ସେ କୋହ୍ଲାପୁରର ଏହି ଦୃଢ଼ ନଦୀବନ୍ଧର ଏକ ଛୋଟିଆ ସେତୁ ଉପରେ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ତଳେ ଶାନ୍ତ ଓ ଅବିଚଳିତ ଭାବରେ ବସିଛନ୍ତି, ଯାହାକୁ କି ସେ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ଗଢ଼ିଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଆମେ ତାଙ୍କୁ ଲଗାତର ପ୍ରଶ୍ନ ପଚାରି ଚାଲିଥିଲୁ ଆଉ ସେ ଧୈର୍ଯ୍ୟର ସହିତ ଉତ୍ତର ଦେଇଥିଲେ। କେବଳ ସେତିକି ନୁହେଁ ଆମ ସହିତ ପୋଲ ଉପରେ ଚାଲି ଚାଲି ଯାଇଥିଲେ - ୧୯୫୯ ମସିହାରେ କିପରି ଭାବରେ ଏହି ବନ୍ଧ ଜୀବନଲାଭ କରିଥିଲା ଗୋଟି ଗୋଟି ବୁଝାଇ ଦେଇଥିଲେ।
ଷାଠିଏ ବର୍ଷ ତଳେ, ଗଣପତି ଈଶ୍ୱର ପାଟିଲଙ୍କର ଜଳସେଚନ ଉପରେ ଗଭୀର ଦକ୍ଷତା ଥିଲା, ଏବଂ ସେ ଚାଷ ଓ ଚାଷୀଙ୍କୁ ବୁଝିଥିଲେ। ସେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ବିଷୟରେ କେବଳ ଜାଣନ୍ତି ନାହିଁ - ଏଥିରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏବେ ତାଙ୍କର ବୟସ ୧୦୧ ବର୍ଷ ଆଉ ସେ ହେଉଛନ୍ତି ବଞ୍ଚି ରହିଥିବା ମାତ୍ର କେତେ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଜଣେ।
ସେ କହିଲେ, ‘‘ମୁଁ କେବଳ ଏକ ବାର୍ତ୍ତାବହ ଥିଲି,’’ ୧୯୩୦ ମସିହାଠାରୁ ତାଙ୍କ ଜୀବନର ସରଳତା ଓ ନିଷ୍କପଟତାକୁ ପ୍ରତିଫଳିତ କରି କହିଥିଲେ। ‘‘ଲୁଚିଛପି ଚାଲିଥିବା ବ୍ରିଟିଶ ବିରୋଧୀ ଆନ୍ଦୋଳନ ପାଇଁ ମୁଁ ଏକ କୋରିଅର୍ ଥିଲି।’’ ଏଥିରେ ନିଷିଦ୍ଧ ହୋଇଥିବା କମ୍ୟୁନିଷ୍ଟ ବିପ୍ଳବୀ ଦଳ, ସମାଜବାଦୀ ଦଳ ଏବଂ କଂଗ୍ରେସ ଦଳ (୧୯୪୨ ମସିହା ବେଳକୁ ଭାରତ ଛାଡ଼ ଆନ୍ଦୋଳନ ସମୟରେ)ର ଗୋଷ୍ଠୀ ଅନ୍ତର୍ଭୁକ୍ତ। ସେ ନିଶ୍ଚୟ ଏଥିରେ ଧୂରନ୍ଧର ଥିଲେ - କାରଣ କେବେବି ଧରା ପଡ଼ିନଥିଲେ। ସେ ଆବେଗଭରା ସ୍ୱରରେ କହିଥିଲେ ‘‘ମୁଁ କେବେବି ବନ୍ଦୀଶାଳାକୁ ଯାଇନାହିଁ,’’। ଅନ୍ୟମାନେ ମଧ୍ୟ ଆମକୁ କହିଥିଲେ ଯେ ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ତାମ୍ର ପାତ୍ର (ଲିଖିତ ଉପଢ଼ୌକନ) ଏପରିକି ୧୯୭୨ ମସିହା ପରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦିଆଯାଉଥିବା ଭତ୍ତା ଗ୍ରହଣ କରିନଥିଲେ।







