ନିଜର କୂଅ ଖୋଳିବା ପାଇଁ ଚାଷୀମାନଙ୍କର ଆବେଦନ ଅନୁମୋଦିତ ହେଲେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ (MNREGA) ଅନୁସାରେ ରାଜ୍ୟ ସରକାର ଚାଷୀଙ୍କୁ ୨.୯୯ ଲକ୍ଷ ଟଙ୍କାର ସବ୍ସିଡି ପ୍ରଦାନ କରନ୍ତି । ସେହି ଟଙ୍କାରୁ ଚାଷୀମାନେ ମଜୁରି ଦେବା ଏବଂ ପାଇପ୍ଭଳି ସାମଗ୍ରୀ କିଣିବା ବାବଦରେ ଖର୍ଚ୍ଚ କରିବା କଥା । ଏସବୁ ଖର୍ଚ୍ଚ ବାବଦ ଟଙ୍କାକୁ କିସ୍ତିରେ ପାଇବା ଲାଗି ପଞ୍ଚାୟତ ସମିତିରେ ଆବେଦନ କରାଯାଏ ।
କିନ୍ତୁ ଆରମ୍ଭରୁ ହିଁ, ଏମିତି କି ତାଙ୍କ ନିଜ ଜମିର କାଗଜପତ୍ର ପାଇଁ ବି, ଯାଦବଙ୍କର ଟଙ୍କା ଆବଶ୍ୟକ ହେଲା । ସେ ଜଣେ ସ୍ଥାନୀୟ ସାହୁକାରଙ୍କ ସହାୟତା ଲୋଡ଼ିଲେ, ଯିଏ କି ତାଙ୍କୁ ମାସକୁ ୫ ପ୍ରତିଶତ ସୁଧହାରରେ ୪୦,୦୦୦ ଟଙ୍କା ଦେଲେ। ଅର୍ଥାତ୍ବର୍ଷକୁ ୬୦ ପ୍ରତିଶତ ଭଳି ଅତ୍ୟଧିକ ଚଢ଼ା ହାରରେ ସେ ଋଣ କଲେ । ଅତୀତରେ ମରୁଡ଼ି ପଡ଼ିବା ସମୟରେ ଯାଦବ ବ୍ୟାଙ୍କରୁ ଋଣ ନେଇଥିଲେ, କିନ୍ତୁ ବେସରକାରୀ ଭାବେ ଏହା ଥିଲା ତାଙ୍କର ପ୍ରଥମ ଋଣ । ସେ କହନ୍ତି, “ମୁଁ ଲାଞ୍ଚ ଭାବରେ ୩୦,୦୦୦ ଟଙ୍କା ଦେଲି ଏବଂ କୂଅଖୋଳା ଆରମ୍ଭ କରିବା ଲାଗି ୧୦,୦୦୦ ଟଙ୍କା ପାଖରେ ରଖିଲି । ଖୁବ୍ଶୀଘ୍ର ସାହୁକାରଙ୍କୁ ଟଙ୍କା ପରିଶୋଧ କରିଦେବି ବୋଲି ମୁଁ ଆଶା କରୁଥିଲି । ଯେଉଁ ଲୋକମାନଙ୍କୁ ମୁଁ ଭେଟିଥିଲି, ସେମାନେ କାମ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।”
୨୦୧୫ ଫେବ୍ରୁଆରୀ ମାସରେ ସେ ପ୍ରାଶାସନିକ ଅନୁମୋଦନ ପାଇଲେ ଏବଂ ପରେ ପରେ କାମ ଆରମ୍ଭ କରିବା ଲାଗି ଅନୁମତି ସମ୍ବଳିତ କାର୍ଯ୍ୟାଦେଶ ବି ମିଳିଗଲା । ଏଥିରୁ ତାଙ୍କର ଦୃଢ଼ ବିଶ୍ୱାସ ହେଲା ଯେ ସେ ମନରେଗାରୁ ଟଙ୍କା ପାଇଲେ ଋଣ ଶୁଝି ଦେଇପାରିବେ । ତେଣୁ ସେ ଶ୍ରମିକମାନଙ୍କୁ କାମରେ ଲଗାଇଲେ ଏବଂ ତାଙ୍କ ଚାଷଜମିଠାରୁ ଅନତି ଦୂରରେ କୂଅଖୋଳା କାମ ଜୋରସୋରରେ କରିଲେ ।
କିନ୍ତୁ କାର୍ଯ୍ୟାଦେଶ ପାଇଥିବା ସତ୍ତ୍ୱେ ଯାଦବ ପଞ୍ଚାୟତ ସମିତିରୁ ଟଙ୍କା ପାଇଲେ ନାହିଁ । ପାଦରେ ଚାଲି ଚାଲି କିମ୍ବା ଅନ୍ୟମାନଙ୍କ ସହ ରିକ୍ସା ଭଡ଼ା ଭାଗ କରି ସେ ତାଙ୍କ ଘରଠାରୁ ୧୫ କିଲୋମିଟର ଦୂର ଫୁଲମ୍ବ୍ରିରେ ଥିବା ପଞ୍ଚାୟତ ସମିତି ଅଫିସ୍କୁ ଦୌଡ଼ିବାରେ ଲାଗିଲେ । ସେଠାରେ କେହି ହେଲେ ତାଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେଲେ ନାହିଁ । ଯାଦବ କହନ୍ତି, “ଟଙ୍କା ପାଇଁ ଦୌଡ଼ି ଦୌଡ଼ି ମୁଁ ଯେ କେବଳ ଆର୍ଥିକ କଷଣ ସହିଛି ତାହା ନୁହେଁ, ଏହା ମୋର କାର୍ଯ୍ୟସମୟକୁ ମଧ୍ୟ ପ୍ରଭାବିତ କରିଛି ।”
ଏହା ଭିତରେ କୂଅଟି ୨୦ ଫୁଟ୍ଗଭୀର ଯାଏଁ ଖୋଳା ସରିଛି । ଆଉ କିଛି ସପ୍ତାହ କାମ ଚାଲିବ ଏବଂ ଯାଦବଙ୍କ ଆଶା ଥିଲା ଯେ ପାଣିର ଧାର ବାହାରକୁ ଆସିବ । କିନ୍ତୁ ଏ ପର୍ଯ୍ୟନ୍ତ ସରକାରୀ ଟଙ୍କା ମିଳିନାହିଁ । ଟଙ୍କା ମିଳିବାରେ ବାରମ୍ବାର ବିଳମ୍ବ ଯୋଗୁଁ ଯାଦବଙ୍କ ଆଶାର ପ୍ରକଳ୍ପ ବନ୍ଦ ହୋଇଗଲା । ସେ କହନ୍ତି, “ଶ୍ରମିକମାନେ କାମକୁ ଆସିଲେ ନାହିଁ, କିନ୍ତୁ ମୁଁ ସେମାନଙ୍କୁ ଦୋଷ ଦେଉନାହିଁ । ମୁଁ ସେମାନଙ୍କ ପ୍ରାପ୍ୟ ଦେଇପାରିଲି ନାହିଁ । ସେମାନେ କାହିଁକି ବା କାମ ଜାରି ରଖିବେ ?”
ଯାଦବଙ୍କ କୁଟୀର ଆଗରେ ଗୋଡ଼ିମାଟି ଘେରରେ ଥିବା ଏହି ଅର୍ଦ୍ଧନିର୍ମିତ କୂଅଟି ତାଙ୍କର ଋଣ, ବଢୁଥିବା ସୁଧହାର, ମଜୁରି ବାବଦ ଖର୍ଚ୍ଚ ଏବଂ ଘଣ୍ଟା ଘଣ୍ଟାର ପ୍ରୟାସ ସଂପର୍କରେ ତାଙ୍କୁ ସବୁଦିନ ମନେ ପକାଇ ଦିଏ । ସବୁକିଛି କେବଳ ଏକ କୂଅ ପାଇଁ, ଯାହାକି ଏକ ଗାତରେ ହିଁ ସୀମିତ ରହିଯାଇଥିଲା ।