ସେ କହନ୍ତି, “ଆସନ୍ତୁ ଏବଂ ଆମକୁ ଦେଖନ୍ତୁ, ଆମେ ସମସ୍ତେ ଆଦେଶ ପାଳନ କରୁଛୁ । ମାସ୍କ ପିନ୍ଧି, ଜଣେ ଜଣଙ୍କଠାରୁ ଦୂରରେ ରହି, ଏଇଠି ବସିଛୁ । ଏସବୁ ଖାଦ୍ୟସାମଗ୍ରୀ ପାଇଁ ମୁଁ କୃତଜ୍ଞ, କିନ୍ତୁ ଏଥିରେ ମାତ୍ର କିଛି ଦିନ ପାଇଁ ମୋ ପରିବାର ଚଳିଯିବ । ତା’ପରେ, ମୁଁ ଜାଣିନି ଆମେ କ’ଣ କରିବୁ ।”
ସେ ହେଲେ ୫୫ ବର୍ଷୀୟା ଦୁର୍ଗା ଦେବୀ। ରାଜସ୍ଥାନର ଚୁରୁ ଜିଲ୍ଲା ଅନ୍ତର୍ଗତ ସୁଜାନଗଡ଼ ସହରରୁ ଫୋନ୍ରେ ଆମ ସହ କଥାବାର୍ତ୍ତା କରିବା ସମୟରେ, ସେ ମାଗଣା ଖାଦ୍ୟ ସାମଗ୍ରୀ ନେବା ପାଇଁ ଦିଶା ଶେଖାୱତୀ ନାମକ ବେସରକାରୀ ସଂଗଠନ ନିକଟରେ ଲାଗିଥିବା ଧାଡ଼ିରେ ଅପେକ୍ଷା କରିଥିଲେ। ଏହି ସଂଗଠନରେ ସେ ଶିବୋରି କାରିଗର ଭାବରେ କାମ କରନ୍ତି। ଶିବୋରି ହେଉଛି କପଡ଼ାକୁ ବାନ୍ଧି ରଙ୍ଗ କରିବାର ଏକକୌଶଳ, ଯାହାକି ସଂପୂର୍ଣ୍ଣ ଭାବରେ ଏକ ହସ୍ତଶିଳ୍ପ। ଦୁର୍ଗା ଦେବୀ କହନ୍ତି, “ଆମେ ଜାଣିନୁ କରୋନା କେତେବେଳେ ଆମ ପାଖକୁ ଆସିବ, କିନ୍ତୁ ତା’ ପୂର୍ବରୁ ଆମେ ଭୋକରେ ମରିଯିବୁ।” ନିଜର ଏହି ଚରମ ଭବିଷ୍ୟବାଣୀକୁ ସେ ନିଜେ ହସରେ ଉଡ଼ାଇ ଦିଅନ୍ତି ।
କିଛି ବର୍ଷ ତଳେ, ନିଶାସକ୍ତ ସ୍ଵାମୀଙ୍କ ମୃତ୍ୟୁ ହେବା ପରେ ଦୁର୍ଗା ଦେବୀ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟା । ସେ ହିଁ ତାଙ୍କର ନଅ ଜଣ ପିଲାଙ୍କ ଲାଳନପାଳନ କରୁଛନ୍ତି । ଦିନକୁ ସେ ପ୍ରାୟ୨୦୦ ଟଙ୍କା ମଜୁରି ପାଆନ୍ତି ଏବଂ ସେ କହନ୍ତି ଯେ ମାସକୁ ତାଙ୍କୁ ପ୍ରାୟ ୧୫ ଦିନ କାମ ମିଳିଯାଏ ।
ଖାଦ୍ୟ ସାମଗ୍ରୀ ପାଇଁ ଲାଗିଥିବା ଧାଡ଼ିରେ ତାଙ୍କ ପଛରେ ବସିଥିବା ଆଉ ଜଣେ ଦିନ ମଜୁରିଆ କାରିଗର ୩୫ ବର୍ଷୀୟା ପରମେଶ୍ଵରୀଙ୍କୁ ସେ ଫୋନ୍ ବଢ଼ାଇ ଦିଅନ୍ତି । ପରମେଶ୍ଵରୀ (ସେ ତାଙ୍କ ନାମର କେବଳ ପ୍ରଥମ ଭାଗ ବ୍ୟବହାର କରିବାକୁ ଚାହାଁନ୍ତି) କହନ୍ତି ଯେ, ତାଙ୍କ ସ୍ଵାମୀ ବିଭିନ୍ନ ନିର୍ମାଣସ୍ଥଳୀରେ ଶ୍ରମିକ ଭାବେ କାମ କରନ୍ତି । କିନ୍ତୁ ଲକ୍ଡାଉନ୍ ଯୋଗୁଁ ସେ ସବୁ ବନ୍ଦ ହୋଇଯାଇଥିବାରୁ ଏବେ ସେ ଘରେ ବେକାର ବସିଛନ୍ତି । ସେ କହନ୍ତି, “ଆମ ପାଖରେ କାମ ନାହିଁ କି ଖାଇବାକୁ ପଇସା ନାହିଁ ।” ଦୁର୍ଗା ଦେବୀଙ୍କ ଭଳି ସେ ମଧ୍ୟ ଆଶା କରନ୍ତି ଯେ, ଏହି ପାଞ୍ଚ କିଲୋ ଅଟା, ଗୋଟିଏ କିଲୋ ଡାଲି, ୨୦୦ ଗ୍ରାମ ଲେଖାଏଁ ଧନିଆ, ହଳଦୀ ଏବଂ ଲଙ୍କା ଥିବା ପ୍ୟାକେଟ୍ରେ ସେ, ତାଙ୍କ ସ୍ଵାମୀ ଏବଂ ସେମାନଙ୍କର ଚାରି ପିଲା କିଛି ଦିନ ଚଳିଯିବେ ।
୬୫ ବର୍ଷୀୟା ଚାନ୍ଦି ଦେବୀ ଆଉ ଶିବୋରୀ କାମ କରୁନାହାନ୍ତି, କିନ୍ତୁ ଖାଦ୍ୟ ସାମଗ୍ରୀ ନେବାକୁ ଧାଡ଼ିରେ ଥିବା ଅନ୍ୟମାନଙ୍କ ସହ ଆସିଛନ୍ତି । “ଶେଷ ଥର ପାଇଁ ମୁଁ ୨୪ ଘଣ୍ଟା ତଳେ ଖାଇଥିଲି । ଭାତ ଖାଇଥିଲି । ଖାଲି ଭାତ । ଗତକାଲି କିଛି ଖାଦ୍ୟଦ୍ରବ୍ୟ ଧରି ଆମ ଅଞ୍ଚଳକୁ ଗୋଟିଏ ଗାଡ଼ି ଆସିଥିଲା । କିନ୍ତୁ ମୁଁ ଧୀରେ ଧୀରେ ଚାଲେ ଏବଂ ସେଠି ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା । ମୋତେ ଏବେ ଭାରି ଭୋକ ।”









