ବିଟ୍ଟୋ ପାଣ୍ଡେଙ୍କୁ ଶୌଚାଳୟରେ ପହଞ୍ଚିବା ପାଇଁ ୬୦ପାଦ ଚାଲିବାକୁ ହୁଏ । ସେ ସେହି ଅସମତଳ ଭୂମି ଉପରେ ଏକଲା ଯାଇ ପାରିବେ ନାହିଁ । ବେଳେବେଳେ, କେହି ଜଣେ ତାଙ୍କ ହାତ ଧରିବା ପାଇଁ ଓ ତାଙ୍କ ସହିତ ଚାଲି ଚାଲି ଯିବାପାଇଁ ସେ ଘଣ୍ଟାଘଣ୍ଟା ସମୟ ଅପେକ୍ଷା କରିଥାନ୍ତି । “ମୁଁ ପଡିଯାଏ । ମୁଁ ପଡେ ଓ ପୁଣି ଉଠେ । ଗୋଟିଏ ଥର, ମୋତେ ଗୋଟିଏ ଷଣ୍ଢ ମାରିଦେଲା ଓ ଏଥିଯୋଗୁଁ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ମୋର ଶରୀରରେ ଫୁଲା ରହିଲା,” ବୋଲି ସେ କୁହନ୍ତି ।
ବିଟ୍ଟୁ, ଯିଏ ଜନ୍ମରୁ ଦେଖି ପାରୁନାହାନ୍ତି, ତାଙ୍କୁ ସାଧାରଣତଃ ତାଙ୍କ ଭାଇଙ୍କ ସ୍ତ୍ରୀ ଗୀତା ଶୌଚାଳୟକୁ ନେଇଯାଆନ୍ତି । “ବେଳେବେଳେ ସେ ମୋତେ ଡାକିଲା ବେଳେ ମୁଁ କାମରେ ବ୍ୟସ୍ତ ଥାଏ । ଏହା ଏକ ସମସ୍ୟା ଅଟେ,’’ ବୋଲି ଗୀତା କୁହନ୍ତି, ଯିଏ ନିଜେ ମଧ୍ୟ ପଡିଆକୁ ଯାଆନ୍ତି । “ଶୌଚାଳୟରେ ପାଣିର ସୁବିଧା ନାହିଁ, ଏଣୁ ଏହା ଅପରିଷ୍କାର ହୋଇଯାଏ । ଏହି ଶୌଚାଳୟକୁ କେହି ବ୍ୟବହାର କରନ୍ତି ନାହିଁ,’’ ବୋଲି ସେ କୁହନ୍ତି । ତାଙ୍କ ସ୍ୱାମୀ ସନତକ୍ ହେଉଛନ୍ତି ବିଟ୍ଟୋଙ୍କ ତିନ ଭାଇଙ୍କ ମଧ୍ୟରେ ସବୁଠାରୁ ସାନ । ସେ ଲକ୍ଷ୍ନୌ ଜିଲ୍ଲା ଅନ୍ତର୍ଗତ ଗୋସାଇଗଞ୍ଜରେ ଅବସ୍ଥିତ ତାଙ୍କ ଗ୍ରାମ ବଖାରୀରେ ଥିବା ତାଙ୍କର ଏକ ବିଘା (୦.୬ ଏକର୍) ଜମିରେ ଚାଷ କରନ୍ତି ।
ବଖାରୀରେ ଥିବା ମୋଟ ୨୦୩ଟି ଶୌଚାଳୟ ମଧ୍ୟରୁ ଅଧିକାଂଶ, ଯାହା ମଧ୍ୟରୁ ଅନେକ ଲୋକମାନେ ରହୁଥିବା ସ୍ଥାନଠାରୁ ବହୁ ହୂରତାରେ ଅବସ୍ଥିତ, ତାହା ଭଗ୍ନ ଅବସ୍ଥାରେ ଅଛି ଓ ଏହା କୌଣସି ପରିସ୍ଥିତିରେ ମଧ୍ୟ ବ୍ୟବହାର ଯୋଗ୍ୟ ନୁହେଁ। ଏପରିକି ଏକ ସାଧାରଣ ଶୌଚାଳୟର ସୁବିଧା ଉପଲବ୍ଧ ନହେବା ଅର୍ଥ ହେଉଛି ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ଉପରେ ନିୟନ୍ତ୍ରଣ ରଖିବା, ଦୀର୍ଘ ପଥ ଚାଲି ଚାଲି ଯିବା ଓ ଗ୍ରାମବାସୀମାନେ ବାରମ୍ବାର ଲଜ୍ଜିତ ହେବା ।
ତାରାୱତି ସାହୁ, ଜଣେ ଗୃହିଣୀ, ବାରମ୍ବାର ତାଙ୍କ ପେଟ ଖରାପ ଥିବା ଅବସ୍ଥାରେ ପଡିଆରେ ଶୀଘ୍ର ପହଞ୍ଚିବାକୁ ଚେଷ୍ଟା କରି କିଭଳି ଭାବେ ଅନ୍ୟମାନଙ୍କ ଘର ସମ୍ମୁଖରେ ମଳତ୍ୟାଗ କରିଦେଉଥିଲ, ସେ କଥା ମନେ ପକାନ୍ତି । ‘‘ଏହା ବହୁତ ଲଜ୍ଜ୍ୟାଜନକ ଘଟଣା। ପଡୋଶୀମାନେ ଆମକୁ ଖରାପ ନଜରରେ ଦେଖନ୍ତି । ଯେତେବେଳେ ମୋର ପେଟ ଖରାପ ହୋଇଯାଏ ଓ ମୁଁ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ, ସେତେବେଳେ । ମୁଁ ଯେଉଁ ରାସ୍ତାରେ ମଳତ୍ୟାଗ କରିଥାଏ, ସେହି ରାସ୍ତାକୁ ଧୋଇଦିଏ, ବେଳେବେଳେ ଦିନରେ ପାଞ୍ଚଥର,” ବୋଲି ସେ କୁହନ୍ତି । ୬୫ - ବର୍ଷ ବୟସରେ ପାଞ୍ଚ ମିନିଟ୍ ଚାଲି ଚାଲି ପଡିଆକୁ ଯିବା ତାଙ୍କ ପାଇଁ କଷ୍ଟକର ହୋଇଥାଏ। ତାଙ୍କର ସ୍ୱାମୀ, ୭୨ ବର୍ଷ ବୟସ୍କ ମାତା ପ୍ରସାଦ ସାହୁ, ଯିଏ ବେମାର ଥିବା ଯୋଗୁଁ ତାଙ୍କର ତିନି ବିଘା ଜମିରେ ଚାଷ କାମ କରିପାରନ୍ତିନି, ସେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ‘‘ଆମେ ଅନେକଙ୍କ ସମ୍ମୁଖରେ ଯୋଡହସ୍ତ ହୋଇ ଅନୁରୋଧ କରିଛୁ କିନ୍ତୁ କେହି ମଧ୍ୟ ଆମକଥା ଶୁଣୁନାହାନ୍ତି । ଗୋଟିଏ ଶୌଚାଳୟ ପାଇଁ କହି କହି ମୁଁ ଥକି ଗଲିଣି,” ବୋଲି ସେ କୁହନ୍ତି ।






