କେ. ଭି ଜର୍ଜକୁଟ୍ଟି କହନ୍ତି, ‘ଲୋକମାନେ ଆମ ଉପରେ ହସିଲେ କାରଣ ସେମାନେ ଭାବିଲେ ଯେ ଏହାକୁ ହାସଲ କରିବା ଖୁବ୍ ଉଚ୍ଚାଭିଳାଷ।’
ସେତେବେଳେ ଫେବ୍ରୁଆରୀ ମାସ ହୋଇଥିଲା ଏବଂ କେରଳର ନିଦାଘ ଗ୍ରୀଷ୍ମ ସତ୍ତ୍ୱେ କେ.ଭି ଜର୍ଜକୁଟ୍ଟି ଏବଂ ବାବୁ ଉଲାହାନନ ସେମାନଙ୍କର ଅସ୍ଥାୟୀ କୁଡ଼ିଆ ନିକଟରେ ବିଶ୍ରାମ ନେଉଥିଲେ। ସେମାନଙ୍କ ପାଖ ଦେଇ ଦଲକାଏ ପବନ ବୋହିଗଲା, କିନ୍ତୁ ଆଖି ଆଗରେ ସେମାନଙ୍କର ୨୫୦ ଏକରର ସବୁଜ ରଙ୍ଗର ଧାନକ୍ଷେତ ଥିଲା। ସରୁ ନାଳ ସେଗୁଡ଼ିକୁ ଅଲଗା କରୁଥିଲା। ତାହା କୋଟ୍ଟୟାମ ଜିଲ୍ଲାର ପାଲୋମ ବ୍ଲକର ପାନାଚିକାଡୁ ତାଲୁକର କୋଲାଡ ଅଞ୍ଚଳରେ ଅବସ୍ଥିତ ଥିଲା। ଧଳା ପକ୍ଷୀଗୁଡ଼ିକ ଧାନର ଅଗ୍ରଭାଗରେ ଝୁଲୁଥିଲେ, କଳା ପକ୍ଷୀଗୁଡ଼ିକ ଜମି ମଧ୍ୟଦେଇ ଯାଇଥିବା ତାରରେ ଆଡ୍ଡା ଜମାଇଥିଲେ।
କିଛିମାସ ପୂର୍ବରୁ ଏହି ସବୁଜିମା ଶୂନ୍ୟ ସ୍ଥାନ ଥିଲା-ଜମିଗୁଡ଼ିକ ତିନିଦଶନ୍ଧିରୁ ଅଧିକ ସମୟ ଧରି ଟାଙ୍ଗରା ହୋଇପଡ଼ିଥିଲା। ବାବୁ, ଜର୍ଜକୁଟ୍ଟି, ସୁରେଶ କୁମାର, ଶିବୁ କୁମାର ଏବଂ ଭର୍ଗିଜ ଯୋଶେଫ୍ ତାକୁ ପରିବର୍ତ୍ତନ କରିଦେଲେ। ବାବୁ କହନ୍ତି, ‘ଏହି ପ୍ରକ୍ରିୟାର ସବୁଠୁ କଷ୍ଟକର କାମ ଥିଲା ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିବା। ବାଳୁଙ୍ଗାଗୁଡ଼ିକୁ ବାଛିବା କଷ୍ଟଦାୟକ କାମ ଥିଲା, ଏଥିସହିତ ମାଟିକୁ ସଜାଡ଼ିବା, ଜମି ଚାରିପଟେ ଜଳସେଚନ ପାଇଁ ନାଳ ଖୋଳିବା ବି ଆବଶ୍ୟକ ହୋଇଥିଲା। ଅନ୍ୟ ସାଧାରଣ ଚାଷ ଜମି ଅପେକ୍ଷା ଏହି ଟାଙ୍ଗରା ଭୁଇଁକୁ ଚାଷପୋଯୋଗୀ କରିବା ଲାଗି ଦଶଗୁଣ ଅଧିକ କଷ୍ଟ ହୋଇଥିଲା (ଏଥିପାଇଁ ଟ୍ରାକ୍ଟର ଓ ମୂଲିଆ ଆବଶ୍ୟକ ହୋଇଥିଲେ)’। ସେ ଏବଂ ତାଙ୍କ ସହ ଚାଷ କରୁଥିବା ଚାଙ୍ଗନାସେରୀର ଚାଷୀମାନେ ସମସ୍ତେ ହେଉଛନ୍ତି ଅଭିଜ୍ଞ ଧାନଚାଷୀ। ଚାଙ୍ଗନାସେରୀ ତାଙ୍କ ଜମିଠାରୁ ୨୦ କିମି ଦୂରରେ ଥିବା ଏକ ସହର।









