ଯେତେବେଳେ ନିଖିରାପ୍ପା ଗାଦିୟାପ୍ପା ହାଭେରୀ ତାଲୁକରୁ ମେ ମାସ ଶେଷ ଆଡ଼କୁ ସାରା ରାତି ଯାତ୍ରା କରି ରାମନଗର ସହରରେ ଥିବା ରେଶମ କୋକୁନ ବଜାରରେ ଯାଇ ପହଞ୍ଚିଥିଲେ, ତାଙ୍କର ଆଶା ଥିଲା ଯେ ସେ ନିଜର କୋକୁନର ଉଚିତ ଦାମ ପାଇପାରିବେ। କିନ୍ତୁ ୧୧ ଘଣ୍ଟା ଧରି ଟେମ୍ପୋରେ ୩୭୦ କିମିର ଅବିରାମ ଯାତ୍ରା ସମୟରେ – ଲକ୍‌ଡାଉନ୍ କାରଣରୁ ରାସ୍ତାରେ ପଡ଼ୁଥିବା ଖାଇବା ଦୋକାନଗୁଡ଼ିକ ବନ୍ଦ ଥିଲା- ତାଙ୍କ ମନରେ ଆଶଙ୍କା ରହିଥିଲା। ଯଦି ତାଙ୍କୁ ନିଜର କୋକୁନଗୁଡ଼ିକର କମ୍ ଦାମ ମିଳିବ ତ’ କ’ଣ ହେବ?

ହାଭେରୀ ଜିଲ୍ଲାରେ ଥିବା ନିଜ ଗ୍ରାମ ହାନ୍ଦିଗାନୁରକୁ ଫେରିବା ସମୟରେ, ତାଙ୍କର ଆଶା ମରିଯାଇଥିଲା-ଏବଂ ତାଙ୍କ ମନରେ ଥିବା ଆଶଙ୍କା ବାସ୍ତବ ରୂପ ନେଇଥିଲା। ସେ ୨୫୦ କିଗ୍ରା ବାଇଭୋଲ୍ଟାଇନ କୋକୁନର ସମ୍ପୂର୍ଣ୍ଣ ଲଟକୁ ମାତ୍ର ୬୭,୫୦୦ ଟଙ୍କାରେ ବିକ୍ରି କରିଥିଲେ- ଅର୍ଥାତ କିଲୋ ପ୍ରତି ମାତ୍ର ୨୭୦ ଟଙ୍କାରେ।

ମାର୍ଚ୍ଚ ପ୍ରାରମ୍ଭରେ, ବିବାହ ଋତୁର ଅଧିକ ଚାହିଦା କାରଣରୁ ବାଇଭୋଲ୍ଟାଇନ କୋକୁନ କିଗ୍ରା ପ୍ରତି ୫୫୦ ଟଙ୍କା ଏବଂ କଲମୀ କୋକୁନ ହାରାହାରୀ କିଗ୍ରା ପ୍ରତି ୪୮୦ ଟଙ୍କାରେ ବିକ୍ରି ହୋଇପାରିଥାନ୍ତା। ଅନ୍ୟ ଋତୁରେ ସାଧାରଣ ଚାହିଦାରେ ବାଇଭୋଲ୍ଟାଇନ ରେଶମ କୋକୁନ କିଲୋ ପ୍ରତି ୪୫୦-୫୦୦ ଟଙ୍କାରେ ବିକ୍ରି ହୋଇଥାନ୍ତା ଏବଂ କଲମୀ ରେଶମ କୋକୁନ କିଲୋପ୍ରତି ୩୮୦-୪୨୦ ଟଙ୍କାରେ ବିକ୍ରି ହୋଇଥାନ୍ତା। (ବାଇଭୋଲ୍ଟାଇନ ହେଉଛି ଏକ ଧଳା ଉନ୍ନତ ମାନର କୋକୁନ; କଲମୀ ଶ୍ରେଣୀର କୋକୁନ ଇଷତ ହଳଦିଆ ରଙ୍ଗର ହୋଇଥାଏ ଏବଂ ଏହାକୁ ସାଧାରଣ ମାନର କଠିନ ଷ୍ଟ୍ରେନ ଏବଂ ବାଇଭୋଲ୍ଟାଇନ ଷ୍ଟ୍ରେନକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ।

୪୨ ବର୍ଷୀୟ ଗାଦିୟାପ୍ପା କୁହନ୍ତି, “୨୦୧୪ରେ ମୋର ପୈତୃକ ଜମିରେ କୋକୁନ ଉତ୍ପାଦନ ପାଇଁ ମୁଁ ମଲବେରୀ ଚାଷ ଆରମ୍ଭ କରିଥିଲି। ବର୍ତ୍ତମାନ, ମୁଁ ସେଗୁଡ଼ିକୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ମୁଁ କେମିତି ଋଣ ପରିଶୋଧ କରିବି ତା’କୁ ନେଇ ଚିନ୍ତାରେ ଅଛି ।”

୨୦୧୪ ପର୍ଯ୍ୟନ୍ତ, ଗାଦିୟାପ୍ପା କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ଥିବା ଚାଷ ଜମିରେ କୃଷି ଶ୍ରମିକ ଭାବେ କାମ କରୁଥିଲେ। ସେଥିରୁ ତାଙ୍କୁ ଦୈନିକ ୧୫୦-୧୭୦ ଟଙ୍କା ମିଳୁଥିଲା। ତାଙ୍କ ପରିବାରର 10 ଜଣିଆ ସଦସ୍ୟ ନିଜର ତିନି ଏକର ଜମିରେ ମୁଖ୍ୟତଃ ଯଅ ଏବଂ ଚିନାବାଦାମ ଚାଷ କରୁଥିଲେ-ପରିବାରର ଖାଇବା ପାଇଁ କିଛି ରଖିବା ପରେ ଅବଶିଷ୍ଟକୁ ନେଇ ବଜାରରେ ବିକ୍ରି କରୁଥିଲେ। ୨୦୧୬ରେ, ଗାଦିୟାପ୍ପା ଆହୁରି ୫ ଏକର ଜମି ଭାଗରେ ନେଇ ଯଅ ଏବଂ ଚିନାବାଦାମ ଚାଷ କରିବା ସହିତ ଅବଶିଷ୍ଟ ଜମିରେ ମଲବେରୀ ଚାଷ କଲେ- ଅଧିକ କିଛି ରୋଜଗାର କରିବା ଆଶାରେ ସେ ଏହି ନିଷ୍ପତ୍ତି ନେଇଥିଲେ।

ଗାଦିୟାପ୍ପା ଏବଂ ଅନ୍ୟ ପରିବାର ସଦସ୍ୟମାନେ ଏହିସବୁ କୋକୁନକୁ ପ୍ରତ୍ୟେକ ୩୫-୪୫ ଦିନରେ ଥରେ ବିକ୍ରି କରିଥାନ୍ତି-କିମ୍ବା ଗୋଟିଏ ବର୍ଷରେ ୧୦ ଥର ବିକ୍ରି କରିଥାନ୍ତି। ଚକି (ଛୋଟ ରେଶମ କୀଟଗୁଡ଼ିକ) ପାଖାପାଖି ୨୩ ଦିନରେ କୋକୁନ ପ୍ରସ୍ତୁତ କରିଥାନ୍ତି। ଚଳିତ ଥର ପାଇଁ ଗାଦିୟାପ୍ପା ମେ ପ୍ରଥମ ସପ୍ତାହରେ ରେଶମ କୀଟ ପାଳନ ଆରମ୍ଭ କରିଥିଲେ। କୋକୁନ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଦୈନିକ ୧୦ ଘଣ୍ଟା କାମ କରିବାକୁ ପଡ଼ୁଥିଲା, ସେଗୁଡ଼ିକ ଯେପରି ସଂକ୍ରମିତ ନହୁଅନ୍ତି କିମ୍ବା ଗରମ ପାଣିପାଗରେ ନଷ୍ଟ ହୋଇନଯାଆନ୍ତି ସେଥିପ୍ରତି ସେ ଧ୍ୟାନ ଦେଉଥିଲେ। ଶେଷରେ ସେ ମେ ଶେଷ ଆଡ଼କୁ ରାମନଗର ବଜାରକୁ ନିଜର ଉତ୍ପାଦ ବିକ୍ରି କରିବାକୁ ଆସିଲେ-ଏବଂ ତାଙ୍କୁ କ୍ଷତିର ବୋଝ ବହନ କରିବାକୁ ପଡ଼ିଲା।

On the return journey to Handiganur village, silk cocoon farmer Nikhirappa Gadiyappa's hope was gone – and his fears had come true
PHOTO • Tamanna Naseer

ହାନ୍ଦିଗାନୁର ଗ୍ରାମକୁ ଫେରନ୍ତା ଯାତ୍ରାରେ, ରେଶମ କୋକୁନ ଚାଷୀ ନିଖିରାପ୍ପା ଗାଦିୟାପ୍ପାଙ୍କ ଆଶା ମଉଳିଯାଇଛି-ଏବଂ ତାଙ୍କର ଆଶଙ୍କା ସତ ହୋଇଛି

ବିବ୍ରତ ଗାଦିୟାପ୍ପା କୁହନ୍ତି, “ଶ୍ରମିକ, ରେଶମ କୀଟ, ଖତ, ରକ୍ଷଣାବେକ୍ଷଣ ଏବଂ ପରିବହନରେ ପାଖାପାଖି ୪୮,୦୦୦ ଟଙ୍କା ଖର୍ଚ୍ଚ କରିବା ପରେ ମୁଁ ମାତ୍ର ୨୦,୦୦୦ ଟଙ୍କା ଲାଭ କରିଥାଏ”। ସିନ୍ଦୂର ଟୀକା ପିନ୍ଧା ତାଙ୍କ ବିଷର୍ଣ୍ଣ ମୁଖମଣ୍ଡଳରୁ ତାଙ୍କର ଚିନ୍ତା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା।

କୋଭିଡ-19 ଲକଡାଉନ କାରଣରୁ ରେଶମ ଉଦ୍ୟୋଗ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏହା ଗାଦିୟାପ୍ପାଙ୍କ ଭଳି ବହୁ ଚାଷୀଙ୍କ ଆଶାକୁ ଧୂଳିସାତ କରି ଦେଇଛି ଯେଉଁମାନେ ଏସିଆର ସର୍ବବୃହତ ରେଶମ ବଜାର ରାମନଗର ସରକାରୀ କୋକୁନ ବଜାରକୁ ନିଜର ଉତ୍ପାଦ ବିକ୍ରି କରିବାକୁ ଆସିଛନ୍ତି। ଏଠାରେ ବଜାରର ଉପ ନିର୍ଦ୍ଦେଶକ ମୁନସୀ ବସୈୟା କୁହନ୍ତି, ଦୈନିକ ଏହି ବଜାରରେ ୩୫-୪୦ ମେଟ୍ରିକ ଟନ କୋକୁନ ବିକ୍ରି ହୋଇଥାଏ। ୨୦୧୮-୧୯ରେ ଭାରତରେ ୩୫,୨୬୧ ମେଟ୍ରିକ ଟନ ରେଶମ ଉତ୍ପାଦନ ହୋଇଥିଲା, ଏଥିରେ କର୍ଣ୍ଣାଟକର ଭାଗ ୩୨ ପ୍ରତିଶତ ଥିଲା। (ଚୀନ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ରେଶମ ଉତ୍ପାଦନକାରୀ ରାଷ୍ଟ୍ର)

ରାମନଗର ସହରରେ ପାଖାପାଖି ୧୧ ଲକ୍ଷ ଲୋକ ବସବାସ କରିଥାନ୍ତି। ଏଠାକାର ବିସ୍ତୃତ ବଜାରରେ ବଡ଼ ବଡ଼ ହଲ୍ ସବୁ ରହିଛି, ଯେଉଁଥିରେ ବଡ଼ ଧାତବ ଟ୍ରେରେ ବହୁପରିମାଣରେ କୋକୁନ ଭର୍ତ୍ତି ହୋଇ ରହିଥାଏ ଯାହାକୁ କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ଚାଷୀମାନେ ଆଣିଥାନ୍ତି। ଏ ବଜାର ଦିନରାତି ୨୪ ଘଣ୍ଟା ଖୋଲା ରହିଥାଏ କାରଣ ପରଦିନର ନିଲାମୀ ପ୍ରକ୍ରିୟା ପାଇଁ ଚାଷୀମାନେ ଏଠାରେ ପୂର୍ବଦିନ ରାତିରୁ ହିଁ ଆସି ପହଞ୍ଚିଥାନ୍ତି।

କାରବାର ସମୟରେ, ଶତାଧିକ ରେଶମ ସୂତାକଟାଳୀ, ଏମାନଙ୍କ ମଧ୍ୟରୁ ଅଧିକାଂଶ କର୍ଣ୍ଣାଟକର, କୋକୁନର ଯାଞ୍ଚ କରିଥାନ୍ତି ଏବଂ ଇ-ନିଲାମୀ ପ୍ରକ୍ରିୟାରେ ସେଗୁଡ଼ିକୁ କିଣିଥାନ୍ତି। ସୂତାକଟାଳୀମାନେ ମୁଖ୍ୟ କ୍ରେତା-ସେମାନେ ଚରଖା ଏବଂ ସ୍ୱୟଂଚାଳିତ ସୂତା କାଟିବା ମେସିନ ସହାୟତାରେ କୋକୁନରୁ ରେଶମ କଞ୍ଚାମାଲ ପ୍ରସ୍ତୁତ କରିଥାନ୍ତି। ପରେ ବୁଣାକାରମାନଙ୍କୁ ରେଶମ ବିକ୍ରି କରିଥାନ୍ତି।

ଦିନଯାକର ଇ-ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଚାଷୀମାନେ କ୍ୟାସ୍ କାଉଣ୍ଟରରୁ କାରବାର ବିଲ ସଂଗ୍ରହ କରିଥାନ୍ତି। କିନ୍ତୁ ମାର୍ଚ୍ଚ ପରଠାରୁ ରାମନଗର ବଜାରରେ ଦର ଲଗାତାର ଭାବେ ହ୍ରାସ ପାଇଚାଲିଛି। ଭାଗ୍ୟରେ ଥିଲେ, ଦିନେ ଦିନେ ଚାଷୀଙ୍କୁ ଅଳ୍ପ ଲାଭ ମିଳୁଛି, କିନ୍ତୁ ଅଧିକାଂଶ ଦିନ ସେମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି।

ଡୋଡ୍ଡାବାଲ୍ଲାପୁର ତାଲୁକର ଚନ୍ଦ୍ରଶେଖର ସିଦ୍ଧାଲିଙ୍ଗାୟା ନିରାଶ ହୋଇ ନିଜ ବିଲ୍ କୁ ଚାହିଁଛନ୍ତି। ସେ ୧୬୬ କିଗ୍ରା କୋକୁନ କିଲୋପ୍ରତି ମାତ୍ର ୩୨୦ ଟଙ୍କାରେ ବିକ୍ରି କଲେ। “ଏଗୁଡ଼ିକୁ ଉତ୍ପାଦନ କରିବା ଲାଗି ମୁଁ ୧,୩୦,୦୦୦ ଟଙ୍କା ଖର୍ଚ୍ଚ କରିଥିଲି”, ସେ କୁହନ୍ତି। “ମୋ ଭାଇ ଉନ୍ନତ ମାନର ଅଣ୍ଡା କିଣି ଆଣିଥିଲେ। ଆମେ ଭଲ କୋକୁନ ଉତ୍ପାଦନ କରିଥିଲୁ”। ଏହାର ଅର୍ଥ ନିଜର ୪ ଏକର ଜମିରେ କୋକୁନ ଉତ୍ପାଦନ ପାଇଁ ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। “ଏଠାରେ କେହି କ୍ରେତା ମିଳୁନାହାନ୍ତି, ଆମେ ବାଧ୍ୟ ହୋଇ ଅତି କମ୍ ଦରରେ ବିକ୍ରି କରୁଛୁ। ଆମ ଭଳି ଚାଷୀଙ୍କ ପାଇଁ ଏହା ବଡ଼ କ୍ଷତି”, ସିଦ୍ଧାଲିଙ୍ଗାୟା କୁହନ୍ତି।

PHOTO • Tamanna Naseer

ଉପରୁ ବାମ : ଚନ୍ଦ୍ରଶେଖର ସିଦ୍ଧାଲିଙ୍ଗାୟା ଅତି କମ୍ ଦର ଦେଖି ନିରାଶ ହୋଇପଡ଼ିଛନ୍ତି। ‘ଦେଖ, ମୋର ଭଲ କୋକୁନ’, ସେ ଏସିଆର ସର୍ବବୃହତ ରେଶମ ବଜାର ରାମନଗର ସରକାରୀ କୋକୁନ ବଜାରରେ ଛିଡ଼ା ହୋଇ କହୁଛନ୍ତି। ପ୍ଲାଷ୍ଟିକ ଓ ଧାତବ ଟ୍ରେରେ ଗଦା ଗଦା କୋକୁନ ରଖାହୋଇଛି ଏବଂ ସୂତାକଟାଳୀ-ବ୍ୟବସାୟୀ ସେଗୁଡ଼ିକୁ ଇ-ନିଲାମୀ ପ୍ରକ୍ରିୟାରେ କିଣୁଛନ୍ତି।

“ଆମେ ଏଠାରେ ଗତ ରାତିରୁ ଆସି ପହଞ୍ଚିଛୁ। ଆମେ ଠିକରେ ଖାଇନାହୁଁ ମଧ୍ୟ। ରେଶମ ବଜାର ନିକଟରେ ଥିବା ଅଧିକାଂଶ ଚା’ ଦୋକାନ ବନ୍ଦ ରହିଛି,” ବୋଲି ଏହି ୫୦ ବର୍ଷ ବୟସ୍କ କୃଷକ କହିଥିଲେ। ତାଙ୍କ ମୁଣ୍ଡମୁଣ୍ଡଳରୁ ଥକ୍କାପଣ ବେଶ ଭଲ ଭାବେ ବାରି ହୋଇପଡ଼ୁଥିଲା। ତଥାପି ସେ ୯୦ କିମି ଦୂର ଅତିକ୍ରମ କରି ରାମନଗରକୁ ନିଜର କୋକୁନ ବିକ୍ରି କରିବା ଲାଗି ଆସିଥିଲେ। କାରଣ ସେ କହିଥିଲେ, “ମୋ ଗାଁ ନିକଟରେ ବଜାରରେ ରେଶମ ସୂତାକଟାଳୀମାନେ ଏଗୁଡ଼ିକୁ କିଲୋପ୍ରତି ମାତ୍ର ୨୦୦ ଟଙ୍କାରେ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୋ ଭଳି କୃଷକମାନେ କେତେଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରେ ବଞ୍ଚିପାରିବୁ?”

ସିଦ୍ଧାଲିଙ୍ଗାୟା ବଜାରର କାଉଣ୍ଟର ଆଡ଼କୁ ଚାଲି ଚାଲି ଯିବା ସମୟରେ ତାଙ୍କର ବିକ୍ରି ହୋଇଥିବା କୋକୁନଗୁଡ଼ିକୁ ଶ୍ରମିକମାନେ ପ୍ଲାଷ୍ଟିକ ବାସ୍କେଟରେ ଭର୍ତ୍ତି କରୁଥିଲେ। ସେ ସେଥିରୁ କିଛି ହାତରେ ଉଠାଇ ଆଣି କହିଲେ: “ଦେଖ, ମୋର କୋକୁନଗୁଡ଼ିକ ଉନ୍ନତମାନର। ଏହା ଉନ୍ନତ ମାନର ଉତ୍ପାଦ। ଏହି ଜିନିଷ ମୁଁ ଡିସେମ୍ବର ମାସରେ ୬୦୦ଟଙ୍କାରେ ବିକ୍ରି କରିଥିଲି।” ସିଦ୍ଧାଲିଙ୍ଗାୟାଙ୍କ ପରିବାରର ୬ ଜଣ ସଦସ୍ୟ ସମ୍ପୂର୍ଣ୍ଣ ରୂପେ ରେଶମ କୋକୁନ ବିକ୍ରିରୁ ହେଉଥିବା ଆୟ ଉପରେ ନିର୍ଭର କରିଥାନ୍ତି। “ମୋ ପତ୍ନୀ ଓ ଭାଇ ମୋ ସହିତ କ୍ଷେତରେ କାମ କରିଥାନ୍ତି। ଆମେ ୫ ଜଣ ଶ୍ରମିକଙ୍କୁ କାମ ମଧ୍ୟ ଦେଇଥିଲୁ। ଆମର ସବୁ କଠିନ ପରିଶ୍ରମ ମାଟି ହୋଇଗଲା,” ସେ କୁହନ୍ତି।

ସମଗ୍ର ଚାହିଦା-ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଦର ହ୍ରାସର ପ୍ରମୁଖ କାରଣ। ଅଧିକାଂଶ ବିବାହ ସ୍ଥଗିତ ରହିଗଲା, କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଗଲା ଏବଂ ପୋଷାକ ଦୋକାନ ବନ୍ଦ ହୋଇଗଲା-ତେଣୁ ରେଶମର ଚାହିଦା ବ୍ୟାପକ ଭାବେ ହ୍ରାସ ପାଇଲା, ଏହି କାରଣରୁ ରେଶମ ସୂତାକଟାଳୀମାନେ ରାମନଗରକୁ ଆସିଲେ ନାହିଁ ବୋଲି ବଜାର ଅଧିକାରୀ ଓ ଅନ୍ୟମାନେ କୁହନ୍ତି।

ସୂତାକଟାଳୀ ଏବଂ ବୁଣାକାରଙ୍କ ନିକଟରେ ରେଶମ ସଂରକ୍ଷିତ ରଖିବାର ବିକଳ୍ପ ଥିଲେ ମଧ୍ୟ କୃଷକମାନଙ୍କ ପାଇଁ ଏହା ସମ୍ଭବ ନୁହେଁ-ସେମାନେ ଅପେକ୍ଷା ନକରି ଠିକ ସମୟରେ କୋକୁନଗୁଡ଼ିକୁ ବିକ୍ରି କରିବା ଲାଗି ବାଧ୍ୟ କାରଣ ଏଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ।

ପାଳିତ ରେଶମ କୀଟଗୁଡ଼ିକର ପ୍ରଜନନ ସହିତ ରେଶମ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସେମାନେ ଦେଇଥିବା ଅଣ୍ଡାଗୁଡ଼ିକୁ ରେଶମକୀଟ ପାଳନ ୟୁନିଟଗୁଡ଼ିକରେ ଫୁଟାଯାଇଥାଏ। ଏହାପରେ, ୮ ଦିନ ପୁରୁଣା ରେଶମକୀଟଗୁଡ଼ିକୁ କୋକୁନ ଉତ୍ପାଦନ କରିବା ଲାଗି କୃଷକମାନଙ୍କୁ ଯୋଗାଇ ଦିଆଯାଇଥାଏ। କୃଷକମାନେ ଚୌକୀ କେନ୍ଦ୍ରକୁ ଯାଇଥାନ୍ତି କିମ୍ବା ଏଜେଣ୍ଟମାନଙ୍କ ଜରିଆରେ ଏଗୁଡ଼ିକୁ କ୍ରୟ କରିଥାନ୍ତି- ସେମାନେ ୭୫,୦୦୦-୯୦,୦୦୦ କ୍ଷୁଦ୍ର କୀଟଗୁଡ଼ିକୁ ପାଖାପାଖି ୧୮୦୦ -୫୦୦୦ ଟଙ୍କାରେ କିଣିଥାନ୍ତି। ପ୍ରକାର ଭେଦ ଅନୁଯାୟୀ ଏଗୁଡ଼ିକର ଦାମ ନିର୍ଦ୍ଧାରିତ ହୋଇଥାଏ। ପ୍ରତି ୨୩ ଦିନରେ ଥରେ କୋକୁନ ଉତ୍ପାଦନ ହୋଇଥାଏ। (ବାଇଭୋଲ୍ଟାଇନ ରେଶମ କୀଟ କ୍ରୟ ପାଇଁ ସରକାର ଚାଷୀଙ୍କୁ ପ୍ରତିଥର ୧୦୦୦ ଟଙ୍କା ଲେଖାଏଁ ସବସିଡି ପ୍ରଦାନ କରିଥାନ୍ତି।)

ବିଶେଷ ଭାବେ ନିର୍ମିତ କୋଠରୀରେ କୀଟମାନଙ୍କୁ ଚାଷୀମାନେ ନିୟମିତ ବ୍ୟବଧାନରେ ମଲବେରୀ ପତ୍ର ଖାଇବାକୁ ଦେଇଥାନ୍ତି। ସ୍ପ୍ରିଙ୍କଲର ଓ ହ୍ୟୁମିଡିଫାୟର ଉପଯୋଗ କରାଯାଇ ଏହି କୋଠରୀରେ ଯଥେଷ୍ଟ ତାପମାତ୍ରା (୨୪-୨୮ ଡିଗ୍ରୀ ସେଲସିୟସ) ଏବଂ ଅନୁକୂଳ ଆର୍ଦ୍ରତା (୬୫-୭୫ ପ୍ରତିଶତ) ବଜାୟ ରଖାଯାଇଥାଏ। ଏହାଫଳରେ ବାଉଁଶ ଟ୍ରେରେ ଥିବା ଏବଂ ଖବରକାଗଜ ଘୋଡ଼ା ହୋଇଥିବା କୀଟଗୁଡ଼ିକ ୨୦-୨୩ ଦିନ ପର୍ଯ୍ୟନ୍ତ କୀଟାଣୁମୁକ୍ତ ରହିଥାନ୍ତି। ଏହାପରେ ପ୍ରସ୍ତୁତ କରାଯାଇଥିବା କୋକୁନଗୁଡ଼ିକୁ ବଜାରରେ ସୂତାକଟାଳୀମାନଙ୍କୁ ବିକ୍ରି କରାଯାଇଥାଏ, ଯେଉଁମାନେ ସେଥିରୁ ରେଶମ ପ୍ରସ୍ତୁତ କରନ୍ତି ଏବଂ ସେଗୁଡ଼ିକୁ ବୁଣାକାର ଓ ବ୍ୟବସାୟୀମାନଙ୍କୁ ବିକ୍ରି କରିଥାନ୍ତି। ରେଶମକୀଟ ପାଳନ ଗୃହ ନିର୍ମାଣ ପାଇଁ ଚାଷୀଙ୍କୁ ସ୍ପ୍ରିଙ୍କଲର, ହ୍ୟୁମିଡିଫାୟର, ବାଉଁଶ ଟ୍ରେ ଏବଂ ଅନ୍ୟାନ୍ୟ ସରଞ୍ଜାମ କିଣିବା ଲାଗି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଅଧିକାଂଶ ଚାଷୀ ଏଥିପାଇଁ ଋଣ ଆଣିଥା’ନ୍ତି।

ଚୌକୀ ପାଳନ ୟୁନିଟଗୁଡ଼ିକ ମଧ୍ୟ ମାର୍ଚ୍ଚ ୨୫ ତାରିଖ ଠାରୁ ଗୋଟିଏ ସପ୍ତାହ ପାଇଁ ବନ୍ଦ ରହିଥିଲା, ଯେତେବେଳେ ଲକଡାଉନ ଆରମ୍ଭ ହେଲା। ଅଧିକାଂଶ କେନ୍ଦ୍ର ଉତ୍ପାଦନ ହ୍ରାସ କରିଥିଲେ ଏବଂ ଛୋଟ କୀଟ ଓ ଅଣ୍ଡାଗୁଡ଼ିକୁ ନଷ୍ଟ କରି ଦେଇଥିଲେ। କିନ୍ତୁ ଯେହେତୁ ରେଶମ କୀଟ ପାଳନ ସମୟବଦ୍ଧ, ତେଣୁ ଉତ୍ପାଦନ ଆରମ୍ଭ ହେଲା ଏବଂ ଚାଷୀମାନେ ଲକଡାଉନ ସମୟରେ ପାଳନ କେନ୍ଦ୍ରରୁ ରେଶମ କୀଟ କିଣିପାରିଲେ।

PHOTO • Tamanna Naseer

କୋଭିଡ-19 ଲକଡାଉନ ରେଶମ ଉଦ୍ୟୋଗକୁ ବ୍ୟାପକ ଭାବେ ପ୍ରଭାବିତ କରିଛି, ପୁତ୍ତାରାମା ଦାଲାଗୌଡ଼ାଙ୍କ ଭଳି ଅଧିକାଂଶ କୋକୁନ ଚାଷୀଙ୍କ ଆଶା ଧୂଳିସାତ ହୋଇଗଲା, ଯେଉଁମାନେ ରାମନଗର ତାଲୁକର ହରିସାନ୍ଦ୍ରା ଗ୍ରାମର ରାମନଗର ବଜାରକୁ ଆସିଥିଲେ। ତଳୁ ବାମ : ରସିଦ କାଉଣ୍ଟର ଆଗରେ ରେଶମ କୋକୁନ ଚାଷୀମାନେ ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି। ତଳେ ଡାହାଣ : ମଇ ୨୭ ତାରିଖ,୨୦୨୦ରେ କଠିନ ଦିନ ପରେ ବିଶ୍ରାମ ନେଇଛନ୍ତି।

ଅଧିକାରୀମାନେ କୁହନ୍ତି, ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ରାମନଗର ବଜାର ଗୋଟିଏ ସପ୍ତାହ ପାଇଁ ମାର୍ଚ୍ଚ ୨୫ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହା ପୁଣିଥରେ ଖୋଲିବା ପରେ ବାଇଭୋଲ୍ଟାଇନ ରେଶମର ଦର କିଲୋ ପ୍ରତି ୩୩୦ ଟଙ୍କାକୁ ହ୍ରାସ ପାଇଥିଲା ଏବଂ କଲମୀ ରେଶମ କୋକୁନ ମୂଲ୍ୟ କିଲୋପ୍ରତି ୩୧୦ ଟଙ୍କାକୁ କମିଯାଇଥିଲା। ଅତୀତରେ, ରାମନଗର ରେଶମ ବଜାର ସାରା ବର୍ଷରେ ମାତ୍ର ଦୁଇ ଦିନ- ସାଧାରଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସରେ ବନ୍ଦ ରହୁଥିଲା।

ଯେତେବେଳେ ଦେଶରେ ଲକଡାଉନ କଟକଣା ଧୀରେ ଧୀରେ କୋହଳ ହେଲା, ରେଶମ କୋକୁନ ଚାଷୀମାନେ ପୁଣିଥରେ ଦର ବଢ଼ିବା ନେଇ ଆଶାବାଦୀ ଥିଲେ। ଦର କିନ୍ତୁ ଆହୁରି ତଳକୁ ଖସି ଚାଲିଲା। ମଇ ଶେଷ ସପ୍ତାହ ବେଳକୁ ବାଇଭୋଲ୍ଟାଇନ କୋକୁନର ହାରାହାରୀ ଦର କିଲୋ ପ୍ରତି ୨୫୦ ଟଙ୍କା ତଳକୁ ଖସିଗଲା ଏବଂ କଲମୀ କୋକୁନ କିଲୋ ପ୍ରତି ପାଖାପାଖି ୨୦୦ଟଙ୍କାରେ ବିକ୍ରି ହେଲା।

ଉପନିର୍ଦ୍ଦେଶକ ମୁନସୀ ବସୈୟା କୁହନ୍ତି, “କର୍ଣ୍ଣାଟକର ରେଶମ ସୂତାକଟାଳୀମାନେ ସାରା ଦେଶର ବୁଣାକାର ଓ ବ୍ୟବସାୟୀମାନଙ୍କୁ ରେଶମ ବିକ୍ରି କରିଥା’ନ୍ତି, କିନ୍ତୁ ସେମାନଙ୍କର ପ୍ରାଥମିକ ବଜାର ହେଉଛି ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ।” “କିନ୍ତୁ ଲକ୍‌ଡାଉନ ଆରମ୍ଭ ହେବା ପରେ ପରିବହନକୁ ଅନୁମତି ମିଳିଲା ନାହିଁ। ତେଣୁ ଏବେ ସୂତାକଟାଳୀମାନଙ୍କ ନିକଟରେ ବହୁ ପରିମାଣରେ ରେଶମ ମହଜୁଦ ହୋଇ ରହିଯାଇଛି ଯାହା ଫଳରେ ସେମାନଙ୍କର ଚାହିଦା ହ୍ରାସ ପାଇଛି”।

ରାମନଗର ରେଶମ କୃଷି ବିଭାଗର ଉପନିର୍ଦ୍ଦେଶକ ମହେନ୍ଦ୍ର କୁମାର ଜି.ଏମ କୁହନ୍ତି, “କୋଭିଡ-19 ମହାମାରୀର ଭୟ ପୂର୍ବରୁ ଦୈନିକ ରେଶମ ବଜାର ନିଲାମୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ୮୫୦-୯୦୦ ସୂତାକଟାଳୀ ଆସୁଥିଲେ। ଏପ୍ରିଲ ୨ ତାରିଖରେ ବଜାର ପୁଣିଥରେ ଖୋଲିବା ପରେ, ବଜାରକୁ ତଥାପି ୪୫୦-୫୦୦କ୍ରେତା ଆସୁଥିଲେ। ମଇ ଶେଷ ବେଳକୁ ମାତ୍ର ୨୫୦-୩୦୦ ସୂତାକଟାଳୀ ରେଶମ କୋକୁନ କିଣିବାକୁ ଆସିଲେ। ଇତିମଧ୍ୟରେ, ଏପ୍ରିଲର ପ୍ରଥମ କିଛିଦିନ ଚାଷୀଙ୍କ ସଂଖ୍ୟା ହ୍ରାସ ପାଇଥିଲା। ନହେଲେ ଏହି ସଂଖ୍ୟା ସେତେ କମିନଥାନ୍ତା।”

ଦର ହ୍ରାସ ପାଇବା ଲାଗି “ଯୋଗାଣ-ଚାହିଦା କାରଣ” ବ୍ୟତୀତ, କୁମାର କୁହନ୍ତି, “ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ରେଶମ ସୂତାକଟାଳୀମାନଙ୍କ ନିକଟରେ କୋକୁନ କିଣିବା ଲାଗି ଯଥେଷ୍ଟ ପୁଞ୍ଜି ନାହିଁ। ବଜାରରେ ବିକ୍ରି ହେଉଥିବା କୋକୁନଗୁଡ଼ିକ ଅତି ନିକୃଷ୍ଟ ମାନର; କେବଳ ପାଞ୍ଚ ପ୍ରତିଶତ କୋକୁନ ଭଲ। ଆର୍ଦ୍ରତା କୋକୁନ ପାଇଁ ଭଲ ନୁହେଁ। ବର୍ଷା ସମୟରେ (ବର୍ତ୍ତମାନ ଦକ୍ଷିଣ କର୍ଣ୍ଣାଟକରେ ବର୍ଷା ହେଉଛି, ତାପମାତ୍ରା ହ୍ରାସ ପାଇଛି), ଉତ୍ପାଦନର ମାନ ହ୍ରାସ ପାଇଛି। ଏହି କାରଣରୁ ଖୁବ କମ୍‌ସଂଖ୍ୟକ ସୂତାକଟାଳୀ ବଜାରରୁ ରେଶମ କୋକୁନ କିଣୁଛନ୍ତି।”

ରେଶମ କୃଷି ବିଭାଗର ଅଧିକାରୀମାନେ କୁହନ୍ତି, ଚାଷୀମାନେ କେବେ ଭଲ ମୂଲ୍ୟ ପାଇପାରିବେ ତାହା କହିବା ମୁସ୍କିଲ।

ଅନିଶ୍ଚିତତା ମଧ୍ୟରେ, ଅଧିକାଂଶ କୋକୁନ କୃଷକମାନଙ୍କ ପାଇଁ, ସେମାନଙ୍କର ଖର୍ଚ୍ଚ ଉଠାଇବା ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହି କାରଣରୁ ରାମନଗର ଜିଲ୍ଲାର ଚାନ୍ନାପଟ୍ଟନା ତାଲୁକ ଅନ୍ତର୍ଗତ ଅଙ୍କୁଶାନାହାଲ୍ଲି ଗ୍ରାମରେ ଥିବା ନିଜର ୪ ଏକର ଜମିରେ ପରିବ୍ୟାପ୍ତ ମଲବେରୀ ଗଛଗୁଡ଼ିକୁ ବୋରାଲିଙ୍ଗାୟା ବୋରେଗୌଡ଼ା ଏବଂ ରାମକ୍ରିଷ୍ଣା ବୋରେଗୌଡ଼ା ନଷ୍ଟ କରିବାକୁ ଲାଗିଛନ୍ତି। ଦରରେ ସ୍ଥିରତା ନଆସିବା ପର୍ଯ୍ୟନ୍ତ ସେମାନେ କୋକୁନ ଉତ୍ପାଦନଠାରୁ ଦୂରେଇ ରହିବାକୁ ଶପଥ ନେଇଛନ୍ତି।

The mulberry leaves (left) fed to silkworms in cocoon farmer Ramakrishna Boregowda's rearing unit in Ankushanahalli village. With severe losses this year, he has started removing the mulberry crop from his land and plans to stop producing cocoons
PHOTO • Tamanna Naseer
The mulberry leaves (left) fed to silkworms in cocoon farmer Ramakrishna Boregowda's rearing unit in Ankushanahalli village. With severe losses this year, he has started removing the mulberry crop from his land and plans to stop producing cocoons
PHOTO • Tamanna Naseer

ଅଙ୍କୁଶାନାହାଲି ଗ୍ରାମରେ ଥିବା କୋକୁନ ଚାଷୀ ରାମକ୍ରିଷ୍ଣା ବୋରେଗୌଡ଼ାଙ୍କ କ୍ଷେତରେ ରେଶମକୀଟମାନଙ୍କୁ ଦିଆଯାଉଥିବା ମଲବେରୀ ପତ୍ର (ବାମ)। ଚଳିତ ବର୍ଷ ବ୍ୟାପକ କ୍ଷତି ହେବା ଯୋଗୁଁ ସେ ନିଜ ଜମିରୁ ମଲବେରୀ ଚାଷକୁ ହଟାଇ ଦେବା ସହିତ କୋକୁନ ଉତ୍ପାଦନ ବନ୍ଦ କରିବାକୁ ଯୋଜନା କରିଛନ୍ତି।

“ବର୍ତ୍ତମାନ ସମୟରେ ଆମକୁ ଅଳ୍ପରେ ଚଳିବାକୁ ପଡ଼ୁଛି,” ୬୦ ବର୍ଷୀୟ ରାମକ୍ରିଷ୍ଣା କୁହନ୍ତି। “କୋକୁନ ଉତ୍ପାଦନ ପାଇଁ ବେଳେ ବେଳେ ଆମକୁ କଦଳୀ ଓ ଟମାଟୋ ବିକିବାକୁ ପଡ଼ୁଛି। ବେଳେ ବେଳେ ଆମେ ଅନ୍ୟ ଚାଷ ପାଇଁ କୋକୁନ ବିକ୍ରି କରିଥାଉ। ଏବେ, ଆମେ ବଜାରରେ କିଛି ମଧ୍ୟ ବିକିବାକୁ ସମର୍ଥ ହେଉନାହୁଁ। ଟମୋଟୋ ଓ କଦଳୀ କ୍ଷେତରେ ସଢ଼ୁଛି। ଏପରିକି ଆମର ନଡ଼ିଆ ମଧ୍ୟ କିଣିବାକୁ କେହି ପ୍ରସ୍ତୁତ ନୁହନ୍ତି। ସାରା ଜୀବନ ମୁଁ ସଂଘର୍ଷ କରିଛି। କିନ୍ତୁ ସବୁବେଳେ ଆମକୁ ଚଳିବା ପାଇଁ କିଛି ନା କିଛି ମିଳିଯାଇଥାଏ। ବର୍ତ୍ତମାନ ଆମ ପାଖରେ ବିକ୍ରି ପାଇଁ କିଛି ନାହିଁ।”

ବୋରାଲିଙ୍ଗାୟା ଓ ରାମକ୍ରିଷ୍ଣା ଦୁଇ ଭାଇଙ୍କର ୨୦ ଏକର ଜମି ରହିଛି। ଚାଷରେ ଖର୍ଚ୍ଚ ପାଇଁ କିଛି ବର୍ଷ ହେବ ସେମାନେ ତିନୋଟି ବ୍ୟାଙ୍କ ଋଣ ନେଇଛନ୍ତି ଯାହାର ପରିମାଣ ୧୭ ଲକ୍ଷ ଟଙ୍କା ହେବ। ଋଣ ବର୍ତ୍ତମାନ ସୁଦ୍ଧା ପରିଶୋଧ ହୋଇପାରିନାହିଁ। ତିନି ବର୍ଷ ପୂର୍ବରୁ ସେମାନେ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦୁଇଟି ରେଶମ କୀଟ ପାଳନ ୟୁନିଟ ନିର୍ମାଣ କରିଥିଲେ; ରାଜ୍ୟ ସରକାର ସେମାନଙ୍କୁ ୧ ଲକ୍ଷ ଟଙ୍କା ସବସିଡି ଦେଇଥିଲେ। ବର୍ତ୍ତମାନ, କେବଳ ଗୋଟିଏ ୟୁନିଟରେ କୀଟଗୁଡ଼ିକୁ ରଖାଯାଇଛି। “ଏଥର କୋକୁନ ଉତ୍ପାଦନ ହୋଇସାରିବା ପରେ ଆମେ ଏହି କାର୍ଯ୍ୟକୁ ବନ୍ଦ କରିଦେବୁ। ବଜାରରୁ ଯଦି ଆମକୁ ଲାଭ ମିଳିବ ନାହିଁ ତା’ହେଲେ ଏତେ ପରିଶ୍ରମ କରିବା, ସ୍ପ୍ରିଙ୍କଲର ବ୍ୟବହାର କରିବା, ବିଦ୍ୟୁତ ଖର୍ଚ୍ଚ ବହନ କରିବା ଏବଂ ଶ୍ରମିକଙ୍କୁ ମଜୁରି ଦେବାରେ ଲାଭ କ’ଣ? କୋକୁନ ଚାଷ କରିବା ଲାଗି ଆମ ପାଖରେ ଆଉ କୌଣସି କାରଣ ନାହିଁ,” ରାମକ୍ରିଷ୍ଣା କୁହନ୍ତି।

ତାଙ୍କ ମଲବେରୀ କ୍ଷେତର ଅର୍ଦ୍ଧାଧିକ ଭାଗ ବର୍ତ୍ତମାନ ସୁଦ୍ଧା ସଫା ହୋଇନାହିଁ। “ଅବଶିଷ୍ଟ ପତ୍ରକୁ ଆମେ ଆମ ଗୋରୁମାନଙ୍କୁ ଖାଇବାକୁ ଦେଇଦେବୁ। କ୍ଷେତ ସଫା ହୋଇଯିବା ପରେ ଆମେ ନଡ଼ିଆ ଗଛ ଲଗାଇବୁ। ନଡ଼ିଆ ବିକ୍ରିରୁ ହୁଏତ’ ଆମେ କିଛି ଟଙ୍କା ରୋଜଗାର କରିପାରିବୁ,” ୭୦ ବର୍ଷ ବୟସ୍କ ବୋରାଲିଙ୍ଗାୟା ନିରାଶାପୂର୍ଣ୍ଣ ସ୍ମିତହାସ୍ୟ ସହ କୁହନ୍ତି। ତାଙ୍କ ପରିବାର ବିପିଏଲ କାର୍ଡରୁ ମିଳିଥିବା ରାସନ ଓ କ୍ଷେତର କିଛି ଅଂଶରେ ସେମାନେ କରିଥିବା ମାଣ୍ଡିଆ ଓ ପନିପରିବା ସାହାଯ୍ୟରେ ଚଳୁଛି।

ତେବେ, ରେଶମ ଉଦ୍ୟୋଗ ସହିତ ଜଡ଼ିତ ଥିବା ଅଧିକାଂଶ ଚାଷୀଙ୍କ ପାଇଁ ରେଶମ କୋକୁନ ଉତ୍ପାଦନ ଛାଡ଼ିବା ବ୍ୟବହାରିକ ବିକଳ୍ପ ନୁହେଁ। କିଛି ଚାଷୀ କୋକୁନ ଉତ୍ପାଦନ ପାଇଁ ବାଧ୍ୟ ହେଉଛନ୍ତି କାରଣ ଆଉ କିଛି ଫସଲର ଅସ୍ଥାୟୀ ଉତ୍ପାଦନ କରି ସେମାନେ ଚଳିପାରିବେ ନାହିଁ।

“ଦର କମିଯାଇଥିବା କାରଣରୁ ଗୋଟିଏ ଦିନ ମଧ୍ୟ ମୁଁ ମୋ କାମ ବନ୍ଦ କରିପାରିବି ନାହିଁ। ମୁଁ ମୋ ପରିବାରକୁ ଖାଇବାକୁ କିପରି ଦେବି? ଗାଦିୟାପ୍ପା ପ୍ରଶ୍ନ କରନ୍ତି। ପୁଣିଥରେ କୋକୁନ ଉତ୍ପାଦନ ଲାଗି ତାଙ୍କୁ ଅଧିକ ଟଙ୍କା ଋଣ ଆଣିବାକୁ ପଡ଼ିବ। ତାଙ୍କ ମୁଣ୍ଡ ଉପରେ ଏବେ ବି ଦୁଇଟି ଋଣ ବୋଝ ରହିଛି-୨୦୧୯ରେ ସେ ୧୨ ପ୍ରତିଶତ ସୁଧ ହାରରେ ସମବାୟ ବ୍ୟାଙ୍କରୁ ୩.୫ ଲକ୍ଷ ଟଙ୍କାର ଋଣ ଆଣିଥିଲେ ଏବଂ ଚାରି ବର୍ଷ ପୂର୍ବେ ୭ ପ୍ରତିଶତ ସୁଧ ହାରରେ ବିଜୟା ବ୍ୟାଙ୍କରୁ ୧.୫ ଲକ୍ଷ ଟଙ୍କାର ୠଣ ଆଣିଥିଲେ। ଉଭୟ ୠଣର ମୂଳ ଟଙ୍କା ସେ ବର୍ତ୍ତମାନ ସୁଦ୍ଧା ପରିଶୋଧ କରିପାରିନାହାନ୍ତି।

“ଆଉ ଥରେ ଋଣ ନଆଣିଲେ ମୁଁ ପରିଚାଳନା ଖର୍ଚ୍ଚ ଉଠାଇପାରିବି ନାହିଁ। କିନ୍ତୁ ମୋତେ କେହି ଟଙ୍କା ଦେବାକୁ ରାଜି ହେଉନାହାନ୍ତି,” ଗାଦିୟାପ୍ପା କହିଛନ୍ତି। “ଯଦି ମୁଁ ଥରେ କୋକୁନ ଉତ୍ପାଦନରୁ ୧୦,୦୦୦ ଟଙ୍କା ରୋଜଗାର କରିବି ତା’ହେଲେ ମୋ ପରିବାର ପାଇଁ ଖାଇବା ଯୋଗାଡ଼ କରିପାରିବି। ନଚେତ ମୋ ପରିବାର ଭୋକ ଉପାସରେ ମରିଯିବ। ମୁଁ ଜାଣେ ଏହା କଷ୍ଟକର। କିନ୍ତୁ ମୁଁ ମାର୍ଗ ପାଇଯିବି। ଥରେ କରୋନା ଚାଲିଗଲେ ସବୁକିଛି ସ୍ୱାଭାବିକ ହୋଇଯିବ।”

ପ୍ରଚ୍ଛଦ ଫଟୋ : ଏମ.ଏସ. ରୁଦ୍ର କୁମାର, ମନ୍ଦ୍ୟ ଜିଲ୍ଲାର ମାଦ୍ଦୁର ତାଲୁକ ଅନ୍ତର୍ଗତ ମାରାସିଙ୍ଗାନହାଲ୍ଲିର କୋକୁନ ଚାଷୀ।

ଅନୁବାଦ: ଓଡ଼ିଶାଲାଇଭ୍‍

Tamanna Naseer

Tamanna Naseer is a freelance journalist based in Bengaluru.

यांचे इतर लिखाण Tamanna Naseer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE