ଶିଳ୍ପ ପରିଯୋଜନାଗୁଡ଼ିକୁ ଗତ ୧୫ବର୍ଷରେ ପ୍ରଚୁର ଜଳ ଦିଆଯାଇଛି। ଏଥିସହ ଘରୋଇ କମ୍ପାନୀ ଓ ଜୀବନଶୈଳୀ ବ୍ୟବସାୟକୁ ମଧ୍ୟ। ଗାଁ’ଗୁଡ଼ିକରୁ ସହରଗୁଡ଼ିକୁ। ଏହି ବଦଳ ପାଇଁ ରକ୍ତ ବୁହା ବୋହିଛି। ଯେମିତିକି ୨୦୧୧ରେ ମାଭଲଠାରେ ଯେତେବେଳେ ପୋଲିସ କ୍ରୋଧିତ କୃଷକମାନଙ୍କ ଉପରେ ଗୁଳି ଚଳାଇଥିଲା, ସେତେବେଳେ ୩ଜଣ ମୃତ୍ୟୁବରଣ କରିଥିଲେ ଓ ଅନ୍ୟ ତିନିଜଣ ଆହତ ହୋଇଥିଲେ। ସେମାନେ ଫିମ୍ପ୍ରି-ଛିଞ୍ଚୋଓ୍ୱାଡ ଠାରୁ ପାଭନାକୁ ପାଣି ପାଇପଲାଇନ ପାଇଁ ସରକାର ସେମାନଙ୍କ ଜମି ଅଧିଗ୍ରହଣ କରିବାକୁ ବିରୋଧ କରୁଥିଲେ। ଯେଉଁ ପରିମାଣର ପାଣି ନଷ୍ଟ ହେବାର ସୂଚନା ଥିଲା ତାହା ହଜାର ହଜାରଙ୍କୁ ବିରୋଧ କରିବାକୁ ଟାଣି ଆଣିଥିଲା। ସେହି ସମୟରେ ରାଜ୍ୟର ପ୍ରତିକ୍ରିୟା ଥିଲା ‘‘ହତ୍ୟା ଉଦ୍ୟମ’’ ନିମନ୍ତେ ୧,୨୦୦ ଲୋକଙ୍କୁ ଗିରଫ କର। ଏବଂ ଦଙ୍ଗା ପାଇଁ ମଧ୍ୟ।
ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ମଧ୍ୟ ଜଳସେଚନ ଅପେକ୍ଷା ଶିଳ୍ପର ନିୟନ୍ତ୍ରଣ ପାଇଁ ନିଜର ସବୁଠାରୁ ଅଧିକ ଚେଷ୍ଟା କରିଥିଲେ। ଆହୁରି ଖରାପ ହେଉଛି ସେ ଏପରିକି ବିପରିତ ମୁଖୀ ହୋଇଥିବା ମହାରାଷ୍ଟ୍ର ଜଳ ସମ୍ପଦ ନିୟାମକ କର୍ତ୍ତୃପକ୍ଷ ଆଇନ (୨୦୦୫)କୁ ସଂଶୋଧନ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତାଙ୍କ ଏଜେଣ୍ଡାର ଗୋଟିଏ ନୂତନ ଧାରା ଜଳ-ବିତରଣ ନୀତି ପ୍ରତି କୌଣସି ଆହ୍ୱାନକୁ ପ୍ରତିରୋଧ କରୁଥିଲା।
ତେବେ ଜୀବନଶୈଳୀ ଆମୋଦ ପ୍ରତି ପରିବର୍ତ୍ତନର ଧାରା ନୂଆ ନୁହେଁ । ୨୦୦୫ ମସିହାରେ ଏକ ବିଶାଳ ‘ଫନ୍ ଆଣ୍ଡ ଫୁଡ୍ ଭିଲେଜ ଓ୍ୱାର୍ଟର ଆଣ୍ଡ ଆମୁଜ୍ମେଣ୍ଟ ପାର୍କ’ ନାଗପୁର (ଗ୍ରାମୀଣ) ଜିଲ୍ଲାରେ ଆରମ୍ଭ ହୋଇଥିଲା। ତାହା ପ୍ରକୃତ ଜଳ ଚାପର ଏକ ସମୟ ଥିଲା। ଏହି ‘ଫନ୍’ ‘‘ଭିଲେଜ’’ରେ ୧୮ ପ୍ରକାରର ଜଳଖସଡ଼ା ଥିଲା। ଏଥିରେ ମଧ୍ୟ ଏକ ଆଇସ ରିଙ୍କ ସହ ‘‘ଭାରତର ପ୍ରଥମ ସ୍ନୋଡ୍ରମ’’ ଥିଲା। ୪୭ ଡିଗ୍ରୀ ତାପମାତ୍ରାରେ ତୁଷାର ଏବଂ ବରଫକୁ ପରିଚାଳନା କରିବା ସହଜ ନଥିଲା। ଯାହାକି ୧୫ଘଣ୍ଟା ପାଓ୍ୱାର କଟ୍କୁ ସାମ୍ନା କରୁଥିବା ଏହି ଅଞ୍ଚଳରୁ ପ୍ରଚୁର ପରିମାଣର ବିଦ୍ୟୁତ ନେଉଥିଲା। ଏହା ମଧ୍ୟ ବିପୁଳ ପରିମାଣର ପାଣି ଢ଼ୋକି ନେଉଥିଲା।
ଏହା ମଧ୍ୟ ସେହି ରାଜ୍ୟ ଯାହା ଗତ ଦଶକ କିମ୍ବା ସେଭଳି ସମୟ ମଧ୍ୟରେ କେତୋଟି ଗଲ୍ଫ କୋର୍ସ ସଂଯୁକ୍ତ କରିଛି। ବର୍ତ୍ତମାନ ୨୨ଟି ଅଛି। ଏହାଠାରୁ ଅଧିକ ହେବାର ଅଛି। ଗଲ୍ଫ କୋର୍ସଗୁଡ଼ିକୁ ବିପୁଳ ପରିମାଣର ଜଳ ବ୍ୟବହାର କରନ୍ତି। ଏହା ଅତୀତର କୃଷକମାନଙ୍କ ସହ ସଂଘର୍ଷ ସୃଷ୍ଟି କରିଥିଲା। ସାରା ବିଶ୍ୱରେ ଗଲ୍ଫ କୋର୍ସଗୁଡ଼ିକ ବିପୁଳ ପରିମାଣର କୀଟନାଶକ ବ୍ୟବହାର କରନ୍ତି ଯାହା ମାଟିକୁ ଭେଦିଯାଏ ଏବଂ ଅନ୍ୟମାନଙ୍କର ଜଳକୁ ମଧ୍ୟ ପ୍ରଭାବିତ କରେ।
ଏହା ବ୍ୟତୀତ ଏହା ଏକ ରାଜ୍ୟ ଯେଉଁଠାରେ ‘‘ସ୍ୱାଧୀନ ଭାରତର ପ୍ରଥମ ପାର୍ବତ୍ୟ ସହର’’ ଲାଭାସା ପରି ଘରୋଇ ପ୍ରୋଜେକ୍ଟଗୁଡ଼ିକ ଜଳ ଶୋଷି ନେବା ନେଇ ଭୀଷଣ କ୍ଷୁବ୍ଧ ବିରୋଧ ଦେଖିଛି। ଶରଦ ପାଓ୍ୱାର ତାଙ୍କ ନିଜ ଦଳର ମନ୍ତ୍ରୀ ଭାସ୍କର ଯାଦବଙ୍କୁ ମରୁଡ଼ି ସମୟରେ ପାରିବାରିକ ବିବାହରେ ଅନାବଶ୍ୟକ ଭାବରେ ଖର୍ଚ୍ଚ କରିବା ନେଇ ଟିପ୍ପଣୀ ଦେବା ଖୁବ୍ ପ୍ରଶଂସା ଗୋଟାଇଥିଲା। କିନ୍ତୁ କେନ୍ଦ୍ର କୃଷି ମନ୍ତ୍ରୀ ସବୁବେଳେ ଲାଭାସା ନେଇ ଉତ୍ସାହିତ। ଏହି ପ୍ରୋଜେକ୍ଟର ଓ୍ୱେବସାଇଟ୍ ଅନେକ ଦିନ ତଳେ ସୂଚିତ କରିଛି ଯେ ଏହାର ୦.୮୭ ଟିଏମ୍ସି ‘‘ଜଳ ସାଇତି ରଖିବାର ଅନୁମତି ରହିଛି’’। ଏହାର ଅର୍ଥ ୨୪.୬ ବିଲିୟନ ଲିଟର ପାଣି।
କୌଣସି ରାଜ୍ୟ କମ୍ ଜଳସେଚନ ସୃଷ୍ଟି କରିବା ପାଇଁ ଅଧିକ ଅର୍ଥ ବ୍ୟୟ କରିନାହିଁ। ଭାରତ ସରକାରଙ୍କ ଅର୍ଥନୈତିକ ସର୍ବେକ୍ଷଣ ୨୦୧୧-୧୨ରୁ ଜଣାପଡ଼ିଛି ଯେ, ସମୁଦାୟ ଦଶକରେ ଜଳସେଚନ ଜମିର ପରିମାଣ ୦.୧ ପ୍ରତିଶତ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ରାଜ୍ୟର ଜଳସେଚିତ ଫସଲ ଜମିର ପରିମାଣ ତଥାପି ୧୮ ପ୍ରତିଶତରୁ କମ୍। ଏହା ଅନେକ କୋଟିପତି ସୃଷ୍ଟି କରିବା ପାଇଁ କେତେ ସହସ୍ର କୋଟି ଟଙ୍କା ଖର୍ଚ୍ଚ କରିବା ଏବଂ ଜଳସେଚନ ପାଇଁ ଖୁବ୍ କମ୍ ଖର୍ଚ୍ଚ କରିବା ପରେ। ଉଦ୍ୟୋଗ ପାଇଁ ମୁଖ୍ୟ ଜଳ ପରିବର୍ତ୍ତନ କୃଷି ହ୍ରାସ ପାଇବା ସମୟରେ। (୨୦୧୧-୧୨ରେ ଖାଦ୍ୟଶସ୍ୟରେ ୨୨ ପ୍ରତିଶତ ହ୍ରାସ ହୋଇଛି ବୋଲି ଆର୍ଥିକ ସର୍ବେକ୍ଷଣ ପ୍ରକାଶ କରୁଛି।
ଖାଦ୍ୟ ଫସଲ ହ୍ରାସ ପାଇବା ପରେ ମଧ୍ୟ ମହାରାଷ୍ଟ୍ରର ସମ୍ପୂର୍ଣ୍ଣ ଏକତୃତୀୟାଂଶ ଆଖୁ ମରୁଡ଼ି ପ୍ରବଣ ଜଳ କଷ୍ଟ ଅଞ୍ଚଳରେ ଚାଷ କରାଯାଉଛି। ଏହି ବିପର୍ଯ୍ୟୟ ସମୟରେ ଅତିକମ୍ରେ ଜଣେ ଜିଲ୍ଲାପାଳ ତାଙ୍କ ଜିଲ୍ଲାରେ ଆଖୁ ପେଡ଼ା ବନ୍ଦ ହେବା ପାଇଁ ଡାକରା ଦେଇଥିଲେ। ଚିନି କାରଖାନାଗୁଡ଼ିକ ଏକତ୍ର ଦୈନିକ ୯୦ଲକ୍ଷ ଲିଟର ପର୍ଯ୍ୟନ୍ତ ପାଣି ବ୍ୟବହାର କରନ୍ତି। ତେବେ ଆଖୁ ଗୋଷ୍ଠୀର କ୍ଷମତା କାରଣରୁ ଆଖୁ ପେଡ଼ା ବନ୍ଦ ହେବା ବଦଳରେ ଜିଲ୍ଲାପାଳ ନିଲମ୍ବନ ହେବାର ଆଶଙ୍କା ଅଧିକ ଥିଲା।
ଗୋଟିଏ ଏକର ଆଖୁ ପାଇଁ ଯେତିକି ଜଳ ଆବଶ୍ୟକ ସେଥିରେ ଯଅ ପରି ଖାଦ୍ୟ ଶସ୍ୟର ୧୦-୧୨ ଏକର ଜଳସେଚିତ ହୋଇପାରିବ। ମହାରାଷ୍ଟ୍ରର ଜଳସେଚନ ଜଳର ଅର୍ଦ୍ଧାଧିକ ଏହି ଫସଲକୁ ଯାଉଛି, ଯାହାକି ଚାଷ ଅଞ୍ଚଳର ମାତ୍ର ୬ ପ୍ରତିଶତରେ ହୋଇଥାଏ। ଆଖୁ ‘‘୧୮୦ଏକର ଇଞ୍ଚ ପାଣି ଆବଶ୍ୟକ କରିଥାଏ’’। ଏହାର ଅର୍ଥ ହେଉଛି ଏକର ପିଛା ୧୮ ନିୟୁତ ଲିଟର ପାଣି। ଅଠର ନିୟୁତ ଲିଟର ଗୋଟିଏ ମାସ ପାଇଁ ୩୦୦୦ ହଜାର ଗ୍ରାମୀଣ ପରିବାରର ଘରୋଇ ଜଳ ଆବଶ୍ୟକତା ପୂରଣ କରିପାରିବ (ଏହା ସର୍ବନିମ୍ନ ବ୍ୟକ୍ତି ପିଛା ଦିନକୁ ୪୦ ଲିଟର ଆଧାରରେ)। ଏହା ସେହି ଅଞ୍ଚଳରେ ଯେଉଁଠାରେ ଜଳସ୍ତର ପ୍ରତିବର୍ଷ ତଳକୁ ଖସୁଛି।
ତେବେ ଏହା ମହାରାଷ୍ଟ୍ରକୁ ଗୋଲାପ ଚାଷକୁ ପ୍ରୋତ୍ସାହିତ କରିବାରୁ ଅଟକାଇ ପାରିନାହିଁ- ଏକ କ୍ଷୁଦ୍ର ଧାରା କିନ୍ତୁ ଧୀରେ ଧୀରେ ଆହୁରି ଅଧିକ ଆସିବାର ପ୍ରତିଶ୍ରୁତି ସହ ବଢ଼ୁଛି। ଗୋଲାପ ଆହୁରି ଅଧିକ ଜଳ ଆବଶ୍ୟକ କରେ। ସେଗୁଡ଼ିକ ‘‘୨୧୨ ଏକର ଇଞ୍ଚ’’ ଆବଶ୍ୟକ କରିଥାଏ। ଯାହାର ଅର୍ଥ ହେଉଛି ଏକର ପିଛା ୨୧.୨ ମିଲିୟନ ଲିଟର ପାଣି। ତେବେ ଗୋଲାପ ଚାଷ ଯେତେ ଛୋଟ ହେଲେ ବି ରାଜ୍ୟରେ କେତେକ ଉତ୍ସବର ମୁହୂର୍ତ୍ତ ଆଣିଛି। ଚଳିତବର୍ଷ ଏହାର ରପ୍ପାନୀ ୧୫-୨୫ ପ୍ରତିଶତ ବୃଦ୍ଧି ପାଇଛି। ଟଙ୍କାର ମୂଲ୍ୟ କମିବା, ଶୀତର ଦିନ ବଢ଼ିବା ଏବଂ ‘ଭାଲେଣ୍ଟାଇନ ଡେ’’- ଗୋଲାପ ଚାଷୀମାନଙ୍କୁ ଏହି ଖୁସିର ପରିସ୍ଥିତି ଉପହାର ଦେଇଛି।
ଗତ ୧୫ବର୍ଷରେ ରାଜ୍ୟ ଆରମ୍ଭ କରିଥିବା ଗୋଟିଏ ନିୟାମକ ରୂପରେଖ ଜଳକୁ ବ୍ୟାପକ ଘରୋଇକରଣ ଆଡ଼କୁ ନେଇଛି। ଏହି ପ୍ରାକୃତିକ ସମ୍ପର୍କ ଉପରେ ସମୂହଗୁଡ଼ିକର ନିୟନ୍ତ୍ରଣ ଦ୍ରୁତ ହ୍ରାସ ହେବା। ଏହି ସମ୍ପଦ ଯାହା ଦ୍ରୁତ ଭାବରେ କମ୍ ହେବାରେ ଲାଗିଛି। ଏଥିସହିତ ଭୂତଳ ଜଳର ଅନିୟନ୍ତ୍ରିତ ଦୋହନ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି।
ମହାରାଷ୍ଟ୍ର ବର୍ତ୍ତମାନ ସାମ୍ନା କରୁଥିବା ବିପର୍ଯ୍ୟୟକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଛି। ଶୁଷ୍କ ହତାଶାର ମହାସାଗର ମଧ୍ୟରେ ଘରୋଇ ସୁଇମିଂପୁଲଗୁଡ଼ିକ। ଧନୀମାନଙ୍କ ପାଇଁ ଏହା କେବେ ବି ଅଭାବ ନଥିଲା। ବାକି ବଳକା ବହୁ ସଂଖ୍ୟକଙ୍କ ପାଇଁ ସେମାନଙ୍କ ଆଶାଗୁଡ଼ିକ ପ୍ରତିଦିନ ବାଷ୍ପ ପାଲଟି ଯାଉଛି।
ଏହି ପ୍ରବନ୍ଧଟି ମୌଳିକ ଭାବରେ ୨୦୧୩ ଫେବୃୟାରୀ ୨୮ ତାରିଖରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା।
ଏହି ସହ ପଢ଼ନ୍ତୁ : ଯେତେବେଳେ ପାଣି ପଇସା ପରି ବୋହିଯାଏ
ଏହି ପ୍ରବନ୍ଧ ସେହି ଶୃଙ୍ଖଳର ଅଂଶ ଯେଉଁଥିପାଇଁ ପି.ସାଇନାଥ ଓ୍ୱାର୍ଲ୍ଡ ମିଡିଆ ସମ୍ମିଟ ଗ୍ଲୋବାଲ ଆଓ୍ୱାର୍ଡ ଫର୍ ଏକ୍ସେଲେନ୍ସ, ୨୦୧୪ ପାଇଥିଲେ।
ଅନୁବାଦ: ଓଡ଼ିଶାଲାଇଭ୍