ମୁକ୍ତାବାଇ ଯାଦବଙ୍କ ଛୋଟିଆ ଘରେ, ହିନ୍ଦୁଧର୍ମ ଓ ଭଗବାନଙ୍କୁ ଅସ୍ୱୀକାର କରିଥିବା ଡ. ଆମ୍ବେଦକରଙ୍କ ଫଟୋ ଅନ୍ୟ ଦେବଦେବୀଙ୍କ ସହିତ ସ୍ଥିର ଭାବେ ରହିଛି। ସେ ୧୯୯୬ରେ ଗ୍ରୀଣ୍ଡମିଲ ସଙ୍ଗୀତ ପ୍ରକଳ୍ପ ପାଇଁ କେତେକ ଓଭି ଗାଇଥିଲେ। ଏପ୍ରିଲ ୨୦୧୭ରେ ସେ ବୀଡ଼ ଜିଲ୍ଲାର ଭୀମନଗରରେ ଥିବା ନିଜ ଘରକୁ ପୁଣିଥରେ ବୁଲିଯାଇଥିଲେ
“ମୁକ୍ତାବାଇଙ୍କ ଘର କେଉଁଠି?” ଆମେ ପଚାରିଲୁ। ଜଣେ ମହିଳା ଆମକୁ ଏକ ଛୋଟ ଘର ଦେଖାଇ ଦେଲେ ପାଖାପାଖି ୧୦/୧୫ ଫୁଟ ହେବ, ଯାହାର ଗୋଟିଏ ପାଖ କାନ୍ଥ ଟିଣ ଚଦର ଆଚ୍ଛାଦିତ ହୋଇଛି। ସେହି ଟିଣ ଚାଦରର ଫାଙ୍କରେ ଆମେ ଏକ ଖୋଲାଦ୍ୱାର ଦେଖିପାରିଲୁ। ଜଣେ ବୟସ୍କା ମହିଳା ବାହାରକୁ ଉଙ୍କିମାରିଲେ।
ଏପ୍ରିଲ ୧୯୯୬ରେ ଆମେ ମାଜଲଗାଓଁ ତାଲୁକାରେ ଥିବା ଭୀମନଗର ଗସ୍ତ କରିଥିଲୁ ଏବଂ ମୁକ୍ତାବାଇ ଯାଦବଙ୍କ ଓଭି ଶୁଣିଥିଲୁ। କିଛି ଘଣ୍ଟା ମଧ୍ୟରେ, ଆମେ ଏହି ପଡ଼ାରେ ରହୁଥିବା ମହିଳାମାନଙ୍କ ଦ୍ୱାରା ବୋଲା ଯାଇଥିବା ଗ୍ରିଣ୍ଡମିଲ ସଙ୍ଗୀତ ରେକର୍ଡ କରିଥିଲୁ।
ଏବେ ପାଖାପାଖି ୨୧ ବର୍ଷ ପରେ,ଏପ୍ରିଲ ୨୦୧୭ ପ୍ରାରମ୍ଭରେ ମୁଁ ଭୀମନଗରକୁ ପୁଣି ଥରେ ଆସିଛି। ମୁକ୍ତାବାଇ ଧୀରେ କବାଟ ଖୋଲିଲେ ଏବଂ ଆମମାନଙ୍କୁ ଭିତରକୁ ଆସିବାକୁ ଦେଲେ : “ୟା ଦେବା” (ଦେବତାଙ୍କୁ ସ୍ୱାଗତ)! ସେ ଏକ ନୀଳ ଶାଢ଼ୀ ପିନ୍ଧିଥିଲେ, ତାଙ୍କ ବେକରେ ବଡ଼ମାଳିର ଲମ୍ବା ମାଳା ଝୁଲିଥିଲା, କପାଳରେ କଳା ଓ ଧଳାରଙ୍ଗର ସିନ୍ଦୂର ପିନ୍ଧିଥିଲେ ଏବଂ ତାଙ୍କର ଏବେ ସୁଦ୍ଧା ଘନକଳା କେଶ ଥିଲା ଯାହା ତାଙ୍କ ବୟସ ତୁଳନାରେ ବ୍ୟତିକ୍ରମ ଥିଲା। ମୁକ୍ତାବାଇ, ବୋଧହୁଏ ତାଙ୍କ ୬୦ ଦଶକରେ, ପ୍ରଣାମ କଲେ ଏବଂ ପୁଣି ଥରେ ଆମକୁ ସ୍ୱାଗତ କଲେ: "ଆସ, ଭଗବାନ!"
ତାଙ୍କର ସେହି ଟିଣ ବାସସ୍ଥାନର ପ୍ରବେଶ ପଥରେ ଦୁଇଟି ପାତ୍ର ଥୁଆ ହୋଇଥିଲା, ସମ୍ଭବତଃ ତାହା ପାଣି ସଂରକ୍ଷିତ ରଖିବା ଲାଗି ଉଦ୍ଦିଷ୍ଟ ଥିଲା। ଆମେ ଅତ୍ୟନ୍ତ ସତର୍କତାର ସହିତ ସେହି ଘର ନିକଟ ଦେଇ ଯାଇଥିବା ଭୂତଳ ନଳା ଉପରଦେଇ ଭିତରକୁ ପ୍ରବେଶ କଲୁ। ମୁକ୍ତାବାଇଙ୍କ ଛୋଟିଆ ଘର ଅନେକ ଜିନିଷରେ ପୂରି ରହିଥିଲା। ଟିଭିରେ ଭକ୍ତିପୂର୍ଣ୍ଣ ଆସ୍ଥା ଚ୍ୟାନେଲ ଲାଗିଥିଲା, ପାଖରେ ବାବାସାହେବ ଆମ୍ବେଦକରଙ୍କ ଫଟୋ ଝୁଲା ହୋଇଥିଲା। ତାଙ୍କର ୨୨ଟି ଶପଥ (ବିବରଣୀ ଦ୍ରଷ୍ଟବ୍ୟ ଦେଖନ୍ତୁ) ସହିତ ଡ. ଆମ୍ବେଦକରଙ୍କ ଆଉ ଏକ ଫଟୋକାନ୍ଥରେ ଝୁଲୁଥିଲା। ଏହା ନିକଟରେ ରହିଥିଲା ଦେବୀ ତୁଲଜା ଭବାନୀଙ୍କ ଫଟୋଚିତ୍ର। ଘରକାନ୍ଥ ଅନ୍ୟ ଦେବଦେବୀ ଏବଂ ସାଇଲାନି ବାବା ଏବଂ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ସମେତ ଅନ୍ୟ ଧର୍ମଗୁରୁଙ୍କ ଫଟୋରେ ଭରି ରହିଥିଲା। ଏତିକି ଯଥେଷ୍ଟ ହୋଇନଥିଲା ଯେ ତାଙ୍କର ଛୋଟିଆ ପୂଜା ଘରେ ମଧ୍ୟ କିଛି ଦେବଦେବୀଙ୍କୁ ସ୍ଥାନ ମିଳିଥିଲା। ମୁକ୍ତାବାଇ ଉଦାରତାପୂର୍ବକ ଆମ ଚାରିଜଣଙ୍କୁ ସେହି ଦେବଦେବୀଙ୍କ ମେଳରେ ସ୍ଥାନଦେଇଥିଲେ।



