“ଗାଁ ବାହାରେ ଥିବା କୂଅରୁ ପାଣି ଆଣିବାକୁ ପ୍ରତିଦିନ ମୁଁ ଦେଢ଼ କିଲୋମିଟର ଚାଲେ । ଦିନକୁ ମୁଁ ଏହା ଚାରି ଥର କରେ । ଆମ ଗାଁରେ ପାଣି ନାହିଁ । ଖରାଦିନ ଏଥର ଆହୁରି କଷ୍ଟଦାୟକ ହେବ । କୂଅର ପାଣି ଏବେଠାରୁ ଖସିଲାଣି....”। କ୍ଷୋଭର ସହ ଏହା କହନ୍ତି ଭୀମାବାଇ ଡାମ୍ବାଲେ । ଏ ସପ୍ତାହରେ ହେଉଥିବା ନାସିକ୍-ମୁମ୍ବାଇ କୃଷକ ପଦଯାତ୍ରାରେ ଭାଗ ନେବାକୁ ସେ ଆସିଛନ୍ତି । ଠିକ୍ ଯେମିତି ଗତ ବର୍ଷ ଆସିଥିଲେ ।
“ବର୍ଷା ଅଭାବରୁ ଗତ ବର୍ଷ ମୋର ଧାନ ଫସଲ ହରାଇଲି । ଆମର ପାଞ୍ଚ ଏକର ଜମିରୁ ପ୍ରତି ବର୍ଷ ୮-୧୦ କୁଇଣ୍ଟାଲ ଧାନ ମିଳିଯାଉଥିଲା । କିନ୍ତୁ ଏ ଋତୁରେ ଦୁଇ କୁଇଣ୍ଟାଲ ବି ମିଳିଲାନି । ଏହି କ୍ଷତି ପାଇଁ ଆମେ କ୍ଷତିପୂରଣ ବି ପାଇ ପାରିଲୁନି, କାରଣ ଜମି ଆମ ନାଁରେ ନାହିଁ । ଏହା ବନ ବିଭାଗର।” ଏହା କହନ୍ତି, ନାସିକ ଜିଲ୍ଲା ପିଣ୍ଟ୍ ତାଲୁକାର ନିର୍ଗୁଡ଼ା କାରଞ୍ଜାଇ ଗାଁରେ ରହୁଥିବା ୬୨ ବର୍ଷୀୟା ଭୀମାବାଇ ।
ଧାନ ଅମଳ ପରେ ମାଣ୍ଡିଆ, ବିରି ଓ ହରଡ଼ ଚାଷ କରନ୍ତି ଭୀମାବାଇ। ଏଥର କୃଷି ଋତୁରେ ସେ ସବୁ ବନ୍ଦ ହୋଇଯାଇଛି। ତେଣୁ ଭୀମାବାଇ ସବୁଦିନ ୩୦-୪୦ କିଲୋମିଟର ଦୂର ଦେଓଲାଲି ଏବଂ ସୋନଗିରି ଭଳି ଗାଁକୁ ଯାଇ ଅଙ୍ଗୁର, ଟମାଟୋ ଓ ପିଆଜ ତୋଳିବା କାମ ଆରମ୍ଭ କରିଦେଇଛନ୍ତି । ଦୀର୍ଘଶ୍ୱାସ ସହ ସେ କହନ୍ତି, “ଦିନକୁ ମୁଁ ୧୫୦ ଟଙ୍କା ରୋଜଗାର କରେ ଏବଂ ଅଟୋ ଭଡ଼ା ବାବଦରେ ୪୦ ଟଙ୍କା ଖର୍ଚ୍ଚ କରେ । ପ୍ରତିଦିନ ମୁଁ ରୋଜଗାର କରେ, ପ୍ରତିଦିନ ମୁଁ ଖର୍ଚ୍ଚ କରେ ।”




