୩୦ ସେକେଣ୍ଡର ରେକର୍ଡିଂ କଲର୍ ଟ୍ୟୁନ୍ ବାଜି ବନ୍ଦ ହୋଇଯାଇଥିଲେ ହେଁ ଫୋନ୍ କଲ୍ର କୌଣସି ଉତ୍ତର ମିଳିନଥିଲା।: “ଭୁତାଣୁ ସଂକ୍ରମଣର ବିସ୍ତାରକୁ ବନ୍ଦ କରିବା ସମ୍ଭବ… ନିୟମିତ ଭାବରେ ସାବୁନରେ ହାତ ଧୋଇ ଦିଅନ୍ତୁ ଏବଂ ଅସୁସ୍ଥ ଥିବାର ସମ୍ଭାବନା ଥିବା ଲୋକଙ୍କଠାରୁ ଏକ ମିଟର ଦୂରତା ବଜାୟ ରଖନ୍ତୁ।”
ଯେତେବେଳେ ମୁଁ ଦ୍ୱିତୀୟ ଥର ଫୋନ କଲି, ସେ ଫୋନ ଉଠାଇଲେ, ବାଲାସାହେବ ଖେଡକର କଲର୍ ଟ୍ୟୁନ୍ ମାଧ୍ୟମରେ ଦିଆଯାଇଥିବା ପରାମର୍ଶର ଠିକ୍ ବିପରିତ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଆଖୁ କ୍ଷେତରେ ଆଖୁ କାଟୁଥିଲେ। ସେ କହିଲେ “ଏଠାରେ ସମସ୍ତେ କରୋନା ଭୂତାଣୁକୁ ନେଇ ଭୟଭୀତ ଅଛନ୍ତି।" ପୂର୍ବ ଦିନ ମୁଁ ଦେଖିଥିଲି ଜଣେ ମହିଳା ଜୋରରେ କାନ୍ଦୁଥିଲେ କାରଣ ସେ ଚିନ୍ତିତ ଥିଲେ ଯେ ସେ ଏହି ରୋଗ ଆଣିବେ ଏବଂ ତାଙ୍କ ପିଲା ମଧ୍ୟ ସଂକ୍ରମିତ ହେବ।"
୩୯ ବର୍ଷୀୟ ଖେଡକର ଜି.ଡି. ବାପୁ ଲାଡ ସମବାୟ ଚିନି କାରଖାନାରେ ଜଣେ ଶ୍ରମିକ ଭାବରେ ନିଯୁକ୍ତି ପାଇଛନ୍ତି - ମହାରାଷ୍ଟ୍ରର କାର୍ଯ୍ୟ ଜାରି ରଖିଥିବା କାରଖାନାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ । ଚିନିକୁ ଏକ 'ଅତ୍ୟାବଶ୍ୟକ ଦ୍ରବ୍ୟ' ଭାବରେ ତାଲିକାଭୁକ୍ତ କରାଯାଇଛି ଯେଉଁଥିପାଇଁ ଭୂତାଣୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଦେଶବ୍ୟାପୀ ତାଲାବନ୍ଦରୁ ଏହାକୁ ବାଦ୍ ପଡ଼ିଛି । ଏହାର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ସୀମା ବନ୍ଦ କରି ଆନ୍ତଃରାଜ୍ୟ ଯାତ୍ରାକୁ ବାରଣ କରିଥିଲେ ।
ରାଜ୍ୟରେ ସମୁଦାୟ ୧୩୫ଟି ଚିନି କାରଖାନା ରହିଛି – ସେଥିମଧ୍ୟରୁ ୭୨ ଟି ସମବାୟ ସମିତି ଏବଂ ୬୩ ଟି ଘରୋଇ ମାଲିକାନା ଦ୍ୱାରା ପରିଚାଳିତ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ବାଲାସାହେବ ପାଟିଲ କହିଛନ୍ତି। ସେ ମୋତେ ଫୋନରେ କହିଥିଲେ , “ଏଥିମଧ୍ୟରୁ ୫୬ ଟି କାରଖାନା ମାର୍ଚ୍ଚ ୨୩ ରେ ବନ୍ଦ ହୋଇଯାଇଥିଲା ଏବଂ ୭୯ ଟି କାର୍ଯ୍ୟକ୍ଷମ ହୋଇ ରହିଛି। “ସେହି କାରଖାନାକୁ ଆସୁଥିବା ଆଖୁ ଏବେବି କ୍ଷେତରେ କଟାଯାଉଛି। ସେଗୁଡ଼ିକ ମଧ୍ୟରୁ କେତେକ ମାର୍ଚ୍ଚ ଶେଷ ସୁଦ୍ଧା ପେଡ଼ା ବନ୍ଦ କରିବେ, ଆଉ କେତେକ ଏପ୍ରିଲ ଶେଷ ପର୍ଯ୍ୟନ୍ତ କରିବେ। ”
ପ୍ରତ୍ୟେକ ଚିନି କାରଖାନାର ଏକ ନିର୍ଦ୍ଦିଷ୍ଟ ଏକର ପରିମାଣର ଜମିରେ ଆଖୁକ୍ଷେତ ରହିଛି। ସେହିସବୁ କାରଖାନା ଦ୍ୱାରା ନିଯୁକ୍ତ ଶ୍ରମିକମାନେ ସେହି କ୍ଷେତରେ ଆଖୁ କାଟିବା ଏବଂ ଏହାକୁ ପେଡ଼ିବା ପାଇଁ ସେଗୁଡିକୁ କାରଖାନାକୁ ଆଣିବା ଆବଶ୍ୟକ କରନ୍ତି। କାରଖାନା ଶ୍ରମିକମାନଙ୍କୁ ଠିକାଦାରଙ୍କ ମାଧ୍ୟମରେ ନିଯୁକ୍ତି ଦେଇଥାଏ।
ବାରମାଟି ନିକଟସ୍ଥ ଛତ୍ରପତି ଚିନି କାରଖାନାର ଜଣେ ଠିକାଦାର ହନୁମନ୍ତ ମୁଣ୍ଡେ କୁହନ୍ତି, ସେମାନେ ଶ୍ରମିକମାନଙ୍କୁ ଆଗୁଆ ଟଙ୍କା ଦେଇ ସେମାନଙ୍କୁ “ପଞ୍ଜିକରଣ’’ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ନିଶ୍ଚିତ କରିବାକୁ ହେବ ଯେ ସେମାନେ ଯେପରି ଋତୁ ଶେଷରେ ସେହି ଅଗ୍ରୀମ ମୂଲ୍ୟର ଆଖୁ କାଟନ୍ତି।







