ଦୀର୍ଘଦିନ ହେବ ବି. କିସ୍ତାଙ୍କ ମନରେ ଆଶା ଥିଲା ଯେ ଫଳ ଚାଷ କ୍ଷେତ୍ରରେ ସେ ନିଜର ଭାଗ୍ୟ ପରୀକ୍ଷା କରିବେ। “ଚାଷରୁ ହେଉଥିବା ଆୟ ବ୍ୟତୀତ ଋଣ ସୁଝିବା ନିମନ୍ତେ ମୋ ପାଖରେ ଆଉ କୌଣସି ମାର୍ଗ ନଥିଲା”, ବୋଲି ସେ କୁହନ୍ତି। ଗତବର୍ଷ ଶେଷରେ ସେ ୪ ଏକର ଜମି ଭାଗକୁ ନେଲେ। “ଚାରି ଏକର ଜମି ପାଇଁ ମୁଁ ଏକର ପିଛା ବାର୍ଷିକ ୨୦,୦୦୦ ଟଙ୍କା ଲେଖାଏଁ ଭଡ଼ା ଦେଲି”, ବୋଲି ବୋଡିଗାଣିଡୋଡ୍ଡି ଗ୍ରାମରେ ରହୁଥିବା କିସ୍ତା କୁହନ୍ତି। “ମୁଁ ଚାଷ ଆରମ୍ଭ କଲି, ଆଶା ଥିଲା ଗତ ତିନି ବର୍ଷ ଧରି ଝିଅ ଓ ପୁଅଙ୍କ ବାହାଘର ପାଇଁ ମୁଁ କରିଥିବା ଋଣକୁ ସୁଝିପାରିବି।”
କିନ୍ତୁ ଲକ୍ଡାଉନ୍ର କିଛି ସପ୍ତାହ ପୂର୍ବରୁ ଅନନ୍ତପୁର ଜିଲ୍ଲାର ବୁକ୍କାରାୟସମୁଦ୍ରମ ମଣ୍ଡଳରେ ଖୁବ ଜୋରରେ ପବନ ଓ ବର୍ଷା ହୋଇଥିଲା। କିସ୍ତାଙ୍କ ଗ୍ରାମ ଓ ଅନ୍ୟ ଗ୍ରାମଗୁଡ଼ିକରେ ଏପରି ଖରାପ ପାଗ ଯୋଗୁଁ ତାଙ୍କ ଜମିରେ ପାଖାପାଖି ୫୦ ଟନ୍ କଦଳୀ ଓ ତରଭୁଜ ଚାଷ ନଷ୍ଟ ହୋଇଯାଇଥିଲା। ସେ ଫଳ ବିକ୍ରି କରି ମାତ୍ର ୧ ଲକ୍ଷ ଟଙ୍କା ଆୟ କରିପାରିଥିଲେ-ଏବଂ ତାଙ୍କର ପାଖାପାଖି ୪ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା। ଫଳରେ ପୂର୍ବରୁ ଥିବା ଋଣ ସୁଝିବା ତ’ ଦୂରର କଥା ସାହୁକାରଙ୍କ ଠାରୁ ସେ ଆଣିଥିବା ଋଣ ପରିମାଣ ୩.୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୭.୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।
ଅନନ୍ତପୁରର ଚାଷୀମାନେ ୨୦୧୯ରେ ଭଲ ମୌସୁମୀ କାରଣରୁ ଲାଭବାନ ହୋଇଥିଲେ। କିସ୍ତାଙ୍କ ଭଳି ସେମାନେ ମଧ୍ୟ ଚଳିତ ବର୍ଷ ରବି ଫସଲରୁ ଭଲ ଆୟ କରିବେ ବୋଲି ଆଶା ରଖିଥିଲେ। କଦଳୀ ଚାଷୀମାନେ ପ୍ରତି ଟନ କଦଳୀ ପିଛା ୮୦୦୦ଟଙ୍କା ପାଇବେ ବୋଲି ଆଶା କରୁଥିଲେ।
ହେଲେ ରବି ଋତୁ ଶେଷ ଆଡ଼କୁ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ ଲାଗୁ ହୋଇଗଲା। ବଜାରରେ ଅନିଶ୍ଚିତତା ରହିବା କାରଣରୁ ବ୍ୟବସାୟୀମାନେ ଉତ୍ପାଦିତ ଫଳ କିଣିବା ଲାଗି କୁଣ୍ଠା ପ୍ରକାଶ କଲେ। ଏହାର କୁପ୍ରଭାବ ଚାଷୀଙ୍କ ଉପରେ ପଡ଼ିଲା। ରବି ଋତୁରେ ଏପ୍ରିଲ ପର୍ଯ୍ୟନ୍ତ ପ୍ରତି ଦୁଇ ସପ୍ତାହରେ ଥରେ କଦଳୀ ଅମଳ ହୋଇଥାଏ, ଏବଂ ପ୍ରତ୍ୟେକ ରାଉଣ୍ଡ ହିଟ୍ ହୋଇଥିଲା ।
ବୁକ୍କାରାୟସମୁଦ୍ରମ ଗ୍ରାମର କ୍ଷତି ସହିଥିବା ଚାଷୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜି. ସୁବ୍ରମଣ୍ୟମ। ସେ ୩.୫ ଏକର ଜମିରେ ୩.୫ ଲକ୍ଷ ଖର୍ଚ୍ଚ କରି କଦଳୀ ଚାଷ କରିଥିଲେ। ଏପ୍ରିଲରେ ସେ ୭୦ ଟନ କଦଳୀ ଉତ୍ପାଦନ କରିଥିଲେ। ହେଲେ ଗାଁକୁ ଆସିଥିବା ବ୍ୟବସାୟୀଙ୍କୁ ଟନ ପ୍ରତି ମାତ୍ର ୧୫୦୦ ଟଙ୍କାରେ ସେ କଦଳୀ ବିକ୍ରି କରିଥିଲେ। ସେହି ମାସ, ପ୍ରତି ଟ୍ରକରେ ୮ -୯ ଟନ୍ ଲେଖାଏଁ ଲଦା ହୋଇଥିବା କଦଳୀ ବିକ୍ରି ହୋଇଥିଲା। କିନ୍ତୁ ଟନ୍ ପ୍ରତି ମାତ୍ର ୫୦୦୦ ଟଙ୍କାରେ-ଯାହାକି କୃଷକମାନଙ୍କ ହିସାବ ଠାରୁ ୩୦୦୦ ଟଙ୍କା କମ୍ ଥିଲା।






