“ମୋତେ ଲାଗୁଛି ଯେ କେବଳ ଏସବୁ ଶାଗୁଆନ ବଗିଚା (ଜଙ୍ଗଲ ବିଭାଗର) ଦେଖି ଦେଖି ଆମ ପିଲାମାନେ ବଡ଼ ହେବେ । ସେମାନେ ଆମ ଭଳି ଜଙ୍ଗଲର ଗଛ, ଗୁଳ୍ମ ଓ ଜୀବମାନଙ୍କ ସଂପର୍କରେ କିଛି ଜାଣିପାରିବେ ନାହିଁ ।” ଏହା କହନ୍ତି ମଧ୍ୟପ୍ରଦେଶ ଉମରୱାଡ଼ା ଗାଁର ଲାଇଚିବାଇଉଇକେ ।
୧୮୬୪ ମସିହାରେ ବ୍ରିଟିଶ ଔପନିବେଶିକ ସରକାର ଦ୍ୱାରା ଗଠିତ ଭାରତର ଜଙ୍ଗଲ ବିଭାଗ ଆଜି ଯାଏ ଦେଶର ସବୁଠାରୁ ବଡ଼ ଜମି ମାଲିକ ହୋଇ ରହିଛି । ଶହେ ବର୍ଷରୁ ଅଧିକ କାଳ ଧରି ବିଭାଗ ଦ୍ୱାରା ଯେଉଁ ସବୁ ଆଇନ ଲାଗୁ କରାଯାଇଛି ସେସବୁ ବଳରେ ସଂରକ୍ଷଣ ଓ ବାଣିଜ୍ୟ (ଯେମିତି କି କାଠ ବିକ୍ରି) ନାଁରେ ଜଙ୍ଗଲ ଓ ଜମିକୁ ବାଡ଼ ଘେରା ଯାଇଛି, ଆଦିବାସୀ ଓ ବନବାସୀଙ୍କୁ ଅପରାଧୀର ଆଖ୍ୟା ଦିଆଯାଇଛି ଏବଂ ସେମାନଙ୍କ ପାରମ୍ପରିକ ଜମିରୁ ବେଦଖଲ କରାଯାଇଛି ।
ଏହି ‘ଐତିହାସିକ ଅନ୍ୟାୟ’ରେ ସଂଶୋଧନ ପାଇଁ ୨୦୦୬ ମସିହାର ଜଙ୍ଗଲ ଅଧିକାର ଆଇନ ଭଳି ସଂସ୍କାରଧର୍ମୀ ଆଇନ ପ୍ରଣୟନ କରାଗଲା । ଏହା ବଳରେ ବିଭିନ୍ନ ବନବାସୀ ସଂପ୍ରଦାୟକୁ (୧୫ କୋଟିରୁ ଅଧିକ) ବସବାସ ଅବଧିର ଅଧିକାର, ସେମାନଙ୍କ ଜଙ୍ଗଲର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କ୍ଷମତା ପ୍ରଦାନ କରାଗଲା । କିନ୍ତୁ ବହୁ କ୍ଷେତ୍ରରେ ଏଭଳି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ।










