ଗୋପାଳ ଗୁପ୍ତା ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ, ଯେତେବେଳେ ଏହା ପ୍ରାୟ ନିଶ୍ଚିତ ହୋଇଯାଇଥିଲା ଯେ ଏପ୍ରିଲ୍ ମଧ୍ୟ ଭାଗ ସୁଦ୍ଧା ମହାରାଷ୍ଟ୍ରରେ ପୁଣିଥରେ ଲକ୍ଡାଉନ୍ ପରି କଟକଣା ଆରମ୍ଭ ହୋଇଯିବ ।
କିନ୍ତୁ ଏହା ପରିବର୍ତ୍ତେ ତାଙ୍କ ପରିବାର ମାର୍ଚ୍ଚ ମାସର ଶେଷ ଭାଗରେ ଉତ୍ତର ପ୍ରଦେଶର କୁସୌରା ତାଲୁକାରେ ଥିବା ସେମାନଙ୍କର ଗ୍ରାମ ସାହାତ୍ପୁର୍କୁ ତାଙ୍କ ଭସ୍ମ ଏକ ଛୋଟ ନାଲି ମାଟି କଳସରେ ନେବା ପାଇଁ ଏକ ଟ୍ରେନ୍ ଚଢ଼ିଥିଲେ ।
ଗୋପାଳଙ୍କ ୨୧ ବର୍ଷୀୟା ଝିଅ ଜ୍ୟୋତି କୁହନ୍ତି , ‘‘ମୁଁ ଭାବୁନି ମୋ ବାପାଙ୍କ ମୃତ୍ୟୁ ପାଇଁ ମୁଁ କେବଳ କରୋନାକୁ ଦୋଷ ଦେଇ ପାରିବି.. ଯଦି ବି ସେ ବଞ୍ଚିଥା’ନ୍ତେ, ସେ ଗୋଟିଏ ଗୋଡ଼ ବିନା ରହିଥା’ନ୍ତେ ।
ଯେତେବେଳେ କଲ୍ୟାଣର ୫୬ ବର୍ଷ ବୟସ୍କ ପରିବା ବ୍ୟବସାୟୀ ଗୋପାଳ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ସାମାନ୍ୟ କାଶ-ଥଣ୍ଡାରେ ପୀଡ଼ିତ ହେଲେ, ସେତେବେଳେ ସେ ପାଲାବାନି ଅଞ୍ଚଳରେ ଥିବା ବସ୍ତି କ୍ଲିନିକ୍ରୁ କିଛି ଔଷଧ ନେବା ପରେ ସୁସ୍ଥ ଅନୁଭବ କଲେ । ଏଠାରେ ତାଙ୍କ ପରିବାର ଏକ ଦୁଇ ବଖୁରିଆ ଘର ଭଡ଼ା ନେଇ ରୁହନ୍ତି ।
ସେ ୟୁପିର ବାଲିଆ ଜିଲ୍ଲାର ବଂଶଡ଼ିହ ତାଲୁକରେ ଥିବା ସେମାନଙ୍କ ଗ୍ରାମରୁ ମାତ୍ର ଦୁଇମାସ ତଳେ ଜାନୁଆରୀରେ ଫେରିଥିଲେ । କିନ୍ତୁ କାମ ଜୋର୍ ଧରିବା ଆରମ୍ଭ କରିବା ବେଳକୁ କୋଭିଡ୍ର ଦ୍ୱିତୀୟ ପର୍ଯ୍ୟାୟ ବୃଦ୍ଧି ଆରମ୍ଭ ହେଲା । ଜ୍ୟୋତି କୁହନ୍ତି, ‘‘ମୋ ବାପା ଗତ ବର୍ଷ ପରି ଅପେକ୍ଷା କରିବାର ବିପଦ ପୁଣି ଚାହୁଁନଥିଲେ ।’’ ତେଣୁ ପରିବାର ପୁଣି ଥରେ ଗାଁକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା ।
କିନ୍ତୁ ମାର୍ଚ୍ଚ ୧୦ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ଗୋପାଳ ଅଣନିଶ୍ୱାସୀ ହେବା ପରି ଅନୁଭବ କଲେ । ତାଙ୍କୁ ସ୍ଥାନୀୟ କ୍ଲିନିକ୍କୁ ନିଆଗଲା ଏବଂ ସେ ପଜିଟିଭ୍ ହୋଇଥିବା ଚିହ୍ନଟ ହେଲେ । ତାଙ୍କ ପରିବାର ତାଙ୍କୁ କେଡିଏମ୍ସି (କଲ୍ୟାଣ ଡୋମ୍ବିଭାଲି ମ୍ୟୁନିସିପାଲ୍ କର୍ପୋରେସନ୍) ପରିସରକୁ ନେଇଗଲେ , ଯାହା ଏକ ‘ସମର୍ପିତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର’ ରେ ପରିବର୍ତ୍ତିତ ହୋଇଥିଲା। (କଲ୍ୟାଣ ଏବଂ ଡୋମ୍ବିଭାଲି ହେଉଛି ମୁମ୍ବାଇ ମେଟ୍ରୋପଲିଟାନ୍ କ୍ଷେତ୍ର ମଧ୍ୟରେ ଥିବା ସହର) । କିନ୍ତୁ ତାଙ୍କ ଅବସ୍ଥା ଖରାପ ହେଲା ଏବଂ କେନ୍ଦ୍ରର କର୍ମଚାରୀମାନେ ତାଙ୍କୁ ଏକ ଅଧିକ ଭଲ ବ୍ୟବସ୍ଥା ଥିବା ସ୍ଥାନକୁ ନେଇ ଯିବା ପାଇଁ କହିଥିଲେ । ସେହି ଅପରାହ୍ଣରେ ଗୋପାଳଙ୍କୁ କଲ୍ୟାଣରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।
ଜ୍ୟୋତି ସେ ସମୟକୁ ମନେ ପକାଇ କୁହନ୍ତି, ‘‘ଆମେ ପ୍ରକୃତରେ ଜାଣି ନଥିଲୁ କେଉଁଠିକୁ ଯିବାକୁ ହେବ। ଚିନ୍ତା କରିବାକୁ ଆମ ପାଖରେ କମ୍ ସମୟ ଥିଲା ଏବଂ ବାପାଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଉଥିବା ଏବଂ ଭାଇର ଅବସ୍ଥା ନେଇ ଭୟଭୀତ ଥିଲୁ’’। ତାଙ୍କ ଭାଇ ବିବେକ, ୨୬ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ତାଙ୍କୁ ଭିଓ୍ୱାଣ୍ଡି ନିକଟସ୍ଥ ଏକ କେନ୍ଦ୍ରରେ ୧୨ ଦିନ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିଲା।










