ଗତ ବର୍ଷ ଓସମାନାବାଦର ଚାଷ ଜମିରେ ଚାରି ମାସର କଠିନ ପରିଶ୍ରମକୁ ନଷ୍ଟ କରିବାକୁ ଦୁଇ ସପ୍ତାହର ବର୍ଷା ଯଥେଷ୍ଟ ଥିଲା। ଅକ୍ଟୋବରରେ ଘନ କଳା ବାଦଲ ଫାଟି ଯାଇଥିଲା ଏବଂ ପ୍ରବଳ ବର୍ଷା ରେ ପରିଣତ ହୋଇଥିଲା - ଏବଂ ବାତ୍ୟାରେ ଘରର ଛପର ଉଡ଼ିଗଲା, ପଶୁମାନେ ଭାସିଗଲେ ଏବଂ ଏକର ଏକର ଫସଲ ଧୋଇଗଲା।

ସେହି ଫସଲଗୁଡିକ ମଧ୍ୟରୁ କିଛି ମହାରାଷ୍ଟ୍ରର ଓସମାନାବାଦର ମହଲିଙ୍ଗୀ ଗାଁର କୃଷକ ଶାରଦା ଏବଂ ପାଣ୍ଡୁରାଙ୍ଗ ଗୁନ୍ଦଙ୍କର ଥିଲା। ୪୫ ବର୍ଷର ଶାରଦା କୁହନ୍ତି, "ଆମେ ଅମଳ କରିଥିବା ପ୍ରାୟ ୫୦ କ୍ୱିଣ୍ଟାଲ ସୋୟାବିନ୍‍ ନଷ୍ଟ ହୋଇଯାଇଥିଲା। ଆମ କ୍ଷେତରେ ଆମ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଥିଲା। ଏହା ସବୁକିଛି ନଷ୍ଟ କରିଦେଲା।"

ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୦ ମସିହା ଅକ୍ଟୋବର ମାସରେ ଓସମାନାବାଦ ଜିଲ୍ଲାରେ ୨୩୦.୪ ମିଲିମିଟର ବର୍ଷା ହୋଇଥିଲା - ଯାହା ଏହି ମାସରେ ଜିଲ୍ଲାର ଅନ୍ୟ ସ୍ଥାନ ତୁଳନାରେ ହାରାହାରି ୧୮୦ ପ୍ରତିଶତ ଅଧିକ ଥିଲା।

ପାଣ୍ଡୁରାଙ୍ଗ ଏବଂ ଶାରଦା ପରି କୃଷକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ।

୫୦ ବର୍ଷୀୟ ପାଣ୍ଡୁରାଙ୍ଗ ଅସହାୟ ଭାବରେ ବର୍ଷା ତାଙ୍କ ଫସଲର ପ୍ରତ୍ୟେକ ଅଂଶକୁ ଧୋଇ ନେଇଯାଉଥିବାର ଦେଖୁଥିଲେ, କୃଷି ବଜାରରେ ସୋୟାବିନ୍‍ କ୍ୱିଣ୍ଟାଲ୍‍ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୩୮୦୦ ଟଙ୍କାରେ ବିକ୍ରି ହେଉଥିଲା। କହିବାକୁ ଗଲେ, ସେ ଏବଂ ଶାରଦା ୧୯୪,୦୦୦ ଟଙ୍କା ମୂଲ୍ୟର ଷ୍ଟକ୍ ହରାଇଥିଲେ। ସାରଦା କୁହନ୍ତି, "ଆହୁରି ମଧ୍ୟ ଆମେ ପ୍ରାୟ ୮୦,୦୦୦ ଟଙ୍କା ବିନିଯୋଗ କରିଥିଲୁ। "ଆପଣଙ୍କୁ ମଞ୍ଜି, ସାର, କୀଟନାଶକ ଇତ୍ୟାଦି କିଣିବାକୁ ପଡ଼ିବ। ଫସଲ ଚାଷ କରିବା ପାଇଁ ଆମେ ଚାରିମାସରୁ ଅଧିକ ସମୟ ଧରି ଯେଉଁ ହାଡଭଙ୍ଗା ପରିଶ୍ରମ କରିଥିଲୁ ତାହାକୁ ମୁଁ ହିସାବକୁ ନେଇନାହିଁ। କିନ୍ତୁ ହଠାତ୍ ବର୍ଷା ହୋଇଥିଲା ଏବଂ ଆମେ ଏହି ବାବଦରେ କିଛି କରିପାରିଲୁ ନାହିଁ।"

Left: Sharda Gund lost 50 quintals of soybean in the torrential rains of October 2020 in Osmanabad. Right: File photo of some farmers saving what was left of their crop
PHOTO • Parth M.N.
Left: Sharda Gund lost 50 quintals of soybean in the torrential rains of October 2020 in Osmanabad. Right: File photo of some farmers saving what was left of their crop
PHOTO • Parth M.N.

ବାମ: ଓସମାନାବାଦରେ ୨୦୨୦ ମସିହା ଅକ୍ଟୋବର ମାସର ପ୍ରବଳ ବର୍ଷାରେ ଶାରଦା ଗୁନ୍ଦ ୫୦ କ୍ୱିଣ୍ଟାଲ ସୋୟାବିନ୍‍ ହରାଇଲେ ଡାହାଣ: କିଛି କୃଷକଙ୍କ ଫସଲରୁ ଯାହା ଫସଲ ବାକି ବଞ୍ଚିଥିଲା ତାହା ସଂଗ୍ରହ କରୁଛନ୍ତି

ଏଭଳି ଅପ୍ରତ୍ୟାଶିତ ବିପଦରୁ ନିଜକୁ ରକ୍ଷା କରିବା ପାଇଁ ଦମ୍ପତି ପ୍ରଧାନମନ୍ତ୍ରୀ ଫାସଲ ବୀମା ଯୋଜନା (ପିଏମ୍‍ଏଫ୍‍ବିୱାଇ) ଅଧୀନରେ ସେମାନଙ୍କର ସୋୟାବି୍ନ୍‍ ଫସଲର ବୀମା କରିଥିଲେ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୬ ମସିହାରେ ଆରମ୍ଭ ହୋଇଥିବା ବୀମା ଯୋଜନା "ବିହନ ବୁଣିବା ଠାରୁ ଆରମ୍ଭ କରି ଅମଳ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ସମସ୍ତ ପ୍ରାକୃତିକ ବିପଦରୁ କୃଷକଙ୍କ ଫସଲ ପାଇଁ ବ୍ୟାପକ ବିପଦ ଆବୃତ୍ତି ନିଶ୍ଚିତ କରିଥାଏ"।

ପାଣ୍ଡୁରାଙ୍ଗ, ସେମାନଙ୍କର ୨.୨ ହେକ୍ଟର (ମାତ୍ର ୫ ଏକରରୁ ଅଧିକ) ଜମିରେ ଫସଲ ବାବଦକୁ ୧୯୮୦ ଟଙ୍କାର ପ୍ରିମିୟମ ପ୍ରଦାନ କରିଥିଲେ, ଯାହା ୯୯,୦୦୦ଟଙ୍କା ବୀମା ରାଶିର ୨ ପ୍ରତିଶତ ଥିଲା। ଏହି ଯୋଜନାରେ ଖରିଫ ଫସଲ ପାଇଁ କୃଷକମାନଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ପ୍ରିମିୟମର ସର୍ବାଧିକ ୨ ପ୍ରତିଶତ ଧାର୍ଯ୍ୟ କରାଯାଇଛି-ଯେପରିକି ସୋୟାବିନ୍, ବାଜରା, ହରଡ, କପା ଏବଂ ଅନ୍ୟାନ୍ୟ ଫସଲ ଯାହା ଜୁଲାଇ-ଅକ୍ଟୋବରରେ ଉତ୍ପାଦନ କରାଯାଇଥାଏ। ସୂଚୀଭୁକ୍ତ କୃଷି ବୀମା କମ୍ପାନିର ବଳକା ଦେୟ -ଏହି କ୍ଷେତ୍ରରେ ବଜାଜ ଆଲିଆନ୍ଜ ଜେନେରାଲ ଇନସ୍ୟୁରାନ୍ସ କୋ.ଲିମିଟେଡ୍ - କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବହନ କରାଯାଇଥାଏ।

ତେବେ ଗୁନ୍ଦ ପରିବାରର କ୍ଷତି ୨.୫ ଲକ୍ଷରୁ ଅଧିକ ହୋଇଯାଇଥିଲା, ଯେତେବେଳେ ପାଣ୍ଡୁରାଙ୍ଗ ବୀମା ଦାବି କରିଥିଲେ, ସେତେବେଳେ ତାଙ୍କୁ ମାତ୍ର ୮,୦୦୦ ଟଙ୍କା କମ୍ପାନି ତରଫରୁ ମିଳିଥିଲା।

ପାଣ୍ଡୁରାଙ୍ଗ ଏବଂ ଶାରଦା ପ୍ରକୃତରେ ବୀମା ଟଙ୍କା ଆବଶ୍ୟକ କରୁଥିଲେ। ୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ୍ -୧୯ ଆରମ୍ଭ ହେବା ପରେ ମରାଠାୱାଡାର ସମସ୍ତ ଅଞ୍ଚଳର କୃଷକମାନେ - ଯେଉଁଠାରେ ଓସମାନାବାଦ ମଧ୍ୟ ଅବସ୍ଥିତ - କ୍ରମାଗତ କ୍ଷତି ସହିଆସୁଛନ୍ତି। କୃଷି ଅର୍ଥନୀତିରେ ମାନ୍ଦା ଅବସ୍ଥା ଆସିଯାଇଛି ଏବଂ ବନ୍ୟାରେ ଫସଲ ନଷ୍ଟ ହେବା ପରିବାରର ଆର୍ଥିକ ଚାପକୁ ବଢାଇ ଦେଇଥିଲା।

ଓସମାନାବାଦର କୃଷି ବିଭାଗର ରେକର୍ଡ ଅନୁଯାୟୀ, ଜିଲ୍ଲାର ୯୪୮,୯୯୦ ଜଣ କୃଷକ ୨୦୨୦-୨୧ ର ଖରିଫ ଋତୁରେ ସେମାନଙ୍କ ଫସଲକୁ ବୀମାଭୁକ୍ତ କରିଥିଲେ। ଏହା ମଧ୍ୟରେ କୃଷକମାନେ ୪୧.୮୫ କୋଟି ଟଙ୍କାର ପ୍ରିମିୟମ ପ୍ରଦାନ କରିଥିଲେ। ରାଜ୍ୟ ଏବଂ କେନ୍ଦ୍ରର ଅଂଶଗୁଡ଼ିକ ଯଥାକ୍ରମେ ୩୨୨.୯୫ କୋଟି ଏବଂ ୨୭୪.୨୧ କୋଟି ଟଙ୍କା ଥିଲା। ମୋଟାମୋଟି ଭାବେ ବଜାଜ ଆଲିଆଞ୍ଜ କୃଷକ ଏବଂ ସରକାରଙ୍କଠାରୁ ମିଳିତ ଭାବରେ ୬୩୯.୦୨ କୋଟି ଟଙ୍କା ପାଇଥିଲା।

କିନ୍ତୁ ଗତ ବର୍ଷ ଅକ୍ଟୋବରରେ ଯେତେବେଳେ ଅତ୍ୟଧିକ ବର୍ଷା ଫସଲକୁ ନଷ୍ଟ କରିଦେଲା, ସେତେବେଳେ ବଜାଜ ଆଲିଆଞ୍ଜ କେବଳ ୭୯,୧୨୧ ଚାଷୀଙ୍କ ଦାବିକୁ ସମାଧାନ କଲେ ଏବଂ ୮୬.୯୬ କୋଟି ଟଙ୍କା ସେମାନଙ୍କ ମଧ୍ୟରେ ବିତରଣ କରିଥିଲେ। ଏହି ପ୍ରଭାବରେ ବାକି ୫୫୨.୦୬ କୋଟି ଅର୍ଥ ବୀମା କମ୍ପାନି ନିଜ ପାଖରେ ରଖିଛନ୍ତି।

Bibhishan Wadkar in his farm in Wadgaon village. Crops insurance rules must favour the farmers, he says
PHOTO • Parth M.N.

ୱାଡଗାଓଁ ଗାଁରେ ଥିବା ତାଙ୍କ ଚାଷ ଜମିରେ ବିଭୀଷଣ ୱାଡକର ଫସଲ ବୀମା ନିୟମ ନିଶ୍ଚିତ ଭାବରେ ଚାଷୀଙ୍କୁ ସୁହାଇବା ଉଚିତ୍‍, ସେ କହିଛନ୍ତି

ପରୀ ଦ୍ୱାରା ଚଳିତ ବର୍ଷ ଅଗଷ୍ଟ ମାସ ୨୦ ତାରିଖରେ ବୀମା କମ୍ପାନିର ୱେବସାଇଟରେ ଦିଆଯାଇଥିବା ପିଏମ୍‍ଏଫ୍‍ବିୱାଇ ଅଭିଯୋଗ ସମାଧାନ ଅଧିକାରୀଙ୍କ ନିକଟକୁ ଇମେଲ୍‍ ମାଧ୍ୟମରେ ପଠାଯାଇଥିବା ଏକ ପ୍ରଶ୍ନାବଳିର କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି। ସମାନ ପ୍ରଶ୍ନାବଳି ଅଗଷ୍ଟ ମାସ ୩୦ ତାରିଖରେ କମ୍ପାନି ମୁଖପାତ୍ରଙ୍କ ନିକଟକୁ ପଠାଯାଇଥିଲା, ଯିଏ ଏହି ସାମ୍ବାଦିକଙ୍କୁ କହିଥିଲେ ଯେ ବଜାଜ ଆଲିଆଞ୍ଜ ପ୍ରଶ୍ନଗୁଡ଼ିକ ଉପରେ କୌଣସି ଟିପ୍ପଣୀ ଦେବେ ନାହିଁ ନାହିଁ କିମ୍ବା ଉତ୍ତର ଦେବେ ନାହିଁ।

ଅନ୍ୟ ଚାଷୀଙ୍କ ବୀମା ଦାବିକୁ କାହିଁକି ପ୍ରତ୍ୟାଖ୍ୟାନ କରାଗଲା, ତାହାର ଉତ୍ତର ନାହିଁ। କୃଷକମାନେ ବିଶ୍ୱାସ କରନ୍ତି ଯେ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ ନ ଜଣାଇବାରୁ ଏକ ଯାନ୍ତ୍ରିକ-ତ୍ରୁଟି ଘଟିଛି - ସେମାନଙ୍କର ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ କମ୍ପାନି ଦ୍ୱାରା ଏହା କୁହାଯାଇଥିଲା।

ଓସମାନାବାଦ ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ୱାଡଗାଓଁ ଗ୍ରାମରେ ୫୫ ବର୍ଷୀୟ ବିଭୀଷଣ ୱାଡକର ଏକ ନିବେଦନ ସ୍ୱରରେ କହିଛନ୍ତି ଯେ ଏହି ନିୟମ ବୀମା କମ୍ପାନି ନୁହେଁ କୃଷକମାନଙ୍କ ପାଇଁ ଅନୁକୂଳ ହେବା ଆବଶ୍ୟକ। “ଯେଉଁ  କ୍ଷତିପୂରଣ ପାଇବା ଆମର ହକ୍‍ ତାହା ମାଗିବା ସମୟରେ ଆମେ ଭିକାରୀଙ୍କ ପରି ଅନୁଭବ କରୁଛୁ। ଆମେ ବୀମା ପ୍ରିମିୟମ ପ୍ରଦାନ କରିଛୁ ଏବଂ ବୀମା ଦାବି ପାଇବା ପାଇଁ ଆମେ ହକ୍‍ଦାର। ”

୨୦୨୦ ମସିହା ଅକ୍ଟୋବର ମାସରେ ବିଭୀଷଣ ପ୍ରାୟ ୬୦-୭୦ କ୍ୱିଣ୍ଟାଲ ସୋୟାବିନ ହରାଇଥିଲେ। "ବର୍ଷା ପ୍ରକୋପରୁ ରକ୍ଷା କରିବା ପାଇଁ ମୁଁ ଏହାକୁ ମୋ ଚାଷ ଜମିରେ ପ୍ଲାଷ୍ଟିକ ସିଟରେ ଆଚ୍ଛାଦିତ କରି ରଖିଥିଲି"। କିନ୍ତୁ ଚାଷଜମିରେ ହେଉଥିବା ପ୍ରବଳ ବର୍ଷା ଏବଂ ପବନଦାଉରୁ ଏହି ସିଟ୍‍ ତାଙ୍କର ଗଚ୍ଛିତ ସୋୟାଵିନକୁ  ପର୍ଯ୍ୟାପ୍ତ ସୁରକ୍ଷା ଦେଇ ପାରିନଥିଲା। ବର୍ଷା ଏତେ ଅଧିକ ହେଲା ଯେ ଏହା ତାଙ୍କ ଜମିରୁ ମାଟି ମଧ୍ୟ ଧୋଇନେଇଥିଲା। ସେ କୁହନ୍ତି, "୨-୩ କ୍ୱିଣ୍ଟାଲ ବ୍ୟତୀତ ସମଗ୍ର ଅମଳ ନଷ୍ଟ ହୋଇଯାଇଥିଲା। “ମୁଁ ଏହାକୁ ନେଇ କ’ଣ କରିବି?”

ତାଙ୍କର ୬ ଏକର ଚାଷ ଜମିର ଫସଲ ପାଇଁ ୧୧୩,୪୦୦  ଟଙ୍କାର ବୀମା କରିଥିଲେ, ଯେଉଁଥିପାଇଁ ସେ ୨,୨୬୮ ଟଙ୍କା ପ୍ରିମିୟମ ପ୍ରଦାନ କରିଥିଲେ। ଅବଶ୍ୟ, ୱେବସାଇଟରେ ଅନଲାଇନ୍ କିମ୍ବା କମ୍ପାନିର ଟୋଲ୍ ଫ୍ରି ନମ୍ବରକୁ କଲ୍‌ କରି ସେ ୭୨ ଘଣ୍ଟା ମଧ୍ୟରେ ବୀମା କମ୍ପାନିକୁ ସୂଚନା ଦେଇନଥିଲେ ସେଥିପାଇଁ ତାଙ୍କର ଦାବି ପ୍ରତ୍ୟାଖ୍ୟାନ କରାଯାଇଥିଲା। ସେ ପଚାରନ୍ତି, "ଆମେ ଆମର ଅମଳ ସଞ୍ଚୟ କରିବା ପାଇଁ ଚାଷ ଜମିରୁ ଜଳ ନିଷ୍କାସନ କରିବା କଥା  ଚିନ୍ତା କରିବା ଉଚିତ କି, ବୀମା କମ୍ପାନିକୁ ଖବର ଦେବା ପାଇଁ ଚିନ୍ତା କରିବା ଉଚିତ୍‍?" ଦୁଇ ସପ୍ତାହ ଧରି ଲଗାତର ବର୍ଷା ହେଉଥିବା ବେଳେ ଆମେ ୭୨ ଘଣ୍ଟା ମଧ୍ୟରେ ବୀମା କମ୍ପାନିକୁ କିପରି ଜଣାଇ ଥାଆନ୍ତୁ?

Left: Bibhishan's soybean fields inundated with rainwater in October last year. Right: Another devastated farm in Wadgaon (file photo)
PHOTO • Parth M.N.
Left: Bibhishan's soybean fields inundated with rainwater in October last year. Right: Another devastated farm in Wadgaon (file photo)
PHOTO • Parth M.N.

ବାମ: ଗତ ବର୍ଷ ଅକ୍ଟୋବରରେ ବିଭୀଷଣଙ୍କ ସୋୟାବିନ୍ କ୍ଷେତରେ ବର୍ଷା ଜଳ ଭରି ରହିଥିଲା। ଡାହାଣ: ୱାଡଗାଓଁର ଆଉ ଏକ ନଷ୍ଟ ହୋଇଥିବା କ୍ଷେତ (ଫାଇଲ୍ ଫଟୋ)

ଘଡ଼ଘଡ଼ି ଗଛଗୁଡ଼ିକୁ ନଷ୍ଟ କରିଦେଇଥିଲା ଏବଂ ବିଦ୍ୟୁତ୍ ପୋଲ ମଧ୍ୟ ଭାଙ୍ଗି ଦେଇଥିଲା। ବିଭୀଷଣ କୁହନ୍ତି, “ଆମ ଅଞ୍ଚଳରେ ଅନେକ ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା।" "ଆମେ ଆମର ଫୋନ୍ ଚାର୍ଜ କରିପାରିଲୁ ନାହିଁ। ଏବଂ ସେମାନଙ୍କର [ବୀମା କମ୍ପାନିର] ହେଲ୍ପଲାଇନ ସକାଳ ୯ଟା ରୁ ରାତି ୯ଟା ପର୍ଯ୍ୟନ୍ତ କାମ କରେ। ଏହାର ଅର୍ଥ ହେଉଛି, ସେମାନଙ୍କୁ ଜଣାଇବା ପାଇଁ ଆପଣଙ୍କ ପାଖରେ ୩୬ ଘଣ୍ଟା ସମୟ ଅଛି, ୭୨ନୁହେଁ। ଆପଣ ଏପରି ପରିସ୍ଥିତିରେ କ’ଣ କରିବା ଉଚିତ୍‍ ତାହା ନିର୍ଣ୍ଣୟ କରିପାରନ୍ତି ନାହିଁ । ନିୟମଗୁଡ଼ିକ ଆମ ପ୍ରତି ନ୍ୟାୟସଙ୍ଗତ ନୁହେଁ। ”

୨୦୨୦ ମସିହା ଡିସେମ୍ବର ମାସ ୧୬ ତାରିଖରେ ହୋଇଥିବା ଏକ ବୈଠକରେ ଓସମାନାବାଦର ଜିଲ୍ଲା ମାଜିଷ୍ଟ୍ରେଟ୍ କୌସ୍ତୁଭ ଡିଭେଗାଓଁକାର କୃଷକ ଏବଂ ବୀମା କମ୍ପାନିର ଅଧିକାରୀଙ୍କ ସହ ପିଏମ୍‍ଏଫବିୱାଇର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ, ସେ ବଜାଜ ଆଲିଆଞ୍ଜଙ୍କୁ ୭୨ ଘଣ୍ଟିଆ ବିଜ୍ଞପ୍ତି ନିୟମକୁ କୋହଳ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହେଲା ନାହିଁ।

ବୀମା କମ୍ପାନିର କୃଷକମାନଙ୍କ ଦାବିର ବିଭେଦମୂଳକ ସମାଧାନକୁ ଚ୍ୟାଲେଞ୍ଜ କରି ୧୫ ଜଣିଆ କୃଷକ ଗୋଷ୍ଠୀ ବମ୍ବେ ହାଇକୋର୍ଟରେ ୨୦୨୧ ମସିହା ଜୁନ୍‍ ୭ ତାରିଖରେ ଏକ ଲିଖିତ ପିଟିସନ୍ ଦାଖଲ କରିଥିଲେ। ବଜାଜ ଆଲିଆଞ୍ଜ ବ୍ୟତୀତ  ପ୍ରତିବାଦୀ ଭାବରେ ସରକାର ଏବଂ ଓସମାନାବାଦର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପକ୍ଷଭୁକ୍ତ କରିଥିଲେ। ଏହି ଆବେଦନକୁ ବିଧାନସଭା ସଦସ୍ୟ କୈଳାସ ପାଟିଲ ଏବଂ ସାଂସଦ ଓମ ରାଜେ ନିମ୍ବଲକର ସମର୍ଥନ କରିଥିଲେ। ଉଭୟ ନେତା ଓସମାନାବାଦ ଅଂଚଳର ଏବଂ ଉଭୟ ମହାରାଷ୍ଟ୍ରର ମିଳିତ ସରକାରରେ ଶାସକ ଦଳ ଶିବସେନାଙ୍କ ପ୍ରତିନିଧିତ୍ୱ କରୁଛନ୍ତି।

ସେ ଏବଂ କୈଳାସ ପାଟିଲ କାହିଁକି ଏହି ଆବେଦନକୁ ସମର୍ଥନ କରିଛନ୍ତି ତାହା ବ୍ୟାଖ୍ୟା କରି ନିମ୍ବଲକର କହିଛନ୍ତି: “ବର୍ଷା ଫସଲ ନଷ୍ଟ କରିବା ପରେ ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କୁ କ୍ଷତିପୂରଣ ଦେଇଥିଲେ। ଏପରିକି ଯେତେବେଳେ ଏହି ଉଭୟ ସରକାର କୃଷକମାନେ କ୍ଷତି ସହିବା କଥା ମାନିନେଇଛନ୍ତି ତେବେ ବୀମା କମ୍ପାନି କାହିଁକି ଦାବି ସମାଧାନ ନକରିବା ପାଇଁ ଟେକ୍ନିକାଲ ଭୁଲ୍‍ ଖୋଜୁଛି? ସେଥିପାଇଁ ମୁଁ, କୈଳାସ ପାଟିଲଙ୍କ ସହ ଏହି ଆବେଦନକୁ ସମର୍ଥନ କରିଛି।”

Left: Wadgaon's fields overflowing with rainwater. Right: In Osmanabad district, 6.5 lakh acres of farmland was affected in October 2020 (file photos)
PHOTO • Parth M.N.
Left: Wadgaon's fields overflowing with rainwater. Right: In Osmanabad district, 6.5 lakh acres of farmland was affected in October 2020 (file photos)
PHOTO • Parth M.N.

ବାମ: ୱାଡଗାଓଁର କ୍ଷେତ ବର୍ଷା ଜଳରେ ଭରି ରହିଛି ଡାହାଣ: ୨୦୨୦ ମସିହା ଅକ୍ଟୋବର ମାସରେ ଓସମାନାବାଦ ଜିଲ୍ଲାରେ , ୬.୫ ଲକ୍ଷ ଏକର ଚାଷ ଜମି ପ୍ରଭାବିତ ହୋଇଥିଲା (ଫାଇଲ୍ ଫଟୋ)

କୋର୍ଟ ମାମଲାର ଫଳାଫଳ ଯାହା ହେଉନା କାହିଁକି, ଓସମାନାବାଦର କୃଷକମାନେ ପିଏମ୍‍ଏଫବିୱାଇ ଉପରେ ବିଶ୍ୱାସ ହରାଉଥିବାର ଦେଖାଯାଉଛି କାରଣ ସେମାନେ ଏହା ଉପରେ ଭରସା କରିପାରୁ ନାହାନ୍ତି। ମରାଠୀ ଦୈନିକ ସକାଳ, ୨୦୨୧ ମସିହା ଅଗଷ୍ଟ ମାସ ୩ ତାରିଖରେ ପ୍ରକାଶ କରିଛନ୍ତି ଯେ ଓସମାନାବାଦରେ ପିଏମ୍‍ଏଫବିୱାଇ ପାଇଁ ଆବେଦନ କରୁଥିବା ଚାଷୀଙ୍କ ସଂଖ୍ୟା ପ୍ରତିବର୍ଷ ହ୍ରାସ ପାଉଛି। ୨୦୧୯ ମସିହାରେ, ଜିଲ୍ଲାର ୧୧.୮୮ ଲକ୍ଷ କୃଷକ ପ୍ରିମିୟମ ପ୍ରଦାନ କରିଥିଲେ, କିନ୍ତୁ ୨୦୨୦ ରେ କେବଳ ୯.୪୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ସଂଖ୍ୟା ୬.୬୭ ଲକ୍ଷକୁ ଖସି ଆସିଛି, ପୂର୍ବ ଥର ଅପେକ୍ଷା ପ୍ରାୟ ଏକ ତୃତୀୟାଂଶ କମ୍ ।

ବିଭୀଷଣ କୁହନ୍ତି, ଫସଲ ବୀମା କୃଷକମାନଙ୍କୁ ଅପ୍ରତ୍ୟାଶିତ ପରିସ୍ଥିତିରୁ ରକ୍ଷା କରିବା ଉଚିତ, ‘‘କିନ୍ତୁ ଏହି ସମୟରେ ବୀମା ନିଜେ ଅପ୍ରତ୍ୟାଶିତ ହୋଇଯାଇଛି।’’ “ଏହା ଆମକୁ ଆଶ୍ୱାସନା ଦେଇନଥାଏ ଏହା ଅନୁମାନ କରାଯାଏ। ପାଣିପାଗରେ ପରିବର୍ତ୍ତନ ଅନିୟମିତ ହେବା ସହିତ ବିଶ୍ୱସନୀୟ ଫସଲ ବୀମା କରିବା ଅସମ୍ଭବ ହୋଇଯାଇଛି।”

ବିଗତ ଦୁଇ ଦଶନ୍ଧି ମଧ୍ୟରେ ବିଭୀଷଣ ବର୍ଷା ଢାଞ୍ଚାରେ ଉଲ୍ଲେଖନୀୟ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି। ସେ କୁହନ୍ତି,“ମୌସୁମୀର ଚାରି ମାସରେ ଶୁଷ୍କ ଦିନ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ଯେତେବେଳେ ବର୍ଷା ହେଉଛି, ସେତେବେଳେ ବହୁତ ବର୍ଷା ହଉଛି।" "ଏହା ଚାଷ ପାଇଁ ବିନାଶକାରୀ ଅଟେ। ପୂର୍ବରୁ, ମୌସୁମୀରେ ଆମର ନିୟମିତ ବର୍ଷା ହେଉଥିଲା। ବର୍ତ୍ତମାନ ମରୁଡ଼ି କିମ୍ବା ବନ୍ୟା ପରିସ୍ଥିତି ଦେଖାଦେଉଛି।"

ମରାଠୱାଡାର କୃଷକମାନେ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ସୋୟାବିନ୍ ଚାଷ କରିବା ଆରମ୍ଭ କରିଥିଲେ କାରଣ ଫସଲ ଅସଙ୍ଗତ ପାଗକୁ ସହ୍ୟ କରିପାରେ। “କିନ୍ତୁ ବର୍ତ୍ତମାନ ଯେଉଁ ଅସଙ୍ଗତି (ପାଣିପାଗରେ) ଦେଖାଯାଉଛି ତାହା ସୋୟାବିନ ପାଇଁ ମଧ୍ୟ ବହୁତ ଅଧିକା," ବିଭୀଷଣ କୁହନ୍ତି। ‘‘୨୦୨୦ ମସିହା ଅକ୍ଟୋବର ମାସର ବର୍ଷା ଆମକୁ ହନ୍ତସନ୍ତ କରିବାରେ ଲାଗିଛି।"

ଓସମାନାବାଦ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ରିପୋର୍ଟରେ କୃଷକଙ୍କ କ୍ଷତିର ପରିମାଣ ଦର୍ଶାଯାଇଛି। ସମୁଦାୟ ୬.୫ ଲକ୍ଷ ଏକର ଚାଷ ଜମି - ପ୍ରାୟ ୫ ଲକ୍ଷ ଫୁଟବଲ ଖେଳ ପଡ଼ିଆ ସହିତ ସମାନ - ପ୍ରଭାବିତ ହୋଇଥିଲା। ୪.୧୬ ଲକ୍ଷ କୃଷକଙ୍କ ମାଲିକାନାରେ ଥିବା ଏକ ତୃତୀୟାଂଶ ଜମି ନଷ୍ଟ ହୋଇଯାଇଛି। ଏହା ବ୍ୟତୀତ, ବନ୍ୟାରେ ଚାରି ଜଣ ମଣିଷ ଏବଂ ୧୬୨ ଦୁଗ୍ଧ ପ୍ରଦାନ କରୁଥିବା ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ସାତୋଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ, ୨,୨୭୭ ଟି ଆଂଶିକ ନଷ୍ଟ ହୋଇଯାଇଛି।

Left: Gopal Shinde with his daughters. Right: Gopal's friend standing in his water-filled farm last October
PHOTO • Parth M.N.
Left: Gopal Shinde with his daughters. Right: Gopal's friend standing in his water-filled farm last October
PHOTO • Parth M.N.

ବାମ: ଗୋପାଳ ସିନ୍ଦେ ତାଙ୍କ ଝିଅମାନଙ୍କ ସହିତ ଡାହାଣ: ଗତ ଅକ୍ଟୋବର ମାସରେ ଗୋପାଳଙ୍କ ସାଙ୍ଗ ତାଙ୍କ ଜଳ ପୂର୍ଣ୍ଣ କ୍ଷେତରେ ଠିଆ ହୋଇଛନ୍ତି

୩୪ ବର୍ଷୀୟ ଗୋପାଳ ସିନ୍ଦେ ଯାହାଙ୍କର ୨୦୨୦ ମସିହା ଅକ୍ଟୋବର ମାସରେ ୱାଡଗାଓଁରେ ଥିବା ଛଅ ଏକର ଚାଷ ଜମି ବର୍ଷା ପାଣିରେ ବୁଡ଼ିଯାଇଥିଲା ସେ କୁହନ୍ତି ଯେ ଯଦି ଚାଷୀମାନଙ୍କର କେବେ ବୀମା ଆବଶ୍ୟକ ହୋଇଥାଏ ତେବେ ତାହା ଚଳିତ ବର୍ଷ ଥିଲା। ବର୍ଷାରେ ୨୦ କ୍ୱିଣ୍ଟାଲ ସୋୟାବିନ ହରାଇଥିବା ଗୋପାଳ କୁହନ୍ତି, "କୋଭିଡ -୧୯ ଆରମ୍ଭ ପରେ ଆମେ କ୍ଷତି ସହିଥିଲୁ କାରଣ ବଜାର ମାସ ମାସ ଧରି ବନ୍ଦ ରହିଥିଲା।’’ ବୀମାରୁ କେବଳ ୧୫,୦୦୦ ଟଙ୍କା ପାଇଥିଲେ। “ଗୁରୁତ୍ୱପୂର୍ଣ୍ଣ ଫସଲର ମୂଲ୍ୟ ବହୁତ କମି ଯାଇଥିଲା। [କୋଭିଡ୍] ତାଲାବନ୍ଦ ହେତୁ ଅନେକ କୃଷକ ସେମାନଙ୍କର ଷ୍ଟକ୍ ବଜାରକୁ ନେଇପାରୁ ନଥିଲେ। ସେହି ଦିନଗୁଡ଼ିକରେ ଆମକୁ ଖାଇବାକୁ ଯଥେଷ୍ଟ ମିଳୁନଥିଲା। ଏଭଳି ସମୟରେ ବୀମା କମ୍ପାନି ଆମ ଅର୍ଥରେ ଲାଭବାନ ହୋଇଥିଲେ।”

ଅନେକ କୃଷକ, ଚାଷ ବ୍ୟତୀତ ସେମାନଙ୍କ ଆୟକୁ ବଢାଇବା ପାଇଁ ନିର୍ମାଣ ଶ୍ରମିକ, ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରିଥିଲେ କିମ୍ବା ଅନ୍ୟ ସାଧାରଣ ଚାକିରି କରୁଥିଲେ, ଯାହାକୁ କି ମହାମାରୀ ସମୟରେ ସେମାନେ ହରାଇଥିଲେ। କୋଭିଡ୍‍-୧୯ ଆରମ୍ଭ ହେବା ପୂର୍ବରୁ ପାଣ୍ଡୁରାଙ୍ଗ ଗୁନ୍ଦ ଟ୍ରକ ଡ୍ରାଇଭର ଭାବରେ କାମ କରି ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ। ଶାରଦା କୁହନ୍ତି, “ଆମେ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହରାଇଲୁ ଯାହା ଘରକୁ ବଞ୍ଚାଇଥାଏ’’।

ପ୍ରାୟ ଦୁଇ ବର୍ଷ ପୂର୍ବେ ସେ ତାଙ୍କର ୨୨ ବର୍ଷୀୟା ଝିଅ ସୋନାଲିଙ୍କ ବିବାହ ପାଇଁ ନେଇଥିବା ଋଣ ଏପର୍ଯ୍ୟନ୍ତ ପରିଶୋଧ କରୁଥିଲେ। ଶାରଦା କୁହନ୍ତି, “ଆମେ ତାଙ୍କ ବିବାହ ପାଇଁ ପାଖାପାଖି ଦୁଇ ଲକ୍ଷ ଟଙ୍କା ଋଣ ନେଇଥିଲୁ’’। କାମ ହରାଇବା ପାଣ୍ଡୁରାଙ୍ଗଙ୍କୁ ମାନସିକ ଚାପ ଦେଇଥିଲା, ତା’ପରେ ସେମାନଙ୍କର ଅବଶିଷ୍ଟ ଆୟର ଉତ୍ସ - ସୋୟାବିନ୍ ଫସଲ ନଷ୍ଟ ହେବା ସବୁକିଛିର ଶେଷ ଥିଲା।

ଗତ ବର୍ଷ ନଭେମ୍ବର ମାସର କୌଣସି ଏକ ଦିନ, ପାଣ୍ଡୁରାଙ୍ଗ ନିଜ ଜମିରେ ଥିବା ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।

ବର୍ତ୍ତମାନ ଶାରଦା ନିଜେ ଚାଷ ପରିଚାଳନା କରୁଛନ୍ତି, କିନ୍ତୁ ପରିବାରର ଖର୍ଚ୍ଚ ପାଇଁ ତାହା ପର୍ଯ୍ୟାପ୍ତ ହେଉ ନାହିଁ। ତାଙ୍କର ୧୭ ବର୍ଷର ପୁଅ ସାଗର ଓସମାନାବାଦରେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରିବା ଆରମ୍ଭ କରିଥିବାବେଳେ ୧୫ ବର୍ଷ ବୟସରେ ସାନ ପୁଅ ଅକ୍ଷୟ ଏକ ମୋବାଇଲ୍ ଦୋକାନରେ ଡେଲିଭରି ବାଳକ ଭାବରେ ଚାକିରି କରୁଛନ୍ତି। ଉଭୟଙ୍କୁ ପାଠପଢା ଛାଡ଼ିବାକୁ ପଡ଼ିଛି। ପାଣ୍ଡୁରାଙ୍ଗ ଆତ୍ମହତ୍ୟା କରି ମୃତ୍ୟୁବରଣ କଲେ - କିନ୍ତୁ ଏହା ଅନ୍ୟ ତିନୋଟି ଜୀବନର ସନ୍ତୁଳନକୁ ଦୋହଲାଇ ଦେଲା।

ଏହି କାହାଣୀ ସାମ୍ବାଦିକଙ୍କୁ ଏକ ସ୍ୱାଧିନ ସାମ୍ବାଦିକତା ଅନୁଦାନ ମାଧ୍ୟମରେ ପୁଲିତଜର୍ ସେଣ୍ଟର୍ ଦ୍ୱାରା ସମର୍ଥିତ ଏକ କ୍ରମର ଅଂଶ

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

पार्थ एम एन हे पारीचे २०१७ चे फेलो आहेत. ते अनेक ऑनलाइन वृत्तवाहिन्या व वेबसाइट्ससाठी वार्तांकन करणारे मुक्त पत्रकार आहेत. क्रिकेट आणि प्रवास या दोन्हींची त्यांना आवड आहे.

यांचे इतर लिखाण Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE