“ଆମେ ଏହି ୫୮ଟି ଓଟଙ୍କୁ ଜବତ କରିନାହୁଁ,” ଏହା କହନ୍ତି ଅମରାବତୀ ଜିଲ୍ଲା ଅନ୍ତର୍ଗତ ତାଲେଗାଓଁ ଦଶାସର ଥାନାର ଇନ୍ସପେକ୍ଟର ଇନ୍ ଚାର୍ଜ ଅଜୟ ଅକାରେ । “ଏହି ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ବିରୋଧରେ ମହାରାଷ୍ଟ୍ରରେ ନିର୍ଦ୍ଦିଷ୍ଟ ଆଇନ ନଥିବାରୁ ଆମର ସେଭଳି ଜବତ କରିବାର କ୍ଷମତା ନାହିଁ।”
ସେ କହନ୍ତି, “ଏହି ଓଟଗୁଡ଼ିକୁ ଅଟକ ରଖାଯାଇଛି ।”
ଏବଂ ଅମରାବତୀର ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇ ନଥିଲେ ହୁଏତ ସେମାନଙ୍କ ପାଳକମାନଙ୍କୁ ବି ଅଟକ ରଖାଯାଇଥାଆନ୍ତା । ଏହି ପାଞ୍ଚ ଓଟପାଳକ ଅର୍ଦ୍ଧ-ଯାଯାବର ସଂପ୍ରଦାୟର ପଶୁପାଳକ । ସେମାନଙ୍କ ମଧ୍ୟରୁ ଚାରି ଜଣ ରବାରି ସଂପ୍ରଦାୟର ଏବଂ ଜଣେ ଗୁଜରାଟ ଅନ୍ତର୍ଗତ କଚ୍ଛର ଫକିରାନୀ ଜାଟ୍ ସଂପ୍ରଦାୟର । ଏହି ଦୁଇ ସାମାଜିକ ଗୋଷ୍ଠୀ ପରମ୍ପରାଗତ ଏବଂ ବଂଶାନୁକ୍ରମିକ ଭାବେ ଶହ ଶହ ବର୍ଷ ହେଲା ଓଟ ପାଳନ କରିଆସୁଛନ୍ତି । ଜଣେ ଆତ୍ମଘୋଷିତ ‘ପଶୁ ଅଧିକାର କର୍ମୀ’ଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ଗିରଫ କରିଥିବା ଏହି ପାଞ୍ଚ ଜଣଙ୍କୁ ତୁରନ୍ତ ଏବଂ ନିଃସର୍ତ୍ତ ଜାମିନ ମଞ୍ଜୁର କରିଥିଲେ ସେଠାକାର ମାଜିଷ୍ଟ୍ରେଟ୍ ।
ଅକାରେ କହନ୍ତି, “ଏହି ଓଟମାନଙ୍କର କିଣାବିକା ସଂପର୍କରେ କୌଣସି କାଗଜପତ୍ର କିମ୍ବା ସେମାନଙ୍କ ନିଜର ବାସସ୍ଥାନ ସଂପର୍କିତ କୌଣସି ଆଇନସମ୍ମତ ପ୍ରମାଣପତ୍ର ଅଭିଯୁକ୍ତମାନଙ୍କ ପାଖରେ ନଥିଲା।” ହେଲେ ଏହା ପରେ ପରେ ଏକରୋଚକ ପରିସ୍ଥିତି ଦେଖିବାକୁ ମିଳିଥିଲା ଏବଂ ସେଥିରେ ଏହି ପାରମ୍ପରିକ ପଶୁପାଳକମାନେ ସେମାନଙ୍କ ପାଖରେ ରହିଥିବା ଓଟମାନଙ୍କର ପରିଚୟପତ୍ର ଏବଂ ସେମାନଙ୍କ ମାଲିକାନା ସଂପର୍କିତ କାଗଜପତ୍ର ଅଦାଲତରେ ଦାଖଲ କରିଥିଲେ । ପ୍ରାୟତଃ ଯାଯାବର ଭଳି ଜୀବନ ବିତାଉଥିବା ଏହି ଗୋଷ୍ଠୀଭୁକ୍ତ ବ୍ୟକ୍ତିମାନଙ୍କର ସଂପର୍କୀୟ ଏବଂ ସେମାନଙ୍କ ସଂପ୍ରଦାୟର ଅନ୍ୟ ସଦସ୍ୟମାନେ ଏହି ସବୁ କାଗଜପତ୍ର ପଠାଇଥିଲେ ।
ସେମାନଙ୍କ ପାଳକମାନଙ୍କ ପାଖରୁ ଅଲଗା ହେବା ପରେ ଏବେ ଏହି ଓଟମାନେ ଗାଈମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଗୌରକ୍ଷା କେନ୍ଦ୍ରରେ ଦୟନୀୟ ଅବସ୍ଥାରେ ଅଛନ୍ତି । କେନ୍ଦ୍ରର ଦେଖାରଖା କରୁଥିବା ଲୋକମାନେ ସେମାନଙ୍କ ହେପାଜତରେ ରହିଥିବା ଓଟମାନଙ୍କର ସେବା ଯତ୍ନ ଓ ଖିଆପିଆ ସଂପର୍କରେ ସଂପୂର୍ଣ୍ଣ ଅନଭିଜ୍ଞ । ଉଭୟ ଗାଈ ଓ ଓଟ ରୋମନ୍ଥକ ପଶୁ ହୋଇଥିଲେ ହେଁ ସେମାନଙ୍କ ଖାଦ୍ୟପେୟ ସଂପୂର୍ଣ୍ଣ ଅଲଗା। ଏବଂ ତେଣୁ, ଏହି ମାମଲା ବେଶି ଦିନ ଯାଏ ଚାଲିଲେ, ମରୁବାଲିରେ ରହିବାରେ ଅଭ୍ୟସ୍ତ ଏହି ଓଟମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଅବନତି ଦେଖାଦେବା ଆଶଙ୍କା ରହିଛି ।




















