ଲିମ୍ବାଜି ଲୋଖଣ୍ଡେ ୧୦,୦୦୦ ଟଙ୍କା ପାଇବା ପାଇଁ ୧,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଲେଣି। ୪୨ ବର୍ଷର ବୟସ୍କ ଜଣେ କୃଷକ କହନ୍ତି, ‘‘ଥରେ ଯିବା ପାଇଁ ଅଟୋରିକ୍ସା ଭଡ଼ା ୨୦ ଟଙ୍କା ଲାଗେ।’’ ତାଙ୍କ ଗାଁ ବୋରୱାଣ୍ଡରୁ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ପର୍ଭାଣୀ ଗାଁରେ ଅଛି, ଏହା ଗାଁଠାରୁ ପ୍ରାୟ ୧୫ କିଲୋମିଟର ଦୂର। ‘‘ଦିନକୁ ଯିବାଆସିବା ପାଇଁ ୪୦ ଟଙ୍କା ଖର୍ଚ୍ଚ ହୁଏ। ତା’ ସହିତ ଚା’ ଜଳଖିଆ ଖର୍ଚ୍ଚ ଅଛି। ମୁଁ ୧୫ ଦିନ ହେଲା ଏଠାକୁ ଦୌଡ଼ୁଛି। ସଂଘର୍ଷ କରିବା ଭଳି ମନେ ହେଉଛି।’’
ରାଜ୍ୟବ୍ୟାପି କୃଷକମାନେ ମହାରାଷ୍ଟ୍ରରେ ୧ ଜୁନ୍ରୁ ଅନଶନ ଆରମ୍ଭ କରିଥିଲେ। ଫଳରେ ୧୦,୦୦୦ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୁନ୍ ୧୪ରେ ଏହି ବ୍ୟବସ୍ଥା ବିଷୟରେ ଘୋଷଣା କଲେ। ଋଣ ରିହାତିର ନୀତିନିୟମ ଧାର୍ଯ୍ୟ କରାଯାଇଥିଲା, ସେ କହିଲେ ଚାଷୀମାନେ ଖରିଫ୍ ବୁଣାବୁଣି ଋତୁରେ ଆବଶ୍ୟକ ସାମଗ୍ରୀ ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ତୁରନ୍ତ ସହାୟତା ପାଇବେ।
ଜୁନ୍ ମାସରେ ଅନଶନ ସମୟରେ ଚାଷୀମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଥିଲା ସ୍ୱାମୀନାଥନ କମିଶନର ସୁପାରିଶ୍ ଲାଗୁ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନର ଖର୍ଚ୍ଚ, ତାହା ସହିତ ୫୦% ସହ ଋଣ ରିହାତିର ସୁବିଧାକୁ ଅନ୍ତର୍ଭୁକ୍ତ କରିଥିଲା। ଏହି କମିଶନର ପୁଙ୍ଖାନୁପୁଙ୍ଖ ରିପୋର୍ଟରେ, ଏହାର ମୁଖ୍ୟ ଏମ୍.ଏସ୍. ସ୍ୱାମୀନାଥନ କୃଷକମାନଙ୍କର ଦୁର୍ଦ୍ଦଶା ବିଷୟରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତାହା ୨୦୦୭ ମସିହାରୁ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ିରହିଛି।
ଯେତେବେଳେ ଫଡନାଭିସ କୃଷକ ପ୍ରତିନିଧିମାନଙ୍କୁ ସାକ୍ଷାତ କଲେ ଓ ସେମାନଙ୍କୁ ଋଣ ରିହାତିର ପ୍ରତିଶ୍ରୁତି ଦେଲେ ଏହି ଅନଶନ ବନ୍ଦ ହୋଇଥିଲା ଏବଂ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଉତ୍ପାଦନ ଖର୍ଚ୍ଚ ଦାବି ବିଷୟରେ ବିଚାର କରିବେ। ରାଜ୍ୟ ପାଇଁ ୧୦,୦୦୦ ଟଙ୍କାର ସାମୟିକ ସହାୟତା ବ୍ୟବସ୍ଥା କରାଯାଇଥିଲା। କାରଣ ବ୍ୟାଙ୍କ ପୂର୍ବ ଋଣ ପରିଶୋଧ କରିନଥିବା କୃଷକମାନଙ୍କର ନୂତନ ଋଣ ପାଇଁ ଆବେଦନକୁ ପ୍ରତ୍ୟାଖ୍ୟାନ କରୁଥିଲା।


