‘‘ମୋର ମନେ ଅଛି ଆମ ଘର ଛାତ ଉପରୁ ମୂଷାଗୁଡ଼ିକ ଖସିପଡ଼ି ମୃତ୍ୟୁବରଣ କରୁଥିଲେ। ମୋ ପାଇଁ ଏହା ସବୁଠୁ ଅଶୁଭସୂଚକ ଦୃଶ୍ୟ ଥିଲା। ଆଜି ଏକଥା ଭାବିଲେ ଆମକୁ ହସ ଲାଗିପାରେ, କିନ୍ତୁ ଏମିତି ଦିନ ଥିଲା ଯେତେବେଳେ ଛାତରୁ ମୂଷା ଖସିବା ପରେ ଆମେ ଘର ଛାଡ଼ିବାକୁ ବାଧ୍ୟ ହେଉଥିଲୁ, ଆମେ କେବେ ଫେରିବୁ ଜାଣୁନଥିଲୁ।’’
କୋଏମ୍ବାଟୁର କଲାପଟ୍ଟୀର ବାସିନ୍ଦା ଏ. କୁଳନ୍ଦେଇଅମ୍ମାଲଙ୍କ ମନରେ ଅତୀତର ଏ ସ୍ମୃତି ସମ୍ପୂର୍ଣ୍ଣ ଜୀବନ୍ତ ଓ ସତେଜ ରହିଛି। ଏବେ ତାଙ୍କୁ ୮୦ ପାଖାପାଖି ବୟସ ହେବ, ସେ କିଶୋରାବସ୍ଥାରେ ସୁଦ୍ଧା ପହଞ୍ଚିନଥିଲେ, ୧୯୪୦ ମସିହାରେ ଶେଷ ଥର ପାଇଁ ତାମିଲନାଡ଼ୁ ସହରରେ ପ୍ଲେଗ୍ ବ୍ୟାପିଥିଲା।
ମହାମାରୀ କୋଏମ୍ବାଟୁର ସହର ପାଇଁ ଦୁର୍ଭାଗ୍ୟ ହୋଇ ରହିଆସିଛି। ବସନ୍ତଠାରୁ ଆରମ୍ଭ କରି ପ୍ଲେଗ୍ ପର୍ଯ୍ୟନ୍ତ ପୁଣି ହଇଜା ପ୍ରକୋପ-ଏସବୁ ରୋଗ ସବୁଆଡ଼େ ଥିଲେ ବି ଏହି ଅଞ୍ଚଳରେ ଯେମିତି କେନ୍ଦ୍ରିତ ହୋଇ ରହିଛି। ‘ପ୍ଲେଗ୍ ମାରିଅମ୍ମନ’ (‘କଳା ମାରିଅମ୍ମନ’ ନାମରେ ମଧ୍ୟ ପରିଚିତ) ମନ୍ଦିର ପ୍ରାୟ ସ୍ଥାନରେ ଦେଖିବାକୁ ମିଳିଥାଏ। ଏ ସହରରେ ସେଥିମଧ୍ୟରୁ ୧୬ଟି ରହିଛି।
ତେବେ, କୋଭିଡ-୧୯ ମହାମାରୀ ଆସିବା ପରେ ‘କରୋନା ଦେବୀ’ ମନ୍ଦିର ମଧ୍ୟ ମୁଣ୍ଡ ଟେକିଛି। ତଥାପି ପ୍ଲେଗ୍ ମାରିଅମ୍ମନ ଦେବୀଙ୍କ ନିକଟକୁ ଏବେ ବି ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ପଡ଼ୋଶୀ ତିରୁପ୍ପୁର ଜିଲ୍ଲାରେ ମଧ୍ୟ କେତେକ ମନ୍ଦିର ରହିଛି ଯେଉଁଠି ଏବେ ବି ପର୍ବପର୍ବାଣୀ ଆୟୋଜିତ ହେଉଛି ଏବଂ ଭକ୍ତମାନେ ଆସୁଛନ୍ତି।
୧୯୦୩ରୁ ୧୯୪୨ ମଧ୍ୟରେ କୋଏମ୍ବାଟୁର ସହର ଅତିକମ୍ରେ ୧୦ ଥର ପ୍ଲେଗ୍ ଲହରୀର ଶିକାର ହୋଇଥିଲା, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ବହୁ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା, ସହରର ମିଳିତ ସ୍ମୃତିରେ ଏବେ ବି ପ୍ଲେଗ୍ ଜୀବନ୍ତ ହୋଇ ରହିଛି। କୁଳନ୍ଦେଇଅମ୍ମାଲଙ୍କ ଭଳି ସହରର ବୃଦ୍ଧ ଲୋକମାନଙ୍କ ମନରେ ପ୍ଲେଗ୍ ଏକ କଳା ଇତିହାସ ହୋଇ ଜୀବନ୍ତ ରହିଛି।
କୋଳାହଳପୂର୍ଣ୍ଣ ଟାଉନ ହଲ୍ ଅଞ୍ଚଳରେ, ଏକ ବ୍ୟସ୍ତ ସନ୍ଧ୍ୟାରେ ଜଣେ ଫୁଲ ବିକ୍ରେତା ପ୍ଲେଗ୍ ମାରିଅମ୍ମନ ମନ୍ଦିର ବାହାରେ ବସିରହିବା ବୋଧହୁଏ ସବୁଠୁ ସାଧାରଣ ଦୃଶ୍ୟ। ୪୦ ବର୍ଷୀୟା କନାମ୍ମାଲଙ୍କ ଆଖି ଓ ହାତ ନିଖୁଣ ଭାବେ ଫୁଲ ହାର ଗୁନ୍ଥିବାରେ ବ୍ୟସ୍ତ ରହିଛି। ଅନ୍ୟତ୍ର ନଚାହିଁ ସେ କୁହନ୍ତି, ‘‘ଆଜି ହେଉଛି ଶୁକ୍ରବାର। ‘‘ଅଧିକ ଭିଡ଼ ହେବ ଲାଗୁଛି’’।
‘‘ତୁମେ ଜାଣ, ସେ ଶକ୍ତିଶାଳୀ। ଏବେ କରୋନା ଦେବୀ ମନ୍ଦିର ପ୍ରତିଷ୍ଠା ହେଲେ ସୁଦ୍ଧା ଆମ ପାଇଁ କଳା ମାରିଅମ୍ମନ ମନ୍ଦିର ବଡ଼। ଆମେ ବିଶେଷ କରି ଅସୁସ୍ଥ ହେବା ସମୟରେ, ଅନ୍ୟ ସାଧାରଣ ସମୟରେ ମଧ୍ୟ ତାଙ୍କୁ ପୂଜା କରିବା ଜାରି ରଖିବୁ।’’ ତାଙ୍କ ପାଇଁ ‘ସାଧାରଣ ପ୍ରାର୍ଥନା’ର ଅର୍ଥ – ସମୃଦ୍ଧି, ସଫଳତା ଓ ଦୀର୍ଘ ଜୀବନ ପାଇଁ ପୂଜାର୍ଚ୍ଚନା। ପ୍ଲେଗ ଯୁଗ ଶେଷ ହେବାର ପ୍ରାୟ ଚାରି ଦଶନ୍ଧି ପରେ କନାମ୍ମାଲ ଜନ୍ମ ନେଇଥିଲେ। କିନ୍ତୁ ତାଙ୍କ ପିଢ଼ିର ଅଧିକାଂଶ ଲୋକ ସମସ୍ୟାରୁ ମୁକ୍ତି ପାଇବା ଲାଗି ମାରିଅମ୍ମନ ମନ୍ଦିରକୁ ଚାଲିଆସନ୍ତି।












