ନାମଦେଓ ତରାଳେ ନିଜ ଚାଷ ଜମିରେ ପାଦ ଥାପିବା କ୍ଷଣି ଧିମେଇ ଯାଆନ୍ତି। ଏହି ୪୮ ବର୍ଷ ବୟସ୍କ ଚାଷୀ ଜଣଙ୍କ ନିଜ ଜମିର ଗୋଟିଏ ଭାଗରେ ମୁଗଚାରାଗୁଡ଼ିକୁ ପାଖରୁ ଦେଖିବା ଲାଗି ନଇଁ ପଡ଼ୁଛନ୍ତି। ବୋଧହୁଏ କେହି ସେଗୁଡ଼ିକୁ ଖାଇ ଦେଇଛି ଓ ଦଳିମକଚି ଚାଲିଯାଇଛି। ଏହା ୨୦୨୨ ଫେବୃଆରୀ ମାସର ଏକ ଶୀତୁଆ କିନ୍ତୁ ସୁନ୍ଦର ସକାଳ; ଆକାଶରୁ ସୂର୍ଯ୍ୟଙ୍କ କୋମଳ କିରଣ ପଡ଼ୁଥାଏ।
‘‘ହା ଏକ ପ୍ରକାରଚା ଦୁଶକାଳଚ ଆହେ (ଏହା ଏକ ନୂଆ ପ୍ରକାରର ମରୁଡ଼ି),’’ Aସେ ସଂକ୍ଷେପରେ କହିଥିଲେ।
ଏହି ବୟାନରୁ ତରାଳେଙ୍କ ହତାଶା ଓ ଭୟ ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ। ପାଞ୍ଚ ଏକର ଚାଷ ଜମି ଥିବା ଜଣେ ଚାଷୀ ନିଜର ଠିଆ ହୋଇଥିବା ହରଡ଼ ଏବଂ ମୁଗ ଫସଲ ହରାଇବାର ଚିନ୍ତାରେ ପଡ଼ିଯାଇଛନ୍ତି, ତିନି ମାସର କଠିନ ପରିଶ୍ରମ ପରେ ସେ ଏହି ଫସଲକୁ କାଟିବାକୁ ପ୍ରସ୍ତୁତ ହୋଇ ରହିଥିଲେ। ୨୫ ବର୍ଷ ଧରି ଚାଷ କରି ଆସୁଥିବାରୁ ସେ ବିଭିନ୍ନ ପ୍ରକାର ମରୁଡ଼ି ଦେଖିଛନ୍ତି – ଅଭାବୀ କିମ୍ବା ଅତ୍ୟଧିକ ବର୍ଷାରେ ହେଉଥିବା ପାଣିପାଗ ଜନିତ ମରୁଡ଼ି; ଜଳବିଜ୍ଞାନ ସମ୍ବନ୍ଧୀୟ, ଯେତେବେଳେ ଭୂତଳ ଜଳ ଅତି ଖରାପ ସ୍ତରକୁ ଖସିଯାଏ; କିମ୍ବା କୃଷି ଜନିତ, ଯେତେବେଳେ ମାଟିର ଆର୍ଦ୍ରତା କମ୍ ହୋଇଥିବା କାରଣରୁ ଫସଲ ଖରାପ ହୋଇଯାଏ।
ଅସନ୍ତୋଷ ବ୍ୟକ୍ତି ତରାଳେ କୁହନ୍ତି, ଫସଲ ଭଲ ହୋଇଛି ବୋଲି ଆପଣ ଯେତେବେଳେ ଭାବନ୍ତି, ଏହି ବିପଦ ଚାରି ପାଦରେ ଆସି ଆପଣଙ୍କ କ୍ଷେତ ଉପରେ ମାଡ଼ିଯାଏ ଏବଂ ଫସଲକୁ ଟିକିନିଖି କରି ନଷ୍ଟ କରି ଦିଏ।
ବିପଦଗୁଡ଼ିକର ତାଲିକା ଦେଇ ସେ କୁହନ୍ତି, ‘‘ଦିନ ବେଳା ମାଣ୍ଡିଆଖାଇ ପକ୍ଷୀ, ମାଙ୍କଡ଼ ଓ ଠେକୁଆ; ରାତି ବେଳା ହରିଣ, ନୀଳଗାଈ, ସମ୍ବର, ବାର୍ହା, ବାଘ,’’।
‘‘ଆମହାଲେ ପେରତା ୟେତେ ସାହେବ, ପଣ ୱାଚୱତା ୟେତ ନାହି (କେମିତି ବୁଣିବାକୁ ହେବ ଆମେ ଜାଣିଛୁ, କିନ୍ତୁ ଆମ ଫସଲକୁ କେମିତି ସୁରକ୍ଷା ଦେବାକୁ ହେବ ଜାଣିନାହୁଁ),’’ ସେ ପରାହତ ସ୍ୱରରେ କୁହନ୍ତି। ସେ ସାଧାରଣତଃ ମୁଗ, ମକା, ଯଅ, ହରଡ଼ ବ୍ୟତୀତ କପା ଓ ସୋୟାବିନ ଭଳି ଅର୍ଥକରୀ ଫସଲ ଚାଷ କରିଥାନ୍ତି।




















