କରୋନା ଭୂତାଣୁ ସମ୍ବନ୍ଧିତ ତାଙ୍କର ପ୍ରଥମ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଷ୍ଟାତ୍ମାମାନଙ୍କୁ ଘଉଡ଼ାଇବା ପାଇଁ ଲୋକେ ସେମାନଙ୍କର ଗିନା ଓ ଥାଳି ଜୋରରେ ପିଟନ୍ତୁ ବୋଲି କହି ଆମ ଭିତରେ ଭୀତିସଂଚାର କରାଇଥିଲେ ।
ତାଙ୍କ ଦ୍ଵିତୀୟ ଭାଷଣରେ ସେ ଆମର ସମସ୍ତ ସାମର୍ଥ୍ୟକୁ ଆଶଙ୍କାରେ ଆଚ୍ଛାଦିତ କରିଦେଇଥିଲେ ।
ଆଗାମୀ ସପ୍ତାହଗୁଡିକରେ ଜନସାଧାରଣ, ବିଶେଷକରି ଗରିବମାନେ କିଭଳି ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ପାଇପାରିବେ ସେ ବିଷୟରେ ଗୋଟିଏ ମଧ୍ୟ ଶବ୍ଦ କୁହାଯାଇନଥିବା ବେଳେ, ଏହା ଯୋଗୁଁ ଲୋକମାନଙ୍କ ମଧ୍ୟରେ ଏକ ଅଜଣା ଆତଙ୍କ ଖେଳିଗଲା । ଦୋକାନ ଓ ବଜାରରେ ମଧ୍ୟମ ବର୍ଗର ଲୋକମାନଙ୍କର ଭିଡ ଜମିଲା –ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯାହା କରିବା ସହଜ ନୁହେଁ । ସହର ଛାଡି ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ନୁହେଁ । ଏପରିକି କ୍ଷୁଦ୍ର ବୁଲାବିକାଳି, ଘରୋଇ ସହାୟକ, କୃଷିକ୍ଷେତ୍ରରେ କାମକରୁଥିବା ଶ୍ରମିକମାନଙ୍କ ପାଇଁ ମଧ୍ୟ ନୁହେଁ । ଯେଉଁ ଚାଷୀମାନେ ସେମାନଙ୍କ ରବିଫସଲ ଅମଳ କରିବାକୁ ଅସମର୍ଥ ବା ଯେଉଁମାନେ ଅମଳ କରିବାକୁ ଯାଇ ଫସି ଯାଇଛନ୍ତି, ସେମାନଙ୍କ ପାଇଁ ମଧ୍ୟ ନୁହେଁ । ଏହା ସେହି କୋଟି କୋଟି ନାମମାତ୍ର ଭାରତୀୟଙ୍କ ପାଇଁ ମଧ୍ୟ ନୁହେଁ ।
ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ୍ - ଯାହା ଗତକାଲି, ମାର୍ଚ୍ଚ ୨୬ରେ ଘୋଷଣା କରାଯାଇଛି–ସେଥିରେ ଏହାହିଁ ଏକମାତ୍ର ବିଷୟ ଯାହାକି, ସରକାରଙ୍କୁ ଲଜ୍ଜାଜନକ ସ୍ଥିତିରୁ ଉଦ୍ଧାର କରିପାରିବ: ପୂର୍ବରୁ ପିଡିଏସ୍ ବା ସାଧାରଣବଣ୍ଟନ ବ୍ୟବସ୍ଥା ଅଧୀନରେ ଦିଆଯାଉଥିବା ଖାଉଟି ସାମଗ୍ରୀ ସହିତ ବ୍ୟକ୍ତି ପିଛା ଆଉ ୫କେଜି ଗହମ ବା ଚାଉଳ ତିନିମାସ ପର୍ଯ୍ୟନ୍ତ ଦିଆଯିବ । ସେଠାରେ ମଧ୍ୟ ଏହା ସ୍ପଷ୍ଟ ନୁହେଁ ଯେ ପୂର୍ବରୁ ଦିଆଯାଉଥିବା ବା ବର୍ତ୍ତମାନ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ୫କେଜି ମଧ୍ୟ ମାଗଣାରେ ଦିଆଯିବ ନା ଏଥିପାଇଁ କିଛି ଅର୍ଥ ଦେବାକୁ ହେବ । ଯଦି ସେଥିପାଇଁ ଅର୍ଥ ଦେବାକୁ ହୁଏ, ତେବେ ଏହାଦ୍ୱାରା କୌଣସି ଲାଭ ହେବ ନାହିଁ । ଏହି “ପ୍ୟାକେଜ୍’’ରେ ଥିବା ଅଧିକାଂଶ ଉପାଦାନରେ ପୂର୍ବ ପ୍ରଚଳିତ ବିଭିନ୍ନ ଯୋଜନା ପାଇଁ କରାଯାଇଥିବା ବ୍ୟୟବରାଦ ବାବଦ ଅର୍ଥରାଶି ସମ୍ମିଳିତ। ଏମ୍ଜିଏନ୍ଆର୍ଇଜିଏ ( MGNREGA) ଅଧୀନରେ ଯେଉଁ ୨୦ଟଙ୍କାର ମଜୁରି ବୃଦ୍ଧି କରାଯାଇଛି ତାହା, ଯାହାହେଉ ନା କାହିଁକି – ସେଥିରେ ଅତିରିକ୍ତ କାର୍ଯ୍ୟ ଦିବସ ବିଷୟରେ କେଉଁଠାରେ ଉଲ୍ଲେଖ କରାଯାଇଛି? ଏହାସହିତ ଥରେ ସେମାନେ ସାମାଜିକ ଦୂରତ୍ୱ ରକ୍ଷାକରିବା ନିୟମ ପାଳନ କରିବାକୁ ଆରମ୍ଭ କରିବା ପରେ ସେମାନେ କିଭଳି ଓ କେଉଁ ପ୍ରକାରର କାମକରି ଏହାକୁ ବଜାୟ ରଖିପାରିବେ? ଯେଉଁ ପରିମାଣର କାମ ଆବଶ୍ୟକ,ତାହାର ପ୍ରସ୍ତୁତିରେ ଯେଉଁ କେତେକ ସପ୍ତାହ ସମୟ ଲାଗିବ, ସେହି ଖାଲି ସମୟରେ ଲୋକମାନେ କ’ଣ କରିବେ? ସେମାନଙ୍କ ସ୍ୱାସ୍ଥ୍ୟ କ’ଣ ସେମାନଙ୍କୁ କାମ କରିବାକୁ ଅନୁମତି ଦେବ? ଆମେ ଏମ୍ଜିଏନ୍ଆର୍ଇଜି ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ଓ କୃଷକମାନଙ୍କୁ ଏହି ସଂକଟ ଯେତେବେଳ ପର୍ଯ୍ୟନ୍ତ ଦୂର ହୋଇନାହିଁ, ସେତେବେଳ ପର୍ଯ୍ୟନ୍ତ ସେମାନଙ୍କ ଦୈନିକ ମଜୁରି ପ୍ରଦାନ କରିବା ଉଚିତ୍, କାମ ହେଉ ବା ନହେଉ ।
ପିଏମ୍-କିଷାନ୍ ଯୋଜନା ଅଧୀନରେ ଯେଉଁ ୨୦୦୦ଟଙ୍କା ହିତାଧିକାରୀଙ୍କୁ ମିଳିବ ତାହା ପୂର୍ବରୁ ନିର୍ଦ୍ଧାରିତ ଓ ଉଚିତ ଅଟେ- ଏଥିରେ ନୂଆ କ’ଣ ଅଛି? ତ୍ରୈମାସିକର ଶେଷ ମାସରେ ସେମାନଙ୍କୁ ଦେୟ ପ୍ରଦାନ କରାଯିବା ପରିବର୍ତ୍ତେ ଏହାକୁ ଅଗ୍ରୀମ ଭାବେ ପ୍ରଥମ ମାସରେ ପ୍ରଦାନ କରାଯିବ । ଦେଶ ବ୍ୟାପୀ ଦେଖା ଦେଇଥିବା ଏହି ସ୍ୱାସ୍ଥ୍ୟ ସଙ୍କଟ ଓ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ୧.୭ଲକ୍ଷ କୋଟି ଟଙ୍କାର ଯେଉଁ ପ୍ୟାକେଜ୍ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ସେଥିରେ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯିବ ସେ ସଂପର୍କରେ ସ୍ପଷ୍ଟ ବିବରଣୀ ପ୍ରଦାନ କରାଯାଇ ନାହିଁ– ଏଥିରେ କ’ଣ ସବୁ ନୂଆ ଉପାଦାନ ରହିଛି ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ଏହି ଅଙ୍କରେ ପହଞ୍ଚିବା ପାଇଁ ଏହି ଅର୍ଥର କେତେ ଭାଗ ପୁରୂଣା ତଥା ପ୍ରଚଳିତ ଯୋଜନାକୁ ମିଶାଇ କରାଯାଇଛି? ସେଗୁଡିକ ବୋଧହୁଏ ଜରୁରୀକାଳୀନ ଉପାୟର ଯୋଗ୍ୟତା ହାସଲ କରିପାରିବେନି । ଆହୁରି ମଧ୍ୟ ପେନ୍ସନ୍ ଗ୍ରହୀତା, ବିଧବା ଓ ଦିବ୍ୟାଙ୍ଗମାନେ ଗୋଟିଏ ଥରରେ ପାଇବାକୁ ଥିବା୧୦୦୦ଟଙ୍କା ଆସନ୍ତା ତିନିମାସରେ ଦୁଇଟି କିସ୍ତିରେ ପାଇବେ ? ଏବଂ ଜନ ଧନ ଯୋଜନା ଆକାଉଣ୍ଟ ଥିବା୨୦ କୋଟି ମହିଳାଙ୍କୁ ତିନି ମାସ ପର୍ଯ୍ୟନ୍ତ ପ୍ରତି ମାସରେ ୫୦୦ଟଙ୍କା ଲେଖାଏଁ ପାଇପାରିବେ । ଏହା ତ କୌଣସି ପ୍ରତୀକାତ୍ମକ ଉଦ୍ୟମ ତୁଳନାରେ ମଧ୍ୟ ନିମ୍ନସ୍ତରର ଏବଂ ଜଘନ୍ୟ ।
ଯେଉଁଠାରେ ବିଦ୍ୟମାନ ଋଣ ରାଶି ପ୍ରାପ୍ତ କରିବା ଏକ ଅପ୍ରୀତିକର ଅନୁଭୂତି ଅଟେ ସେଠାରେ ସ୍ୱୟଂସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଗୁଡିକ ପାଇଁ ଋଣସୀମା ବୃଦ୍ଧି କରିବା ଦ୍ୱାରା ସ୍ଥିତି କିଭଳି ବଦଳିପାରିବ? ସେପରି ଏହି ‘ପ୍ୟାକେଜ୍’ ଦୂରବର୍ତ୍ତୀ ସ୍ଥାନରେ ଫସି ରହିଥିବା ଅଗଣିତ ପ୍ରବାସୀ ଶ୍ରମିକ, ଯେଉଁମାନେ ସେମାନଙ୍କ ଗାଁକୁ ଫେରିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପାଇଁ କେତେଦୂର ପର୍ଯ୍ୟନ୍ତ ସାହାଯ୍ୟକାରୀ ହୋଇପାରିବ? ଏହା ପ୍ରବାସୀଙ୍କ ପାଇଁ ସାହାଯ୍ୟକାରୀ ପ୍ରମାଣିତ ହେବ ବୋଲି ଯେଉଁ ଦାବି କରାଯାଉଛି ତାହା ଆଧାରହୀନ । ପ୍ରଭାବଶାଳୀ ଜରୁରୀକାଳୀନ ଉପାୟ ତିଆରି କରିବାରେ ବିଫଳ ହେବାର ପରିଣତି ଯଦି ଆତଙ୍କଜନକ, ତାହାହେଲେ ପ୍ୟାକେଜ୍ ପ୍ରସ୍ତୁତକାରୀଙ୍କ ମନୋଭାବ ମଧ୍ୟ ଭୟଙ୍କର ଅଟେ । ସେମାନେ ତୃଣମୂଳସ୍ତରରେ ବିକଶିତ ହେଉଥିବା ପରିସ୍ଥିତି ବିଷୟରେ ଅବଗତ ନଥିବା ପରି ଦେଖାଯାଉଛି ।






