କମଲି ଗର୍ବର ସହ କହନ୍ତି, ‘ସମସ୍ତ ଯୁବକ ଅସୁସ୍ଥ ହୋଇପଡ଼ିଲେ ଏବଂ ଔଷଧ ଖାଇଲେ। ମୁଁ କିନ୍ତୁ ଅସୁସ୍ଥ ହୋଇନଥିଲି। ମୁଁ ଚାଲିବା ଜାରି ରଖିଥିଲି।’
ଓର୍ଲି ଜାତିର ଆଦିବାସୀ କମଲି ମାର୍ଚ୍ଚ ୨୦୧୮ରେ ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିମି ଦୂର ଯାଏ ଚାଲିଥିବା ୪୦ ହଜାର କୃଷକଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ତାଙ୍କ ଭଳି ଚାଷୀମାନଙ୍କର ଅସୀମ ଧୈର୍ଯ୍ୟ ଓ ବିଦ୍ରୋହ ଯୋଗୁ ରାଜ୍ୟ ସରକାର ସେମାନଙ୍କର ସମସ୍ତ ପ୍ରମୁଖ ଦାବିକୁ ମାନିବାକୁ ବାଧ୍ୟ ହେଲେ।
ଦୁଇ ମାସ ପରେ ମେ ୩ ତାରିଖରେ କମଲି ପୁଣି ରାସ୍ତାକୁ ଓହ୍ଲାଇଥିଲେ। ଏଥରକ ଦହାନୁରେ ହେଉଥିବା ନିର୍ଧାର(ସଂକଳ୍ପ) ଆନ୍ଦୋଳନ ପାଇଁ। ମାର୍ଚ୍ଚ ମାସର ମୋର୍ଚ୍ଚା ଭଳି ଏହି ର୍ୟାଲି ମଧ୍ୟ ଅଲ ଇଣ୍ଡିଆ କିଷାନ୍ ସଭା(ଏଆଇକେଏସ) ପକ୍ଷରୁ ଡକାଯାଇଥିଲା। ସରକାର ଯେମିତି ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବେ ସେହି ଦାବିରେ ସେମାନେ ଦୃଢ ଥାଆନ୍ତି। ସେହି ର୍ୟାଲିରେ ପ୍ରାୟ ୩୫ ହଜାର ଆଦିବାସୀ କୃଷକ ସାମିଲ ହୋଇଥିଲେ। ଡହ ଡହ ଖରାରେ ମଧ୍ୟାହ୍ନ ସମୟରେ କମଲି ଅନ୍ୟମାନଙ୍କ ସହିତ ଅଭିଯାନରେ ସାମିଲ ହୋଇଥିଲେ। ଏହି ଦୀର୍ଘ ଆନ୍ଦୋଳନ ଯୋଗୁ ସେମାନେ କ’ଣ ଜିତିଲେ ଏବଂ କିପରି ସଂଘର୍ଷକୁ ଆଗକୁ ଜାରି ରଖିବାକୁ ଯୋଜନା କରୁଛନ୍ତି ଇତ୍ୟାଦି ସଂପର୍କରେ କିଷାନସଭା ନେତାଙ୍କର କଥାକୁ ସେ ଗଭୀର ମନଯୋଗର ସହିତ ଶୁଣିଥାନ୍ତି।
କମଲି ବାବୁ ବାହୋତା ହେଉଛନ୍ତି ଜଣେ ବରିଷ୍ଠ ସଂଗ୍ରାମୀ। ସେ ଥାନେର ପାଲଘର ଜିଲ୍ଳା ସ୍ଥିତ ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ୱିମେନ୍ସ ଆସୋସିଏସନ୍(ଏଆଇଡିଡବ୍ଲୁଏ)ର ସଦସ୍ୟ ହୋଇଥିବାବେଳେ ପାଲଘରର ଦହାନୁ ତାଲୁକର ଚାରୋଟି ନାକା ନିକଟରେ ଆଭାଲଭେଦାରେ ରୁହନ୍ତି। ବହୁ ଦଶନ୍ଧି ଧରି ସେ ଅନେକଗୁଡ଼ିଏ କୃଷକ ଆନ୍ଦୋଳନରେ ଭାଗ ନେଇଛନ୍ତି। ଏପରିକି ନୂଆଦିଲ୍ଲୀରେ ଅନୁଷ୍ଠିତ କିଷାନ ସଭା [୨୦୧୨ ଏବଂ ୨୦୧୫ରେ]ର ଦୁଇଟି ବଡ଼ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ।



