କୃଷି ଋଣ ଛାଡ଼ ପାଇଁ ଜୁନ୍ ୬ରେ, ଯେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ପ୍ରତିଶ୍ରୁତି ଦଲେ, ସେତେବେଳେ ଗଣମାଧ୍ୟମକୁ କହିଲେ, ‘‘ଏହା ଇତିହାସରେ ସବୁଠୁ ବଡ଼ ହେବ।’’ ଏହା ବଡ଼ ନିଶ୍ଚିତ ଭାବେ ହେଲା, ତେବେ ଋଣ ‘ଛାଡ଼’ ଯୋଗ୍ୟତା ପାଇଁ ଯେତେ ସଂଖ୍ୟାରେ ସର୍ତ୍ତ ଲାଗିଲା ତାହାହିଁ ହେଲା ସବୁଠାରୁ ବଡ଼।
କିଛି ଆଶ୍ୱସ୍ତି ପାଇଁ ଅପେକ୍ଷା କରି ରହିଥିଲେ ଔରଙ୍ଗାବାଦ ଜିଲ୍ଲାର ମରୁଡ଼ି ପ୍ରଭାବିତ ପରୁଣ୍ଡି ଗାଁର ବାପ୍ପାସାହେବ ଇର୍କାଲ। ଯେତେବେଳେ ପୁଳାପୁଳା ସର୍ତ୍ତ କଥା ଶୁଣିଲେ, ସେତେବେଳେ ସେ ହସିବେ କି କାନ୍ଦିବେ ଜାଣି ପାରିଲେନି। ସ୍ତ୍ରୀ ରାଧା ଓ ବାପା ଭାନୁଦାସଙ୍କ ସହ ୧୬ ଏକର ଚାଷ ଜମିରେ ଘାସ ବାଛିବା ବେଳେ ୪୧-ବର୍ଷୀୟ ଏହି ଚାଷୀ ଜଣଙ୍କ କହିଲେ, ‘‘ସର୍ବୋଚ୍ଚ [ଋଣ ଛାଡ଼] ସୀମା ୧.୫ ଲକ୍ଷ ଟଙ୍କା।'' "ମୋର ୯ ଲକ୍ଷ ଟଙ୍କାର ଋଣ ଅଛି। ଯଦି ମୁଁ ୭.୫ ଲକ୍ଷ ଟଙ୍କା ପରିଶୋଧ କରେ ତା’ହେଲେ ୧.୫ ଲକ୍ଷ ଟଙ୍କାର ଲାଭ ପାଇବି।’’
ରାଧା କହନ୍ତି, ୨୦୧୨-୨୦୧୫ ମଧ୍ୟରେ ବ୍ୟାଙ୍କ ଋଣ ବଢି ଯାଇଥିଲା। ଏହି ସମୟରେ ମରୁଡି ମାରିଥିଲା। ପଛକୁ ପଛ ସବୁ ଫସଲ ଉଜୁଡ଼ି ଯାଇଥିଲା। ୨୦୧୪ରେ, ଏହି ପରିବାର ଚାରି କିଲୋମିଟର ଦୂରରେ ଥିବା ଏକ ଜଳାଶୟକୁ ପାଇପଲାଇନ୍ ସଂଯୋଗ କରିଥିଲେ। ସେମାନେ ଜମିରେ ଖୋଳିଥିବା କୂଅ ସହ ପାଇପ ସଂଯୋଗ କରିଥିଲେ। ସେ କହନ୍ତି, ‘‘ସେ ବର୍ଷ ବି ଅନିୟମିତ ବର୍ଷା ହେଲା।’’ “କପା ଆଉ ହରଡ଼ ଫସଲ ସଂପୂର୍ଣ୍ଣ ଶୁଖିଗଲା। ଯେତେବେଳେ ଫଡ଼ନାଭିସ ଚାଷୀଙ୍କ ଋଣ ଛାଡ଼ କଥା କହିଲେ, ଆମ ଭିତରେ ଆଶା ସଂଚାର କଲା। କିନ୍ତୁ ଏହା ଆମ ପାଇଁ ଉପହାସ ଥିଲା। ଯଦି ଆମ ପାଖରେ ପରିଶୋଧ କରିବାକୁ ଟଙ୍କା ଥାଆନ୍ତା, ଆମ ମୁଣ୍ଡରେ ଋଣ ବୋଝ ଲଦି ଥାଆନ୍ତୁ କି?’’




