ଦେବାହାଲା ଚକମାଙ୍କ ଜନ୍ମ ସମୟରେ କଳା ବାଦଲରେ ଢାଙ୍କି ହୋଇଯାଇଥିଲା ବିଷଣ୍ଣ ଆକାଶ । ତେଣୁ ବାପା-ମାଆ ତାଙ୍କ ପାଇଁ ନାଁଟିଏ ବାଛିଲେ, ସେମାନଙ୍କ ଚକମା ଭାଷାରେ ଯାହାର ଅର୍ଥ ‘ଅନ୍ଧକାରମୟ ଆକାଶ’ । ସାରା ଜୀବନ ପାଇଁ ଦେବାହାଲାଙ୍କ ସହ ରହିଗଲା ସେଇ ଅନ୍ଧକାର – ତିନି ବର୍ଷ ବୟସରେ ହାଡ଼ଫୁଟିରେ ଆକ୍ରାନ୍ତ ହେଲା ପରେ ତାଙ୍କୁ କିଛି ଦିଶିଲା ନାହିଁ ଏବଂ ପରେ ପରେ ପ୍ରବଳ ଝାଡ଼ାବାନ୍ତି ଯୋଗୁଁ ତାଙ୍କୁ ଅନ୍ଧାରକଣା ହୋଇଗଲା ଏବଂ କାଳକ୍ରମେ ସେ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଲେ ।
କିନ୍ତୁ ଏଥିରେ ନିରାଶ ହୋଇପଡ଼ିଲେନି ଦେବାହାଲା ଏବଂ ୧୬ ବର୍ଷ ବୟସରେ ନିଜେ ନିଜକୁ ବାଉଁଶ ଟୋକେଇ ତିଆରିର କଳା ଶିଖାଇଲେ । ଏବେ ତାଙ୍କୁ ୬୫ ବର୍ଷ ଏବଂ ସେ କହନ୍ତି, “ବାଉଁଶ ପାତିଆରେ କିପରି ବିଭିନ୍ନ ଆକୃତି ବୁଣିହେବ ତାହା ମୁଁ ନିଜେ ନିଜେ ଶିଖିଲି । ଯୁବାବୟସରେ ମୋର ବାଉଁଶ ଘରଟିଏ ତିଆରି କରିବା ଭଳି ଯଥେଷ୍ଟ ଶକ୍ତି ଥିଲା ।”
ମିଜୋରାମର ମାମିତ ଜିଲ୍ଲା ଅନ୍ତର୍ଗତ ଜଲନୁଆମ୍ ବ୍ଲକ୍ର ୩,୫୩୦ ଲୋକସଂଖ୍ୟା ବିଶିଷ୍ଟ ଏକ ଗାଁ ରାଜୀବନଗରରେ ଦେବାହାଲା ରହନ୍ତି । ସେ ଅଧିସୂଚିତ ଜନଜାତି ଚକମା ସଂପ୍ରଦାୟର । ସେମାନଙ୍କ ମଧ୍ୟରୁ ବହୁତ ଲୋକ ବୌଦ୍ଧ ଧର୍ମାବଲମ୍ବୀ ଏବଂ ଚାଷବାସ ସେମାନଙ୍କର ମୁଖ୍ୟ ଜୀବିକା । ଜିଲ୍ଲାର ପାହାଡ଼ଗୁଡ଼ିକରେ ଉର୍ବର ମାଟି ରହିଛି, ଯେଉଁଥିରେ ଅନେକ ଲୋକ ଝୁମ୍ ବା ବଦଳ ପଦ୍ଧତିରେ ଚାଷ କରି ଏବଂ ମକା, ଧାନ, ରାଶି, ଗୁଆ, ସପୁରୀ ଏବଂ ଅନ୍ୟାନ୍ୟ ଫସଲ ଉପୁଜାନ୍ତି । ଏଥିରେ ମଧ୍ୟ ଘଞ୍ଚ ବାଉଁଶ ଜଙ୍ଗଲ ଏବଂ ଝାଡୁ ତିଆରିରେ ବ୍ୟବହୃତ ଗଛ ରହିଛି ଯାହା କି ସ୍ଥାନୀୟ ଅର୍ଥନୀତିର ମୂଳପିଣ୍ଡ ।




