁଁ ଯାଉଥିବା ବେଳେ ମୋ ଆଗରେ ଏବଂ ପଛରେ ବସ୍ତାଗୁଡ଼ିକ ହିଁ ବାହାରକୁ ଲଟକିଥାଏ ଏବଂ ମୋପେଡ୍କିଏ ଚଳାଉଛି, ସେମାନେ ଦେଖି ପାରନ୍ତି ନାହିଁ ।” ବୁଝାଇ ଦିଅନ୍ତି ତାମିଲନାଡୁର ଏହି କ୍ଷୁଦ୍ର ଚାଷୀ ଜଣକ ।


Sivagangai, Tamil Nadu
|SAT, MAR 30, 2019
କ୍ଷୁଦ୍ର ଚାଷୀ, ବୃହତ୍ହୃଦୟ, ବିସ୍ମୟ ବାଇକ୍
ତାମିଲନାଡୁ ଶିବଗଙ୍ଗାଇ ଜିଲ୍ଲାର ଚନ୍ଦ୍ରା ସୁବ୍ରମଣ୍ୟନ୍ଜଣେ ଏକୁଟିଆ ମାଆ, ଚାଷୀ ଏବଂ ଖୁଚୁରା ବିକ୍ରେତା
Author
Translator
ତାଙ୍କ ମୋପେଡ୍ପାଖରେ ଏକ ଦଉଡ଼ିଆ ଖଟରେ ବସିଥିବା ଚନ୍ଦ୍ରା ସୁବ୍ରମଣ୍ୟନ୍ବାସ୍ତବରେ କ୍ଷୁଦ୍ର ଜଣାପଡୁଥିଲେ। ପତଳା ଗଢ଼ଣ ଯୋଗୁଁ ସେ ପ୍ରାୟ ୧୮ ବର୍ଷ ବୟସର ଭଳି ଦିଶୁଥିଲେ। କିନ୍ତୁ ପ୍ରକୃତରେ ତାଙ୍କ ବୟସ ୨୮। ଦୁଇଟି ପିଲାଙ୍କ ମାଆ ଏବଂ ଜଣେ ଉଦ୍ୟମୀ ଚାଷୀ, ଯିଏ ବିଧବା ବୋଲି ଅନ୍ୟ ବୟସ୍କା ମହିଳାମାନେ ତାଙ୍କ ପ୍ରତିଦେଖାଉଥିବା ଦୟାଭାବକୁ ଘୃଣା କରୁଥିଲେ। “ମାନେ ସମସ୍ତେ, ଏମିତି କି ମୋ ମାଆ ବି, ଆଗକୁ ମୋର କ’ଣ ହେବ ବୋଲି ଚିନ୍ତା କରନ୍ତି । ହଁ, ମତେ ଯେତେବେଳେ ୨୪ ବର୍ଷ ମୋ ସ୍ୱାମୀଙ୍କର ମୃତ୍ୟୁ ହେଲା। କିନ୍ତୁ ମୁଁ ଜୀବନରେ ଆଗକୁ ବଢ଼ିବାକୁ ଚାହେଁ। ମତେ ନିରାଶ କରନି ବୋଲି ମୁଁ ସେମାନଙ୍କୁ ସବୁବେଳେ କହେ ।”
କୌଣସି ସମୟରେ ବି ଚନ୍ଦ୍ରା ହତାଶ ଜଣାପଡ଼ନ୍ତିନି । ସେ ସହଜ ଭାବରେ ହସନ୍ତି ।ବିଶେଷତଃ ନିଜ ଉପରେ ନିଜେ । ଦାରିଦ୍ର୍ୟରେ କଟିଥିବା ପିଲାଦିନର ସ୍ମୃତିକୁ ଫିକା କରିଦିଏ ତାଙ୍କ ହାସ୍ୟରସ। “ଥରେ ରାତିରେ ମୋ ବାପା ଆମକୁ ଉଠାଇଲେ। ମତେ ସେତେବେଳକୁ ୧୦ ବର୍ଷ ବି ହୋଇ ନଥାଏ। ସେ କହିଲେ, ବାହାରେ ପୂରା ସଫା ଜହ୍ନ ପଡ଼ିଛି ଏବଂ ଆମେ ଏହି ଆଲୁଅରେ ଅମଳ କରିପାରିବା। ସକାଳ ହୋଇଆସିଲାଣି ଭାବି ମୋ ଭାଇ, ଭଉଣୀ ଏବଂ ମୁଁ ବାପାମାଆଙ୍କ ସାଙ୍ଗରେ ଗଲୁ । କ୍ଷେତରୁ ସବୁ ଧାନ କାଟିବାକୁ ଆମକୁ ଚାରି ଘଣ୍ଟା ଲାଗିଲା। ତା’ ପରେ ସ୍କୁଲ୍ଗଲା ଆଗରୁ ଆମେ କିଛି ସମୟ ପାଇଁ ଶୋଇପାରିବୁ ବୋଲି ସେ ଆମକୁ କହିଲେ । ସେତେବେଳକୁ ଭୋର୍୩ଟା । ଆପଣ ବିଶ୍ୱାସ କରିପାରିବେ ? ରାତି ୧୧ଟାରେ ସେ ଆମକୁ କ୍ଷେତକୁ ଟାଣି ନେଇଯାଇଥିଲେ ।”
ନିଜ ପିଲାମାନଙ୍କ ସହ ଚନ୍ଦ୍ରା କେବେ ବି ଏମିତି କରିବେନି । ସେ ଜଣେ ଏକୁଟିଆ ମାଆ । ୮ ବର୍ଷର ପୁଅ ଧନୁଷ କୁମାର ଏବଂ ୫ ବର୍ଷର ଝିଅ ଇନିୟାଙ୍କୁ ପାଠ ପଢ଼ାଇବାକୁ ସେ ଦୃଢ଼ପ୍ରତିଜ୍ଞ । ସେମାନେ ପାଖରେ ଥିବା ଏକ ଘରୋଇ ଇଂଲିଶ ମାଧ୍ୟମ ସ୍କୁଲ୍ରେ ପଢ଼ନ୍ତି । ସେଇମାନଙ୍କ ପାଇଁ ହିଁ ଜଣେ ଚାଷୀ ହେବା ଲାଗି ସ୍ଥିର କରିଛନ୍ତି ଚନ୍ଦ୍ରା ।

Aparna Karthikeyan
“୧୬ ବର୍ଷ ବୟସରେ ମୋ ମାଇଁଙ୍କ ପୁଅକୁ ମୁଁ ବାହା ହୋଇଥିଲି । ମୁଁ ଓ ମୋ ସ୍ୱାମୀ ସୁବ୍ରମଣ୍ୟନ୍ତିରୁପୁରରେ ରହୁଥିଲୁ । ସେ ଏକ ପୋଷାକପତ୍ର କମ୍ପାନିରେ ଦର୍ଜି ଥିଲେ । ମୁଁ ବି ସେଠାରେ କାମ କରୁଥିଲି । ଚାରି ବର୍ଷ ତଳେ ରାସ୍ତା ଦୁର୍ଘଟଣାରେ ମୋ ବାପା ପ୍ରାଣ ହରାଇଲେ। ମୋ ସ୍ୱାମୀ ଭାଙ୍ଗି ପଡ଼ିଲେ। ଚାଳିଶି ଦିନ ପରେ, ସେ ଦଉଡ଼ି ଦେଇଦେଲେ। ମୋ ବାପା ହିଁ ତାଙ୍କ ପାଇଁ ସବୁ କିଛି ଥିଲେ... ।”
ମାଆଙ୍କ ସହ ରହିବା ଲାଗି ଚନ୍ଦ୍ରା ତାଙ୍କ ଗାଁକୁ ଫେରିଆସିଲେ । ପୁଣି ଦର୍ଜି କାମ କରିବାକୁ ତାଙ୍କ ହାତ ଗଲାନି କିମ୍ବା ସେ ଆଉ ପଢ଼ି ପାରିଲେନି । ସେ କହନ୍ତି, ଦୁଇଟା ଯାକ ହିଁ କଷ୍ଟକର ହୋଇଥାଆନ୍ତା । ଚାକିରି କଲେ, ଘଣ୍ଟା ଘଣ୍ଟା ଧରି ପିଲାଙ୍କଠାରୁ ଦୂରରେ ରହିବାକୁ ପଡ଼ିବ । ଆଉ ଟିକେ ଭଲରେ ରହିବା ପାଇଁ କଲେଜ ଡିଗ୍ରୀ ହାସଲ କରିବାକୁ ପଡ଼ିବ ଏବଂ ଏଥିପାଇଁ ତାଙ୍କୁ ପ୍ରଥମେ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାସ୍କରିବାକୁ ହେବ । “ମୁଁ ଗ୍ରାଜୁଏଟ୍ହେଲା ଯାଏଁ ମୋ ପିଲାମାନଙ୍କ ପାଖରେ କିଏ ରହିବ ? ମୋ ମାଆ ବହୁତ ସାହାଯ୍ୟ କରନ୍ତି, କିନ୍ତୁ ତଥାପି.... ”
ଯଦିଓ ସେ ଏମିତି ଭାବନ୍ତିନି, ତଥାପି ଚନ୍ଦ୍ରାଙ୍କ ପାଇଁ ଚାଷବାସ ଏଭଳି ଏକ କାମ ଯାହାକୁ ସେ ନିଜ ସମୟାନୁସାରେ କରିପାରିବେ । ତାଙ୍କ ଜମି ସବୁ ଠିକ୍ଘର ପଛରେ ରହିଛି ଏବଂ ନାଇଟି ପିନ୍ଧି ନିଜ ବାଡ଼ି ପଛପଟେ କାମ କରିବାର ସୁବିଧାକୁ ସେ ବେଶ୍ପସନ୍ଦ କରନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ୧୨ ଏକର ଜମିକୁ ତିନି ପିଲାଙ୍କ ମଧ୍ୟରେ ଭାଗ ବାଣ୍ଟି ଦେଇଥିଲେ ତାଙ୍କର ୫୫ ବର୍ଷୀୟା ମାଆ ଚିନ୍ନାପୋନ୍ନୁ ଅରୁମୁଗମ୍ । ଏବେ, ମାଆ ଏବଂ ଝିଅ ମିଶି ପରିବାପତ୍ର, ଧାନ, ଆଖୁ ଓ ମକା ଚାଷ କରନ୍ତି । ଗତ ବର୍ଷ ଚନ୍ଦ୍ରାଙ୍କ ପାଇଁ ନୂଆ ଘରଟିଏ ତୋଳି ଦେଇଥିଲେ ଚିନ୍ନାପୋନ୍ନୁ। ଘରଟି ଛୋଟ, କିନ୍ତୁ ମଜଭୁତ । ଖାଲି ଯାହା ଶୌଚାଳୟ ନାହିଁ। “ଇନିୟାର ବୟସ ହେଲା ଆଗରୁ ମୁଁ ତିଆରି କରିଦେବି”, ଚନ୍ଦ୍ରା କଥା ଦିଅନ୍ତି ।

Aparna Karthikeyan
ଏମିତିକା ବ୍ୟୟବହୁଳ କାମ ଏବଂ ପିଲାମାନଙ୍କ ସ୍କୁଲ୍ଫି’ ଏବଂ ପୋଷାକପତ୍ର ପାଇଁ ଚନ୍ଦ୍ରା ତାଙ୍କ ଆଖୁ ଫସଲ ଉପରେ ନିର୍ଭର କରନ୍ତି । ତିନି ମାସରେ ଥରେ ଧାନରୁ ହେଉଥିବା ଆୟ ଏବଂ ପରିବାପତ୍ର ବିକି ସେ ପ୍ରତିଦିନ ରୋଜଗାର କରୁଥିବା କେଇ ଶହ ଟଙ୍କା ତାଙ୍କୁ ଘର ଚଳାଇବାରେ ସାହାଯ୍ୟ କରେ। ଏଥିପାଇଁ ସେ ପ୍ରତିଦିନ ପ୍ରାୟ ୧୬ ଘଣ୍ଟା କାମ କରନ୍ତି । ଭୋର୍ ୪ଟାରୁ ଉଠି ସେ ଘରକାମ କରନ୍ତି, ରୋଷେଇ କରି ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ୟାକ୍କରନ୍ତି ।
ପରେ ସେ କ୍ଷେତକୁ ଯାଇ ବାଇଗଣ, ଭେଣ୍ଡିଓ ଲାଉ ତୋଳନ୍ତି । ତା ପରେ ସେ ଧନୁଷ ଓ ଇନିୟାଙ୍କୁ ପ୍ରସ୍ତୁତ କରି ସ୍କୁଲ୍ଯାଏଁ ଛାଡ଼ିବାକୁ ଯାଆନ୍ତି। ଓଠ ଚାପି ହସି ହସି ସେ କହନ୍ତି, “ବାପାମାଆମାନେ ଔପଚାରିକ ପୋଷାକରେ ପିଲାମାନଙ୍କୁ ଛାଡ଼ିବାକୁ ଆସିବେ ବୋଲି ସେମାନେବାଧ୍ୟ କରନ୍ତି । ତେଣୁ ମୁଁ ନାଇଟି ଉପରେ ଶାଢ଼ିଟିଏ ଗୁଡ଼ାଇଯାଏ ।” ଫେରିବା ପରେ ସେ କ୍ଷେତକୁ ଯାଇ ଦିପହର ଯାଏଁ କାମ କରନ୍ତି । “ହୁଏତ ମୁଁ ଅଧା ଘଣ୍ଟା ପାଇଁ ବିଶ୍ରାମ ନିଏ । କିନ୍ତୁ କ୍ଷେତରେ କାମ ତ ସବୁବେଳେ ଲାଗିଥାଏ । ସବୁବେଳେ ।”
ହାଟବଜାର ଦିନ, ଚନ୍ଦ୍ରା ତାଙ୍କ ମୋପେଡ୍ରେ ପରିବା ବସ୍ତା ବୋଝେଇ କରି ଶିବଗଙ୍ଗାଇକୁ ଯାଆନ୍ତି । “ପିଲାଦିନେ ମୁଁ କୋଉଠିକି ହେଲେ ଏକୁଟିଆ ଯାଉ ନଥିଲି । ମତେ ଡର ଲାଗୁଥିଲା । ଏବେ, ମୁଁ ଦିନକୁ ଚାରି ଥର ସହର ଭିତରକୁ ଯାଏ ।”

Roy Benadict Naveen
ମଞ୍ଜି, ସାର ଓ କୀଟନାଶକ କିଣିବା ପାଇଁ ଚନ୍ଦ୍ରା ଶିବଗଙ୍ଗାଇକୁ ଯାଆନ୍ତି । “ସ୍କୁଲ୍ରେ ବଡ଼ଦିନ କାର୍ଯ୍ୟକ୍ରମ ପାଇଁ ନୂଆ ପୋଷାକ ଆଣିବାକୁ ଗତକାଲି ଇନିୟା କହିଲା । ତା ବି ସାଙ୍ଗେ ସାଙ୍ଗେ ଆଣିଦିଅ !” ଖୁସିରେ ଅଳ୍ପ ହସନ୍ତି ସେ । ବିଶେଷତଃ ଧାନ ଅମଳ ସମୟରେ କ୍ଷେତରେ କାମ କରୁଥିବା ବ୍ୟକ୍ତିଙ୍କ ମଜୁରି ସମେତ ଅନ୍ୟାନ୍ୟ ନିତିଦିନିଆ ଖର୍ଚ୍ଚ ସେ ପରିବାପତ୍ର ବିକି ତୁଲାନ୍ତି । “କେଉଁ କେଉଁ ସପ୍ତାହରେ ମୁଁ ୪୦୦୦ ଟଙ୍କା ରୋଜଗାର କରେ । କିନ୍ତୁ ଦର କମିଗଲେ ତା’ର ଅଧା ବି ହୁଏନି ।” ଖୁଚୁରାରେ ନିଜ ଜିନିଷ ବିକିବା ଲାଗି ଏହି କ୍ଷୁଦ୍ରଚାଷୀ ଜଣକ ବଜାରରେ ଘଣ୍ଟା ଘଣ୍ଟା କାଟନ୍ତି । ଏମିତି କଲେ ପାଇକାରୀ ବେପାରୀଙ୍କ ଦରଠାରୁ କିଲୋଗ୍ରାମ ପିଛା ୨୦ ଟଙ୍କା ଯାଏଁ ଅଧିକ ମିଳେ ।

Roy Benadict Naveen
ସାଧାରଣତଃ ସଞ୍ଜ ନଇଁବା ପୂର୍ବରୁ, ପିଲାମାନେ ସ୍କୁଲ୍ରୁ ଫେରିବା ବେଳକୁ ଫେରିଆସନ୍ତି । ସେ କାମ କରୁଥିବା ବେଳେ ପିଲାମାନେ ପଡ଼ିଆରେ କିଛି ସମୟ ଖେଳନ୍ତି ଏବଂ ତାଙ୍କ ସହ ଘରକୁ ଯାଆନ୍ତି । ଧନୁଷ ଏବଂ ଇନିୟା ସେମାନଙ୍କର ହୋମ୍ୱାର୍କ କରନ୍ତି, କିଛି ସମୟ ଟେଲିଭିଜନ ଦେଖନ୍ତି ଏବଂ ସେମାନଙ୍କର କୁକୁରଛୁଆ ଏବଂ ଧଳାମୂଷାଙ୍କ ସହ ଖେଳନ୍ତି । “ମୋ ମାଆ ଭାବନ୍ତି, ଧଳାମୂଷାଗୁଡ଼ାକ କୋଉ କାମକୁ ନୁହନ୍ତି । ସେ ସେମାନଙ୍କୁ ମୂଷା ବୋଲି କହନ୍ତି ଏବଂ ଛେଳି କାହିଁକି ପାଳୁନାହଁ ବୋଲି ମତେ ଗାଳି ଦିଅନ୍ତି ।” ଚନ୍ଦ୍ରା ସାମାନ୍ୟ ହସି ପିଞ୍ଜରା ଭିତରୁ ଗୋଟିଏ ଧଳାମୂଷା ଆଣି ଆଦର କରନ୍ତି । “କିନ୍ତୁ ଗଲା ସପ୍ତାହରେ ମୁଁ ଯେତେବେଳେ ସେମାନଙ୍କ ପାଇଁ ବଜାରରୁ ଗାଜର କିଣୁଥିଲି, କେହି ଜଣେ ସେଗୁଡ଼ିକ ବିକିବାକୁ ରଖିଛ କି ବୋଲି ପଚାରିଲେ ।” ସେ ଭାବେ ସେ ହୁଏତ ଏହି ଲୋମଯୁକ୍ତ ମୂଷାଗୁଡ଼ିକୁ ଲାଭ ପାଇଁ ବିକି ଦେବେ ।

Roy Benadict Naveen
ତାହା ହିଁ ସେହି ଚନ୍ଦ୍ରା: ଖରାପକୁ ସର୍ବୋତ୍ତମରେ ପରିଣତ କରିବା, ବିଚକ୍ଷଣତା ଏବଂ ବୁଦ୍ଧିମତ୍ତାର ପରିଚୟ ଦେବା। ଧାଡ଼ି ଧାଡ଼ି ନଡ଼ିଆ ଗଛ ପାର କରି ଯିବା ବେଳେ ଉଦାସ କଣ୍ଠରେ ସେ ମତେ କହନ୍ତି ଯେ ଆଉ ସେ ସେହି ଗଛ ଚଢୁନାହାନ୍ତି । “କେମିତି ଆଉ ପାରିବି ଯେ ? ଏବେ ମୁଁ ଆଠ ବର୍ଷ ପୁଅର ମାଆ ।” ପର ମୁହୂର୍ତ୍ତରେ ସେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କ କଥା, ଚେନ୍ନାଇରେ ବନ୍ୟା ଏବଂ ଚାଷୀମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନର କଥା କହନ୍ତି । “ମୁଁ ଯେତେବେଳେ କୋଉ ଅଫିସ୍କି ବ୍ୟାଙ୍କ୍କୁ ଯାଏ ଏବଂ ମୋ ପରିଚୟ ଦିଏ, ସେମାନେ ମତେ ଗୋଟେ କୋଣରେ ଅପେକ୍ଷା କରିବାକୁ କହନ୍ତି ।” ଚନ୍ଦ୍ରା ପଚାରନ୍ତି, ଯେଉଁ ବ୍ୟକ୍ତିମାନେ ତୁମମାନଙ୍କ ଖାଦ୍ୟ ପାଇଁ ଚାଷବାସ କରୁଛନ୍ତି, ସେମାନଙ୍କ ପାଇଁ ଚଉକି କାହିଁ?
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/କ୍ଷୁଦ୍ର-ଚାଷୀ-ବୃହତ୍ହୃଦୟ-ବିସ୍ମୟ-ବାଇକ୍

