ତରୁଣ ଖମ୍ରି ଅଟକ ରଖିବାର ଆଘାତରୁ ଏ ପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିପାରିନାହିଁ।
କମ୍ମାଭାଇ ଲଖାଭାଇ ରାବାରୀ ମତ ଦିଅନ୍ତି, ‘‘ସେ ଆଉ ଥରେ ସ୍ୱାସ୍ଥ୍ୟ ଫେରିପାଇବାକୁ ସମୟ ଲାଗିବ’’।
ଏହି ପଶୁପାଳକ ଜଣକ ତାଙ୍କ ଗୋଠରେ ଥିବା ଗୋଟିଏ ଯୁବ ଅଣ୍ଡିରା ଓଟ ବିଷୟରେ କହୁଛନ୍ତି।
ଜାନୁଆରୀ ୨୦୨୨ର ଅସାଧାରଣ ଘଟଣା ପରିପ୍ରେକ୍ଷୀରେ କମ୍ମାଭାଇଙ୍କ ଆଶାପୂର୍ଣ୍ଣ କଣ୍ଠସ୍ୱରକୁ ବୁଝି ହେଉଥିଲା। ସେତେବେଳେ ମହାରାଷ୍ଟ୍ରର ଅମରାବତୀଠାରେ ସ୍ଥାନୀୟ ପୋଲିସ ଦ୍ୱାରା ୫୮ଟି ଓଟକୁ ଅଟକ ରଖାଯାଇଥିଲା। ଯଦିଓ ଗୋଟିଏ ମାସ ପରେ ଫେବୃଆରୀ ମାସରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା, ସବୁ ଓଟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା।
ସେମାନଙ୍କ ଚରାଳୀମାନେ କହନ୍ତି ଯେ ସେମାନଙ୍କୁ ଅଟକ ରଖାଯିବା ସମୟରେ ଏହି ଜୀବମାନେ ସେମାନଙ୍କର ନିୟମିତ ଖାଦ୍ୟ ଖାଇବାକୁ ପାଇନଥିଲେ। ସେମାନଙ୍କୁ ଯେଉଁ ଗୋ-ରକ୍ଷଣ କେନ୍ଦ୍ରଠାରେ ରଖାଯାଇଥିଲା ତାହା ହେଉଛି ଗାଈମାନଙ୍କୁ ଖୁଆଇବା ପାଇଁ ବ୍ୟବସ୍ଥା କରାଯାଇଥିବା ଏକ ଗୋ-ଆଶ୍ରୟ ସ୍ଥଳ। କମ୍ମାଭାଇ କହନ୍ତି, ‘‘ସେମାନେ ହେଉଛନ୍ତି ଖୋଲାରେ ଚରୁଥିବା ଜୀବ ଏବଂ ବଡ଼ ବଡ଼ ଗଛର ପତ୍ର ଖାଆନ୍ତି। ସେମାନେ ଗୋ-ଖାଦ୍ୟ ଖାଆନ୍ତି ନାହିଁ।’’











