କୁହଲ ପାଖ ଦେଇ ଯିବା ବେଳେ ଜୋବନ ଲାଲ୍ କଣ୍ଡବାରୀ ଗାଁର ଲୋକଙ୍କୁ ତା’ର ମରାମତି ପାଇଁ ଆହ୍ୱାନ ଦେଉଛନ୍ତି । ସେ ପାଟି କରି ସେଠାକାର ପରିବାରଜନଙ୍କୁ ତାଙ୍କ ସହଯୋଗ ଦେବା ପାଇଁ ସେ ଦିନେ ଖରାଦିନ ସକାଳେ ଡାକିଲେ, ‘‘ତୁମର କୋଦାଳ ଓ ଶାବଳ ଧରି ମୋତେ ପୋଷ୍ଟ ଅଫିସ୍ ପଛ ପଟେ ଦେଖାକର’’ । କିନ୍ତୁ ତାଙ୍କ ପକ୍ଷରେ ଏମିତି ୨୦ ଜଣ ଶ୍ରମିକଙ୍କୁ ଏକାଠି କରିବା କଷ୍ଟକର ହେଲା । ସେ ମନେ ପକାନ୍ତି ‘‘ପ୍ରାୟ ୩୦ ବର୍ଷ ପୂର୍ବରୁ, ମୁଖ୍ୟତଃ ରବି ଏବଂ ଖରିଫ ଧାନ ରୋଇବା ସମୟରେ, ଯେତେବେଳେ କୋହଲି ଡାକନ୍ତି, ୬୦-୮୦ ଲୋକ ଏକାଠି ହୋଇଯାଉଥିଲେ’’ । କୁହଲ୍ଗୁଡ଼ିକ ସାଧାରଣତଃ ୨ ମିଟର ଚଉଡ଼ା ଏବଂ ଦୁଇ ମିଟର ଗଭୀର, ଏବଂ ୧୦୦ ମିଟରରୁ ଏକ କିଲୋମିଟର ଯାଏଁ ପ୍ରବାହିତ ହୋଇପାରେ ।
୫୫ ବର୍ଷ ବୟସ୍କ ଜୋବନ ଲାଲ୍, କଣ୍ଡବାରୀର ଜଣେ କୋହଲି । କଣ୍ଡବାରୀ ହେଉଛି କଙ୍ଗରା ଜିଲ୍ଲା ପାଲମପୁର ତହସିଲ ଅନ୍ତର୍ଗତ ୪୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗାଁ (ଏହି ଗାଁ ଜନଗଣନାରେ କମଲେହର ଭାବେ ତାଲିକାଭୁକ୍ତ ହୋଇଛି ) । ସେ ଏହି କାମ ତାଙ୍କ ବାପାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି, ଯଦିଓ ତାଙ୍କ ଜେଜେବାପା ଜଣେ କୋହଲି ନଥିଲେ । ସେ କହନ୍ତି, ‘‘ସମ୍ଭବତଃ କେହି ଜଣେ ଏହି କାମ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଥିବେ, ଏହା ଆଉ ଏକ ସମ୍ମାନଜନକ କାମ ହୋଇ ରହିନାହିଁ ।’’ ‘‘ଏବଂ ମୋ ବାପା ଗ୍ରାମବାସୀଙ୍କ ଦ୍ୱାରା ଏହି କାମ କରିବାକୁ ବଛା ଯାଇଥିବେ ।’’
ପାରମ୍ପରିକ ଭାବେ କୋହଲି ହେଉଛନ୍ତି କୁହଲ୍ର କର୍ତ୍ତୃପକ୍ଷ, ଯିଏ କି ସ୍ଥାନୀୟ ଜଳ ପରିଚାଳନା ବାବଦରେ ଗଭୀର ଜ୍ଞାନ ରଖୁଥିବା ବ୍ୟକ୍ତି । ସେ କୁହଲ୍ ଦେବୀ (ଜଣେ ଦେବୀ, ଯଦିଓ କୋହଲି ପାରମ୍ପରିକ ଭାବେ ସର୍ବଦା ମହିଳା)ଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଏବଂ ବଳି ଦିଅନ୍ତି । ଅତୀତରେ, ହିମାଚଳପ୍ରଦେଶରେ ବହୁ ଲୋକ ବିଶ୍ୱାସ କରୁଥିଲେ ଯେ ସେମାନଙ୍କ ପାଣି କେନାଲ୍ ସବୁ ଦେବୀଙ୍କ ଦ୍ୱାରା ସୁରକ୍ଷିତ ରହିଛି । ଏମିତିକି ମରୁଡ଼ି ସମୟରେ ମଧ୍ୟ, ସେମାନେ ଯଦି କେନାଲ୍ଗୁଡ଼ିକର ଭଲ ଭାବରେ ଯତ୍ନ ନେବେ, ଦେବୀ ପ୍ରସନ୍ନ ହୋଇ ପ୍ରଚୁର ଉତ୍ପାଦନ ମାଧ୍ୟମରେ ଏହାକୁ ଫେରାଇଦେବେ । ବନ୍ୟାକୁ ରୋକିବା ପାଇଁ କୋହଲି ମଧ୍ୟ ଜଣେ ସୁଫି ସନ୍ଥ (ଗ୍ରାମବାସୀ ତାଙ୍କ ନାଁ କହିପାରିଲେ ନାହିଁ)ଙ୍କୁ ପୂଜା କରନ୍ତି, ଯିଏକି ସମ୍ଭବତଃ କଙ୍ଗରା ଉପତ୍ୟକାର ପ୍ରାସଙ୍ଗିକତା ବାବଦରେ କହନ୍ତି।









