ଯେତେବେଳେ ବନ୍ୟା ଜଳ ବଢ଼ିବା ଆରମ୍ଭ ହେଲା, ପାର୍ବତୀ ବାସୁଦେବ ତାଙ୍କ ସ୍ୱାମୀଙ୍କର ମୁକୁଟ ସାଙ୍ଗରେ ନେଇ ଘରୁ ବାହାରିଗଲେ। "ଆମେ କେବଳ ସାଙ୍ଗରେ ଏଇଟି ଏବଂ ଚିପଲି (ଏକ ବାଦ୍ୟ ଯନ୍ତ୍ର) ସାଙ୍ଗରେ ଆଣିଥିଲୁ। ପରିସ୍ଥିତି ଯାହା ହେଉନା କାହିଁକି ଆମେ ଏହି ମୁକୁଟ ଛାଡ଼ିପାରିବୁ ନାହିଁ," ସେ କହିଲେ। ଏହି ମୁକୁଟରେ ଲାଗିଛି ମୟୂର ଚୂଳ ଏବଂ ତାଙ୍କ ସ୍ୱାମୀ ଗୋପାଳ ବାସୁଦେବ ଭକ୍ତି ସଙ୍ଗୀତ ଗାଇବା ସମୟରେ ଏହା ପିନ୍ଧିଥାନ୍ତି।
ଅଗଷ୍ଟ ୯ ତାରିଖ ଦିନ, ୭୦ ବର୍ଷରୁ ଅଧିକ ବୟସ୍କ ଗୋପାଳ ସ୍କୁଲ୍ ଘରର ଗୋଟିଏ କୋଣରେ ବସିଥିଲେ, ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ନିରାଶା ଫୁଟି ଉଠୁଥିଲା। "ମୋର ତିନୋଟି ଛେଳି ମରିଗଲେ ଏବଂ ଯେଉଁ ଗୋଟିଏ ଛେଳି ରକ୍ଷା ପାଇଯାଇଥିଲା ସେଇଟି ମଧ୍ୟ ରୋଗରେ ପଡ଼ି ମରିଗଲା," ସେ କହିଲେ। ଗୋପାଳଙ୍କର ଜାତି ହେଉଛି ବାସୁଦେବ, ଏହି ସମ୍ପ୍ରଦାୟର ଲୋକେ ପ୍ରଭୁ କୃଷ୍ଣଙ୍କର ପୂଜା କରନ୍ତି, ଦ୍ୱାର ଦ୍ୱାର ବୁଲି ଭକ୍ତି ସଙ୍ଗୀତ ଗାନ କରି ଭିକ୍ଷା ସଂଗ୍ରହ କରନ୍ତି। ବର୍ଷାଦିନେ, ସେ ତାଙ୍କର ଗାଁରେ, ଭିଣ୍ଡେୱାଡ଼େ, କୋହ୍ଲାପୁର ଜିଲ୍ଲାର ହଟକାନାଙ୍ଗଲେ ତାଲୁକାରେ, ଚାଷ ଜମିରେ ମଜୁରିଆ ଭାବରେ କାମ କରନ୍ତି। ସେ କାନ୍ଦ କାନ୍ଦ ହୋଇ କହିଲେ "ମାସେ ହେଲାଣି ଜମିରେ କିଛି କାମ ଦାମ ନାହିଁ, ପ୍ରବଳ ବର୍ଷା ଲାଗି ରହିଛି ଓ ଏବେ ପୁଣି ବନ୍ୟା ଆସିଲାଣି।"
ଭିଣ୍ଡେୱାଡ଼େରେ ଚାଷୀମାନେ ଏବର୍ଷ ଖରିଫ୍ ଋତୁର ବୁଣାବୁଣି ବିଳମ୍ବରେ ଜୁଲାଇ ମାସରେ ଆରମ୍ଭ କରିଥିଲେ କାରଣ ବର୍ଷା ଡେରିରେ ଆସିଥିଲା- ପ୍ରଥମ ଅସରା ବର୍ଷା ସାଧାରଣତଃ ଜୁନ୍ ଆରମ୍ଭରେ ହୋଇଥାଏ କିନ୍ତୁ ଏଥର ବର୍ଷା ହେଲା ନାହିଁ ତେଣୁ ସୋୟାବିନ୍, ଚିନାବାଦାମ୍, ଆଖୁ ଫସଲ ପାଇଁ ପାଣି ପାଇଁ ମାସେ ଅପେକ୍ଷା କରିବାକୁ ପଡ଼ିଲା।


















