ଯେତେବେଳେ ନିଖିରାପ୍ପା ଗାଦିୟାପ୍ପା ହାଭେରୀ ତାଲୁକରୁ ମେ ମାସ ଶେଷ ଆଡ଼କୁ ସାରା ରାତି ଯାତ୍ରା କରି ରାମନଗର ସହରରେ ଥିବା ରେଶମ କୋକୁନ ବଜାରରେ ଯାଇ ପହଞ୍ଚିଥିଲେ, ତାଙ୍କର ଆଶା ଥିଲା ଯେ ସେ ନିଜର କୋକୁନର ଉଚିତ ଦାମ ପାଇପାରିବେ। କିନ୍ତୁ ୧୧ ଘଣ୍ଟା ଧରି ଟେମ୍ପୋରେ ୩୭୦ କିମିର ଅବିରାମ ଯାତ୍ରା ସମୟରେ – ଲକ୍ଡାଉନ୍ କାରଣରୁ ରାସ୍ତାରେ ପଡ଼ୁଥିବା ଖାଇବା ଦୋକାନଗୁଡ଼ିକ ବନ୍ଦ ଥିଲା- ତାଙ୍କ ମନରେ ଆଶଙ୍କା ରହିଥିଲା। ଯଦି ତାଙ୍କୁ ନିଜର କୋକୁନଗୁଡ଼ିକର କମ୍ ଦାମ ମିଳିବ ତ’ କ’ଣ ହେବ?
ହାଭେରୀ ଜିଲ୍ଲାରେ ଥିବା ନିଜ ଗ୍ରାମ ହାନ୍ଦିଗାନୁରକୁ ଫେରିବା ସମୟରେ, ତାଙ୍କର ଆଶା ମରିଯାଇଥିଲା-ଏବଂ ତାଙ୍କ ମନରେ ଥିବା ଆଶଙ୍କା ବାସ୍ତବ ରୂପ ନେଇଥିଲା। ସେ ୨୫୦ କିଗ୍ରା ବାଇଭୋଲ୍ଟାଇନ କୋକୁନର ସମ୍ପୂର୍ଣ୍ଣ ଲଟକୁ ମାତ୍ର ୬୭,୫୦୦ ଟଙ୍କାରେ ବିକ୍ରି କରିଥିଲେ- ଅର୍ଥାତ କିଲୋ ପ୍ରତି ମାତ୍ର ୨୭୦ ଟଙ୍କାରେ।
ମାର୍ଚ୍ଚ ପ୍ରାରମ୍ଭରେ, ବିବାହ ଋତୁର ଅଧିକ ଚାହିଦା କାରଣରୁ ବାଇଭୋଲ୍ଟାଇନ କୋକୁନ କିଗ୍ରା ପ୍ରତି ୫୫୦ ଟଙ୍କା ଏବଂ କଲମୀ କୋକୁନ ହାରାହାରୀ କିଗ୍ରା ପ୍ରତି ୪୮୦ ଟଙ୍କାରେ ବିକ୍ରି ହୋଇପାରିଥାନ୍ତା। ଅନ୍ୟ ଋତୁରେ ସାଧାରଣ ଚାହିଦାରେ ବାଇଭୋଲ୍ଟାଇନ ରେଶମ କୋକୁନ କିଲୋ ପ୍ରତି ୪୫୦-୫୦୦ ଟଙ୍କାରେ ବିକ୍ରି ହୋଇଥାନ୍ତା ଏବଂ କଲମୀ ରେଶମ କୋକୁନ କିଲୋପ୍ରତି ୩୮୦-୪୨୦ ଟଙ୍କାରେ ବିକ୍ରି ହୋଇଥାନ୍ତା। (ବାଇଭୋଲ୍ଟାଇନ ହେଉଛି ଏକ ଧଳା ଉନ୍ନତ ମାନର କୋକୁନ; କଲମୀ ଶ୍ରେଣୀର କୋକୁନ ଇଷତ ହଳଦିଆ ରଙ୍ଗର ହୋଇଥାଏ ଏବଂ ଏହାକୁ ସାଧାରଣ ମାନର କଠିନ ଷ୍ଟ୍ରେନ ଏବଂ ବାଇଭୋଲ୍ଟାଇନ ଷ୍ଟ୍ରେନକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ।
୪୨ ବର୍ଷୀୟ ଗାଦିୟାପ୍ପା କୁହନ୍ତି, “୨୦୧୪ରେ ମୋର ପୈତୃକ ଜମିରେ କୋକୁନ ଉତ୍ପାଦନ ପାଇଁ ମୁଁ ମଲବେରୀ ଚାଷ ଆରମ୍ଭ କରିଥିଲି। ବର୍ତ୍ତମାନ, ମୁଁ ସେଗୁଡ଼ିକୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ମୁଁ କେମିତି ଋଣ ପରିଶୋଧ କରିବି ତା’କୁ ନେଇ ଚିନ୍ତାରେ ଅଛି ।”
୨୦୧୪ ପର୍ଯ୍ୟନ୍ତ, ଗାଦିୟାପ୍ପା କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ଥିବା ଚାଷ ଜମିରେ କୃଷି ଶ୍ରମିକ ଭାବେ କାମ କରୁଥିଲେ। ସେଥିରୁ ତାଙ୍କୁ ଦୈନିକ ୧୫୦-୧୭୦ ଟଙ୍କା ମିଳୁଥିଲା। ତାଙ୍କ ପରିବାରର 10 ଜଣିଆ ସଦସ୍ୟ ନିଜର ତିନି ଏକର ଜମିରେ ମୁଖ୍ୟତଃ ଯଅ ଏବଂ ଚିନାବାଦାମ ଚାଷ କରୁଥିଲେ-ପରିବାରର ଖାଇବା ପାଇଁ କିଛି ରଖିବା ପରେ ଅବଶିଷ୍ଟକୁ ନେଇ ବଜାରରେ ବିକ୍ରି କରୁଥିଲେ। ୨୦୧୬ରେ, ଗାଦିୟାପ୍ପା ଆହୁରି ୫ ଏକର ଜମି ଭାଗରେ ନେଇ ଯଅ ଏବଂ ଚିନାବାଦାମ ଚାଷ କରିବା ସହିତ ଅବଶିଷ୍ଟ ଜମିରେ ମଲବେରୀ ଚାଷ କଲେ- ଅଧିକ କିଛି ରୋଜଗାର କରିବା ଆଶାରେ ସେ ଏହି ନିଷ୍ପତ୍ତି ନେଇଥିଲେ।
ଗାଦିୟାପ୍ପା ଏବଂ ଅନ୍ୟ ପରିବାର ସଦସ୍ୟମାନେ ଏହିସବୁ କୋକୁନକୁ ପ୍ରତ୍ୟେକ ୩୫-୪୫ ଦିନରେ ଥରେ ବିକ୍ରି କରିଥାନ୍ତି-କିମ୍ବା ଗୋଟିଏ ବର୍ଷରେ ୧୦ ଥର ବିକ୍ରି କରିଥାନ୍ତି। ଚକି (ଛୋଟ ରେଶମ କୀଟଗୁଡ଼ିକ) ପାଖାପାଖି ୨୩ ଦିନରେ କୋକୁନ ପ୍ରସ୍ତୁତ କରିଥାନ୍ତି। ଚଳିତ ଥର ପାଇଁ ଗାଦିୟାପ୍ପା ମେ ପ୍ରଥମ ସପ୍ତାହରେ ରେଶମ କୀଟ ପାଳନ ଆରମ୍ଭ କରିଥିଲେ। କୋକୁନ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଦୈନିକ ୧୦ ଘଣ୍ଟା କାମ କରିବାକୁ ପଡ଼ୁଥିଲା, ସେଗୁଡ଼ିକ ଯେପରି ସଂକ୍ରମିତ ନହୁଅନ୍ତି କିମ୍ବା ଗରମ ପାଣିପାଗରେ ନଷ୍ଟ ହୋଇନଯାଆନ୍ତି ସେଥିପ୍ରତି ସେ ଧ୍ୟାନ ଦେଉଥିଲେ। ଶେଷରେ ସେ ମେ ଶେଷ ଆଡ଼କୁ ରାମନଗର ବଜାରକୁ ନିଜର ଉତ୍ପାଦ ବିକ୍ରି କରିବାକୁ ଆସିଲେ-ଏବଂ ତାଙ୍କୁ କ୍ଷତିର ବୋଝ ବହନ କରିବାକୁ ପଡ଼ିଲା।







