ଶିଳାଲିପିରେ ଲେଖାଅଛି "ସମସ୍ତ ଆତ୍ମାର ପରିସମାପ୍ତି ଘଟିବ"। ଏହା ଭବିଷ୍ୟଦ୍ବାଣୀ ନୁହେଁ କିନ୍ତୁ ନୂଆ ଦିଲ୍ଲୀର ସବୁଠାରୁ ବଡ କବରଖାନାମାନଙ୍କ ମଧ୍ୟରୁ ଅନ୍ୟତମ ଜଦିଦ୍ ଅଲ୍-ଇ-ଇସଲାମ୍ କବ୍ରିସ୍ତାନ କବରଖାନାର ପ୍ରାୟ ଅଧିକାଂଶ ସମାଧି ଫଳକରେ ଏହା ଖୋଦିତ ହୋଇଛି।
كُلُّ نَفْسٍ ذَائِقَةُ الْمَوْتِ - ଏହି କ୍ଷୁଦ୍ର ପଂକ୍ତିଟି କୋରାନ୍ରୁ ଆସିଛି ଏବଂ ଏହା ପ୍ରାୟ ସମସ୍ତ ମୁସଲିମ୍ କବରଖାନାର ଅନ୍ଧକାରମୟ ବାତାବରଣକୁ ସ୍ଥିରତା ଓ ବିଷାଦରେ ଭରିଦିଏ। ଗୋଟିଏ ଆମ୍ବୁଲାନ୍ସ ଏଠାକୁ ଅନ୍ୟ ଏକ ମୃତ ଶରୀର ଆଣେ ଯାହାର ଆତ୍ମୀୟ ସ୍ୱଜନ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶେଷ ପ୍ରାର୍ଥନା କରନ୍ତି। ଭ୍ୟାନ୍ଟି ଖାଲି ହେବା ମାତ୍ରେ କବରରେ ମୃତ ବ୍ୟକ୍ତିଙ୍କୁ ରଖାଯାଏ। ତା’ପରେ ଗୋଟିଏ ମେସିନ୍ କବରଟିକୁ ମାଟିରେ ପୂର୍ଣ୍ଣ କରିଦିଏ।
ବାହାଦୁର ଶାହ ଜାଫର ମାର୍ଗରେ ମିଡିଆ କମ୍ପାନିଗୁଡିକ ରହିଥିବା ଏକ କାର୍ଯ୍ୟାଳୟର ପାର୍ଶ୍ୱରେ ଥିବା ଏହି କବରଖାନାର ଗୋଟିଏ କୋଣରେ ବସି ୬୨ ବର୍ଷୀୟ ନିଜାମ ଅଖତର ମୃତ ବ୍ୟକ୍ତିମାନଙ୍କର ନାମ ସମାଧି ଫଳକରେ ଲେଖୁଥାନ୍ତି, ସେ ସେମାନଙ୍କୁ ମେହେରାବ ନାମରେ ସମ୍ବୋଧନ କରନ୍ତି। ବ୍ରସ୍(ସୁନ୍ଦର ହସ୍ତଲିପି ଲିଖନରେ ବ୍ୟବହୃତ ବ୍ରସ୍) ଟିକୁ ନିଜ ଆଙ୍ଗୁଠି ମଧ୍ୟରେ ନିପୁଣତାର ସହ ରଖି ସେ ଏକ ଦାଗ ଦିଅନ୍ତି- ଉର୍ଦ୍ଦୁ ଭାଷାର କିଛି ଲିପି ଉପରେ ଏକ ଦାଗ ଯାହାକି ଏକ ନିର୍ଦ୍ଦିଷ୍ଟ ଉଚ୍ଚାରଣକୁ ବୁଝାଏ। ଏବଂ ସେ ଲେଖୁଥିବା ଶବ୍ଦଟି ହେଉଛି ‘ଦୁର୍ଦନା’ - କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କର ନାମ।
ନିଜାମ ପ୍ରକୃତରେ ସମାଧି ଫଳକ ଉପରେ ସୁନ୍ଦର ଓ ଜଟିଳ ହସ୍ତଲିପିରେ ନାମ ଓ ଏଥିପାଇଁ ବ୍ୟବହୃତ ହେଉଥିବା ଶବ୍ଦଗୁଡିକୁ ରଙ୍ଗରେ ଆଙ୍କିଦିଅନ୍ତି। ଏହା ପରେ ତାଙ୍କର ସହକର୍ମୀ ଗୋଟିଏ ହାତୁଡି ଓ ନିହଣ ସାହାଯ୍ୟରେ ଏହି ଶବ୍ଦଗୁଡିକୁ ଶିଳାଲିପି ଉପରେ ସଠିକ୍ ଭାବରେ ଖୋଦନ କରନ୍ତି - ସେ ଏହା କରିବା ସମୟରେ ରଙ୍ଗ ଆପେ ଆପେ ଲିଭିଯାଏ
ହସ୍ତ ଲିଖନ ବିଶାରଦ ନିଜାମ ମୃତ ବ୍ୟକ୍ତିଙ୍କର ନାମ ସମାଧିଫଳକରେ ଦୀର୍ଘ ୪୦ ବର୍ଷ ହେବ ଲେଖି ଆସୁଛନ୍ତି। ସେ କୁହନ୍ତି," ମୁଁ ଏ ପର୍ଯ୍ୟନ୍ତି କେତୋଟି ସମାଧି ଫଳକରେ କାମ କରିଛି ମୋର ମନେ ନାହିଁ।" ସେ କୁହନ୍ତି,"ଏହି ଏପ୍ରିଲ୍ ଓ ମଇ ମାସରେ କୋଭିଡରେ ମୃତ୍ୟୁ ବରଣ କରିଥିବା ପ୍ରାୟ ୧୫୦ ଜଣ ଲୋକଙ୍କର ନାମ ମୁଁ ସମାଧିଫଳକରେ ଲେଖିଛି ଏବଂ ସମାନ ସଂଖ୍ୟକ ଅନ୍ୟ କାରଣରୁ ମୃତ୍ୟୁ ବରଣ କରିଥିବା ଲୋକଙ୍କର ନାମ ମଧ୍ୟ। ପ୍ରତ୍ୟକ ଦିନ ମୁଁ ତିନ ରୁ ପାଞ୍ଚଟି ଶିଳାର କାମ ଶେଷ କରେ। ଶିଳାର ଗୋଟିଏ ପାର୍ଶ୍ୱରେ ଲେଖିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗେ।" ତାହା ପୁଣି ଉର୍ଦ୍ଦୁରେ। ଅପର ପାର୍ଶ୍ୱରେ, ସାଧାରଣତଃ, ସେ ମୃତ ବ୍ୟକ୍ତିଙ୍କ ନାମ କେବଳ ଇଂରାଜୀରେ ଲେଖନ୍ତି। ମୋର ତାଙ୍କର ବକ୍ତବ୍ୟକୁ ଲେଖିବା ର ଦେଖି, ସେ ହସିହସି ଭଦ୍ର ଭାବରେ ଉପହାସ କରି କହିଲେ," ଏହା ଏକ ପୃଷ୍ଠାକୁ ଏକ ସେକେଣ୍ଡରେ ପୂରଣ କରିବା ପରି ନୁହେଁ"।













