“ଲକ୍ଡାଉନ ସମୟରେ ଚାକିରି ହରାଇଥିବା ଆମ ଭଳି ଲୋକଙ୍କୁ ଜନକୀୟା ହୋଟେଲ ବହୁତ ସାହାଯ୍ୟ କରୁଛି ।” ଏହା କହନ୍ତି ତିରୁବନନ୍ତପୁରମ୍ର ଏମ୍.ଜି.ରୋଡ୍ ନିକଟ ଏକ ବିକ୍ରୟ କେନ୍ଦ୍ରରୁ ମଧ୍ୟାହ୍ନ ଭୋଜନ ପ୍ୟାକେଟ୍ ନେବାକୁ ଅପେକ୍ଷା କରିଥିବା ଆର.ରାଜୁ।
ଆଜିକୁ ତିନି ମାସରୁ ଅଧିକ ସମୟ ହେଲାଣି, ମାତ୍ର ୨୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ନେବା ଲାଗି ଜନକୀୟାରେ ପହଞ୍ଚିବାକୁ ସବୁଦିନ ତିନି କିଲୋମିଟର ବାଟ ସାଇକେଲ ଚଳାଇ ଆସନ୍ତି ୫୫ ବର୍ଷ ବୟସର କାଠ କାରିଗର ରାଜୁ । ଭୋଜନରେ ଥାଏ ଭାତ, ଆଚାର, ତିନି ପ୍ରକାରର ତରକାରି ଏବଂ ଗୋଟିଏ ପରିବା ଥୋରମ୍ (ତେଲଭଜା), ଯାହାକୁ ସେ କହନ୍ତି, “ସବୁଠୁ ବଢ଼ିଆ”
ଲକ୍ଡାଉନ୍ ଘୋଷଣା ହେବା ପରେ କୌଣସି କାମ ପାଇ ନଥିବା ରାଜୁ ଆହୁରି କହନ୍ତି, “ସେମାନେ ଲକ୍ଡାଉନ୍ ଘୋଷଣା କରିବା ସମୟରେ ମୁଁ ଚିନ୍ତାରେ ପଡ଼ିଗଲି । ମୋ ପାଖରେ ଅଳ୍ପ କିଛି ସଞ୍ଚିତ ଅର୍ଥ ଥିଲା ଏବଂ ସେଥିରେ ଦୁଇ ମାସ ଯାଏ ମୁଁ ଖାଦ୍ୟ କିଣିପାରିବି ବୋଲି ଭାବି ନଥିଲି । କିନ୍ତୁ ଏଠାକାର ଖାଦ୍ୟ ପାଇଁ ମୋତେ ମାସକୁ ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।”
ଗୋଟିଏ କଲ୍ ସେଣ୍ଟରରେ କାମ କରୁଥିବା ଟି.କେ.ରବୀନ୍ଦ୍ରନ ମଧ୍ୟ ଆଜିକାଲି ଜନକୀୟା ହୋଟେଲରେ ଉପଲବ୍ଧ ସୁଲଭ ମୂଲ୍ୟର ଖାଦ୍ୟ ଉପରେ ନିର୍ଭର କରୁଛନ୍ତି । ଏମ୍.ଜି. ରୋଡ୍ଠାରୁ ପ୍ରାୟ ତିନି କିଲୋମିଟର ଦୂର ତିରୁବନନ୍ତପୁରମ୍ର ପେଟ୍ଟା ଅଞ୍ଚଳର ଏକ ଭଡ଼ାଘରେ ଏକୁଟିଆ ରହନ୍ତି ରବୀନ୍ଦ୍ରନ । ଅପରାହ୍ଣ ଭୋଜନ ପାଇଁ ସେ ତାଙ୍କ ଅଫିସ୍ କ୍ୟାଣ୍ଟିନ୍ ଉପରେ ନିର୍ଭର କରୁଥିଲେ । ମାର୍ଚ୍ଚ ୨୫ରେ ସାରା ଦେଶରେ ସଟ୍ଡାଉନ୍ ଘୋଷିତ ହେବାର କିଛି ଦିନ ପୂର୍ବରୁ କେରଳ ସରକାର ଲକ୍ଡାଉନ୍ ଘୋଷଣା କରିବା ଯୋଗୁଁ ମାର୍ଚ୍ଚ ୨୩ରୁ କ୍ୟାଣ୍ଟିନ୍ ବନ୍ଦ ହୋଇଗଲା । ପ୍ରାୟ ୭୦ କିଲୋମିଟର ଦୂର କୋଲ୍ଲାମରୁ ଦୁଇ ବର୍ଷ ତଳେ ଏହି ସହରକୁ ଆସିଥିବା ରବୀନ୍ଦ୍ରନ କହନ୍ତି, “ଅନ୍ୟ ସବୁ ରେସ୍ତୋରାଁରେ ଖୁବ୍ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ଏମିତି କି ଡେଲିଭରୀ ବାବଦ ଦେୟ ବି ଖୁବ୍ ଅଧିକ ।”
ସେ ଓ ରାଜୁ ଯାଉଥିବା ଜନକୀୟାର ଏହି ବିକ୍ରୟ କେନ୍ଦ୍ରରେ ମହିଳାମାନଙ୍କର୧୦ ଜଣିଆ ଗୋଷ୍ଠୀ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତିରେ ବ୍ୟସ୍ତ ଥାଆନ୍ତି । ପ୍ରତିଦିନ ରୋଷେଇ କରି ସେମାନେ ପ୍ରାୟ ୫୦୦ ମଧ୍ୟାହ୍ନ ଭୋଜନ ପ୍ୟାକେଟ୍ ପ୍ରସ୍ତୁତ କରନ୍ତି । ଖବରକାଗଜରେ ଗୁଡ଼ା ହୋଇଥିବା ପ୍ଲାଷ୍ଟିକ୍ ଆବରଣଯୁକ୍ତ କାଗଜରେ ଭାତ, ଏବଂ ଉଛୁଳି ନପଡ଼ିବା ପାଇଁ ଆଲୁମିନିୟମ ଫଏଲରେ ତରକାରି ରଖନ୍ତି । କେବଳ ଘରକୁ ନେଇଯିବା ଲାଗି ପାର୍ସଲ୍ ଦେଉଥିବା ସେମାନଙ୍କର ଏହି‘ ଜନତା (ଜନକୀୟା) ହୋଟେଲ’ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଏ ।











