ଜୀବନ ଆମକୁ ଯାହା କିଛି ଶିକ୍ଷା ଦିଏ, ତା ପଛରେ ଥାଏ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ। ରୀତା ଆକ୍କାଙ୍କ ସଂପର୍କରେ ସବୁକିଛି କେବଳ ଏହାର ହିଁ ପରିପ୍ରକାଶ। ଦିବ୍ୟାଙ୍ଗ (ସେ କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ) ରୀତା ଆକ୍କା ଜଣେ ବିଧବା ସଫେଇ କର୍ମଚାରୀ। ତାଙ୍କର ଜଣେ ୧୭ ବର୍ଷ ବୟସର ଝିଅ ଅଛି, ଯେ କି ନିଜ ଜେଜେମାଙ୍କ ପାଖକୁ ଚାଲିଯାଇଛି। ୪୨ ବର୍ଷୀୟା ଏହି ମହିଳାଙ୍କ ଜୀବନରେ ଏବେ କେବଳ ଶୂନ୍ୟତା ହିଁ ଶୂନ୍ୟତା। କିନ୍ତୁ ଏହା ଆଗରେ ସେ ହାର ମାନିନାହାନ୍ତି।
ଆଖପାଖ ଲୋକେ ତାଙ୍କୁ ରୀତା ଆକ୍କା (ବଡ଼ ଭଉଣୀ) ବୋଲି ଡାକନ୍ତି। ଅବଶ୍ୟ କେତେକ ପଡୋଶୀ ତାଙ୍କୁ ଉମଚୀ (ଜାଡ଼ି) (ଶୁଣିପାରୁନଥିବା ଲୋକଙ୍କୁ ବ୍ୟଙ୍ଗାତ୍ମକ ଭାବେ) ବୋଲି ମଧ୍ୟ ସମ୍ବୋଧନ କରନ୍ତି। ପ୍ରତି ସକାଳେ ସେ ଉଠିବା ପରେ ଚେନ୍ନାଇ କର୍ପୋରେସନ ସହ ଅନୁବନ୍ଧିତ ଥିବା କାରଣରୁ ନିଷ୍ଠାପର ଭାବେ ବିଭିନ୍ନ ଅଞ୍ଚଳରୁ ଅଳିଆ ସଂଗ୍ରହ କାମରେ ଲାଗି ଯାଆନ୍ତି । ଦିନଯାକର କଠିନ ପରିଶ୍ରମ ପରେ ସେ ବେଳେବେଳେ ଶାରୀରିକ କଷ୍ଟ ମଧ୍ୟ ଅନୁଭବ କରନ୍ତି। ଏକ ନିର୍ଦ୍ଦିଷ୍ଟ ଧରଣର ସାଇକେଲ ରିକସା ଟ୍ରଲି ଧରି ଅଳିଆ ବୋହୁଥିବା ବେଳେ କେତେ କଷ୍ଟ ତାଙ୍କୁ କରିବାକୁ ପଡୁଥିବ, ସେକଥା ଆପଣ ଅନୁମାନ କରି ପାରୁଥିବେ। ରୀତା ସେ ଟ୍ରଲି ଦେହରେ ନିଜ ନାଁ ତିନି ତିନି ଥର ଲେଖିଛନ୍ତି ବିଭିନ୍ନ ରଙ୍ଗରେ। ଦିନଯାକର କାମ ସାରି ସେ କୋଟ୍ଟୁପୁରମ ଅଞ୍ଚଳରେ ଥିବା ହାଉସିଂ ବୋର୍ଡ କ୍ୱାର୍ଟର୍ସରେ ନିଜ ଛୋଟ ଓ ଶୂନଶାନ ଘରକୁ ଫେରନ୍ତି ।




























