ସୟଦ ଘନି ଖାନ୍ ସେଦିନ ପ୍ରାୟ ବେହୋସ ହୋଇଯାଇଥିଲେ । ସେ ନିଜ ଜମିରେ ଫସଲର ଦେଖାଶୁଣା କରିବା ସମୟରେ ଅସହଜ ଅନୁଭବ କରିଥିଲେ । ସେ ସିଞ୍ଚନ କରୁଥିବା କୀଟନାଶକରୁ ବାହାରୁଥିବା ଗ୍ୟାସ ଯୋଗୁ ତାଙ୍କର ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥିଲା । ସେ କହିଲେ, “ମୁଁ ସେତେବେଳେ ଭାବିଲି ମୁଁ କ’ଣ କରୁଛି? ଯଦି ମୁଁ ଏଭଳି ଅନୁଭବ କରୁଛି ତା’ ହେଲେ ଯେଉଁ ଲୋକମାନେ ଚାଉଳ ଖାଉଛନ୍ତି ତା’ ଉପରେ ଏଭଳି କୀଟନାଶକ ପକାଇ ନିଶ୍ଚିତ ଭାବେ ମୁଁ ସେମାନଙ୍କୁ ମୁଁ ବିଷ ଖୁଆଉଛି । ମୁଁ ଏହାକୁ ବନ୍ଦ କରିବା ଆବଶ୍ୟକ ।’’
ଦୁଇ ଦଶନ୍ଧି ତଳେ ୧୯୯୮ ମସିହାରେ ସେହି ଟର୍ଣ୍ଣିଂ ପଏଣ୍ଟ ପରଠାରୁ ଘନି କୌଣସି ରସାୟନିକ କୀଟନାଶକ ବା ସାର ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି । ଏବଂ ସେ କେବଳ ଦେଶୀ ଧାନ ଚାଷ କରିବା ଆରମ୍ଭ କରିଛନ୍ତି । ସେ ମନେ ପକାଇଲେ, “ମୁଁ ମୋର ବାପା ଓ ଘରର ଅନ୍ୟ ବଡ଼ ଲୋକମାନଙ୍କ ସହିତ ଜମିକୁ ଯାଉଥିଲି । ସେମାନେ ଚାଷ କରୁଥିବା ଅନେକ ଫସଲ ମଧ୍ୟରୁ ଦେଶୀ ଧାନ ଅପେକ୍ଷାକୃତ ଭାବେ ଖୁବ୍ କମ୍ ଥିଲା ।’’
କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର କିରୁଗାଭାଲୁ ଗାଁର ୪୨ ବର୍ଷୀୟ ଏହି ଚାଷୀଜଣକ ଆକଳନ କଲେ ଯେ ମାଣ୍ଡ୍ୟାରେ ୧୦ ଜଣରୁ କମ୍ ଲୋକ ଜୈବକୃଷି ମାଧ୍ୟମରେ ଦେଶୀ ପ୍ରଜାତିର ଧାନ ଚାଷ କରୁଛନ୍ତି । ମାଣ୍ଡ୍ୟାରେ ୭୯,୯୬୧ ହେକ୍ଟର ଜମିରେ ଧାନଚାଷ ହୋଇଥାଏ । ସେ ଆହୁରି କହିଲେ, “ଦେଶୀ ପ୍ରଜାତିର ଧାନ ତାର ଗୁରୁତ୍ୱ ହରାଇଲା କାରଣ ତାହା କେବେ ହେବ ତାହା ଜଣାନଥିଲା ଏବଂ ଏତେ ଅପେକ୍ଷା ପରେ ମଧ୍ୟ ଅମଳ କମ୍ ହେଉଥିଲା । ଫସଲ ଅପେକ୍ଷା ବାଳୁଙ୍ଗା ସେଥିରେ ଅଧିକ ଦେଖାଯାଉଥିଲା ।’’







