ମହେନ୍ଦ୍ର ନାଉରୀ କହନ୍ତି, “ଆମେ ଆମ ମାଟିରେ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁନାହିଁ । କୀଟ ମାରିବା ଲାଗି ମାଟି ବିଷ ଦରକାର କରେନାହିଁ । ଯଦି ମାଟି ଭଲ ଥାଏ, ତେବେ ତାହା ସବୁ କିଛିର ଯତ୍ନ ନେଇପାରେ।” ନିୟମଗିରି ପର୍ବତର ପୂର୍ବ ଦିଗରେ ପ୍ରାୟ ୧.୫ କିଲୋମିଟର ଦୂରରେ ତାଙ୍କର ଚାଷଜମି ରହିଛି । ସେ କହନ୍ତି, “ଆପଣଙ୍କ ଚାଷଜମି ହୁଡ଼ାରେ ମହୁଲ ବା ସହଜ ଗଛଟିଏ ଦରକାର, ଯାହାକି କି ପକ୍ଷୀ, ଏଣ୍ଡୁଅ ଏବଂ ବେଙ୍ଗମାନଙ୍କୁ ଆଶ୍ରୟ ଦେଉଥିବ। ସେଇମାନେ ହିଁ ଆମ ଫସଲର କ୍ଷତି କରୁଥିବା କୀଟ ଓ ପତଙ୍ଗମାନଙ୍କୁ ଶେଷ କରିଦେବେ ।”
ଦକ୍ଷିଣ-ପଶ୍ଚିମ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍ରେ ଥିବା ପ୍ରାୟ ୧୦୦ ଲୋକଙ୍କ ଗାଁ କେରାଣ୍ଡିଗୁଡ଼ାରେ ମହେନ୍ଦ୍ରଙ୍କର ଦୁଇ ଏକର ଜମି ଅଛି । ଏଠାକାର ଅଧିକାଂଶ ପରିବାର କନ୍ଧ ଆଦିବାସୀ ସଂପ୍ରଦାୟର । ହେଲେ, ନାଉରୀଙ୍କ ପରିବାର ଡୋରା ସଂପ୍ରଦାୟର ।
୩୦ ବର୍ଷ ବୟସ୍କ ମହେନ୍ଦ୍ର ଓ ତାଙ୍କ ବାପା ୬୨ ବର୍ଷ ବୟସ୍କ ଲୋକନାଥ, ସେମାନଙ୍କ ଜମିରେ, ୩୪ଟି କିସମର ଫସଲ କରନ୍ତି । ଉପ-କିସମକୁ ମିଶାଇଲେ ଏହା ଅବିଶ୍ୱସନୀୟ ଭାବେ ୭୨ ପ୍ରକାରର ଫସଲ । ସେମାନଙ୍କ ଚାଷଜମିର ବିଭିନ୍ନ ଭାଗରେ ଗୋଟିଏ ପରେ ଆଉ ଗୋଟିଏ କରି ପର୍ଯ୍ୟାୟକ୍ରମେ ସେମାନେ ଏହି ଚାଷ କରନ୍ତି । ସେମାନଙ୍କ ଫସଲରେ ଥାଏ କ୍ଷୁଦ୍ର ବାଜରା ଜାତୀୟ ଶସ୍ୟ (ଯେମିତି କି ସୁଆଁ ଓ ସିକ୍ରା), ଡାଲିଜାତୀୟ ଶସ୍ୟ (ହରଡ଼ ଓ ମୁଗ ସମେତ), ତୈଳବୀଜ (ଯେମିତିକି ଅଳସୀ, ସୂର୍ଯ୍ୟମୁଖୀ ଏବଂ ଚିନାବାଦାମ), କନ୍ଦା, ଅଦା, ସବୁଜ ପନିପରିବା, ଟମାଟୋ, ବାଇଗଣ ଏବଂ ଆହୁରି ଅନେକ । ମହେନ୍ଦ୍ର କହନ୍ତି, “ଖାଦ୍ୟ ପାଇଁ ଆମେ ବଜାର ଉପରେ ନିର୍ଭର କରୁନାହିଁ ।”
ଗାଁ ଲୋକେ ନିୟମଗିରି ପର୍ବତରୁ ଝରିଆସୁଥିବା ଝରଣାର ପାଣି ବ୍ୟବହାର କରନ୍ତି। ଚାଷଜମିକୁ ପାଣି ମଡ଼େଇବା ପାଇଁ ସେମାନେ ପଥରର ବନ୍ଧ ତିଆରି କରନ୍ତି । ଲୋକନାଥ କହନ୍ତି, “ଗତ ଚାରି ବର୍ଷ ଧରି ଏଠାକାର ପାଣିପାଗ ପ୍ରତିକୂଳ ସ୍ଥିତିରେ ରହିଛି’’, ‘‘କିନ୍ତୁ ସମସ୍ତ ବିପରୀତ ସ୍ଥିତିରେ ବି ଆମକୁ ଆମ ଫସଲ ବଞ୍ଚାଇ ରଖିଛି। ମୁଁ କାହାଠାରୁ କେବେହେଲେ ଋଣ କରିନାହିଁ । କେବଳ ଆମର ପାରମ୍ପରିକ ଚାଷ ପଦ୍ଧତି ଯୋଗୁଁ ଏହା ସମ୍ଭବ ହୋଇଛି ।” ତାଙ୍କର ପୂରା ପରିବାର ନିଜ ଫସଲ ଉପରେ ହିଁ ନିର୍ଭର କରି ଚଳନ୍ତି ଏବଂ ବଳକା ଫସଲକୁ ମୁନିଗୁଡ଼ା ଓ ବିଷମକଟକର ସାପ୍ତାହିକ ହାଟରେ ବିକନ୍ତି ।





