ଜୁଲାଇ ୨୦୨୧ରେ ଯେତେବେଳେ ବନ୍ୟା ପାଣି ତାଙ୍କ ଘରେ ପ୍ରବେଶ କଲା ଶୁଭାଙ୍ଗୀ କାମ୍ବଲେ ନିଜର ସବୁ ଜିନିଷପତ୍ର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେଲେ। ତେବେ, ଘରୁ ଯିବା ସମୟରେ, ସେ ତରବର ହୋଇ ଦୁଇଟି ନୋଟ୍ ଖାତା ସାଥୀରେ ନେଇ ଯାଇଥିଲେ।
ଆଗାମୀ ସପ୍ତାହ ଓ ମାସଗୁଡ଼ିକରେ, ୧୭୨ ଲେଖାଏଁ ପୃଷ୍ଠା ଥିବା ଏ ଦୁଇଟି ଖାତା, ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ତାଙ୍କୁ ସହାୟକ ହୋଇଥିଲା ।
ସେତେବେଳକୁ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଥିବା ତାଙ୍କ ଗ୍ରାମ ଅର୍ଜ୍ଜୁନୱାଡ଼ ଆଉ ଏକ ବିପତ୍ତିକୁ ନେଇ ସଂଘର୍ଷ କରୁଥିଲା – ସେହି ବିପତ୍ତିଟି ଥିଲା କୋଭିଡ-୧୯ ସଂକ୍ରମଣ ବୃଦ୍ଧି । ଆଉ ଶୁଭାଙ୍ଗୀଙ୍କ ସେହି ନୋଟ୍ ଖାତାରେ ଗାଁର ସବୁ କରୋନା ଭୂତାଣୁ ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ସ୍ପଷ୍ଟ ଭାବେ ଲେଖାଯାଇଥିଲା। ଏଥିରେ ସଂକ୍ରମିତଙ୍କ ଫୋନ ନମ୍ବର, ଠିକଣା, ପରିବାରର ଅନ୍ୟ ସଦସ୍ୟମାନଙ୍କର ବିବରଣୀ, ସେମାନଙ୍କର ଚିକିତ୍ସା ଇତିହାସ, ସ୍ୱାସ୍ଥ୍ୟ ରେକର୍ଡ ଏବଂ ଆହୁରି ଅନ୍ୟାନ୍ୟ ତଥ୍ୟ ରହିଥିଲା।
ଭାରତର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ୨୦୦୫ ଅଧୀନରେ ନିଯୁକ୍ତି ପାଇଥିବା ୧୦ ଲକ୍ଷରୁ ଅଧିକ ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ଅନ୍ୟତମ, ଏହି ୩୩ ବର୍ଷୀୟା ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) କୁହନ୍ତି ଯେ, ‘‘କୋଭିଡ ରିପୋର୍ଟ (ଗାଁରେ କରାଯାଇଥିବା ଆରଟି-ପିସିଆର ପରୀକ୍ଷା) ପ୍ରଥମେ ମୋ ପାଖକୁ ଆସୁଥିଲା।’’ ଶିରୋଲି ତାଲୁକାର ବନ୍ୟା ସହାୟତା ଶିବିରକୁ ସ୍ଥାନାନ୍ତରିତ ହୋଇଥିବା ଜଣେ ସଂକ୍ରମିତ ଗ୍ରାମବାସୀଙ୍କ ଯୋଗୁଁ ଅତିକମ୍ରେ ୫,୦୦୦ ଲୋକ ଭୂତାଣୁ ସଂକ୍ରମଣ ବିପଦ ଘେରକୁ ଚାଲି ଆସିଥିଲେ। ତେବେ ଶୁଭାଙ୍ଗୀଙ୍କ ନୋଟ ଖାତା ତାଙ୍କୁ ଜଣେ କୋଭିଡ ସଂକ୍ରମିତ ଗ୍ରାମବାସୀଙ୍କ ସ୍ଥିତି ଜାଣିବାରେ ସହାୟକ ହୋଇଥିଲା।
‘‘ବନ୍ୟା କାରଣରୁ, ଅଧିକାଂଶ ଲୋକଙ୍କ ଫୋନ୍ ବନ୍ଦ ଥିଲା କିମ୍ବା ନେଟୱର୍କ କ୍ଷେତ୍ର ବାହାରେ ଥିଲା,’’ ସେ କୁହନ୍ତି । ଶୁଭାଙ୍ଗୀ ୧୫ କିଲୋମିଟର ଦୂର ତେରୱାଡ଼ରେ ଥିବା ନିଜ ମା’ଙ୍କ ଘରକୁ ଚାଲିଯାଇଥିଲେ। ତୁରନ୍ତ ସେ ନିଜର ହାତଲେଖା ରେକର୍ଡ ଖୋଜିଲେ ଏବଂ ଶିବିରରେ ଥିବା ଅନ୍ୟ କିଛି ଲୋକଙ୍କ ଫୋନ୍ ନମ୍ବର ପାଇଲେ । ‘‘ଯେମିତି ବି ହେଉ ମୁଁ ସେହି ରୋଗୀଙ୍କ ସହିତ ଯୋଗାଯୋଗ କରିବାରେ ସକ୍ଷମ ହେଲି।’’






















