୪୧ ବର୍ଷୀୟ ଅନୀଲ ସିଂ ରାଣା, ଖାତିମା ସହରରେ ରହୁଥିବା ଜଣେ ଆଇନଜୀବୀ। ସେ ମଧ୍ୟ ଥାରୁ ସଂପ୍ରଦାୟର। ଜମି ଅଧିକାର ସଂପର୍କୀତ ଆଇନଗତ ପ୍ରକ୍ରିୟା ଉପରେ ତାଙ୍କର କମ୍ ବିଶ୍ୱାସ ରହିଛି। ସେ କହନ୍ତି, ‘‘ଏଭଳି ଘଟଣା ସବୁବେଳେ ଘଟୁଛି। ସାଧାରଣତଃ ଆମ ସଂପ୍ରଦାୟର ଲୋକେ ତାଙ୍କ ରେକର୍ଡ ପତ୍ର ସାଇତି ରଖିବାରେ ଭାରି ଦୁର୍ବଳ। ହାତରୁ ଜମି ଚାଲିଯିବା କିଛି ସହଜ କଥା ନୁହେଁ। ଏହା ଏକାଧିକ ଓକିଲଙ୍କ ବାଟ ଦେଇ ଯାଏ।’’
ଭୂମି ଅଧିକାର ମଞ୍ଚ (ବିଏଏମ୍) ନାମକ ଏକ ସଂଗଠନ ସହ ଗତ ଦଶନ୍ଧିର ଅଧିକାଂଶ ସମୟ ରାଣା କାମ କରିଛନ୍ତି। ଏହା ଏକ ଗ୍ରାମାଞ୍ଚଳ ସ୍ତରୀୟ ସଂଗଠନ ଯାହା ଆଦିବାସୀଙ୍କ ଅଧିକାର ଉପରେ କାର୍ଯ୍ୟ କରେ। ଉତ୍ତରାଖଣ୍ଡର ପ୍ରାୟ ୪୦ଟି ଗାଁରେ ଏହି ସଂଗଠନ କାର୍ଯ୍ୟ କରୁଛି। ଅନୁସୂଚିତ ଜନଜାତି ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ୍ (ଜଂଗଲ ଅଧିକାରକୁ ସ୍ୱୀକୃତି)୨୦୦୬ ଲାଗୁ କରିବାକୁ ୨୦୦୯ରେ ଏହି ସଂଗଠନ ରାଜ୍ୟ ସରକାରଙ୍କୁ ବାଧ୍ୟ କରିଥିଲା। ଏହି ଆଇନ୍ ଜଂଗଲରେ ରହୁଥିବା ଅଧିବାସୀଙ୍କ ପାରଂପରିକ ଅଧିକାରକୁ ସୁରକ୍ଷା ପ୍ରଦାନ କରୁଛି। ଆଦିବାସୀଙ୍କ ଜଂଗଲ ଅଧିକାର ପାଇଁ ସଂଘର୍ଷ କରୁଥିବା ଏହି ମଞ୍ଚ ଏ ଦିଗରେ କିଛିଟା ସଫଳତା ପାଇଛି।
ଏହା ହେଉଛି ସେହି ମଞ୍ଚ ଯେଉଁଠି କମଳା ୨୦୧୨ରୁ ଅଛନ୍ତି।
ସେ କହିଲେ, ‘‘ଆମେ ସରଳ ମଣିଷ। କୋର୍ଟ କଣ ଆମେ ଜାଣିନୁ। ସାମାଜିକ ଚାପ ଅଧିକ ପ୍ରଭାବଶାଳୀ।’’ ଜମି ଫେରି ପାଇବା ପାଇଁ ଏହି ବିଏଏମ୍ ନେଟୱର୍କର କ୍ଷେତ୍ରୀୟ କର୍ମଚାରୀ ଥିବା ତାଙ୍କ ନଣନ୍ଦ ମୀନା ଦେବୀଙ୍କ ସହିତ କମଳା ତାଙ୍କ ଜମି ମାଗିବା ଆରମ୍ଭ କଲେ। ‘‘ଆମ୍ଭେମାନେ ଗଲୁ ଏବଂ ତାଙ୍କ [ସାହୁକାରଙ୍କ’] ଆଗରେ ଠିଆ ହେଲୁ। ଆମକୁ କାଗଜ ଦେଖାନ୍ତୁ, ଆମ ସହ କଥାବାର୍ତ୍ତା କରନ୍ତୁ ବୋଲି ମୁଁ ଦାବି କଲି। ଆମେ ଆମ ମଧ୍ୟ ଆମ ଗାଁର ଆଉ କିଛି ମହିଳାଙ୍କୁ ସାଙ୍ଗରେ ନେଇ ଯାଇଥିଲୁ।’’
ଗତବର୍ଷ ତାଙ୍କ ନିରବଛିନ୍ନ ଚେଷ୍ଟା ଯୋଗୁଁ ଜଣେ ସାହୁକାର ୩.୫ ଏକର ଜମି ଫେରାଇ ଦେଇଥିଲେ। ସେ ତାଙ୍କ ନାଁ ପ୍ରକାଶ ନକରିବାକୁ ଅନୁରୋଧ କରି କହିଲେ, ‘‘ଯଦି ସମସ୍ତେ [ଋଣ ଗ୍ରହୀତା] ଏହି କୌଶଳ ଅବଲମ୍ବନ କରିବେ, ମୋ ବ୍ୟବସାୟ ବନ୍ଦ ହୋଇଯିବ ଆଉ ମୋ ହାତରେ ଥିବା ସମସ୍ତ ଜମି ଚାଲିଯିବ।’’
କମଳାଙ୍କ ସାନ ପୁଅ, ୨୦ ବର୍ଷ କେଶବ କଲେଜରୁ ପଢା ଛାଡିଛନ୍ତି। ପରିବାରର ସମସ୍ତ ଜମିଜମା ସଂପର୍କିତ ନଥିପତ୍ର ଖୋଜିବାରେ ଏବେ ସେ ପୂରା ସମୟ ଦେଉଛନ୍ତି। ସମସ୍ତ ତଥ୍ୟ ପ୍ରମାଣ ହାତରେ ରହିଲେ, ସାହୁକାରଙ୍କ ଉପରେ ଅଧିକ ଚାପ ଦେଇହେବ। ତାଙ୍କର ବଡ଼ ସଫଳତା ହେଉଛି, ଜଣେ ସାହୁକାରଠାରୁ ସେ ଏକ ସଦା ଷ୍ଟାମ୍ପ ପେପର ଜବତ କରିଥିଲେ. ଯେଉଁଥିରେ ତାଙ୍କ ବାପାଙ୍କ ଦସ୍ତଖତ ଥିଲା।
ମଙ୍ଗଳାଙ୍କ ସଂଘର୍ଷ ଭିନ୍ନ। ତାଙ୍କ ବିରୋଧରେ ତାଙ୍କ ଭାଇ ଛିଡା ହୋଇଛି। ଭଉଣୀକୁ ପର କରି ଦେଇଥିବା ଫୁଲ୍ କହିଲେ, ‘‘ସେ ଘର କଥା ଦାଣ୍ଡରେ ପକାଇଛି, ତା ସାଙ୍ଗରେ ମୁଁ କାହିଁକି ରହିବି?’’
ପ୍ରକୃତରେ ଅନ୍ୟ ମହିଳାଙ୍କ ପରି ମଙ୍ଗଳା ମଧ୍ୟ ଜମି ଉପରେ ତାଙ୍କ ଅଧିକାର ସାବ୍ୟସ୍ତ କରିବାକୁ ସମର୍ଥ ନୁହନ୍ତି। ସେହି କଥା ସେ ବୁଝାଇବାକୁ ସଂଘର୍ଷ କରୁଛନ୍ତି : ‘‘ସମସ୍ତେ ଝିଅଙ୍କୁ ଜମି ଦେଉ ନାହାନ୍ତି। ଯଦି କେହି ଦେଉଛି, ପରିବାରର ପୁରୁଷ ସଦସ୍ୟଙ୍କ ଅନୁମତିରେ। ଏଭଳି ମନୋଭାବକୁ ମୁଁ ଅଧିକାର ବୋଲି ମାନି ପାରୁନି।’’ ସେ ଆହୁରି କହିଲେ, ‘‘ଜମି ଆମର ସଂସ୍କୃତି, ଆମର ପୈତୃକ ସଂପତ୍ତି। ଆମେ ଏହାର ଉପାସନା କରୁ ଏବଂ ଏହା ଦ୍ୱାରା ପରିପୁଷ୍ଟ ହେଉ। ମୋ ଭଳି ମହିଳାଙ୍କ ପାଇଁ ଏହା ଗ୍ୟାରେଣ୍ଟି।’’
କମଳାଙ୍କ ମନରେ ସେଭଳି କିଛି ଦ୍ୱନ୍ଦ୍ୱ ନାହିଁ। ପୁଣି ଫେରି ପାଇଥିବା ଜମି ଉପରେ ଛିଡା ହୋଇ ସେ ତାଙ୍କ ସଂକଳ୍ପର କଥା କହୁଥିଲେ। ଜମିରୁ ହଜି ଯାଇଥିବା ଚମକ ଯାହାକୁ ସେ ନିରବରେ ଚାହିଁ ରହିଥିଲେ, ତାକୁ ପୁଣି ଥରେ ଆବିଷ୍କାର କରିଥିଲେ।
ସେ କହିଲେ, ‘‘ଏ ଜମି ମୋର। ମୁଁ ଏହାକୁ ପୁଣି ଫେରି ପାଇବି। ମୁଁ ଏହାର ମାଲିକ। ସଂଘର୍ଷ ଯେତେ ଲମ୍ବା ହେଉନା କାହିଁକି।’’
ଏହି ଲେଖକ ହେଉଛନ୍ତି ଏନ/କୋର ଫାଉଣ୍ଡେସନ୍ ଦ୍ୱାରା ପ୍ରଦତ୍ତ ଇମ୍ପାକ୍ଟ ଜର୍ଣ୍ଣାଲିଜମ୍ ପୁରସ୍କାର ବିଜେତା। ଭାରତରେ ଗରିବଙ୍କ ପାଇଁ ଜମି ଏବଂ ସଂପତ୍ତି ଅଧିକାର ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।